ବିଧାନସଭାରେ ଉଠିଲା ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ, ମଣ୍ଡି ଧୋଇଦେଲା ଅଧା ଅଧିବେଶନ
ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । 7 ଦିନ ଯାକ ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ ।


Published : February 24, 2026 at 11:12 PM IST
ଭୁବନେଶ୍ୱର: ବିଧାନସଭାରେ ଉଠିଲା ପଂଚାୟତ ନିର୍ବାଚନ ପ୍ରସଙ୍ଗ । ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ୨୦୨୭ ଫେବ୍ରୁଆରୀ ପୂର୍ବରୁ ପଞ୍ଚାୟତ ନିର୍ବାଚନ କରିବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି ।
ତେବେ ମଣ୍ଡି ପ୍ରସଙ୍ଗରେ ଧୋଇଗଲା ଅଧା ଅଧିବେଶନ । ଆଜି ସରିଲା ବିଧାନସଭା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ । 7 ଦିନ ଯାକ ସ୍ବାଭାବିକ ଭାବେ ଚାଲିପାରିଲାନି ଗୃହ । ଜିଦ୍ରେ ଅଡ଼ିବସିଲେ ଉଭୟ ଶାସକ ଓ ବିରୋଧୀ । ଆସନ୍ତା ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଞ୍ଚାୟତ କି ବ୍ଲକ ପୁନର୍ଗଠନ । ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ।
"୨୦୨୭ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେବ ନାହିଁ ପଂଚାୟତ କି ବ୍ଲକ ପୁନର୍ଗଠନ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗ୍ରାମ ପଞ୍ଚାୟତ ଗୁଡ଼ିକର କୌଣସି ସାଧାରଣ ପୁନର୍ଗଠନ କିମ୍ବା ନୂତନ ସୀମା ନିର୍ଦ୍ଧାରଣ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସାମ୍ବିଧାନିକ କଟକଣା ଏବଂ ସଦ୍ୟତମ ଜନସଂଖ୍ୟା ତଥ୍ୟର ଅଭାବ କାରଣରୁ ସରକାର ପଂଚାୟତ ପୁନର୍ଗଠନ କି ସୀମା ନିର୍ଦ୍ଧାରଣ ନ କରିବାକୁ ନିଷ୍ପତ୍ତି ନେଇଥିବା ଦର୍ଶାଇଛନ୍ତି, "ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ । ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି ଫେବ୍ରୁଆରୀ ୨୦୨୭ ପୂର୍ବରୁ ରାଜ୍ୟରେ ହେବ ନାହିଁ ପଂଚାୟତ ନିର୍ବାଚନ ।
ତେବେ ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ ବୋଲି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସୂଚନା । ଫେବ୍ରୁଆରୀ ୨୦୨୭ ପୂର୍ବରୁ ପଂଚାୟତ ନିର୍ବାଚନ କରିବା ପାଇଁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ । ବିଧାନସଭାରେ ଲିଖିତ ଉତ୍ତର ରଖି ଏହି କଥା କହିଛନ୍ତି ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ।
ଏହା ବି ପଢନ୍ତୁ- 'ଆମ ବସ୍' ଦୁର୍ଘଟଣା ନେଇ ବିଧାନସଭାରେ ଉଦବେଗ
ଇଟିଭି ଭାରତ, ଭୁବନେଶ୍ୱର

