କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, 'ଦଳ ଦୂରେଇ ଦେଇଛି, ବିଚାରଧାରାରୁ ଦୂରେଇ ପାରିବେ ନାହିଁ '
ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଓଡ଼ିଶା କଂଗ୍ରେସ ସଂପର୍କରେ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ ମୋକିମ ।

Published : December 15, 2025 at 10:09 AM IST
ଭୁବନେଶ୍ବର/ କଟକ : କଂଗ୍ରେସରୁ ବହିଷ୍କୃତ ହେଲେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ । କଟକ ବାରବାଟୀର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ, ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିଷ୍କୃତ ହୋଇଥିବା ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । ମୋକମ, ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କଙ୍କୁ ଚିଠି ଲେଖି ଓଡ଼ିଶା କଂଗ୍ରେସର କାର୍ଯ୍ୟକାରିତା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ।
କଂଗ୍ରେସ ଦଳରୁ ବହିଷ୍କାର ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ । ସେ କହିଛନ୍ତି, "ମୋତେ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଛି । ମୁଁ କିଛି ଭୁଲ କରିନାହିଁ, ମୋ ବିଚାରଧାରା କଂଗ୍ରେସ ସହ ଅଛି, ଆଉ ରହିବ । ମୁଁ ରାଜନୀତି 24x7 କରିଆସୁଛି ଏବଂ ଏହା ଜାରି ରହିବ। ଲୋକଙ୍କ ସହ ସବୁବେଳେ ଜଡ଼ିତ ରହି ଆସିଛି, ଆଗକୁ ବି ଏହି ସବୁ କାର୍ଯ୍ୟ ଜାରିବ ।
ମୋକିମ କହିଛନ୍ତି " କଂଗ୍ରେସ ମୋତେ ଦୂରେଇ ଦେଇଛି, କିନ୍ତୁ ମୋ ବିଚାରଧାରାକୁ ନୁହେଁ । ତାକୁ କେହି ବି ଦୂରେଇ ପାରିବେ ନାହିଁ । ରାଜନୀତି କରୁଥିଲି ଆଗକୁ ମଧ୍ୟ କରିବି ।"
" ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଦୀର୍ଘ ଦିନ ରହିଥିଲି । ସେ ସବୁବେଳେ କୁହନ୍ତି 'ଡରୋ ମତ୍' । ତେଣୁ ମୁଁ ନ ଡରି ଦଳ ଭିତରେ ହେଉଥିବା ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଦଳର ସର୍ବୋଚ୍ଚ ନେତ୍ରୀ ମାଡମ ସୋନିଆ ଗାନ୍ଧିଙ୍କଙ୍କୁ ଚିଠି ଲେଖିଥିଲି । କଂଗ୍ରେସ ଯାହା କରିଛି ମୁଁ ତାକୁ ସ୍ବାଗତ କରୁଛି " ବୋଲି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ ।
କାହିଁକି ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ?
ମୋକିମ, ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ଓଡ଼ିଶାରେ କଂଗ୍ରେସ ଦଳର ନୈରାଶ୍ୟ ଜନକ ପ୍ରଦର୍ଶନ ଏବଂ ଯୁବପିଢ଼ିଙ୍କ ସହ ସମ୍ପର୍କ ସ୍ଥାପନ କରିବାର ନେତୃତ୍ୱର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ । ସେ ଦଳୀୟ ନେତୃତ୍ୱଙ୍କ ପ୍ରତି ଯେଉଁ ମନୋଭାବ ପୋଷଣ କରିଥିଲେ, ଯେ ଦଳକୁ ସାଂଗଠନିକ ସଂସ୍କାର ସହ ଆଦର୍ଶଗତ ନବୀକରଣ ଆବଶ୍ୟକ ଏବଂ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବୟସକୁ ଚିନ୍ତାର ବିଷୟ ବୋଲି ଦର୍ଶାଇ ଯୁବ ନେତାମାନଙ୍କୁ ଆଗକୁ ଆଣିବା ବିଷୟରେ ବିଚାର କରିବାକୁ ସୋନିଆ ଗାନ୍ଧୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଥିଲେ । ଗତକାଲି (ରବିବାର-ଡିସେମ୍ବର 14) ପିସିସି ସଭାପତି ଭକ୍ତ ଚରଣ ଦାସ ଦିଲ୍ଲୀରୁ ମୋକିମଙ୍କ ଉଦ୍ଦେଶ୍ୟରେ ଜବାବ ରଖିଥିଲେ । ମୋକିମଙ୍କ ମନ୍ତବ୍ୟକୁ ବିଜେପି ସହିତ ମେଣ୍ଟ କରିବା ସହିତ ସମାନ କରିଥିଲେ । ପୂର୍ବରୁ ୨୦୨୪ ମସିହାରେ ମଧ୍ୟ କଂଗ୍ରେସରୁ ମହମ୍ମଦ ମୋକିମଙ୍କୁ ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା । ଏହାପରେ ଜାନୁଆରୀ 2025ରେ ତାଙ୍କର ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର/ କଟକ

