ETV Bharat / politics

ଡବଲ ଇଞ୍ଜିନ ସରକାରରେ ଶିକ୍ଷାବ୍ୟବସ୍ଥାର ବିକଳ ଚିତ୍ର; ପୁଣି ବଢିଲା ସ୍କୁଲ୍ ଡ୍ରପ୍ ଆଉଟ୍ ହାର, ଝିଅଙ୍କ ଅପେକ୍ଷା ଅଧିକ ପାଠ ଛାଡୁଛନ୍ତି ପୁଅ

ବିଧାନସଭାରେ ସରକାରୀ ତଥ୍ୟ ଅନୁଯାୟୀ, 12 ପ୍ରତିଶତରୁ 15 ପ୍ରତିଶତ ପିଲା ଗତ ଶିକ୍ଷା ବର୍ଷରେ ପାଠ ପଢ଼ାରୁ ମୁଁହ ଫେରାଇଛନ୍ତି ।

Odisha assembly
ଓଡିଶା ବିଧାନସଭା (File pic)
author img

By ETV Bharat Odisha Team

Published : February 20, 2026 at 3:56 PM IST

|

Updated : February 20, 2026 at 4:13 PM IST

3 Min Read
Choose ETV Bharat

ଭୁବନେଶ୍ୱର: ପଦାରେ ପଡିଲା ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ଲଗାତାର ତିନି ବର୍ଷ ଧରି ସ୍କୁଲ୍ ଡ୍ରପ୍ ଆଉଟ୍ (ବିଦ୍ୟାଳୟ ଛାଡିବା) ହାର ହ୍ରାସ ପାଉଥିବା ବେଳେ ଶିକ୍ଷା ବର୍ଷ 2024-25ରେ କିନ୍ତୁ ଏହି ହାରରେ ବୃଦ୍ଧି ଘଟିଛି । ଶିକ୍ଷା ବର୍ଷ 2024-25ରେ ସ୍କୁଲ ଛାଡିବା ହାରରେ 12ରୁ 15 ପ୍ରତିଶତ ବୃଦ୍ଧି ଘଟିଛି । ବିଧାନସଭାରେ ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି । ଏହା ପରେ ଏହି ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାର ପାଇଁ କଥାରେ ନୁହେଁ କାମରେ ଦେଖାଇବାର ସମୟ ଆସିଯାଇଛି ଏବଂ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି କଂଗ୍ରେସ କହିଥିବା ବେଳେ ବିଜେଡି ମଧ୍ୟ ସରକାରଙ୍କ ପାରିବା ପାଣିଆ ଉପରେ ପ୍ରଶ୍ନ ଉଠାଇଛି ।

ପୁଣି ବଢିଲା ସ୍କୁଲ୍ ଡ୍ରପ୍ ଆଉଟ୍ ହାର-

ରାଜ୍ୟ ସରକାର ସ୍କୁଲ୍ ଡ୍ରପ୍ ଆଉଟ୍ ରୋକିବାକୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି ବିପୁଳ ଅର୍ଥ । ହେଲେ ସ୍ଥିତିରେ କୌଣସି ସୁଧାର ଆସୁନାହିଁ । ବିଧାନସଭା ବଜେଟ ଅଧିବେଶନରେ ଡ୍ରପ୍ ଆଉଟ୍ ନେଇ ସାମ୍ନାକୁ ଆସିଛି ସାଙ୍ଘାତିକ ଚିତ୍ର । ସ୍କୁଲ୍ ଡ୍ରପ ଆଉଟ ପ୍ରତିଶତ ପୂର୍ବବର୍ଷ ଅପେକ୍ଷା ବଢିଛି । 2020-21 ରୁ 2023-24 ପର୍ଯ୍ୟନ୍ତ କ୍ରମାଗତ ଭାବେ ହ୍ରାସ ପାଇଥିବା ବେଳେ 2024-25ରେ ବଢିଛି ଡ୍ରପ୍ ଆଉଟ ହାର । ବିଧାନସଭାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ।

ନବମ ଓ ଦଶମ ଶ୍ରେଣୀ ପିଲା ସବୁଠୁ ଅଧିକ ପାଠ ପଢା ଛାଡ଼ୁଛନ୍ତି-

2024-25 ଶିକ୍ଷା ବର୍ଷରେ ନବମ ଓ ଦଶମ ଶ୍ରେଣୀ ପିଲା ସବୁଠୁ ଅଧିକ ପାଠ ପଢା ଛାଡ଼ିଛନ୍ତି । ନବମ ଓ ଦଶମ ଶ୍ରେଣୀରେ ହାରାହାରି 15 ପ୍ରତିଶତ ପିଲା ପାଠ ଛାଡିଛନ୍ତି ।

ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ-

ବିଦ୍ୟାଳୟ ପାଠ ପଢା ଛାଡିବାରେ ଝିଅଙ୍କ ତୁଳନାରେ ପୁଅଙ୍କ ସଂଖ୍ୟା ଅଧିକ ରହିଛି । ନବମ ଓ ଦଶମ ଶ୍ରେଣୀରେ 12.5 % ଝିଅ ପାଠ ଛାଡି ଥିବା ବେଳେ 17.3 % ପୁଅ ପାଠ ଛାଡିଛନ୍ତି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ 3.2% ଡ୍ରପ୍ ଆଉଟ ଥିବା ବେଳେ ଝିଅ ପାଠ ପଢା ଛାଡିବା ପ୍ରତିଶତ 2.6 % ପୁଅମାନଙ୍କ ପାଠ ଛାଡିବା ପ୍ରତିଶତ 3.7 ରହିଛି ।

