ବମ୍ପର ଭୋଟରେ ବିଜୟୀ ଜୟ: ଭୋଟ ଏପଟ ସେପଟ ଅଭିଯୋଗ ଆଣିଲେ କଂଗ୍ରେସ ଓ ବିଜେଡି
ନୂଆପଡାରେ ଫୁଟିଲା ପଦ୍ମ । ମୋର ବ୍ୟକ୍ତିତ୍ୱ କିମ୍ବା ଆଦିବାସୀ କାର୍ଡ କିଛି କାମ କଲାନି କହିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ।

Published : November 14, 2025 at 5:44 PM IST
|Updated : November 14, 2025 at 6:12 PM IST
ନୂଆପଡା/ଭୁବନେଶ୍ୱର: ନୂଆପଡାରେ ବହୁମତରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଯାହାକୁ ନେଇ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସେପଟେ ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।
ବିଜେପି ସପକ୍ଷରେ ଜନାଦେଶ:
ବିଜେପି ସପକ୍ଷରେ ଆସିଛି ନୂଆପଡା ଜନଦେଶ । ଜୟ ଢୋଲକିଆ 83748 ଖଣ୍ଡ ଭୋଟରେ ବ୍ୟବଧାନରେ ବିଜୟଲାଭ କରିଛନ୍ତି । କଂଗ୍ରେସର ଘାସିରାମ ମାଝୀ 40 ହଜାର 121 ଭୋଟ ସହ ଦ୍ୱିତୀୟରେ ରହିଥିବା ବେଳେ 38 ହଜାର 408 ଭୋଟ ସହ ସ୍ନେହାଙ୍ଗିନୀ ଛୁରିଆ ତୃତୀୟରେ ରହିଛନ୍ତି । ଏହାକୁ ନେଇ ବିଜେପି ଜୋରଦାର ସେଲିବ୍ରେସନ କରିଥିବା ବେଳେ କଂଗ୍ରେସ ଓ ବିଜେଡି ଉଭୟ ଭୋଟ ଏପଟ ସେପଟ ଅଭିଯୋଗ ଆଣିଛନ୍ତି ।
ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି।
— Mohan Charan Majhi (@MohanMOdisha) November 14, 2025
ନୂଆପଡ଼ାବାସୀ… pic.twitter.com/X3yvlBkVua
ପରିବର୍ତ୍ତନ ଚାହୁଁଥିଲେ ନୂଆପଡାବାସୀ:
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, "ନୂଆପଡ଼ାବାସୀ ପରିବର୍ତ୍ତନ ଚାହୁଁଥିଲେ । ତାର ପ୍ରତିଫଳନ ଭୋଟରେ ଦେଖିବାକୁ ମିଳିଛି । ନୂଆପଡ଼ାର ବିଭିନ୍ନ ସମସ୍ୟାର ସମାଧାନ ଲାଗି ଲୋକେ ବିଜେପି ଉପରେ ଭରସା କରିଛନ୍ତି । ରାଜନୀତିରେ ଆଚାର ଉଚ୍ଚାରଣ ଠିକ ରହିବା ଦରକର l କାହାକୁ ବ୍ୟକ୍ତିଗତ ଆକ୍ଷେପ କରିବା ଉଚିତ ନୁହେଁ l ଆମେ ବହୁ ଥର ହାରିଛୁ ଆମେ ହରିବା ଦଳ l ହେଲେ ଆମେ ଏଭଳି ଅଭିଯୋଗ କରିନାହୁଁ l ଏବେ ଜିତିବା ଆରମ୍ଭ କରିଛୁ l ଦେଢ଼ ବର୍ଷର ସରକାରରେ ପ୍ରଥମ ଉପନିର୍ବାଚନ ନିର୍ବାଚନ l ଲୋକ ଜାଣିଛନ୍ତି କାହାକୁ ଭୋଟ ଦେଲେ ବିକାଶ ହବ l କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର l ନୂଆପଡାରରେ ବିକାଶ କରିବାର ଅଛି l ନିର୍ବାଚନ ଜିତିବା ସମ୍ଭାବିତ ଥିଲା l ନିର୍ବାଚନ ସମୟରେ ଲୋକଙ୍କ ଉତ୍ସାହ ଥିଲା ବିଜେପି ପାଇଁ ସମର୍ଥନ l ପ୍ରଧାନମନ୍ତ୍ରୀଙ୍କ ଉପରେ ଲୋକଙ୍କ ଆସ୍ଥା ପ୍ରଦର୍ଶିତ ହେଇଛି l ମୋଦିଙ୍କ ସରକାର ଲୋକଙ୍କ ପାଇଁ ଭଲ କାମ କରିଥିବା ଏହି ନିର୍ବାଚନରେ ପ୍ରତିଫଳିତ ହୋଇଛି l ସେଥିପାଇଁ ଲୋକମାନେ ବିଜେପି ସରକାରକୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇଛନ୍ତି l ବିଜୟ ପାଇଁ ଲୋକଙ୍କ ପାଖରେ ଋଣୀ l"
'ବିଜୟୀ ନେଇ ପୂର୍ବରୁ ଅନୁମାନ କରିଥିଲୁ':
ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା କହିଛନ୍ତି," ବିଜୟ ନେଇ ପୂର୍ବରୁ ଅନୁମାନ କରିଥିଲୁ । ଏବେ ତାହା ସତ ହୋଇଛି । ଏହାର ଶ୍ରେୟ ଭାରତୀୟ ଜନତା ପାର୍ଟି, ଭାରତୀୟ ଜନତା ପାର୍ଟିର ସଂଗଠନ, କାର୍ଯ୍ୟକ୍ରମକୁ ଯିବ । ରାଜ୍ୟରେ ଦେଢ ବର୍ଷ ହେଲା ମୋହନ ସରକାରଙ୍କ ନେତୃତ୍ୱରେ ଶାସନ ଚାଲିଛି । ମୋଦିଙ୍କ ସୁଶାସନ ଏହି ଜିତ୍ର ପ୍ରତିଫଳନ । "
'ଗଣତନ୍ତ୍ରର ହତ୍ୟା କରାଯାଉଛି':
ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,"ସରକାରୀ କଳ ଏବଂ ବଳ ଦ୍ୱାରା ବିଜେପି ନିର୍ବାଚନ ବିଜୟ ହାସଲ କରିଛି । ଅନେକ ସମସ୍ୟା ନେଇ ନୂଆପଡାବାସୀ ମୁହଁ ଖୋଲୁଥିଲେ । ହେଲେ 9 ତାରିଖ ସକାଳ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ଥିବା ଜନାଦେଶ ପରିବର୍ତ୍ତନ ସମସ୍ତଙ୍କୁ ବ୍ୟଥିତ କରିଛି । ବିଜେଡି ଅନେକ ଉପନିର୍ବାଚନକୁ ସାମ୍ନା କରିଛି । ବିଜେଡି ଅନେକ ଉପନିର୍ବାଚନ ଜିତିଛି ଓ ହାରିଛି । ହେଲେ ନୂଆପଡା ନିର୍ବାଚନ ଫଳାଫଳ କିଛି ଅଲଗା ଆବାସ ଦେଉଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ।"
'ଜନମତକୁ ଏପଟସେପଟ କରାଯାଇଛି':
