ETV Bharat / politics

କଟକରେ ଅଧିକ ଶକ୍ତିଶାଳୀ ହେବ ବିଜେପି; ପଦ୍ମ ଧରିବେ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ !

କଟକର ଟାଣୁଆ ନେତା ପ୍ରଭାତ ବିଶ୍ଵାଳ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ବିଜେଡି ନେତା ରଖିଲେ ପ୍ରତିକ୍ରିୟା । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

PRABHAT BISWAL BJP PARTY
ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ (File pic)
author img

By ETV Bharat Odisha Team

Published : July 8, 2026 at 7:27 PM IST

2 Min Read
Choose ETV Bharat

ଭୁବନେଶ୍ୱର: ସିଲଭରସିଟିର ଟାଣୁଆ ନେତା ଦେବାଶିଷ ସାମନ୍ତରାୟ ପଦ୍ମ ଶିବିରରେ ଯୋଗ ଦେବା ପରେ ପୁଣି ଥରେ କଟକରେ ବଡ ରାଜନୈତିକ ଚର୍ଚ୍ଚା ଜୋର ଧରିଛି । ବିଜେଡିର ପୂର୍ବତନ ବିଧାୟକ ତଥା ଟାଣୁଆ ନେତା ପ୍ରଭାତ ବିଶ୍ଵାଳ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ବୋଲି ଜୋରଦାର ଆଲୋଚନା ହେଉଛି । ତେବେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଲା କିଛି ଫରକ ପଡିବନି । ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ଵାଳଙ୍କୁ କିଛି ମାସ ତଳେ ଦଳରୁ ବହିଷ୍କାର କରିଥିଲା ବିଜେଡି ।

ପଦ୍ମ ଧରିବେ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ଵାଳ ! (ETV Bharat Odisha)

ଆସନ୍ତା 12 ତାରିଖରେ ପ୍ରଭାତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିବେ ବୋଲି ସୂଚନା ମିଳିଛି l ତାଙ୍କ ସହିତ ବହୁ ସମର୍ଥକ ମଧ୍ୟ ସାମିଲ ହୋଇପାରନ୍ତି l ଚୌଦ୍ଵାର ପୌରପାଳିକା ଏବଂ କଟକ ମହାନଗର ନିଗମର କିଛି କାଉନସିଲର ଓ କର୍ପୋରେଟର ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି l ଏହା କହିଛନ୍ତି ବିଜେପି ବିଧାୟକ ଅଗସ୍ତି ବେହେରା ।

ତେବେ ବିଜେପି ବିଧାୟକ ପୁଣି କହିଛନ୍ତି, ପ୍ରଭାତଙ୍କ ସମର୍ଥକ କଟକରେ ଅନେକ ଅଛନ୍ତି l ସେଠାରେ ତାଙ୍କର ଏକ ପ୍ରକାର ସଂଗଠନ ଅଛି l ବିଜେପିରେ ସାମିଲ ହେଲେ ଦଳ ଆହୁରି ମଜବୁତ ହେବ ।

ଅଗସ୍ତି ବେହେରାଙ୍କ ମତରେ, "ବିଜେପିରେ ଯେଉଁମାନେ ଯୋଗ ଦେବାକୁ ଆସୁଛନ୍ତି ଆମେ ସ୍ୱାଗତ କରୁଛୁ l ପ୍ରଧାନମନ୍ତ୍ରୀ ନେତୃତ୍ୱରେ ଅନୁପ୍ରାଣିତ ହେଇ ସମସ୍ତେ ଯୋଗ ଦେଉଛନ୍ତି l ବିରୋଧଙ୍କ ପାଖରେ ଆଉ ନେତୃତ୍ୱ ନାହିଁ l ଅନେକ ନେତା ଯୋଗାଯୋଗରେ ଅଛନ୍ତି ଶୀର୍ଷ ନେତୃତ୍ୱ ତାଙ୍କ କଥା ବିଚାର କରୁଛନ୍ତି l ଆଞ୍ଚଳିକ ଦଳ ସାରା ଦେଶରେ ଆଉ ତିଷ୍ଠି ପାରିବେ ନାହିଁ l ବିରୋଧୀଙ୍କ ପିକ୍ ସମୟ ଶେଷ ହେଇସାରିଛି l"

