ETV Bharat / politics

ମହଙ୍ଗା ପଡିଲା ନବୀନଙ୍କ ସହ ଯୁକ୍ତିତର୍କ ! ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ପ୍ରଭାତ ବିଶ୍ୱାଳଙ୍କୁ ବହିଷ୍କାର କଲା ବିଜେଡି । ନବୀନ ନିବାସରେ ଯୁକ୍ତିତର୍କ ପରେ କଠୋର ପଦକ୍ଷେପ ନେଲେ ନବୀନ ପଟ୍ଟନାୟକ ।

Pravat Biswal expelled from BJD
ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି (File pic)
author img

By ETV Bharat Odisha Team

Published : February 28, 2026 at 7:29 PM IST

|

Updated : February 28, 2026 at 8:24 PM IST

3 Min Read
Choose ETV Bharat

ରିପୋର୍ଟ- ଭବାନୀ ଶଙ୍କର ଦାସ

ଭୁବନେଶ୍ୱର: ଡ. ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ବିଜେଡି ସଭାପତିଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ନବୀନ ନିବାସରେ ହଙ୍ଗାମା କରିଥିଲେ ପ୍ରଭାତ । ସେହିପରି ଗଣମାଧ୍ୟମରେ ସଭାପତିଙ୍କ ବିରୋଧରେ ଖୋଲିଲେ ମୁହଁ । ଆଉ ସନ୍ଧ୍ୟା ହେଉ ହେଉ ବିଜେଡିରୁ ବିଦା ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଭାତଙ୍କୁ ଦଲରୁ ବହିଷ୍କାର କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡି ପକ୍ଷରୁ ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି । ଏହା ପୂର୍ବରୁ ଆଜି ପୂର୍ବାହ୍ନ ସାଢେ଼ 10ରେ ନବୀନ ନିବାସରେ ପହଁଚିବା ଲାଗି ଦଳର ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜଣଙ୍କ ପରେ ଜଣେ ବିଧାୟକ ନବୀନ ନିବାସରେ ପହଁଚିଥିଲେ । ଦଳର ପ୍ରାର୍ଥୀ କିଏ ହେବେ ସେନେଇ ନବୀନ ଦଳର ସମସ୍ତ ବିଧାୟକଙ୍କୁ ଅବଗତ କରୁଥିଲେ । ବିଧାୟକଙ୍କ ପରାମର୍ଶ ଲୋଡୁଥିଲେ ନବୀନ । ଠିକ୍ ଏହି ସମୟରେ ନବୀନ ନିବାସରେ ପହଁଚିଥିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ । ନବୀନ ନିବାସ ବାହାରେ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଅ ତଥା ଚୌଦ୍ଵାର ବିଧାୟକ ସୌଭିକ ବିଶ୍ୱାଳ ଡାକିଥିବା କଥା ପ୍ରଭାତ କହି ନବୀନ ନିବାସ ଭିତକୁ ଯାଇଥିଲେ ।

