Odisha Budget 2026: ମହିଳା ସଶକ୍ତିକରଣ ଖାଲି ନାଁକୁ ହେଲେ ବାସ୍ତବ ଉପଲବ୍ଧି ଶୂନ; ବିରୋଧୀ
ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବଜେଟjs ଏକ ବୃହତ ପଦକ୍ଷେପ ଗ୍ରହଣ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।


Published : February 21, 2026 at 10:35 PM IST
ଭୁବନେଶ୍ୱର: ଶୁକ୍ରବାର 2026-27 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଥିରେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦିଆଯାଇଥିବା କଥା କୁହାଯାଇଛି । ମହିଳାଙ୍କ ପାଇଁ ନୂଆ ଯୋଜନା, ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା, ମହିଳାଙ୍କ ସଶକ୍ତିକରଣ, ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୃଷ୍ଟି, ଖାସ କରି କୃଷକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି ମୋହନ ସରକାର । ତେବେ ମହିଳା ମାନଙ୍କ ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ସରକାର ଦାବି କରିଛନ୍ତି । କିନ୍ତୁ ଏହାକୁ ବିରୋଧ କରିଛନ୍ତି ବିରୋଧୀ ।
ପ୍ରମୁଖ ବିରୋଧୀ ବିଜେଡି ଅଭିଯୋଗ କରିଛି ବଜେଟରେ କୌଣସି ଉପାୟରେ ମହିଳାମାନଙ୍କ ସ୍ୱାର୍ଥକୁ ପୂରଣ କରୁନାହିଁ । କେବଳ ଲୋକ ଦେଖାଣିଆ ପାଇଁ ଏ ସବୁ ଯୋଜନା ଘୋଷଣା କରାଯାଉଛି । ପରବର୍ତ୍ତୀ ସମୟରେ ତାହା ଫାଇଲ ଭିତରେ ଲୁଚି ଯାଉଛି । କଂଗ୍ରେସ ଅଭିଯୋଗ କରିଛି ଏହି ବଜେଟ ବାସ୍ତବ ହୀନ । ବିଶେଷଜ୍ଞଙ୍କ ମତରେ ଆଗାମୀ ଦିନକୁ ନଜରରେ ରଖି ରାଜ୍ୟ ସରକାର ଏଭଳି ବଜେଟ ଉପସ୍ଥାପନ କରିଛନ୍ତି । କିନ୍ତୁ ଏଥିରେ ବେସି ବାହାର ରାଜ୍ୟର ଯୋଜନାକୁ କପି କରାଯାଇଛି ଯାହା ବିଶେଷ ଫଳପ୍ରଦ ହେବନାହିଁ କହିଛନ୍ତି ବିଶେଷଜ୍ଞ ।
ବଜେଟରେ କଣ ରହିଛି ମହିଳାଙ୍କ ପାଇଁ-
୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି ମୋହନ ସରକାର । ମହିଳା ମାନଙ୍କ ପାଇଁ ୧୮,୯୫୭ କୋଟିର ବଜେଟ ଅଟକଳ କରାଯାଇଛି । ଯାହା ମୋଟ ବଜେଟର ୬.୧ % ଏବଂ ଡିଏସଡିପିର ୧୭% । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନାରେ ଝିଅ ନାଁରେ ୨୦ ହଜାର ଟଙ୍କାର ସଞ୍ଚାୟ ଉପକରଣ ମିଳିବ । ସ୍ନାତକ ସମାପ୍ତ କରିବା ପରେ ତାଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ । ସୁଭଦ୍ରା ଯୋଜନା ପାଇଁ ୧୦,୧୪୫ କୋଟି ଟଙ୍କା । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ୧୧୧ କୋଟି ଟଙ୍କା ଘୋଷଣା । ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନ ୫୫୨ କୋଟି ଟଙ୍କା ଭଳି ଆଉ କିଛି ଯୋଜନାରେ ବଜେଟ ବ୍ୟୟ ବରାଦ କରାଯାଇଛି ।
