ସୁପ୍ରିମୋ ନବୀନ ନେବେ ବିଜେଡି ରାଜ୍ୟସଭା ପ୍ରାର୍ଥୀତ୍ବ ନିଷ୍ପତ୍ତି: ପ୍ରମିଳା
ରାଜ୍ୟରେ ବିଜେପି ସରକାରଙ୍କ ବିରୋଧରେ ପ୍ରତି ମାସରେ ଗୋଟିଏ ଲେଖାଏଁ ପ୍ରସଙ୍ଗକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ପିଏସି ବୈଠକ ପରେ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକ।

Published : February 27, 2026 at 9:07 AM IST
|Updated : February 27, 2026 at 9:57 AM IST
ରିପୋର୍ଟ: ଭବାନୀ ଶଙ୍କର ଦାସ
RAJYA SABHA ELECTIONS 2026, ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ଲାଗି ରହିଥିବା ଛକାପଞ୍ଝା ଭିତରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବା ପିଏସି ବୈଠକ ବସିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ରାଜ୍ୟସଭା ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛି ପିଏସି । ସେହିପରି ରାଜ୍ୟ ସରକାରଙ୍କ ବିରୋଧରେ ପ୍ରତି ମାସରେ ଗୋଟିଏ ଲେଖାଏଁ ପ୍ରସଙ୍ଗରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି ଦଳ ।

ବୈଠକରେ 2ଟି ପ୍ରମୁଖ ନିଷ୍ପତ୍ତି:
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ପିଏସି ବୈଠକରେ 2ଟି ବଡ଼ ରଣନୀତି ପ୍ରସ୍ତୁତ କରିଛି ଦଳ । ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ବଢ଼ୁଥିବା ଛକାପଞ୍ଝା ଓ ଦାବିଦାରୀ ଅସନ୍ତୋଷକୁ ଏଡ଼ାଇବା ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି । ରାଜ୍ୟସଭା ନିର୍ବାଚନ ଓ ପ୍ରାର୍ଥୀତ୍ବ ସଂକ୍ରାନ୍ତୀୟ ସମସ୍ତ କ୍ଷମତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହସ୍ତାନ୍ତର କରିଛି ଦଳ । ଆସନ୍ତା 2 ଦିନ ମଧ୍ୟରେ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ରାଜ୍ୟସଭା ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ 5 ତାରିଖ ରହିଛି । ଏହା ପୂର୍ବରୁ ଅନେକ ସରକାରୀ ଛୁଟି ଦିନ ରହିଛି । ତେଣୁ ପ୍ରାର୍ଥୀଙ୍କୁ ନିଜର ଦସ୍ତାବିଜ ପ୍ରସ୍ତୁତିରେ ଯେପରି କୌଣସି ଅସୁବିଧା ନହୁଏ, ତାହାକୁ ଦୃଷ୍ଟିରେ ରଖି ଏହି ବୈଠକ ଡକାଯାଇଥିଲା ।
ଦଳରେ ଆଶାୟୀଙ୍କ ସଂଖ୍ୟା 10ରୁ ଅଧିକ ରହିଛନ୍ତି । ଦଳ ପକ୍ଷରୁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବିଧାନସଭାରୁ 6 ସେଟ ଫର୍ମ ଆଣିଥିଲେ । ଅର୍ଥାତ୍ ବିଜେଡିରୁ 2 ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇପାରନ୍ତି । କିମ୍ବା ବିରୋଧୀଙ୍କୁ ଚକମା ଦେବା ପାଇଁ ଏହା ନବୀନଙ୍କ ଏକ ସୁଚିନ୍ତିତ ରଣନୀତି ବୋଲି ଚର୍ଚ୍ଚା କରାଯାଉଛି ।

ବିଜେଡି ସୁପ୍ରିମୋଙ୍କ ହାତରେ ନିଷ୍ପତ୍ତି:
ପିଏସି ସଦସ୍ୟ ତଥା ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, "ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଛି । ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପାଇଁ ପିଏସି ସ୍ଥିର କରିଛି । ଦଳ କେତୋଟି ଆସନରେ ପ୍ରାର୍ଥୀ ଦେବ ଓ କାହାକୁ ପ୍ରାର୍ଥୀ କରିବ ସେ ନିଷ୍ପତ୍ତି ନବୀନ ପଟ୍ଟନାୟକ ହିଁ ନେବେ । ନିର୍ବାଚନ ପୂର୍ବରୁ ମିଥ୍ୟା ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି । ହେଲେ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଭୁଲିଯାଇଛି । ରାଜ୍ଯରେ କ୍ଷମତାସୀନ ବିଜେପି ସରକାର ଚାଷୀଙ୍କୁ ପ୍ରତାଡିତ କରିଛି । ଏଣିକି ପ୍ରତିମାସରେ ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କ ପାଖକୁ ଯିବ ବିଜେଡି । ଗୋଟିଏ ଲେଖାଏଁ ପ୍ରସଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି ଦଳରେ ନିଷ୍ପତ୍ତି ନିଆଯାଇଛି ।"
ଏହି ପିଏସି ବୈଠକ ପୂର୍ବରୁ ନିର୍ଦ୍ଧାରିତ ନଥିଲା । ଏହାକୁ ତରବରିଆ ଭାବେ ଆୟୋଜନ କରିଥିଲା ଦଳ । ଗୁରୁବାର ପୂର୍ବାହ୍ନ 11ଟାରେ ପିଏସି ସଦସ୍ୟଙ୍କୁ ବୈଠକ ବାବଦରେ ଅବଗତ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: |
ଇଟିଭି ଭାରତ, ଭୁବନେଶ୍ବର

