ETV Bharat / politics

ବନ୍ୟା ବିପର୍ଯ୍ୟୟ; ସରକାରଙ୍କୁ ହିସାବ ମାଗିଲା କଂଗ୍ରେସ, ଗଞ୍ଜାମ ବନ୍ୟା ପରିଚାଳନା ପାଇଁ କଣ କରିଥିଲା ବିଜେଡି ? ଓଲଟା ପଶ୍ନ କଲା ବିଜେପି

ପ୍ରଶାସନର ଦକ୍ଷତା ଉପରେ ଉଠିଲା ପ୍ରଶ୍ନ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ଗିରଫ ଦାବି । ବିଧାନସଭାରୁ ରାଜରାସ୍ତା ଯାଏଁ ଲଢ଼େଇ ଚେତାବନୀ ଦେଲେ ପିସିସି ସଭାପତି । ରିପୋର୍ଟ- ସଞ୍ଜୀବ ରାୟ/ମନୋରଞ୍ଜନ ଶଙ୍ଖୁଆ

FLOOD MANAGEMENT
ବନ୍ୟା ପରିଚାଳନା ନେଇ ବିଜେଡି-କଂଗ୍ରେସ-ବିଜେପି ମୁହାଁମୁହିଁ (ETV Bharat Odisha)
author img

By ETV Bharat Odisha Team

Published : November 4, 2026 at 11:16 PM IST

4 Min Read
Choose ETV Bharat

ଭୁବନେଶ୍ୱର: ବିପର୍ଯ୍ୟୟ ଆସିବା ପୂର୍ବରୁ ପ୍ରସ୍ତୁତି କେତେ ଥିଲା ? ଆଗୁଆ ସତର୍କ ସୂଚନା ସତ୍ତ୍ୱେ କାହିଁକି ହୋଇପାରିଲାନି ଉପଯୁକ୍ତ ପଦକ୍ଷେପ ? ବନ୍ୟା ପରେ ରିଲିଫ୍ ଓ କ୍ଷତିପୂରଣ ବଣ୍ଟନରେ କାହିଁକି ଦେଖାଦେଲା ଅବ୍ୟବସ୍ଥା ? ଏଭଳି ଅନେକ ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ଏପଟେ ବନ୍ୟା ପରିଚାଳନା କଥା ଉଠାଇ ବିଜେଡିକୁ ଟାର୍ଗେଟ୍ କରିଛି ଶାସକ ଦଳ । ବିରୋଧୀ ଦଳ ମିଥ୍ୟା ଅପପ୍ରଚାର କରୁଛନ୍ତି । 24 ବର୍ଷ ଶାସନରେ ଗଞ୍ଜାମ ବନ୍ୟା ପରିଚାଳନା ପାଇଁ କଣ କରିଥିଲା ବିଜେଡି ? ଓଲଟା ପ୍ରଶ୍ନ କରିଛି ବିଜେପି ।

ବୁଧବାର ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବନ୍ୟା ପରିଚାଳନାରେ ସରକାରଙ୍କ ଦକ୍ଷତା ଉପରେ ପସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ପିସିସି ସଭାପତି ଭକ୍ତ ଦାସ । କେବଳ ସରକାରଙ୍କୁ ସମାଲୋଚନା ନୁହେଁ, ବରଂ ବିଭାଗୀୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଉତ୍ତର ଦାୟିତ୍ୱ ନିର୍ଦ୍ଧାରଣ ଓ କାର୍ଯ୍ୟରେ ଅବହେଳା କରିଥିଲେ ଗିରଫ ଦାବି କରିଛି କଂଗ୍ରେସ । ଅନ୍ୟପଟେ ପୂର୍ବ ସରକାରର ବନ୍ୟା ଓ ବାତ୍ୟା ମୁକାବିଲା ମଡେଲକୁ ଅଧ୍ୟୟନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ପରାମର୍ଶ ଦେଇଛନ୍ତି ଭକ୍ତ । ତେବେ ବନ୍ୟା ବିପର୍ଯ୍ୟୟ ଏବେ ରାଜନୈତିକ ହିସାବ ନିକାଶର ବଡ଼ ପ୍ରସଙ୍ଗ ପାଲଟିଛି ।