Former MLA Pravat Ranjan Biswal expelled
ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି (ETV Bharat Odisha)
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନବୀନ ଓ ବିଧାୟକଙ୍କ ମଧ୍ୟରେ ଚାଲିଥିବା ବୈଠକ ରୁମକୁ ପ୍ରବେଶ କରିଥିଲେ ପ୍ରଭାତ । ସଂତୃପ୍ତ ମିଶ୍ରଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଉଥିବା ଜାଣି ଭୀଷଣ ଅସନ୍ତୋଷ ବ୍ୟକ୍ତ କରିଥିଲେ ପ୍ରଭାତ । ଭିକେ ପାଣ୍ଡିଆନ କିମ୍ବା ସୁଜାତା ପାଣ୍ଡିଆନଙ୍କୁ ପ୍ରାର୍ଥୀ କିମ୍ବା ଦଳରୁ ଆଉ କାହାକୁ ପ୍ରାର୍ଥୀ କରିବାକୁ ଦାବି କରିଥିଲେ । ଯିଏ ଦଳ ପାଇଁ କାର୍ଯ୍ୟ କରିଛି, ସେ ପ୍ରାର୍ଥୀ ହେବା ଆବଶ୍ୟକ ବୋଲି ସେ ଦାବି କରିଥିଲେ । ଏହାକୁ ନେଇ ନବୀନ - ପ୍ରଭାତଙ୍କ ମଧ୍ୟରେ କଥା କଟକଟି ହୋଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ବିଧାୟକ ଓ ଆଉ କିଛି ସଦସ୍ୟ ପ୍ରଭାତଙ୍କୁ ବିରୋଧ କରିଥିଲେ । ନବୀନ ନିବାସ ବାହାରେ ଗଣମାଧ୍ୟମର ଉପସ୍ଥିତି, ପ୍ରାର୍ଥୀ ଘୋଷଣା ବିଳମ୍ବ ଓ କଥା ଆଗକୁ ବଢିବାକୁ ଲାଗିବାରୁ ଦଳର ବରିଷ୍ଠ ବିଧାୟକ ହସ୍ତକ୍ଷେପ କରିଥିଲେ । କଟକ ଓ ନୟାଗଡ଼ ଜିଲ୍ଲାର କିଛି ବିଧାୟକ ପ୍ରଭାତଙ୍କୁ ବୈଠକ ଗୃହରୁ ବାହାରକୁ ନେଇଯାଇଥିଲେ ।ଗଣମାଧ୍ୟମ ପ୍ରତିନିଧି ନବୀନ ନିବାସ ମଧ୍ୟରେ ପଶିବା ପୂର୍ବରୁ ସ୍ଥିତି ସ୍ୱାଭାବିକ କରିବାକୁ ଚେଷ୍ଟା ହୋଇଥିଲା । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଗଣମାଧ୍ୟମ ପାଖରେ ଖବର ପହଁଚି ଯାଇଥିଲା । ଏହାରି ଭିତରେ ନବୀନ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରି ଚାଲିଗଲେ । ଏହାରି ଭିତରେ ଦଳର ବରିଷ୍ଠ ବିଧାୟକ ଓ ପ୍ରଭାତ ମଧ୍ୟ ନବୀନ ନିବାସରୁ ବାହାରି ଆସିଥିଲେ । ଚୌଦ୍ୱାର ବିଧାୟକଙ୍କ ସରକାରୀ ବାସଭବନରେ ଥିବା ପ୍ରଭାତଙ୍କ ପାଖରେ ପହଁଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଗଣମାଧ୍ୟମ ଆଗରେ ପ୍ରବଳ ବିଷୋଦଗାର କରିଥିଲେ ପ୍ରଭାତ । ପ୍ରଭାତ କହିଥିଲେ ମୋ ମନରେ ଦୀର୍ଘ ସମୟ ଧରି ଅସନ୍ତୋଷ ରହିଛି । କର୍ମୀକୁ ଦେଖି ଦଳରେ ଠିକ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି । ଦଳର କାର୍ଯ୍ୟଶୈଳୀକୁ ସେ ଦୃଢ ଭାବେ ସମାଲୋଚନା କରିଥିଲେ ।ପ୍ରଭାତ ବିଶ୍ଵାଳ କହିଥିଲେ, "ମନ ଭିତରେ ଦୀର୍ଘ ଦିନ ଧରି ଅସନ୍ତୋଷ ରହିଛି । ଯାହା କରିବା ଠିକ କରିବା । ଆଜି ଦୁଃଖ ଲଗିଲା । ଯିଏ ଦଳ ପାଇଁ କାମ କରିଛି ତାକୁ ପୁରଷ୍କୃତ କରାଯାଉ । ଆଜି ପର୍ଯ୍ୟନ୍ତ ମୁଁ ଆଦର୍ଶକୁ ବନ୍ଧା ପକେଇ ନାହିଁ । ଯିଏ କର୍ମୀ ତାଙ୍କୁ ରାଜ୍ୟସଭା ଆସନ ଦିଆଯାଉ । ପାଣ୍ଡିଆନ ଓ ସୁଜାତା ଦଳ ପାଇଁ କରିଛନ୍ତି । ଯାହାଙ୍କୁ ଦିଆଯାଇଛି ସେ ଦଳ ପାଇଁ କିଛି କରିନାହାନ୍ତି । 4 ହଜାର କୋଟି ଯିଏ ନେଇ ଯାଇଛି ତାକୁ ଦିଆଗଲା । ଦଳର ନିଷ୍ପତ୍ତି ସମସ୍ତ ବରିଷ୍ଠ ନେତା ବସି କି ନିଅନ୍ତୁ । ନବୀନ ବାବୁ ଏକପାଖିଆ ନିଷ୍ପତ୍ତି ନେଇଛନ୍ତି । ଦଳ ମୋର ବହୁ କ୍ଷତି କରିଛି । ମୁଁ କିନ୍ତୁ ଦଳର କ୍ଷତି କରି ନାହିଁ । ୨୦୧୨ରୁ ମୋ ମନରେ ଦୁଃଖ ଅଛି । ମୋ ସହିତ ନବୀନ ବାବୁ ଆଲୋଚନା କରନ୍ତୁ ବୋଲି ଲିଖିତ ଆକାରରେ ଜଣାଇବି । ଯଦି ନ ଆଲୋଚନା କରିବେ ତେବେ ଦଳଠାରୁ ଦୁରେଇଯିବି ।" ଏହା ସହ ନବୀନ, ଦଳ ବିବାଦରେ ପୁରୁଣା କଥା ଗଣମାଧ୍ୟମ ଆଗରେ ଅନେକ କଥା କହିଥିଲେ ପ୍ରଭାତ ।ପ୍ରଭାତଙ୍କ ବକ୍ତବ୍ୟକୁ ନେଇ ଦଳର ସଭାପତି ଖପ୍ପା ହୋଇଥିଲେ । ଆଉ ପ୍ରଭାତଙ୍କୁ ଦଳରୁ ନବୀନ ବିଦା କରିଛନ୍ତି । ଦଳ ବିରୋଧରେ କହିବା ପ୍ରଭାତଙ୍କୁ ମହଙ୍ଗା ପଡିଲା । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପ୍ରଭାତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପ୍ରଭାତ ବିଧାୟକ ଭାବେ ତିନି ଥର ଜିତିଛନ୍ତି । 2004 ମସିହାର ସେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । 2009 ଓ 2014ରେ ସେ ବିଧାନସଭା ନିର୍ବାଚନରେ ଚୌଦ୍ୱାର - କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ଚିଟଫଣ୍ଡ ମାମଲାରେ ଫସି ସେ ବିବାଦୀୟ ହୋଇ ପଡିଥିଲେ । 2019ରେ ଦଳ ପ୍ରଭାତଙ୍କ ବଦଳରେ ତାଙ୍କ ପୁଅ ସୈାଭିକ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଥିଲା । ପ୍ରଭାତଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଏହା ମଧ୍ୟ ପଢନ୍ତୁ- କିଏ ଡାକ୍ତର ଦତ୍ତେଶ୍ବର ହୋତା?; ବିଜେଡି କଲା ପ୍ରାର୍ଥୀ, କଂଗ୍ରେସରୁ ମିଳିବ ସମର୍ଥନ

ଇଟିଭି ଭାରତ, ଭୁବନେଶ୍ୱର

Last Updated : February 28, 2026 at 8:24 PM IST