କ୍ଷମତାରୁ ହଟିବା ପରେ ଅସ୍ତିତ୍ବ ହରାଉଛନ୍ତି କି ଆଞ୍ଚଳିକ ଦଳ ? ଓଡ଼ିଶାରେ ବିଜେଡି ସ୍ଥିତିକୁ ନେଇ ରାଜନେତା ଏବଂ ସମୀକ୍ଷକଙ୍କ ପ୍ରତିକ୍ରିୟା
ଓଡ଼ିଶାରେ ବିଜେଡି, ଦିଲ୍ଲୀରେ ଆମ ଆଦମୀ ପାର୍ଟି, ପଶ୍ଚିମବଙ୍ଗରେ ଟିଏମସି, ତାମିଲନାଡୁରେ ଡିଏମକେ ଏବଂ ଏଆଇଏଡିଏମକେର ପରାଜୟ ପରେ ଆଞ୍ଚଳିକ ଦଳଗୁଡ଼ିକର ଅସ୍ତିତ୍ବ ଉପରେ ଉଠିଛି ପ୍ରଶ୍ନ ? ରିପୋର୍ଟ- ସଞ୍ଜୀବ କୁମାର ରାୟ

Published : May 30, 2026 at 12:15 PM IST
REGIONAL PARTIES IN ODISHA AND INDIA , ଭୁବନେଶ୍ବର: ଦେଶରେ ରାଜନୈତିକ ପାଣିପାଗ ଧିରେ ଧିରେ ବଦଳିବାରେ ଲାଗିଛି । ଭାରତ ଏକ ବିଶାଳ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠି ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଏବଂ ରାଜ୍ୟର ଉତ୍ତମ ସମ୍ପର୍କ ରହିଛି । ଏହି ବ୍ୟବସ୍ଥା ଭିତରେ ଜାତୀୟ ଏବଂ ଆଞ୍ଚଳିକ ଦଳଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ବେଳେ, ସାମ୍ପ୍ରତିକ ସ୍ଥିତିରେ କ୍ଷମତାରୁ ଯିବା ପରେ ଆଞ୍ଚଳିକ ଦଳଗୁଡିକ ଆଗକୁ ବଢ଼ିବାକୁ ସଂଘର୍ଷ କରୁଥିବାର ପରିଲକ୍ଷିତ ହେଉଛି । ନେତୃତ୍ବର ପରାକାଷ୍ଠା, ସାଙ୍ଗଠନିକ ସୁଦୃଢ଼ତା ଏବଂ ପରିଚାଳନା ଗତ ତ୍ରୁଟି ଯୋଗୁଁ ଆଞ୍ଚଳିକ ଦଳ ଗୁଡିକ ଦିଗହରା ହେଉଛନ୍ତି । ଯାହା ଫଳରେ ସେମାନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ନିକଟରେ (2026) ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ ହେଉ କିମ୍ବା ତା' ପୂର୍ବରୁ ଓଡ଼ିଶାରେ (2024)ବିଜୁ ଜନତା ଦଳ , ଲମ୍ବା ସମୟ ଧରି କ୍ଷମତାରେ ଥିବା ଆଞ୍ଚଳିକ ଦଳଗୁଡିକୁ ଗ୍ରହଣ କରିପାରିନାହାନ୍ତି ମତଦାତା ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ (2025) ଆମ ଆଦମୀ ପାର୍ଟିର (AAP) ପରାଜୟ ହେଉ କିମ୍ବା ପଶ୍ଚିମବଙ୍ଗ ନିର୍ବାଚନ ତୃଣମୂଳ କଂଗ୍ରେସ (TMC) କିମ୍ବା ଓଡ଼ିଶାରେ ବିଜୁ ଜନତା ଦଳ (BJD), ଦୀର୍ଘବର୍ଷର