ବନ୍ୟାରେ ବୁଡ଼ିଲା ଗାଁ, ଉଜୁଡ଼ିଲା ଚାଷ, ବିପନ୍ନ ହେଲା ଜୀବନ ଜୀବିକା । ଆଉ ଏବେ ବନ୍ୟା ପରିଚାଳନାକୁ ନେଇ ତେଜିଲା ରାଜନୀତି। ସରକାରଙ୍କ ପ୍ରସ୍ତୁତିଠାରୁ ଆରମ୍ଭ କରି ରିଲିଫ୍ ବଣ୍ଟନ ଓ କ୍ଷତିପୂରଣ ପର୍ଯ୍ୟନ୍ତ ପ୍ରତିଟି ପ୍ରସଙ୍ଗରେ ଜବାବ ମାଗିଛି କଂଗ୍ରେସ । ଗଣମାଧ୍ୟମକୁ ସୂଚନା ଦେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ଉଠାଇଛନ୍ତି ଗୁରୁତର ପ୍ରଶ୍ନ । ତାଙ୍କ ଅଭିଯୋଗ, ସରକାର ଚଳାଇବାର ଦକ୍ଷତା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ପ୍ରଶାସନିକ ପରିଚାଳନାର ମୌଳିକ ଦିଗ ମଧ୍ୟ ସରକାର ବୁଝିପାରୁନାହାନ୍ତି । ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ଆସିବା ପୂର୍ବରୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଆଗୁଆ ସତର୍କତା, ଲୋକଙ୍କ ସ୍ଥାନାନ୍ତର ଓ ରିଲିଫ୍ ବ୍ୟବସ୍ଥା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ । କିନ୍ତୁ ଗଞ୍ଜାମ ଓ ଗଜପତିରେ ଏହି ପ୍ରସ୍ତୁତି କେତେ ହୋଇଥିଲା, ତାହାର ଜବାବ ମାଗିଛନ୍ତି ଭକ୍ତ ।


ବିଶେଷକରି ଏହି ଦୁଇ ଜିଲ୍ଲାରେ ୫୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବାର ପୂର୍ବାନୁମାନ ସରକାରଙ୍କ ପାଖରେ ଥିଲା କି ନାହିଁ, ଯଦି ଥିଲା ତେବେ ସେହି ଅଞ୍ଚଳକୁ ଅଧିକ ଫୋକସ୍ କାହିଁକି କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଭକ୍ତଙ୍କ ଅଭିଯୋଗ, ଏପର୍ଯ୍ୟନ୍ତ ଭୂସ୍ଖଳନରେ 11ଟି ମୃତଦେହ ଉଦ୍ଧାର ହୋଇପାରିନାହିଁ । ଯଦି ପ୍ରଶାସନିକ ଅବହେଳା ହୋଇଛି, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି ।

କେବଳ ଜୀବନହାନୀ ନୁହେଁ, ଚାଷୀଙ୍କ କ୍ଷତିକୁ ନେଇ ମଧ୍ୟ କଂଗ୍ରେସ ଉଠାଇଛି ବଡ଼ ପ୍ରଶ୍ନ । ଭକ୍ତଙ୍କ ଦାବି ଅନୁସାରେ, ବନ୍ୟାରେ ୧୦ ଲକ୍ଷ ଏକରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଛି । ୨୭ଟି ବ୍ଲକ୍ ସହ ୩୯୮ରୁ ଅଧିକ ଗାଁ କ୍ଷତିଗ୍ରସ୍ତ ହୋଇଛି । ଏଭଳି ସ୍ଥିତିରେ ଚାଷୀଙ୍କୁ ମିଳୁଥିବା ସହାୟତା ଯଥେଷ୍ଟ ନୁହେଁ ବୋଲି ଅଭିଯୋଗ କରିଛି ଦଳ । ଅଢ଼େଇ ଏକର ଜମି ପିଛା ମାତ୍ର ୮ ହଜାର ୫୦୦ ଟଙ୍କା ସହାୟତା ଦେବା ଚାଷୀଙ୍କ କ୍ଷତି ତୁଳନାରେ ଅତି ନଗଣ୍ୟ ବୋଲି କହିଛନ୍ତି ଭକ୍ତ । ହେକ୍ଟର ପିଛା ୫୫ ହଜାର ଟଙ୍କା ସହାୟତା ଦେବାକୁ ଦାବି କରି ସରକାରଙ୍କ କ୍ଷତିପୂରଣ ନୀତି ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାସହ ରିଲିଫ୍ ବଣ୍ଟନରେ ମଧ୍ୟ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆଣିଛି ।


