ETV Bharat / politics

ଲିଙ୍ଗଡୋ କମିଶନ ନିୟମ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର: ବିରୋଧୀ

ଛାତ୍ର ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପି ମନ୍ତ୍ରୀ ଓ ବିଧାୟକ ଚାପ ପକାଉଛନ୍ତି ବୋଲି ବିଜେଡି ବିଧାୟକ ଡ଼ ବ୍ୟୋମକେଶ ରାୟ ଅଭିଯୋଗ ଆଣିଛନ୍ତି । ରିପୋର୍ଟ: ଭବାନୀ ଶଙ୍କର ଦାସ

Odisha Student Union Election Heated atmosphere BJD
ଲିଙ୍ଗଡୋ କମିଶନ ନିୟମ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର: ବିରୋଧୀ (ETV Bharat Odisha)
author img

By ETV Bharat Odisha Team

Published : October 11, 2026 at 10:22 AM IST

4 Min Read
Choose ETV Bharat

ଭୁବନେଶ୍ବର: "ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ କରିବାକୁ ହୀନ ପ୍ରୟାସ ଜାରି ରଖିଛି ବିଜେପି । ନିର୍ବାଚନ ପାଇଁ ଥିବା ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବିଜେପି ସରକାର ହାଇଜାକ କରିଛନ୍ତି । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଯାଉଛି । ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର" କରୁଥିବାର ଅଭିଯୋଗ କରି ବିଜେଡି ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି କଡା ଭାଷାରେ ନିନ୍ଦା କରିଛନ୍ତି ।

ଲିଙ୍ଗଡୋ କମିଶନ ନିୟମ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର: ବିରୋଧୀ (ETV Bharat Odisha)

ବିଜେଡି ବିଧାୟକ ଡ଼ ବ୍ୟୋମକେଶ ରାୟ କହିଛନ୍ତି, "ବିଜେଡି ପକ୍ଷରୁ ଯାହା ସନ୍ଦେହ କରାଯାଉଥିଲା ତାହା ସତ୍ୟ ହୋଇଛି । ଛାତ୍ର ସଂସଦ ନିର୍ବାଚନକୁ ବିଜେପି ସପକ୍ଷରେ କରିବା ପାଇଁ ନିର୍ବାଚନ ନୀତି ନିୟମର ଧଜିଆ ଉଡ଼ାଇ ଦେଇଛନ୍ତି ରାଜ୍ୟ ସରକାର । ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିବା ନେଇ କାର୍ଯ୍ୟ କରୁଛି ବିଜେପି । ଲିଙ୍ଗଡୋ କମିଶନ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ କରିଛନ୍ତି ବିଜେପି ସରକାର । ରାଜ୍ୟର ୫୦ରୁ ଊର୍ଦ୍ଧ୍ବ କଲେଜରେ ବିଜେଡି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ଥିବାବେଳେ ସେଠାରେ ରାଜ୍ୟ ସରକାର ନିର୍ବାଚନ ବାତିଲ କରିବା ସହ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ କରିଦେଇଛନ୍ତି ।"

Odisha Student Union Election Heated atmosphere BJD
ଲିଙ୍ଗଡୋ କମିଶନ ନିୟମ ଖୁଲମଖୁଲା ଉଲ୍ଲଙ୍ଘନ କରୁଛନ୍ତି ରାଜ୍ୟ ସରକାର: ବିରୋଧୀ (ETV Bharat Odisha)