ଏହା ସହିତ ଗର୍ଭବତୀ ମହିଳା, କିଶୋରୀ ଓ ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିହୀନତା ଦୂର କରିବା ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯିବା ସହ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକର ରୂପାନ୍ତରଣ ଓ ଶିଶୁମାନଙ୍କ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ପାଇଁ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରାଯାଇଛି । ମା’ ଓ ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ମହିଳାସଶକ୍ତିକରଣ ମାଧ୍ୟମରେ ଏକ ସୁଦୃଢ଼ ଓ ସମୃଦ୍ଧ ସମାଜ ଗଠନ କରିବା ଏହି ବଜେଟ୍ର ମୂଳ ଲକ୍ଷ୍ୟ ବୋଲି ସରକାର କହିଛନ୍ତି ।
"ଏହି ବଜେଟରେ ମହିଳାଙ୍କ ପାଇଁ କୌଣସି ଆଖିଦୃଶିଆ ଯୋଜନା ନାହିଁ । ଯାହା କହିଛନ୍ତି ତାହା କାର୍ଯ୍ୟକାରୀ କରି ପାରୁନାହାଁନ୍ତି । ମହିଳା ଆଜି ଅସୁରକ୍ଷିତ ହୋଇପଡିଛି । ପ୍ରତିଦିନ ମହିଳା ହିଂସା ବୃଦ୍ଧି ପାଉଛି । ମହିଳାଙ୍କୁ ସଶକ୍ତ କରିବା କେବଳ ସ୍ଲୋଗାନ," ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
"ମହିଳା ସୁରକ୍ଷା ଏବେ ସବୁଠୁ ବଡ଼ ପ୍ରସଙ୍ଗ ହୋଇଛି । ମହିଳାଙ୍କୁ ବ୍ୟୟ ମିଳୁନାହିଁ । ରାଜ୍ୟ ବଜେଟରେ ମହିଳାଙ୍କ ଉପରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଯୋଜନା ନାହିଁ । ମହିଳା ସଶକ୍ତିକରଣ କଥା କେମିତି ସମ୍ଭବ ହେବ ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟିକା ସୋଫିଆ ଫିର୍ଦ୍ଦୋସ ।
ତେବେ ରାଜ୍ୟ ସରକାରଙ୍କ ଯୁକ୍ତି ଅନ୍ୟପ୍ରକାର । ମହିଳା ମାନଙ୍କ ସ୍ୱାର୍ଥକୁ ପୂରଣ କରିବାକୁ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିଲା ବିଜେପି।ରାଜ୍ୟ ସରକାର ନିଜ ଉଦ୍ୟମ ଜାରି ରଖିଛନ୍ତି । ମହିଳା ମାନେ ଯେଉଁଭଳି ନିଯେ ନିଜ ଦାୟିତ୍ୱ ନେଇପାରିବେ । ସେମାନ ଯେଉଁଭଳି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ଏବଂ ସବୁ କ୍ଷେତ୍ରରେ ସେମାନଙ୍କୁ ପ୍ରାଧାନ୍ୟ ମିଳିବ ସେଥିପାଇଁ ବିଶେଷ ବ୍ୟୟ ବରାଦ କରାଯାଇଛି ।
"ମହିଳା ମଂନଙ୍କ ପାଇଁ ବଜେଟରେ ବିଶେଷ ବ୍ୟବସ୍ଥା ରହିଛି । ଯୋଜନା ଆଣିଛନ୍ତି ସରକାର । ପୂର୍ବ ୨୪ ବର୍ଷ ସରକାରରେ ମହିଳା ମାନଙ୍କ ପ୍ରତି ବିଶେଷ ଦୃଷ୍ଟି ନଥିଲା,ସେତେବେଳେ ମହିଳାମାନେ କେତେ ଅସୁରକ୍ଷିତ ଥିଲେ । ଏବେ ସରକାର ମହିଳା ମାନଙ୍କୁ ଗୁରୁତ୍ୱ ଦେଉଛନ୍ତି।ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଏକ ବଡ଼ ଉପଲବ୍ଧି । ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତ କରିବାକୁ ଯୋଜନା ଆଣିଛନ୍ତି ଆମ ସରକାର।ବିରୋଧୀ କହିବେ ହେଲେ ମହିଳାଙ୍କୁ ଗୁରୁତ୍ୱ ଦେଇଛି ଆମ ସରକାର," ବୋଲି କହିଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା।
ତେବେ ଏଥିରେ ଡବଲ ଇଞ୍ଜିନ ସରକାର କଥା କୁହାଯାଉଛି ତାହା ମାତ୍ର କିଛି ମାତ୍ରାରେ ପ୍ରତିଫଳିତ ହେଉଛି । ମୋଟ ଉପରେ ସବୁ ଦିଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ କେତେଦୂର ବାସ୍ତବରେ ମହିଳାଙ୍କୁ ସଶକ୍ତ ଏବଂ ସୁଦୃଢ଼ କରୁଛି ତାହା ବଜେଟ କାର୍ଯ୍ୟକାରୀ ହେଲେ ହି ଜଣାପଡିବ ।
ଇଟିଭି ଭାରତ, ଭୁବନେଶ୍ୱର