ସେ ଆଉମଧ୍ୟ କହିଛନ୍ତି," ଦଳ ତରଫରୁ ଯାହା ଆମେ ଆଶଙ୍କା କରିଥିଲୁ, ତାହା ସତ ପ୍ରମାଣିତ ହୋଇଛି । ଜନମତକୁ ଏପଟସେପଟ କରାଯାଇଛି । ସାଇଲେଣ୍ଟ ପିରିଅଡରେ ଶାସକ ଦଳ ପକ୍ଷରୁ ବ୍ୟବହାର ହୋଇଛି । ଶାସକ ଦଳ ଓ ସରକାରୀ କଳ ସାଇଲେଣ୍ଟ ପିରିଅଡକୁ ମ୍ୟାନୁପୁଲେସନ କରିଛନ୍ତି । ଏହାର ପ୍ରତିଫଳନ ଫଳାଫଳରେ ଦେଖିବାକୁ ମିଳିଛି । ଲୋକଙ୍କ ଭାବନା ଏତେ ବଡ଼ ପରିବର୍ତ୍ତନ ଚକିତ କରିଛି । 9 ତାରିଖ ସକାଳ ଯାଏ ଯେଉଁ ମତ ଥିଲା, ତାହା ପରିବର୍ତ୍ତନ ହୋଇଛି । ଏହା ହିଁ ଚକିତ କରୁଛି । ଜନସାଧାରଣ ଜାଣିଛନ୍ତି ନବୀନ ବାବୁ ଓଡ଼ିଶାର ପ୍ରିୟତମ ନେତା । ନୂଆପଡାରେ ଅନୁକମ୍ପା ଅପେକ୍ଷା ଟ୍ରିପଲ ଇଞ୍ଜିନ ସରକାରର ମଇକ୍ରୋ ମ୍ୟାନେଜମେଣ୍ଟ ଫଳାଫଳକୁ ପ୍ରଭାବିତ କରିଛି । ଓଡିଶାର ବିଜେପି ସରକାର, ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ କଳ ଓ ବଳ ଲାଗିଥିଲା । ନିର୍ବାଚନ ପର୍ଯ୍ୟବେକ୍ଷକ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ । ଛତିଶଗଡ଼କୁ ଲାଗି ରହିଥିବା ନୂଆପଡାର ଅଞ୍ଚଳରେ ପୂର୍ବରୁ ମଧ୍ୟ ପଛରେ ରହୁଥିଲା ।"
'ଉପନିର୍ବାଚନରେ ଏତେ ସଂଖ୍ୟକ ଭୋଟ ପଡ଼ିବା ନଜିର ନାହିଁ':
ଦେବୀ ପ୍ରସାଦ ମିଶ୍ର କହିଛନ୍ତି," ଉପନିର୍ବାଚନରେ 83 ପ୍ରତିଶତରୁ ଅଧିକ ଭୋଟିଂ ହେବା ସନ୍ଦେହ ସୃଷ୍ଟି କରୁଛି । 41 ବୁଥରେ ହାରାହାରି 91ରୁ 94 ପ୍ରତିଶତ ଭୋଟିଂ ହୋଇଛି । ଉପନିର୍ବାଚନରେ ଏତେ ସଂଖ୍ୟକ ଭୋଟ ପଡ଼ିବା ନଜିର ନାହିଁ । ଭୋଟିଂ ବୁଥକୁ ସିଜ କରିବା ଅଭିଯୋଗ ମଧ୍ୟ ଆସିଛି । ଦାଦନ ଭାବରେ କାମ କରୁଥିବା ଲୋକଙ୍କ ନାଁ'ରେ ଭୋଟ ଦିଆଯାଇଥିବା ସନ୍ଦେହ ହେଉଛି । ନହେଲେ ଏତେ ପରିମାଣର ଭୋଟିଂ ହୋଇନଥାନ୍ତା । ଏହାକୁ ତଦନ୍ତ କଲେ ଜଣାପଡିବ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ଭୋଟ ଦେଲେ ଭଲ । ଲୋକ ନଆସି ଭୋଟ ପଡିଲେ ଭୟଙ୍କର ହୁଏ ।"
ଏହାମଧ୍ୟ ପଢନ୍ତୁ...
ରାଜନୀତିରେ ସ୍ଥାନ ସଂରକ୍ଷଣ ନୁହେଁ, ମହିଳାଙ୍କୁ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଅଗ୍ରାଧିକାର ମିଳିବା ଦରକାର ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ |
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ କହିଛନ୍ତି," ଏଠାରେ ମୋର ବ୍ୟକ୍ତିତ୍ୱ କିମ୍ବା ଆଦିବାସୀ କାର୍ଡ କିଛି କାମ କଲାନି ।"
ଇଟିଭି ଭାରତ, ନୂଆପଡା ଓ ଭୁବନେଶ୍ବର