ନୟାଗଡ଼ କଲେଜ ମଧ୍ୟକୁ ବାହାର ପିଲା ଅନଧିକୃତ ଭାବେ ପ୍ରବେଶ କରିଛନ୍ତି । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାତି ଅଧିଆ ଅନଧିକୃତ ଭାବେ ପ୍ରବେଶ କରି ଦାଣ୍ଡିଆ ନାଇଟ ପାଳନ କରିଛନ୍ତି । ବିଜେଡି ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ ଚାପ ପକାଇଛନ୍ତି ବିଜେପିର ମନ୍ତ୍ରୀ ଓ ବିଧାୟକ । ବିଜେଡି ଶାସନ କାଳରେ ଏମିତି କେବେ ହୋଇନଥିଲା । ସରକାରୀ କଳର ଅପବ୍ୟବହାର କରି ନିର୍ବାଚନ ଜିତିବାକୁ ପ୍ରୟାସ କରୁଛି ବିଜେପି । ରାଜନୀତିର ପଶା ପାଲିରେ ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରୁଛି ବିଜେପି । ବିଜେପି ସରକାରକୁ ଜେନ ଜି ଭୟ ଘାରିଛି । ବିଜେପିର ଏହି ଅରାଜକତାକୁ ରୋକିବା ପାଇଁ ବିଜେଡି ଲଢ଼େଇ ଜୋରଦାର କରିବ ~ବିଜେଡି ବିଧାୟକ ଡ଼ ବ୍ୟୋମକେଶ ରାୟ


ତରବରିଆ ନିର୍ବାଚନ ଘୋଷଣାକୁ ନିନ୍ଦା କରିଲେ ବିଧାୟକ:
ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, "ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାର ପକ୍ଷପାତିତା କରୁଛନ୍ତି । ନିଜ ସପକ୍ଷରେ ନିର୍ବାଚନ ଫଳାଫଳ କରିବା ପାଇଁ ଉଦ୍ୟମ କରୁଛି ବିଜେପି । ଯେଉଁଠି ଏବିଭିପି ପ୍ରାର୍ଥୀଙ୍କ ବିଜୟର ସମ୍ଭାବନା ନାହିଁ, ସେଠାରେ ଉଦେଶ୍ୟ ମୂଳକ ଭାବେ ନିର୍ବାଚନ ବାତିଲ କରାଯାଇଛି । ରାଜ୍ୟର ୨୦୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ରାଜ୍ୟ ସରକାର ବାତିଲ କରିଛନ୍ତି । ଛାତ୍ର ସଂସଦ ନିର୍ବାଚନରେ ବିଜେପିର ମନ୍ତ୍ରୀ ଓ ବିଧାୟକ ପ୍ରତ୍ୟକ୍ଷ ଭାବେ ଜଡ଼ିତ ହେଉଥିବା ବେଳେ ନିର୍ବାଚନ ନିରପେକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ବାଚନ ଫଳାଫଳ ନିଜ ସପକ୍ଷରେ କରିବା ପାଇଁ ରାଜ୍ୟ ସରକାର ଚଞ୍ଚକତା କରି ତରବରିଆ ଭାବେ ନିର୍ବାଚନ ଘୋଷଣା କରିଛନ୍ତି । ସରକାରୀ କଳ ବଳ ଲଗାଇ ନିର୍ବାଚନ ଜିତିବାକୁ ଲାଗି ପଡିଛନ୍ତି । ଜେନ ଜି ମାନଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଯାହାକି ଅତ୍ୟନ୍ତ ବିପଦ ଜନକ ।"

ନିର୍ବାଚନ ବାତିଲ କରୁଛନ୍ତି:
ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ କହିଛନ୍ତି, "ବିସିଜେଡି ପିଲା ଶାନ୍ତି ଶୃଙ୍ଖଳା ମଧ୍ୟରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟର ୧୦୦ରୁ ଊର୍ଦ୍ଧ୍ଵ କ୍ୟାମ୍ପସରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ମନ୍ତ୍ରୀଙ୍କ ଚାପ ସତ୍ତ୍ୱେ ଅନେକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ବିସିଜେଡି ପ୍ରାର୍ଥୀ ପ୍ୟାନେଲ ସହ ବିଜୟ ହୋଇଛନ୍ତି । ଏମିତି କି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ବିସିଜେଡିର ୪ ଜଣ ପ୍ରାର୍ଥୀ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଛନ୍ତି । ଯେଉଁଠି ଏଭିବିପି ହାରିବା ଭୟ ରହିଛି ସେଠାରେ ବିଜେପି ସରକାର ନିର୍ବାଚନକୁ ବାତିଲ କରାଉଛନ୍ତି । ନୟାଗଡ଼ କଲେଜରେ ବିସିଜେଡି ପ୍ୟାନେଲ ସହ ବିଜୟ ହେବାର ସମ୍ଭାବନା ଥିବାରୁ ସେଠାରେ ସରକାର ନିର୍ବାଚନ ବାତିଲ କରିଦେଲେ ।"

"ବିଜେପି ସରକାରକୁ ଛାତ୍ର ସଂସଦ ନିର୍ବାଚନ ହାରିବାର ଭୟ ଘାରିଛି । ନାମାଙ୍କନ ପତ୍ର ଯାଞ୍ଚ ପରେ ସନ୍ଧ୍ୟା ୫ଟା ପରେ ତାଲିକ ପ୍ରକାଶ ପାଇବାର ଥିଲା, କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାଣି ଶୁଣି ରାତି ୯ ପରେ ତାଲିକା ପ୍ରକାଶ ପାଇଥିଲା । ଏବିଭିପି ପ୍ରାର୍ଥୀ ମାନଙ୍କ ଉପସ୍ଥାନ କମ୍ ଥିବାରୁ ସେମାନେ ପ୍ରାର୍ଥୀପତ୍ର ନାକଚ ହୋଇଥାନ୍ତା । କିନ୍ତୁ ତାହାକୁ ସଠିକ୍ କରିବା ପାଇଁ ମନ୍ତ୍ରୀ ଫୋନ କରିଥିଲେ । ଯାହାକୁ ନେଇ ତାଲିକା ପ୍ରକାଶ ପାଇବାରେ ବିଳମ୍ବ ହୋଇଥିଲା । ବିଜେପିର ହୀନ ପ୍ରୟାସ କେବେ ସଫଳ ହେବ ନାହିଁ । ସାରା ରାଜ୍ୟରେ ବିସିଜେଡି ପ୍ରାର୍ଥୀ ବିଜୟ ଲାଭ କରିବେ, " ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ


ଇଲେକ୍ସନ ନ କରାଯାଇ ସିଲେକ୍ସନ ପାଇଁ ଅସନ୍ତୋଷ:
ଛାତ୍ର କଂଗ୍ରେସ ସଭାପତି ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, "ସରକାରଙ୍କ ସହଯୋଗରେ ଏଭିବିପି ଫନ୍ଦି ଫିକର କରି ଛାତ୍ର ସଂସଦ ନିର୍ବାଚନ ଜିତିବା ପାଇଁ ଚେଷ୍ଟା କରୁଛି । ୨୦୬ କଲେଜରେ ଇଲେକ୍ସନ ନ କରାଯାଇ ସିଲେକ୍ସନ କରାଯାଇଛି । ୩ଟି ବଡ଼ ବିଶ୍ୱବିଦ୍ୟାଳୟରେ ଇଲେକ୍ସନ ବଦଳରେ ସିଲେକ୍ସ ବ୍ୟବସ୍ଥାକୁ ଛାତ୍ର କଂଗ୍ରେସ ବିରୋଧ କରୁଛି । ଏଭିବିପିର ସଂଗଠନ ନଥିବା କଲେଜ ଗୁଡିକରେ ଜାଣିଶୁଣି ନିର୍ବାଚନ ବାତିଲ କରାଯାଇଛି । ବିଜେପି ସଭାପତି ମନମୋହନ ସାମିଲଙ୍କ ନିର୍ବାଚନ ମଣ୍ଡଳୀର ମତୋ କଲେଜ ଓ ଭଦ୍ରକ ମହିଳା ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିମାପଡା ମହାବିଦ୍ୟାଳୟରେ ସମାନ ଅବସ୍ଥା ।"


ବିଭୂତି ଆହୁରି ମଧ୍ୟ କହିଛନ୍ତି, "ଧର୍ମଶାଳାକୁ ଉତ୍ତର କୋରିଆ କରିଦେଇଛନ୍ତି ସ୍ଥାନୀୟ ବିଧାୟକ ହିମାଂଶୁ ଶେଖର ସାହୁ । ଧର୍ମଶାଳାରେ ଏଭିବିପି କ୍ଲିନ ସୁଇପ କରୁଛି । ଯେଉଁଠି ଏକଛତ୍ରବାଦ ଶାସକ ଥାନ୍ତି ସେଠି କ୍ଲିନ ସୁଇପ ହୁଏ । ଅନ୍ୟ ଦଳର ଛାତ୍ର ନେତାଙ୍କୁ ଟଙ୍କା ଲୋଭ ଓ ଭୟ ଦେଖାଇ ପ୍ରଭାବିତ କରାଯାଉଛି । ଧର୍ମଶାଳା ଓ ଉତ୍ତର କୋରିଆ ମଧ୍ୟରେ ଫରକ ନାହିଁ । ଏକଚାଟିଆ ଭାବେ ଓଡିଶାକୁ ଉତ୍ତର କୋରିଆ କରିଦେଛନ୍ତି ସ୍ଥାନୀୟ ବିଧାୟକ । ସେହିପରି ମାହାଙ୍ଗା ପୁଷ୍ପଗିରି କଲେଜରେ ଛାତ୍ର ଦମନ ଚାଲିଛି । ସ୍ଥାନୀୟ ବିଧାୟକ ସାରଦା ପ୍ରଧାନଙ୍କ ପ୍ରରୋଚନାରେ ଛାତ୍ର କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ ହୋଇଛି । ୭୫ ପ୍ରତିଶତ ଉପସ୍ଥାପନ ଥାଇ ମଧ୍ୟ କେଉଁ ଆଧାରରେ ରଦ୍ଦ ହୋଇଛି ଏନେଇ ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।"


ସେ ଏହା ମଧ୍ୟ କହିଛନ୍ତି, "ABVPକୁ ଜିତେଇବା ପାଇଁ ଉପସ୍ଥାନକୁ ଅସ୍ତ୍ର କରାଯାଇଛି । କଲେଜ ନିର୍ବାଚନ ଛାତ୍ର ନେତୃତ୍ୱଙ୍କ ଏନ୍ତୁଡ଼ିଶାଳ । ଉପସ୍ଥାପନ ନାଁ'ରେ ଛାତ୍ର ନେତୃତ୍ୱଙ୍କୁ ହତ୍ୟା କରୁଛନ୍ତି ସରକାର । ରକ୍ତରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି ଶାସକ ଦଳ । ଅଧିକାଂଶ କଲେଜରେ ଛାତ୍ର କଂଗ୍ରେସ କ୍ଲିନ ସୁଇପ୍ କରିବ । ଉତ୍କଳ, ରେଭେନ୍ସା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କ୍ଲିନ ସୁଇପ କରିବ ଦଳ ।"

ଏହା ମଧ୍ୟ ପଢନ୍ତୁ:

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଡେଇଁଲା କଲେଜ ନିର୍ବାଚନୀ ଗଣ୍ଡଗୋଳ: ଦିନରେ ପୁତୁରା ସନ୍ଧ୍ୟାରେ ଦାଦା, ବିଜେପି ନେତାଙ୍କ ଆକ୍ରମଣ ଶିକାର ଅଭିଯୋଗ

ଛାତ୍ର ସଂସଦ ନିର୍ବାଚନ; ବାହାରିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା, ମୈଦାନରେ 6649 ଜଣ ପ୍ରାର୍ଥୀ

ଗିଫ୍ଟରେ ଭୋଟରଙ୍କ ମୁଡ୍: ଛାତ୍ରଙ୍କ ପାଇଁ ଭୋଜିଭାତ, ଛାତ୍ରୀଙ୍କ ପାଇଁ ଜୁଏଲାରି ଗିଫ୍ଟ

ଇଟିଭି ଭାରତ, ଭୁବନେଶ୍ବର