ସେପଟେ ପ୍ରଭାତଙ୍କ ବିଜେପିରେ ଯୋଗ ଦେବା ଖବର ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା କହିଛନ୍ତି, ରାଜନୀତିରେ ଦଳ ଛାଡିବା ଏବଂ ମିଶିବା ଏହା ଗୋଟିଏ ପ୍ରକ୍ରିୟା l ଦଳରେ ଅନେକ ଲୋକ ଆସନ୍ତି ଏବଂ ଯାଆନ୍ତି କିନ୍ତୁ ବିଜେଡି ଦୀର୍ଘ 24 ବର୍ଷ ଧରି ଶାସନ ଜାରି ରଖିଥିଲା ।

ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, "ଦଳ ଛାଡିବା ଏବଂ ମିଶିବା ଏକ ପ୍ରକ୍ରିୟା । କେହି ଦଳ ଛାଡ଼ିକି ଗଲେ ଦଳର କିଛି ଫରକ ପଡିବ ନାହିଁ l ବିଜେଡି ହାରିବା ପରେ ଯେଉଁମାନେ ଅଧିକ କିଛି ଆଶା କରୁଛନ୍ତି ସେମାନେ ଦଳ ଛାଡିଲେ ଦଳ ବିବ୍ରତ ନୁହଁ l ସବୁଠାରୁ ବଡ କଥା ଏହି ଦୁଇ ବର୍ଷ ଭିତରେ ଯେଉଁମାନେ ଦଳ ଛାଡ଼ି ଯାଇଥିଲେ ସେମାନେ ଏବେ ଲେଉଟାଣି ଆରମ୍ଭ କଲେଣି l କିଛି ନେତା ବିଜେଡିରେ ସାମିଲ ହୋଇ ସାରିଲେଣି l ଆଉ କିଛି ଲାଇନରେ ଅଛନ୍ତି l"

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣାକୁ ବିରୋଧ କରିଥିଲେ ପ୍ରଭାତ । ଏପରିକି ନବୀନଙ୍କ ସହିତ ନବୀନ ନିବାସରେ ପ୍ରଭାତଙ୍କ ଯୁକ୍ତିତର୍କ ଘଟିଥିବା ଚର୍ଚ୍ଚା ଜୋର ଧରିଥିଲା ।



ଆଗକୁ ଆସୁଛି ପଞ୍ଚାୟତ ଏବଂ ପୌର ନିର୍ବାଚନ l ରାଜ୍ୟରେ ତିନୋଟି ରାଜନୈତିକ ଦଳ ଏନେଇ ସଜବାଜ ଆରମ୍ଭ କରିଛନ୍ତି l ଦୁଇ ପ୍ରମୁଖ ବିରୋଧୀ ଦଳ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଥିବା ବେଳେ ବିଜେପି ତୃଣମୂଳ ସ୍ତରରେ ସଂଗଠନକୁ ସଶକ୍ତ କରୁଛି l ବିଜେପି ରାଜ୍ୟ ସଭାପତି ଏନେଇ ଜିଲ୍ଲା ଗସ୍ତ କରି ସଂଗଠନକୁ ସୁଦୃଢ କରୁଛନ୍ତି l ପଞ୍ଚାୟତ ଏବଂ ପୌର ନିର୍ବାଚନରେ କିଏ ବାଜିମାତ୍ କରିବ ତାକୁ ଅପେକ୍ଷା l

ଏହା ବି ପଢନ୍ତୁ- ସଂଗଠନ ସଜାଡ଼ିବାକୁ କଂଗ୍ରେସର ମେଗା ମିଶନ୍, ଫୋକସରେ ଆଦିବାସୀ ସେଲ୍

ଇଟିଭି ଭାରତ, ଭୁବନେଶ୍ୱର