ବିଜେଡିରେ ବିସ୍ଫୋରଣ ! ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଲେ ସସ୍ମିତ ପାତ୍ର
ଗତ ସପ୍ତାହରେ ସସ୍ମିତ ଇସ୍ତଫା ଦେଇଥିବାବେଳେ କାରଣ ଅସ୍ପଷ୍ଟ ରହିଛି । ପରବର୍ତ୍ତୀ ରାଜ୍ୟସଭା ସଂସଦୀୟ ଦଳ ନେତା ହୋଇପାରନ୍ତି ସଂତୃପ୍ତ ମିଶ୍ର । ରିପୋର୍ଟ: ଭବାନୀ ଶଙ୍କର ଦାସ

Published : April 8, 2026 at 8:33 PM IST
|Updated : April 9, 2026 at 11:40 AM IST
ଭୁବନେଶ୍ବର: ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି । ସସ୍ମିତ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ସୂଚନା ମିଳିଛି । ଗତ ସପ୍ତାହରେ ସସ୍ମିତ ଇସ୍ତଫା ଦେଇଥିବାବେଳେ କାରଣ ଅସ୍ପଷ୍ଟ ରହିଛି । ନିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସଂତୃପ୍ତ ମିଶ୍ର ହୋଇପାରନ୍ତି ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା । ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୬ ଜଣ ସାଂସଦ ଥିବାବେଳେ ୨୯ ଜୁଲାଇ ୨୦୨୨ରେ ସଂସଦୀୟ ଦଳ ନେତା ନିଯୁକ୍ତ ହୋଇଥିଲେ ସସ୍ମିତ ।
ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ !
ସାଧାରଣ ନିର୍ବାଚନ ପରେ ବିଜେଡିରେ ସବୁକିଛି ଠିକ ଚାଲିନାହିଁ ବୋଲି ଅଭିଯୋଗ ହୋଇଆସୁଛି । ବିଜେଡିରେ ଅସନ୍ତୋଷ ନେଇ ଦଳର ନେତା, ଦଳ ଛାଡୁଥିବା ନେତା, ବିରୋଧୀ ଦଳର ନେତା ଓ ରାଜନୈତିକ ସମୀକ୍ଷକ ଅନେକ ଥର ମୁହଁ ଖୋଲିଛନ୍ତି । ଅତୀତରେ ବିଜେଡିରେ ଘଟିଥିବା ବିଭିନ୍ନ ଘଟଣା ଅଭିଯୋଗକୁ ମଧ୍ୟ ପ୍ରମାଣିତ କରିଛି । ଆଉ ବର୍ତ୍ତମାନ ବିଜେଡିରେ ଅନ୍ତଃକନ୍ଦଳ ଚରମ ସୀମାରେ ପହଁଚିଥିବା ଅଭିଯୋଗ ହେଉଛି । ଏହାର ପରିଣାମ ସ୍ୱରୂପ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଇସ୍ତଫା ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ଇସ୍ତଫାର କାରଣ ଅସ୍ପଷ୍ଟ:
ଗତ ସପ୍ତାହରେ ସସ୍ମିତ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିବା ଜଣାପଡିଛି । ତେବେ ସସ୍ମିତଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ । ଅଘୋଷିତ ଚାପ କିମ୍ବା ବ୍ୟକ୍ତିଗତ କାରଣରୁ ସସ୍ମିତ ଇସ୍ତଫା ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ ।
ଲଗାତର ସସ୍ମିତଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି:
