ଓଡିଶାବାସୀଙ୍କୁ ଋଣ ଭାରରେ ବୁଡାଉଛନ୍ତି ମୋହନ ସରକାର: ବିଜେଡି
ବିଜେଡି ସରକାରର 24 ବର୍ଷରେ ରାଜ୍ୟର ଋଣ ଭାର 78 ହଜାର କୋଟି ଥିଲା । ବିଜେପି ସରକାରର ଋଣ ଭାର 1 ଲକ୍ଷ 55 ହଜାର କୋଟି ।


Published : February 21, 2026 at 7:17 PM IST
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 3 ଲକ୍ଷ 10 ହଜାର କୋଟି ଟଙ୍କାର ବଜେଟ ଆଣିଛନ୍ତି । ବିଜେଟକୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି । ଓଡିଶାବାସୀଙ୍କୁ ଋଣ ଭାରରେ ବୁଡାଇବା ପାଇଁ ମୋହନ ସରକାର ବଜେଟ ଆଣିଥିବା ବିଜେଡି ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ।
ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଆର୍ଥିକ ବର୍ଷ 2026/27 ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗତ କରିଛନ୍ତି । ବଜେଟ ଉପସ୍ଥାପନ ପରେ ମତ ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗୋଟିଏ ବାକ୍ୟରେ ସେ ସବୁ କିଛି କହି ଦେଇଛନ୍ତି । ବିଜେଟର ଚିତ୍ର ଓ ଚରିତ୍ରକୁ ଦଳର ସଭାପତିଙ୍କ ମନ୍ତବ୍ୟ ପରିପ୍ରକାଶ କରୁଛି । ବଜେଟର କଳେବର ବଢ଼େଇଥିବାରୁ ସରକାର ବାହାସ୍ଫୋଟ ମାରୁଛନ୍ତି । ବିଜେଡି ସରକାରର ଶେଷ ଆର୍ଥିକ ବର୍ଷ 2023/24 ଓ ବିଜେପି ସରକାରର ତୃତୀୟ ବଜେଟ 2026/27 ମଧ୍ୟରେ ବୃଦ୍ଧି ହାର ବିଶେଷ ହୋଇନାହିଁ । ତେଣୁ ବିଜେପି ସରକାର ଆତ୍ମ ଗର୍ବ କରିବା ଦରକାର ନାହିଁ । ବିଜେପି ସରକାରର ତିନିଟି ବଜେଟରେ ସରକାର ମାତ୍ର 55 ହଜାର କୋଟି ଟଙ୍କା ବଢ଼ାଇଛନ୍ତି । କିନ୍ତୁ ମୁଦ୍ରାସ୍ପତି 8 ପ୍ରତିଶତ ରହିଛି । ସରକାର ନିଜେ ଧୋକାରେ ରହି ଲୋକଙ୍କୁ ଧୋକା ଦେଇଛନ୍ତି ।"
ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚଳିତ 2025/26 ବଜେଟ ଓ ଆଗତ ହୋଇଥିବା ବଜେଟରେ ସରକାର ରାଜ୍ୟକୁ ଋଣ ଭାରରେ ବୁଡାଇଛନ୍ତି । ସରକାରଙ୍କ ରାଜସ୍ୱ ସଂଗ୍ରହ ଆଶାତୀତ ଭାବେ ବଢୁନାହିଁ । ବଜେଟରେ ସରକାର ଋଣ ଉପରେ ନିର୍ଭର କରୁଛନ୍ତି । 2000 ମସିହା ବେଳକୁ ରାଜ୍ୟ ଋଣ ଭାରରେ ବୁଡି ରହିଥିଲା । ନବୀନ ସରକାର ଦାୟିତ୍ୱ ନେବା ବେଳେ ରାଜ୍ୟର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିଲା । ସରକାରୀ କର୍ମଚାରୀଙ୍କୁ ଦରମା ଦିଆଯାଇପାରୁନଥିଲା । ନବୀନ ସରକାର ଏଫଆରବିଏମ୍ ଆକ୍ଟକୁ ପାଳନ କରି ରାଜ୍ୟ ଅର୍ଥନୀତିକୁ ସୁଧାରିଥିଲେ । ଏକ ସୁସ୍ଥ ଅର୍ଥନୀତି ଉତ୍ତରାଧିକାରୀ ସୂତ୍ରରେ ବିଜେପିକୁ ପ୍ରଦାନ କରିଛୁ । କିନ୍ତୁ ବର୍ତ୍ତମାନର ସରକାର ଦୂରଦୃଷ୍ଟି ହୀନ ବଜେଟ ପ୍ରସ୍ତୁତ କରୁଛନ୍ତି । ଏ ସରକାର ଯେତେବେଳେ ଦାଇତ୍ୱ ଛାଡିବେ ସେତେବେଳେ ଓଡିଶାକୁ ଦୁର୍ବଳ ରାଜ୍ୟ କରି ଦେଇଥିବେ ।
ବିଜେଡି ସରକାରର 24 ବର୍ଷରେ ରାଜ୍ୟର ଋଣ ଭାର 78 ହଜାର କୋଟି ଥିଲା । ବିଜେପି ସରକାରର 3ଟି ବଜେଟରେ ଋଣ ଭାର 1 ଲକ୍ଷ 55 ହଜାର କୋଟି ହୋଇଛି । ଋଣ ଦୁଇ ଗୁଣରୁ ଅଧିକ ହୋଇଗଲା । ଡବଲ ଇଞ୍ଜିନ ସରକାରରେ କେନ୍ଦ୍ରୀୟ ଅନୁଦାନ ବଢୁନାହିଁ । କେନ୍ଦ୍ର ଆଗରେ ମୁହଁ ଖୋଲିବାର ସାହସ ଏ ସରକାରର ନାହିଁ । ତେଣୁ କେନ୍ଦ୍ର ମଧ୍ୟ ଓଡିଶାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହିଁ । କୃଷକକୁ ସମସ୍ୟା ସମାଧାନ କରିବା ପାଇଁ ଏ ସରକାରର ଆନ୍ତରିକତା ନାହିଁ । ବଜେଟରେ ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ । ବିଜେଡି ସରକାର ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବଜେଟ ବଢ଼ାଉଥିବା ବେଳେ ଏ ସରକାର କମାଇବାରେ ଲାଗିଛି । ବେକାର ସମସ୍ୟା ସମାଧାନ ଲାଗି ନିର୍ଦ୍ଦିଷ୍ଟ ଯୋଜନା ମଧ୍ୟ ନାହିଁ । ଏହା ସଂପୂର୍ଣ୍ଣ ଭାବେ ପ୍ରଚାର ଆଭିମୁଖୀ ବଜେଟ ।
ପୂର୍ବତନ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, "ଡବଲ ଇଞ୍ଜିନ ସରକାରର ବଡ଼ ଇଞ୍ଜିନରୁ ଅଧିକ ଅର୍ଥ ଆଶା କରୁଥିଲା ରାଜ୍ୟ । କିନ୍ତୁ 3ଟି ଆର୍ଥିକ ବର୍ଷ ପରେ ମଧ୍ୟ ଏନେଇ କୌଣସି ବ୍ୟବସ୍ଥା ନାହିଁ । ଅର୍ଥ କମିଶନରେ ରାଜ୍ୟ ସଠିକ ଦାବି କରିପାରିଲା ନାହିଁ । ତେଣୁ କେନ୍ଦ୍ରୀୟ ଅନୁଦାନ କମିଛି । ଅନ୍ୟ ରାଜ୍ୟ ରାଜସ୍ୱ ସଂଗ୍ରହ ପାଇଁ ବ୍ୟସ୍ତ ଥିବା ବେଳେ ଆମର ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ଜାନୁଆରୀ 1 ପର୍ଯ୍ୟନ୍ତ ଚଳିତ ବଜେଟର 47 ପ୍ରତିଶତ ଖର୍ଚ୍ଚ ହୋଇଛି । ରାଜ୍ୟର ଖର୍ଚ୍ଚ ଓ ଋଣ ପ୍ରାୟ ସମାନ ହୋଇଯାଇଛି । ବଜେଟର ବାସ୍ତବତା କିଛି ନାହିଁ । ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, କୃଷି ବିଦ୍ୟାଳୟ କଥା ଘୋଷଣା ହୋଇଛି । କିନ୍ତୁ ବଜେଟରେ ଏଥିପାଇଁ ଅର୍ଥ ବ୍ୟବସ୍ଥା ହୋଇନାହିଁ । ରାଜ୍ୟର କୃଷକ ସମାଜ ହତାଶରେ ଅଛନ୍ତି । ରାଜ୍ୟ ସରକାର ଅନେକ ଯୋଜନା କେବଳ ଘୋଷଣା କରିଦେଉଛନ୍ତି, କିନ୍ତୁ ସେଗୁଡିକ କାର୍ଯ୍ୟକାରୀ ହେଉନାହିଁ ।"
ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, "ମୋହନ ସରକାର ଲଗାତାର ଭାବରେ ଦିଶାହୀନ ବଜେଟ କରୁଛନ୍ତି । ଦାୟିତ୍ୱହୀନ ସରକାରର ଦୂରଦୃଷ୍ଟି ହୀନ ବଜେଟ । ରାଜ୍ୟର 5ଟି ପ୍ରମୁଖ କ୍ଷେତ୍ରରେ ବଜେଟରେ ଅର୍ଥ ବରାଦ କମ କରାଯାଇଛି । ଗୋଟେ ଗୋଲାପି ଅର୍ଥନୀତିର ସ୍ୱପ୍ନ ଦେଖାଇ ସରକାର ରାଜ୍ୟବାସୀଙ୍କୁ ଠକୁଛନ୍ତି । ସମୁଦାୟ ଋଣ ପରିମାଣରୁ ପ୍ରାୟ 40 % ଖୋଲା ବଜାରରୁ ଚଢ଼ା ସୁଧ ଦରରେ ଋଣ ନିଆଯାଉଛି, ଯାହା ରାଜ୍ୟର ଆର୍ଥିକ ସ୍ଥିତିକୁ ରେଡ ଜୋନକୁ ନେଇଯାଉଛି । ସରକାର ବଜେଟରେ ବିଭିନ୍ନ ବିଭାଗ ପାଇଁ ପ୍ରାବଧାନ କରିଥିବା ଅର୍ଥକୁ ଖର୍ଚ୍ଚ କରିପାରୁ ନାହାନ୍ତି, କିନ୍ତୁ ଚଢ଼ା ସୁଧରେ ଋଣ ନେଉଛନ୍ତି । ରାଜ୍ୟର ଅଭିବୃଦ୍ଧି ହାର କମୁଛି ଋଣ ବଢୁଛି । ଏହା ରାଜ୍ୟର ଅର୍ଥନୀତିକୁ ପଙ୍ଗୁ କରିଦେବ ।"
ବିଜେଡିର ଅଭିଯୋଗର ଜବାବ ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ କହିଛନ୍ତି, "ଓଡ଼ିଶା ପାଇଁ ବଜେଟ ଆସିଛି । ଏହା ବିକଶିତ ଓଡ଼ିଶା 2036 ଓ ବିକଶିତ ଭାରତ 2047ର ରୋଡ଼ମ୍ୟାପ ଭାବେ ପ୍ରସ୍ତୁତ ହୋଇଛି । ଏହା ଗ୍ରାମୀଣ ବିକାଶ, ପଂଚାୟତିରାଜ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ବିପ୍ଳବ ଆଣିବ । 23182 କୋଟି ସ୍ୱାସ୍ଥ୍ୟ ବିଭାଗ ପାଇଁ ବ୍ୟୟ ବରାଦ ରହିଛି । ଆୟୁଷର ଉନ୍ନତି ଆସିବ ।"
ଏହା ବି ପଢନ୍ତୁ- କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ମିଳିବ ମଦ: ଅବକାରୀ ମନ୍ତ୍ରୀ
ଇଟିଭି ଭାରତ, ଭୁବନେଶ୍ୱର

