ଜିଲ୍ଲା ସଭାପତିଙ୍କୁ କଂଗ୍ରେସ ପ୍ରଭାରୀଙ୍କ ଗୁରୁମନ୍ତ୍ର; ଗ୍ରାଉଣ୍ଡ୍କୁ ଯିବ ଗ୍ରାଣ୍ଡ୍ଓଲ୍ଡ ପାର୍ଟି
ତିନିଦିନିଆ ଓଡ଼ିଶା ଗସ୍ତରେ ନବ ନିଯୁକ୍ତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଂଗଠନକୁ ମଜଭୁତ କରିବାକୁ ଦେଲେ ଆହ୍ୱାନ । ରିପୋର୍ଟ: ସଞ୍ଜୀବ ରାୟ

Published : July 3, 2026 at 12:31 PM IST
Odisha Congress: ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସକୁ ପୁଣି ତୃଣମୂଳ ସ୍ତରରୁ ସକ୍ରିୟ କରିବାକୁ ବଡ଼ କସରତ ଆରମ୍ଭ ହୋଇଛି । ନୂଆ ଓଡ଼ିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସଂଗଠନ ସଜାଡ଼ିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ । କଂଗ୍ରେସ ଭବନରେ ଜିଲ୍ଲା ସଭାପତିଙ୍କ ସହ ମାରାଥନ ୱାନ୍-ଟୁ-ୱାନ୍ ବୈଠକ କରି ପ୍ରଭାରୀ ଦେଇଛନ୍ତି ଗୁରୁମନ୍ତ୍ର; ଗ୍ରାଉଣ୍ଡକୁ ଯାଅ, କର୍ମୀଙ୍କୁ ସକ୍ରିୟ କର, ଜନସମସ୍ୟାକୁ ନେଇ ଆନ୍ଦୋଳନ ଜୋରଦାର କର । ଆଉ ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନଜରରେ ରଖି ତୃଣମୂଳ ସ୍ତରରେ ସଂଗଠନକୁ ସୁଦୃଢ଼ କରିବାକୁ ମଧ୍ୟ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ।

ସେପଟେ ଓଡ଼ିଶା ପ୍ରଭାରୀ ଭାବେ ଦାୟିତ୍ୱ ନେବା ପରେ ଏହା ଲାଲଜୀ ଦେଶାଇଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଏହି ଗସ୍ତ ଦଳୀୟ ସଂଗଠନରେ ନୂଆ ଉତ୍ସାହ ଆଣିଥିବା କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି, "ସଂଗଠନକୁ ଆହୁରି ସଶକ୍ତ କରିବା ଏବଂ ଜନଆନ୍ଦୋଳନକୁ ତୀବ୍ର କରିବା ଉପରେ ଦଳ ଧ୍ୟାନ ଦେଉଛି ।"
କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ କହିଛନ୍ତି, "ସମସ୍ତ ଜିଲ୍ଲା ସଭାପତିଙ୍କ ମତାମତ ଆଧାରରେ ଗ୍ରାଉଣ୍ଡ ରିୟଲିଟିର ଆକଳନ କରାଯିବ । କଂଗ୍ରେସ ସଂଗଠନକୁ କିଭଳି ଆଗକୁ ନିଆଯିବ ସେଥିପାଇଁ ଦୀର୍ଘମିଆଦି ରଣନୀତି ପ୍ରସ୍ତୁତ ହୋଇଛି । ଦୁର୍ନୀତି ଏବଂ ଜନବିରୋଧୀ ପ୍ରସଙ୍ଗକୁ ନେଇ ବିଜେପି ଓ ବିଜେଡି ବିରୋଧରେ ଦଳ ଆନ୍ଦୋଳନ ଜୋରଦାର କରିବ । ଓଡ଼ିଶାରେ ଜନତାଙ୍କ ସ୍ୱାର୍ଥ ପାଇଁ ବିଜେପି ଓ ବିଜେଡି, ଉଭୟଙ୍କ ବିରୋଧରେ କଂଗ୍ରେସ ଲଢ଼ିବ ।"

ଆଜି କଂଗ୍ରେସର ବରିଷ୍ଠ ନେତା, ବିଧାୟକ, ସାଂସଦ ଓ ରାଜନୈତିକ ବ୍ୟାପାର କମିଟିର ବୈଠକ ବସିବ । ଏହି ବୈଠକରେ ଆଗାମୀ ରାଜନୈତିକ ଆନ୍ଦୋଳନ, ସାଙ୍ଗଠନିକ ରଣନୀତି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ଦଳର କାର୍ଯ୍ୟଯୋଜନାକୁ ଚୂଡ଼ାନ୍ତ ରୂପ ଦିଆଯିବ ।
ଏହା ମଧ୍ୟ ପଢ଼ନ୍ତୁ... ନିରଞ୍ଜନଙ୍କ ତେରଛା ବାଣ ପରେ ଭକ୍ତଙ୍କ କାଉଣ୍ଟର ଆଟାକ୍; କଂଗ୍ରେସରେ ପୁଣି ତେଜିଲା ଅନ୍ତଃକନ୍ଦଳ ଚର୍ଚ୍ଚା |
ଇଟିଭି ଭାରତ, ଭୁବନେଶ୍ବର