ପ୍ରାଥମିକ ସ୍ତରରେ ସ୍କୁଲ ଛାଡିବା ହାର କମ୍-

ତେବେ ପ୍ରାଥମିକ ଶିକ୍ଷାରେ ସ୍କୁଲ ଛାଡିବା ହାର କମ୍ ରହିଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ଭିତରେ 0.7 % ପିଲା ପାଠ ପଢା ଛାଡିଛନ୍ତି । ସେଥିରୁ 0.3 ପ୍ରତିଶତ ଝିଅ, 1.1 % ପୁଅ ପାଠ ଛାଡିଛନ୍ତି ।

ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି-କଂଗ୍ରେସ


ତେବେ ବିଧାନସଭାରେ ଡବଲ ଇଂଜିନ ସରକାରର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ଯାହାକୁ ନେଇ ତେଜିଲା ରାଜନୀତି । "ଖାଲି ଡ୍ରପ ଆଉଟ ନୁହେଁ ,ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ଶ୍ରେଣୀରେ ଏକାଧିକ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବସି ପାଠ ପଢୁଛନ୍ତି । ଯେଉଁ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ସେ ରାଜ୍ୟ ବିକାଶ ପଥରେ ଅଗ୍ରସର ହେବ । ହେଲେ ଡବଲ ଇଞ୍ଜିନ ସରକାର ଆସିବାର ପ୍ରାୟ ୨୦ ମାସ ହୋଇଯିବ ହେଲେ ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଶିକ୍ଷା ପାଇଁ ଭିତ୍ତିଭୂମିର ଘୋର ଅଭାବ ରହିଥିବା ନେଇ ଅନ୍ୟ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଯାହା ଗ୍ରହଣୀୟ ନୁହେଂ । ଜନଜାତି ବହୁଳ କୋରାପୁଟ ଜିଲ୍ଲାରେ ଶେଣୀ ଗୃହ ନଥିବାରୁ ଶିକ୍ଷା ବ୍ୟବସ୍ଥା ଶୋଚନୀୟ । ସେହିପରି ରାୟଗଡା, ମାଲକାନଗିରି, ମୟୂରଭଞ୍ଜରେ ସ୍ଥିତି ଭୟଙ୍କର । ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ଦେଖାଇବାର ସମୟ ଆସିଯାଇଛି । ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ ମାରିଛି," କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ।


ଡ୍ରପ ଆଇଟ୍ ରୋକିବାକୁ ନୂଆ ଯୋଜନା କରିଛନ୍ତି, ହେଲେ କାହିଁକି ଏଭଳି ଅବସ୍ଥା ?
ଡ୍ରପ ଆଉଟ ସଂଖ୍ୟା ଗତ ପୂର୍ବ ବର୍ଷ ଅପେକ୍ଷା ଗତ ଶିକ୍ଷାବର୍ଷରେ ବଢିଛି । ବିଧାନସଭାରେ ସରକାରୀ ତଥ୍ୟ ଅନୁଯାୟୀ, ୧୨ ପ୍ରତିଶତରୁ ୧୫ ପ୍ରତିଶତ ପିଲା ପାଠ ପଢ଼ାରୁ ମୁଁହ ଫେରାଉଛନ୍ତି । ସରକାରଙ୍କ ପାରିବା ପାଣିଆ ଉପରେ ପ୍ରଶ୍ନ ଉଠାଇଛି ବିଜେଡି । "ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଛି । ପିଲା ମାନେ ଅଧାରୁ ପାଠ ଛାଡୁଛନ୍ତି । ଡ୍ରପ ଆଇଟ୍ ରୋକିବାକୁ ସରକାର ନୂଆ ଯୋଜନା କରିଛନ୍ତି, ଗୋଦାବରୀଶ ମିଶ୍ର ଯୋଜନା ମଧ୍ୟ କାର୍ଯ୍ୟକାରୀ ହେଉଛି ହେଲେ କାହିଁକି ଏଭଳି ଅବସ୍ଥା । କଥା କହିବାରେ ଏ ସରକାର ମାହିର ହେଲେ ବାସ୍ତବତା ଶୂନ । ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥା ଜଟିଳ ହୋଇପଡିଛି । କେଉଁଠି ପିଲାଙ୍କୁ ବହି ଖାତା ମିଳୁନାହିଁ ତ ଆଉ କେଉଁଠି ଶ୍ରେଣୀ ଗୃହ ନାହିଁ," ବୋଲି କହିଛନ୍ତି ବିଜେଡି ବିଧାୟକ ଶରଦା ଜେନା ।


ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଥମ ଦିନରେ ପରୀକ୍ଷା ଦେଲେ ନାହିଁ 12 ହଜାର 93 ଛାତ୍ରଛାତ୍ରୀ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "କେଉଁ ପରିସ୍ଥିତିରେ 12 ହଜାର ପିଲା ମେଟ୍ରିକ ପରୀକ୍ଷା ଦେଇପାରିଲେ ନାହିଁ ,ସେ କଥା ତର୍ଜମା ହେଉଛି । ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ଅନୁକୂଲ ବ୍ୟବସ୍ଥା କରୁଛନ୍ତି ସରକାର । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁଛି ।"



ସୂଚନା ଥାଉ କି ଗତକାଲି ରାଜ୍ୟରେ ଦଶମ ପରୀକ୍ଷା ଆରମ୍ଭ ହୋଇଛି । ଦଶମ ବୋର୍ଡ ପରୀକ୍ଷାରେ ସାଢ଼େ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ୩,୦୮୨ କେନ୍ଦ୍ରରେ ପରୀକ୍ଷା ହୋଇଛି । ପରୀକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ଏହା ବି ପଢନ୍ତୁ- ଗୃହରେ ଧାନ କିଣା ତାତି, ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ୱର

Last Updated : February 20, 2026 at 4:13 PM IST