ଶାସନ ପରେ ଭୋଟରମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି । ସ୍ଥିତି ଏପରି ହୋଇଛି ଯେ, ସାରା ଦେଶରେ ଲୋକପ୍ରିୟତା ଶୀର୍ଷରେ ଥିବା ନବୀନ ପଟ୍ଟନାୟକ ନିଜେ ମଧ୍ୟ 2024 ନିର୍ବାଚନରେ ଦୁଇଟି ବିଧାନସଭା ଆସନରେ ଛିଡ଼ା ହୋଇଥିବା ବେଳେ, ଗୋଟିଏ ଆସନରେ ପରାଜିତ ହୋଇଥିଲେ । ସେହିପରି ଦେଶରେ ସବୁଠୁ ଚର୍ଚ୍ଚାରେ ଥିବା ଅନ୍ୟତମ ମହିଳା ମୁଖ୍ୟମନ୍ତ୍ରୀ ପଶ୍ଚମବଙ୍ଗର ମମତା ବାନର୍ଜୀ ଏବଂ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ନିଜେ ନିର୍ବାଚନ ହାରିଥିଲେ ।
ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାଶ କହିଛନ୍ତି," ଓଡ଼ିଶା ରାଜନୀତିରେ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ୨୪ ବର୍ଷ ଧରି ଶାସନ କ୍ଷମତାରେ ରହିଲା କିନ୍ତୁ ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାର ବିକାଶ ଏବଂ ଓଡ଼ିଆଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଲମ୍ବା ସମୟ ଧରି ପ୍ରତିଶ୍ରୁତିବଦ୍ଧ ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ ଓଡିଶାବାସୀ । ଓଡ଼ିଆ ଅସ୍ମିତା କଥା କହି ମୋଦିଙ୍କ ମ୍ୟାଜିକ କାମ କଲା ଏବଂ ଏକାକୀ ସରକାର ଗଢ଼ିଲା ପଦ୍ମ ଦଳ । ଆଞ୍ଚଳିକ ଦଳଗୁଡ଼ିକ ନିର୍ବାଚନ ହାରିବା ପରେ ପରବର୍ତ୍ତୀ ସମୟରେ ସଂପୃକ୍ତ ଦଳ ପାଇଁ ଅଧିକ ଜଟିଳ ହୋଇପାରେ । ଆଞ୍ଚଳିକ ଦଳଗୁଡ଼ିକ ଆଦର୍ଶଗତ ଚିନ୍ତାଧାରା ନେଇ ଗଠନ ହେଉଛନ୍ତି । ସେମାନଙ୍କ ଆଞ୍ଚଳିକ ଆକାଂକ୍ଷା ରହୁଛି । କ୍ଷମତାକୁ ଆସିବା ପରେ ସେମାନେ ଜନସାଧାରଣଙ୍କ ଠାରୁ ଦୂରେଇ ଯାଆନ୍ତି । ଦୁର୍ନୀତି, ପରିଚାଳନା ଗତ ତ୍ରୁଟି, ଅନ୍ତଃକନ୍ଦଳ ଯୋଗୁଁ ବେଳେ ବେଳେ ହାତରୁ ଶାସନ ବ୍ୟବସ୍ଥା ଚାଲିଯାଏ । ହାରିବା ଫଳରେ ଆଞ୍ଚଳିକ ଦଳ ଭିତରେ ନେତୃତ୍ୱ ପ୍ରତି ଚ୍ୟାଲେଞ୍ଜ, ଦଳ ଭିତରେ ଅନ୍ତର୍ଦ୍ୱନ୍ଦ୍ବ, ସାଙ୍ଗଠନିକ ଅବ୍ୟବସ୍ଥା ଯୋଗୁଁ ଦଳ ଛାଡ଼ି ଅନେକ ନେତା ଚାଲି ଯାଆନ୍ତି । ପରବର୍ତ୍ତୀ ସମୟରେ ଦୁର୍ଦ୍ଦଶାର ଶିକାର ହେବାକୁ ପଡ଼େ।"

"ଆଞ୍ଚଳିକ ଦଳ ଭାବେ ବିଜେଡି ୨୪ ବର୍ଷ ଶାସନରେ ରହିଲା । ଏବେ ଦୁଇ ବର୍ଷ ହେବ ବିଜେପି ସରକାର ଆସିଛି, ଓଡ଼ିଶାବାସୀ ଦୁଇ ବର୍ଷର ସରକାରକୁ ଦେଖିସାରିଲେଣି । ଏବେ ବି ବିଜେଡି ଲୋକପ୍ରିୟତା ସର୍ବାଗ୍ରେ ରହିଛି । ଆଞ୍ଚଳିକ ଦଳ, କିଛି ସମୟ ପାଇଁ ଭଲ ପ୍ରଦର୍ଶନ କରି ନପାରନ୍ତି, କିନ୍ତୁ ଆଞ୍ଚଳିକ ଦଳଗୁଡ଼ିକ ଏବେବି ଭାରତ ବର୍ଷରେ ଶାସନ କରୁଛନ୍ତି । ଓଡ଼ିଶାରେ ବିଜେଡି ଏବେ ବି ବୃହତ୍ତ ଆଞ୍ଚଳିକ ଦଳ ଭାବେ ରହିଛି ବୋଲି ଦାବି କରିଛନ୍ତି ଭୋଗରାଇ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାଶ ।

ବିଗତ ବର୍ଷଗୁଡ଼ିକର ନିର୍ବାଚନ ଫଳାଫଳ କହୁଛି ଯେ, ସାରା ଭାରତବର୍ଷରେ ପ୍ରାୟ ଆଞ୍ଚଳିକ ଦଳ ଗୁଡିକ ଏବେ ପତନ ମୁହାଁ । ଆଞ୍ଚଳିକ ଦଳ ତୁଳନାରେ ଜାତୀୟ ଦଳ ଉପରେ ଭୋଟରଙ୍କ ଆସ୍ଥା ବୃଦ୍ଧି ପାଇବାରେ ଲାଗିଛି, ଯାହା ବିଭିନ୍ନ ନିର୍ବାଚନର ଫଳାଫଳ କହୁଛି । ଭାରତରେ ଏବେ ବିଜେପି ୧୭ଟି ରାଜ୍ୟରେ ଶାସନ କ୍ଷମତାରେ ଥିବାବେଳେ କଂଗ୍ରେସ ୪ଟି ରାଜ୍ୟରେ ସରକାର ଗଢ଼ିଛି ଏବଂ ୭ଟି ରାଜ୍ୟରେ ଆଞ୍ଚଳିକ ଦଳ ସରକାରରେ ଅଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଜାତୀୟ ଦଳ ଅପେକ୍ଷା ଆଞ୍ଚଳିକ ଦଳଗୁଡ଼ିକର ନିଜସ୍ୱ ଆକାଂକ୍ଷା ରହିଛି ଯେ ସେମାନେ ପରିଚାଳନାରେ ସ୍ୱତନ୍ତ୍ର । ସେମାନଙ୍କ ନେତୃତ୍ୱ ସର୍ବେସର୍ବା । ଯେତେବେଳେ ସଂପୃକ୍ତ ଦଳ ଶାସନ କ୍ଷମତାରୁ ଯାଉଛନ୍ତି, ସେତେବେଳେ ଦଳ ଭିତରେ ନେତୃତ୍ୱ ଉପରେ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି । ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ଅଧିକ ତୀବ୍ର ହେଉଛି ଏବଂ ଏହାକୁ ନେଇ ଦଳର ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠୁଛି ।"

୨୦୨୬ ସୁଦ୍ଧା, ଭାରତରେ ୨୮ଟି ରାଜ୍ୟ ମଧ୍ୟରୁ କେଉଁଠି ଜାତୀୟ ଦଳ ଏବଂ କେଉଁଠି ଆଞ୍ଚଳିକ ଦଳ କ୍ଷମତାରେ ଅଛନ୍ତି ? ଆସନ୍ତୁ ନଜର ପକାଇବା...
- ୧୭ଟି ରାଜ୍ୟରେ ବିଜେପି ନେତୃତ୍ୱାଧୀନ ସରକାର :
ଅରୁଣାଚଳ ପ୍ରଦେଶ, ଆସାମ, ବିହାର (ଏନ୍ଡିଏ), ଛତିଶଗଡ଼, ଗୋଆ, ଗୁଜୁରାଟ, ହରିଆଣା, ମଧ୍ୟପ୍ରଦେଶ ,ମହାରାଷ୍ଟ୍ର, ମଣିପୁର, ଓଡ଼ିଶା, ରାଜସ୍ଥାନ, ତ୍ରିପୁରା, ଉତ୍ତର ପ୍ରଦେଶ, ଉତ୍ତରଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବିଜେପି ସରକାର ରହିଥିବା ବେଳେ କିଛି ରାଜ୍ୟରେ ଏନ୍ଡିଏ ନେତୃତ୍ୱାଧୀନ ସରକାର, ଯେଉଁଠାରେ ବିଜେପି ଏକ ମେଣ୍ଟ ସହଯୋଗୀ ଦଳ ଭାବେ ରହିଛି।
- ୪ଟି ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ସରକାର :
କର୍ଣ୍ଣାଟକ, ତେଲେଙ୍ଗାନା, ହିମାଚଳ ପ୍ରଦେଶ ଏବଂ କେରଳ
- ୭ଟି ରାଜ୍ୟରେ ଆଞ୍ଚଳିକ ଦଳ ନେତୃତ୍ୱାଧୀନ ସରକାର ଚାଲିଛି:
ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ ପାର୍ଟି( ବିଜେପି ସହ ମେଣ୍ଟ), ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ପଞ୍ଜାବରେ ଆମ ଆଦମୀ ପାର୍ଟି, ତାମିଲନାଡୁରେ ଟିଭିକେ(କଂଗ୍ରେସ ଏବଂ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ) , ମିଜୋରାମରେ ଏମଏନଏ, ଜେଡପିଏମ ନେତୃତ୍ୱାଧୀନ ଆଞ୍ଚଳିକ ସରକାର ଏବଂ ନାଗାଲାଣ୍ଡରେ ଏନଡିପିପି ନେତୃତ୍ୱାଧୀନ ମେଣ୍ଟ ସରକାର ଚାଲିଛି ।
ଆଞ୍ଚଳିକ ଦଳକୁ ନେଇ ଓଡ଼ିଶା ବିଜେପିର ଯୁକ୍ତି ହେଉଛି, ବିଜେପି ଏକ ଶୃଙ୍ଖଳିତ ଜାତୀୟ ଦଳ, ଯେଉଁଠି ସମସ୍ତଙ୍କୁ ଗୁରୁତ୍ୱ ଦିଆଯାଏ । ଏନେଇ ରାଜ୍ୟ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ କହିଛନ୍ତି " ଆଞ୍ଚଳିକ ଦଳଗୁଡ଼ିକର ଆଦର୍ଶଗତ ଆଭିମୁଖ୍ୟ ନାହିଁ । ପରିବାରବାଦ ଭିତରେ ସୀମିତ ରହିଛି ଆଞ୍ଚଳିକ ଦଳର ରାଜନୈତକ ଅଭିପ୍ସା । ସେମାନଙ୍କ ଉତ୍ତର ଦାୟିତ୍ୱ ନାହିଁ, ଯେଉଁଥିପାଇଁ ଭୋଟରଙ୍କ ଆସ୍ଥା ହରାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଜେପି ଦଳର ସାଙ୍ଗଠନିକ ଦକ୍ଷତା ଉତ୍ତରଦାଇତ୍ବ ପାଇଁ ଆଜି ଭାରତବର୍ଷରେ 22ଟି ରାଜ୍ୟରେ ବିଜେପି ଏବଂ ଏନଡିଏ ଶାସନରେ ରହିଛନ୍ତି । "
ଇଟିଭି ଭାରତ, ଭୁବନେଶ୍ବର