ଅନ୍ୟପଟେ ଏହି ବନ୍ୟା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଭକ୍ତ ଦାସ । ନବୀନଙ୍କ ଗଞ୍ଜାମ ଗସ୍ତକୁ ସ୍ୱାଗତ କରିବା ସହ ପୂର୍ବ ବିଜେଡି ସରକାରର ୨୪ ବର୍ଷର ବନ୍ୟା ଓ ବାତ୍ୟା ମୁକାବିଲା ଅଭିଜ୍ଞତାକୁ ମଧ୍ୟ ଅନୁଧ୍ୟାନ କରିବାକୁ କହିଛନ୍ତି । ପୂର୍ବ ସରକାର କେଉଁଭଳି ଆଗୁଆ ପ୍ରସ୍ତୁତି କରୁଥିଲେ, କେଉଁ ରଣନୀତି ଓ ପଦକ୍ଷେପ ନେଉଥିଲେ, ବର୍ତ୍ତମାନ ସରକାର ସେ ସବୁକୁ ଅଧ୍ୟୟନ କରିଛନ୍ତି କି ନାହିଁ, ତାହା ମଧ୍ୟ ନବୀନ ଅନୁଧ୍ୟାନ କରନ୍ତୁ ବୋଲି କହିଛନ୍ତି ।

ତେଣୁ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଅଭିଯୋଗକୁ ନେଇ ଆଗକୁ ଆହୁରି ଆକ୍ରମଣାତ୍ମକ ହେବ କଂଗ୍ରେସ । ବିଧାନସଭାରେ ଏବଂ ରାଜରାସ୍ତାରେ ବନ୍ୟା କ୍ଷୟକ୍ଷତିର ପୂରା ହିସାବ ମାଗିବାକୁ ଦଳ ଚେତାବନୀ ଦେଇଛି । ଏବେ ପ୍ରଶ୍ନ ହେଉଛି, ସରକାର ଏହି ଅଭିଯୋଗର ଜବାବ କେବେ ଦେବେ ? କ୍ଷତିଗ୍ରସ୍ତଙ୍କୁ ନ୍ୟାୟସଙ୍ଗତ ସହାୟତା କେବେ ମିଳିବ ?

24 ବର୍ଷ ଶାସନରେ ଗଞ୍ଜାମ ବନ୍ୟା ପରିଚାଳନା ପାଇଁ କଣ କରିଥିଲା ବିଜେଡି ?

ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରୟାସ କଲେ । ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଦିନ ରାତି କଣ୍ଟ୍ରୋଲ ରୁମରେ ବସି ସମୀକ୍ଷା କଲେ । ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ 8 ମନ୍ତ୍ରୀଙ୍କୁ ଗ୍ରାଉଣ୍ଡକୁ ପଠାଗଲା । ଅଧିକ ବୃଷ୍ଟିପାତ ପାଇଁ ସର୍ବାଧିକ କ୍ଷତି ହେଲା । ବିରୋଧୀ ଦଳ ମିଥ୍ୟା ଅପପ୍ରଚାର କରୁଛନ୍ତି କହିଛି ବିଜେପି ।

ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଏବଂ ନବୀନଙ୍କ ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ l ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରୟାସ କଲେ । ଅଧିକ ବୃଷ୍ଟିପାତ ପାଇଁ ସର୍ବାଧିକ କ୍ଷତି ହେଲା । ବିରୋଧୀ ଦଳ ମିଥ୍ୟା ଅପପ୍ରଚାର କରୁଛନ୍ତି l ଯେଉଁମାନେ କରୁଛନ୍ତି ଦୀର୍ଘ ଦିନ ଧରି ଶାସନରେ ଥିଲେ l ଆଜିର ବିରୋଧୀ ଦଳର ନେତା 24 ବର୍ଷର ମୁଖ୍ୟମନ୍ତ୍ରୀ l ଗଞ୍ଜାମ ଜିଲ୍ଲାରୁ 3 ଥର ସାଂସଦ 5 ଥର ବିଧାୟକ । ସେ ତାଙ୍କ ଅଞ୍ଚଳରେ ଗୋଟିଏ ବି ପ୍ରକଳ୍ପ କଲେ ନାହିଁ l ଋଷିକୂଲ୍ୟା ବାହୁଦା ପର୍ଯ୍ୟନ୍ତ ଯେଉଁ 10 ଟି ପ୍ରକଳ୍ପ ଅଛି ତାହା ବିଜେଡି ସମୟରେ ହୋଇ ନାହିଁ l ଦୀର୍ଘ ସମୟ ଧରି ଗଞ୍ଜାମବାସୀ ଆପଣଙ୍କୁ ଜିତାଇବା ପରେ ମଧ୍ୟ ଗଞ୍ଜାମ ପାଇଁ ଗୋଟିଏ ବି ପ୍ରକଳ୍ପ କଲେ ନାହିଁ ବୋଲି କହିଛନ୍ତି ବିରଞ୍ଚି ନାରାୟଣ ତ୍ରିପାଠୀ l

ସେ ପୁଣି କହିଛନ୍ତି ଯେ, ଏବେ ଭୁଲ ତଥ୍ୟ ଦେଉଛନ୍ତି । କହୁଛନ୍ତି ବନ୍ୟା ନିୟନ୍ତ୍ରଣ ପାଇଁ ଡ୍ୟାମର ଜଳସ୍ତର କମାଗଲା ନାହିଁ l ସମସ୍ତ ଡ୍ୟାମରୁ ପାଣି ନିଷ୍କାସନ କରି କମା ଯାଇଥିଲା l ସରକାର ସଂପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ରିଲିଫ କାର୍ଯ୍ୟରେ ବିଜେପିର 2 ମନ୍ତ୍ରୀ, 9 ବିଧାୟକ, ସାଂସଦ ଲାଗିଥିଲେ l ଗଞ୍ଜାମ ଜିଲ୍ଲାର 13 ବିଧାୟକ ଅଛନ୍ତି କିନ୍ତୁ ଜଣେ ବିଧାୟକ ଛାଡିକି ଆଉ ସମସ୍ତେ ଗ୍ରାଉଣ୍ଡରେ ଅଛନ୍ତି l ଜଣେ ବିଧାୟକ ଏବେ ବି ସେଠାକୁ ଯାଉନାହାନ୍ତି l ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି । ରାଜ୍ୟ ସରକାରଙ୍କ ମୁକାବିଲା ଉଦ୍ୟମ ଏବଂ ପ୍ୟାକେଜ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିରଞ୍ଚି ତ୍ରିପାଠୀ ।

ଏହା ବି ପଢନ୍ତୁ- PSOଙ୍କ ପିଠିରେ ମନ୍ତ୍ରୀ ଯିବା ଘଟଣା; ସରକାରଙ୍କ ଅମାନବୀୟ ମାନସିକତା କହିଲା ବିଜେଡି, ମନ୍ତ୍ରୀଙ୍କ ଆଚରଣ ନିନ୍ଦନୀୟ କହିଲେ ପିସିସି ସଭାପତି

ଇଟିଭି ଭାରତ, ଭୁବନେଶ୍ୱର