ETV Bharat / politics

ରାଜ୍ୟସଭା ନିର୍ବାଚନ: 16 ସେଟ୍ ଫର୍ମ କିଣିଲା ବିଜେପି, ରାଜ୍ୟସଭା ପାଇଁ ବିଜେପି ଦେବ 3 ପ୍ରାର୍ଥୀ

ରାଜସଭା ପାଇଁ ବିଜେଡ଼ି ପରେ ବିଜେପି ଆଜି ଫର୍ମ କିଣିଛି । ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଫର୍ମ କିଣିଲା ବିଜେପି । ବିଧାୟକ ଦଳର ଏକ ପ୍ରତିନିଧି ଟିମ୍‌ ଆସି କିଣିଲେ ଫର୍ମ ।

rajyasabha-election
16 ସେଟ୍ ଫର୍ମ କିଣିଲା ବିଜେପି (ETV Bharat Odisha)
author img

By ETV Bharat Odisha Team

Published : March 2, 2026 at 6:32 PM IST

|

Updated : March 2, 2026 at 6:39 PM IST

3 Min Read
Choose ETV Bharat

ଭୁବନେଶ୍ୱର: ରାଜ୍ୟସଭାରେ ବିଜେପି ଦେବ 3 ପ୍ରାର୍ଥୀ l ଆସନ୍ତା 5 ତାରିଖରେ ନାମାଙ୍କନ ଭରିବେ ବିଜେପି ପ୍ରାର୍ଥୀ l ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଡ଼ାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି । 3 ପ୍ରାର୍ଥୀଙ୍କ ପାଇଁ ନାମାଙ୍କନ ପତ୍ରରେ ନିଆଯାଇଛି ବିଧାୟକଙ୍କ ଦସ୍ତଖତ l 5 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ ସମୟରେ ଉପସ୍ଥିତ ରହିବାକୁ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ରହିଛି l ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସହ ବିଧାୟକ ମାନେ ଉପସ୍ଥିତ ଥିଲେ l ତେବେ ଓଡ଼ିଶାରେ 4 ଟି ଆସନ ପାଇଁ ହେବ ରାଜ୍ୟସଭା ନିର୍ବାଚନ ।

ଏପଟେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି । ଆଜି 16 ସେଟ୍ ଫର୍ମ କିଣିଛି ବିଜେପି । ରିଟର୍ଣ୍ଣିଂ ଅଫିସରଙ୍କଠାରୁ ଫର୍ମ କିଣିଛି ବିଜେପି । ବିଧାୟକ ଦଳର ଏକ ପ୍ରତିନିଧି ଟିମ୍‌ ଆସି କିଣିଛନ୍ତି ଫର୍ମ । ରାଜସଭା ପାଇଁ ବିଜେଡ଼ି ପରେ ଏବେ ବିଜେପି ଆଜି ଫର୍ମ କିଣିଛି । ବିଜେପି ମୋଟ ୧୬ଟି ଫର୍ମ କିଣିଥିବା ଜଣାପଡ଼ିଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହିତ ୫ ଜଣ ବିଧାୟକ ଯାଇ ବିଧାନସଭାରୁ ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ପତ୍ରର ୧୬ଟି ସେଟ୍ ଫର୍ମ କିଣିଛନ୍ତି ।



ବିଜେପି ୨ଟି ଆସନ ହାତେଇବା ସ୍ପଷ୍ଟ ଥିବାବେଳେ ଆଉ ଗୋଟିଏ ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିଛି ଦଳ । ଯଦି ଜଣକା ୨ଟି ଲେଖାଏଁ ସେଟ୍ ନାମାଙ୍କନ ଦାଖଲ କରନ୍ତି ତେବେ ମାତ୍ର ୬ଟି ଫର୍ମ ଆବଶ୍ୟକ । ଅଥବା ଜଣକା ୩ଟି କିମ୍ବା ୪ଟି ଲେଖାଏଁ ନାମାଙ୍କନ ଦାଖଲ କରନ୍ତି ତଥାପି ଯଥାକ୍ରମେ ୯ କିମ୍ବା ୧୨ଟି ଫର୍ମ ଆବଶ୍ୟକ । କିନ୍ତୁ ୧୬ଟି ଫର୍ମ କିଣିବା ରାଜନୈତିକ ଆଲୋଚନାକୁ ବଢ଼ାଇ ଦେଇଛି । ତେଣୁ ଦଳ ୪ ଜଣ ପ୍ରାର୍ଥୀଙ୍କ ରାଜ୍ୟସଭା ପାଇଁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସେପଟେ କିଏ ପ୍ରାର୍ଥୀ ହେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ ।


ସେପଟେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ନେଇ ଆଜି ହୋଇଥିଲା ମାନସମନ୍ଥନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଡାକିଥିଲେ ଜରୁରୀ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲେ । ସବୁ ବିଧାୟକ ଏବଂ ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନକୁ ଡାକି ଆଲୋଚନା କରିଛନ୍ତି l ରାଜ୍ୟସଭା ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ଏବେ ଶାସକ ଦଳ ବିଜେପିର ପାଳି । ତେବେ ନାମାଙ୍କନ ଭରିବାକୁ ଆଉ ମାତ୍ର 3 ଦିନ ବାକି ଥିବାବେଳେ ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ l

ସେହିପରି ରାଜ୍ୟସଭା ପ୍ରାର୍ଥୀ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି, "ବିଜେପି ଖୁବଶୀଘ୍ର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବ । ପାର୍ଲ୍ୟାମେଣ୍ଟ ବୋର୍ଡ ଏହାର ନିଷ୍ପତ୍ତି ନେବ । ବିଜେଡି ଯେଉଁଭଳି ଘୋଷଣା କରିଛି କମନ୍ କ୍ୟାଣ୍ଡିଡେଟ ଓ କଂଗ୍ରେସ ତାଙ୍କ ସହ ଅଛି ବୋଲି କହୁଛନ୍ତି, ଡାକ୍ତରଙ୍କୁ ଏ ସମାଜ ବହୁତ ସଂମ୍ମାନ କରେ ହେଲେ ଆଗରୁ ସବୁ ପାର୍ଟି ସହ ବିଶ୍ୱାସରେ ଆଲୋଚନା କରିବା କଥା, କିନ୍ତୁ ତାହା ହୋଇନାହିଁ । ତେଣୁ ଏହାର ଆବଶ୍ୟକତା ବି ଏବେ ନାହିଁ । ବିଜେପି ତାର ନିଷ୍ପତ୍ତି ଖୁବଶୀଘ୍ର ନେବ "

ତେବେ 2026 ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିର ଅନେକ ଆଶାୟୀ ଦୌଡ଼ରେ ଅଛନ୍ତି l ଦଳର ରାଜ୍ୟ କୋର୍ କମିଟି ଯେଉଁ ତାଲିକା ଦିଲ୍ଲୀ ପଠାଇଛି ସେଥିରୁ କିଏ ବାଜି ମାରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । କିନ୍ତୁ ଗତକାଲି ଠାରୁ ଆଉ ଏକ ନୂଆ ମୁହଁ ପୂର୍ଣିମା କେରକେଟାଙ୍କ ନାମ ଚର୍ଚ୍ଚା ଚାଲିଛି l


ସୁନ୍ଦରଗଡ଼ର ବିଜେପି ଆଦିବାସୀ ନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କୁ ବିଜେପି ରାଜ୍ୟସଭା ଟିକେଟ୍ ଦେଇପାରେ । ପୂର୍ଣ୍ଣିମା ତୃଣମୂଳ ସ୍ତରରେ ବେଶ ପରିଚିତ ଚେହେରା ଅଟନ୍ତି । ଗତ ୨୪ ତାରିଖରେ ପୂର୍ଣ୍ଣିମା ରେଲ ଇଣ୍ଡିଆ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ସର୍ଭିସ୍ (ଆରଆଇଟିଇଏସ୍) ବୋର୍ଡରୁ ଇସ୍ତଫା ଦେଇଛନ୍ତି । ଏହି ବୋର୍ଡରେ ସେ ଅଣସରକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଗତ ଜୁଲାଇ ମାସରେ ରେଳ ବିଭାଗ ତାଙ୍କୁ ନିଯୁକ୍ତି ଦେଇଥିଲା । ତାଙ୍କର ଆଗାମୀ ତିନି ବର୍ଷ ଯାଏଁ କାର୍ଯ୍ୟକାଳ ଥିଲା । ମାତ୍ର ଗତ ଫେବ୍ରୁଆରୀ ୨୪ ତାରିଖରେ ସେ ଇସ୍ତଫା ଦେବା ପରେ ୨୫ ତାରିଖରେ ତାଙ୍କ ଇସ୍ତଫା ମଞ୍ଜୁର ହୋଇଯାଇଛି । ଇସ୍ତଫା ପରେ ରାଜ୍ୟସଭାକୁ ସେ ଯାଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । ବିଜେପି ପୂର୍ଣ୍ଣିମାଙ୍କ ନାମକୁ ଚୂଡ଼ାନ୍ତ କରିସାରିଥିବାବେଳେ କେବଳ ଘୋଷଣା ବାକି ରହିଛି ବୋଲି କୁହାଯାଉଛି ।

ଏହା ବି ପଢନ୍ତୁ- କିଏ ନେବ ଚତୁର୍ଥ ଆସନ ? ରାଜନୈତିକ କସରତ ଭିତରେ କଂଗ୍ରେସ କିଣିଲା ପ୍ରାର୍ଥୀ ପତ୍ର, 3 ସେଟ୍ ଫର୍ମ ନେଲେ ବିଧାୟକ ସତ୍ୟଜିତ ଗମାଙ୍ଗ


ରାଜ୍ୟସଭା ନିର୍ବାଚନ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୫ । ନାମାଙ୍କନ ଯାଞ୍ଚ ମାର୍ଚ୍ଚ ୬ ତାରିଖରେ ହେବ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୯ ତାରିଖ । ମାର୍ଚ୍ଚ ୧୬ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଏବଂ ଅପରାହ୍ନରେ ଭୋଟ ଗଣତି ହେବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : March 2, 2026 at 6:39 PM IST