ବିଜେଡିର ରାଜନୈତିକ ଇତିହାସରେ ସସ୍ମିତ ହେଉଛନ୍ତି ପ୍ରଥମ ନେତା, ଯାହାଙ୍କୁ ଦଳ ଲଗାତାର ଦ୍ଵିତୀୟ ଥର ଲାଗି ରାଜ୍ୟସଭା ପଠାଇଛି । ସେହିପରି ସସ୍ମିତଙ୍କୁ ୨୯ ଜୁଲାଇ ୨୦୨୨ରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତି ଦେଇଥିଲା ଦଳ । ଏହା ସହ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ସସ୍ମିତ ନିଯୁକ୍ତ ହୋଇଥିଲେ । ତାରିଖ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗତ ସପ୍ତାହରେ ରାଜ୍ୟସଭାରେ ଦଳର ନେତା ପଦରୁ ସସ୍ମିତ ଇସ୍ତଫା ଦେଇଛନ୍ତି ।
ହରିବଂଶ ନାରାୟଣ ସିଂଙ୍କୁ ଭେଟିଥିଲେ ସସ୍ମିତ:
ସଂସଦରେ ଥିବା କିଛି ସହଯୋଗୀ ସସ୍ମିତଙ୍କୁ ଏହି ପଦରୁ ହଟାଇବା ପାଇଁ ଦଳର ସଭାପତିଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି । ଦଳ ପକ୍ଷରୁ ଏ ବାବଦରେ ରାଜ୍ୟସଭା ଅଧ୍ୟକ୍ଷ ବା ଉପରାଷ୍ଟ୍ରପତିଙ୍କୁ ଅବଗତ କରାଯାଇଛି ନା ନାହିଁ ଜଣାପଡ଼ିନାହିଁ । କିନ୍ତୁ ସସ୍ମିତ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କୁ ଭେଟିଥିବା ଜଣାପଡିଛି । ଏନେଇ ସସ୍ମିତ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିଛନ୍ତି । ତେବେ କେବେ ଓ କେଉଁ କାରଣ ପାଇଁ ସସ୍ମିତ ଭେଟିଛନ୍ତି, ତାହା ଜଣାପଡିନାହିଁ ।
ଦୁବେଙ୍କ ପାଇଁ ସଂସଦୀୟ ଆଇଟି କମିଟିରୁ ଇସ୍ତଫା ଦେଇଥିଲେ..
ନିକଟରେ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ । ମନ୍ତବ୍ୟକୁ ବିରୋଧ କରି ନିଶିକାନ୍ତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ସଂସଦୀୟ ଆଇଟି କମିଟିରୁ ସସ୍ମିତ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟସଭାରେ ପ୍ରସଙ୍ଗ ଉଠାଇ ସସ୍ମିତ କକ୍ଷ ତ୍ୟାଗ କରିଥିଲେ । ସସ୍ମିତ କକ୍ଷ ତ୍ୟାଗ କରିବା ବାବଦରେ ଦଳର ଅନ୍ୟ ସାଂସଦଙ୍କୁ ଅବଗତ କରିନଥିବା କିଛି ଜଣ ଅଭିଯୋଗ କରିଛନ୍ତି ।
ୱାକଫ୍ ବିଲ୍ ପାଇଁ ଚର୍ଚ୍ଚାରେ ଥିଲେ:
ସେହିପରି ୱାକଫ ବିଲକୁ ନେଇ ସଂସଦରେ ଭୂମିକା ନେଇ ସସ୍ମିତ ଚର୍ଚ୍ଚାରେ ଥିଲେ । ଘଟଣାକୁ ନେଇ ଦଳର ସହଯୋଗୀ ସାଂସଦ ଓ ଦଳର ନେତାଙ୍କ ଅସନ୍ତୋଷର ସମ୍ମୁଖୀନ ହୋଇଥିଲେ ସସ୍ମିତ । ଇସ୍ତଫା ଚର୍ଚ୍ଚା ଭିତରେ ସସ୍ମିତଙ୍କ ବିଭିନ୍ନ ପ୍ରସଙ୍ଗରେ ଦଳର ମତ ରଖିଛନ୍ତି ।
ସଂତୃପ୍ତ ହୋଇପାରନ୍ତି ରାଜ୍ୟସଭା ସଂସଦୀୟ ଦଳ ନେତା:
ସସ୍ମିତଙ୍କ ଇସ୍ତଫା ପରେ ଦଳର ପରବର୍ତ୍ତୀ ରାଜ୍ୟସଭା ସଂସଦୀୟ ଦଳର ନେତା ହୋଇପାରନ୍ତି ସଂତୃପ୍ତ ମିଶ୍ର । ନିକଟରେ ସଂତୃପ୍ତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସଂତୃପ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି । ବର୍ତ୍ତମାନ ରାଜ୍ୟସଭାରେ ବିଜେଡି ସଦସ୍ୟ ସଂଖ୍ୟା ହୋଇଛି ୬ । ସସ୍ମିତ ଓ ସଂତୃପ୍ତଙ୍କ ଛଡା ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ମାନସ ରଞ୍ଜନ ମଙ୍ଗରାଜ ଓ ସୁଲତା ଦେଓ ବିଜେଡି ତରଫରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର

