ରାଜ୍ୟସଭା ନିର୍ବାଚନ; ସବୁ ସିଟ୍ ହାତେଇ ପାରେ BJP: ବିଧାୟକ ସରୋଜ ପାଢ଼ୀ
4ଟିରୁ 4ଟି ରାଜ୍ୟସଭା ସିଟ୍ ହାତେଇପାରେ ବୋଲି କହିଲେ ବିଜେପି ବିଧାୟକ । ଜଣେ ସମାଜସେବୀ କିମ୍ବା ଦଳର ବରିଷ୍ଠ ନେତାଙ୍କୁ ପ୍ରାର୍ଥୀ କରିପାରେ କଂଗ୍ରେସ ।

Published : February 26, 2026 at 9:13 AM IST
RajyaSabha Elections ଭୁବନେଶ୍ବର: ମାର୍ଚ୍ଚ 16 ତାରିଖରେ ରାଜ୍ୟସଭା ନିର୍ବାଚନ । ଓଡ଼ିଶାର 4ଟି ସିଟ୍ ପାଇଁ ନିର୍ବାଚନ ହେବ । କେଉଁ ଦଳରୁ କିଏ ପ୍ରତିଦ୍ବନ୍ଦିତା କରିବେ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ରାଜ୍ୟସଭା ନିର୍ବାଚନରେ ବିଜେପି କେତୋଟି ସିଟ ହାତେଇବ ? କେଉଁ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ ? ଏନେଇ ଅନେକ ପରିକଳ୍ପନା ରାଜନୈତିକ ପରିବେଶକୁ ବେଶ ଚଳଚଞ୍ଚଳ କରି ପକାଇଛି । ଏହାଭିତରେ 4ରୁ 4ଟି ଯାକ ସିଟ ଭାରତୀୟ ଜନତା ପାର୍ଟି ଖାତାକୁ ଯାଇପାରେ ବୋଲି କହିଛନ୍ତି BJP ବିଧାୟକ ।
କେଉଁ ଦଳ ହାତକୁ ଯିବ କେତେ ସିଟ ?
ବିଜେପି ଖାତାକୁ 2ଟି ରାଜ୍ୟସଭା ସିଟ୍ ଏବଂ ବିଜେଡି ହାତକୁ ଗୋଟିଏ ଆସନ ମିଳିବାର ଚର୍ଚ୍ଚା ଯୋର ଧରିଛି । ମାତ୍ର ଚତୁର୍ଥ ଆସନକୁ କେଉଁ ଦଳ ଓ ପ୍ରାର୍ଥୀ ହାତେଇବେ ଏନେଇ ରାଜନୀତି ଆରମ୍ଭ ହୋଇଛି ।
କିଏ ପାଇବ ଶାସକ ଦଳ ପକ୍ଷରୁ ଟିକେଟ?
ଗତକାଲି (ବୁଧବାର) ଜାତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟସଭା ନିର୍ବାଚନ ପାଇଁ ଆଲୋଚନା ହୋଇଛି । ବିଜେପିର 2ଟି ସିଟ୍ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ନେତା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କ ନାମ ଚର୍ଚ୍ଚାରେ ରହିଛି । ତେବେ ଶାସକ ଦଳରୁ କିଏ ତୃତୀୟ ଆସନ ପାଇଁ ମନୋନୀତ ହେବ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟସଭା ନିର୍ବାଚନରେ ବିଜେପି କାହାକୁ କରିବ ପ୍ରାର୍ଥୀ, କେତେଟି ସିଟ ହାତେଇବ ବୋଲି ପ୍ରଶ୍ନରେ ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି,"ବିଜେପି ପାଇଁ ଦୁଇଟି ସିଟ ପକ୍କା ରହିଛି । ଏଥର ଦୁଇରୁ ଅଧିକ ସିଟ ନେଇପାରେ । ରାଜନୀତିରେ ଘଟଣା ବହୁଳ ଅଟେ । କେତେବେଳେ କିଛି ବି ହୋଇପାରେ । ବିଜେପି 4ରୁ 4ଟି ରାଜ୍ୟସଭା ସିଟ ମଧ୍ୟ ହାତେଇପାରେ । ବିଜେପି ହେଉଛି ଏକ କେନ୍ଦ୍ରୀୟ ପାର୍ଟି । ଏନେଇ ବିଜେପି କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେବ । କେନ୍ଦ୍ରସ୍ତରରେ ଶେଷ ନିଷ୍ପତ୍ତି ହେବା ପରେ ପ୍ରାର୍ଥୀ ଘୋଷଣା ସହିତ ନାମାଙ୍କନ ହେବ ।"
କାହାକୁ ମିଳିବ କଂଗ୍ରେସ ଟିକେଟ:
ସେପଟେ ଜଣେ ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି । ସେ କହିଛନ୍ତି, "ଦଳର ହାଇକମିଶନ ଓ PCC ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ ହେବ । ଦଳର ସଦସ୍ୟଙ୍କୁ ସୁଯୋଗ ମିଳୁ ବୋଲି ଚେଷ୍ଟା କରାଯିବ । ଦଳ ଭିତରେ ପ୍ରାର୍ଥୀ ଚୟନ କରିବାକୁ AICCକୁ କହିବୁ । ଆମେ 14 ବିଧାୟକ ଅଛୁ, CPIMର ବିଧାୟକ ଆମ ସହ ଅଛନ୍ତି । 15 ବିଧାୟକ ଏକତ୍ରିତ ହୋଇ ଅଛୁ । ଜଣେ ସମାଜସେବୀ କିମ୍ବା ଦଳର ବରିଷ୍ଠ ନେତା ପ୍ରାର୍ଥୀ ହୋଇପାରନ୍ତି ।"

ମାର୍ଚ୍ଚ 16ରେ ରାଜ୍ୟସଭା ନିର୍ବାଚନ:
ରାଜ୍ୟସଭାରେ ଖାଲି ହେବାକୁ ଥିବା 4ଟି ଆସନ ଲାଗି ଆସନ୍ତା ମାର୍ଚ୍ଚ 16 ତାରିଖରେ ନିର୍ବାଚନ ହେବାକୁ ଯାଉଛି । ଏନେଇ ବିଗତ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଓଡିଶାରୁ ରାଜ୍ୟସଭାର 4 ସଦସ୍ୟ: ମମତା ମହାନ୍ତ, ନିରଞ୍ଜନ ବିଶି, ସୁଜିତ୍ କୁମାର ଏବଂ ମୁନା ଖାଁଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ 2 ତାରିଖରେ ଶେଷ ହେବ । ଏହା ସହିତ 10ଟି ରାଜ୍ୟରେ ମଧ୍ୟ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର

