ETV Bharat / politics

'ପିସିସି ସଭାପତି ହେଲେ ମୁଖ୍ୟମନ୍ତ୍ରୀ ଆସନ ଉପରେ ରହୁଛି ନଜର', ମୋକିମଙ୍କ ବିସ୍ଫୋରକ ବୟାନ

କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ସୋନିଆ ଗାନ୍ଧିଙ୍କୁ ଅସନ୍ତୋଷ ଭରା ଚିଠି ଲେଖିଥିଲେ । ଭକ୍ତ ଦାସଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ ?

MOHAMMED MOQUIM EXCLUSIVE INTERVIEW
ମହମ୍ମଦ ମୋକିମ (ETV Bharat Odisha)
author img

By ETV Bharat Odisha Team

Published : December 15, 2025 at 11:59 PM IST

|

Updated : December 16, 2025 at 2:49 PM IST

3 Min Read
Choose ETV Bharat

MOHAMMED MOQUIM EXCLUSIVE INTERVIEW ଭୁବନେଶ୍ୱର: ଦଳ ବିରୋଧରେ ମୁହଁ ଖୋଲିବା ମହଙ୍ଗା ପଡ଼ିଲା । କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ତାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ନେତୃତ୍ବ ବିରୋଧରେ ଚିଠି ପାଇଁ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବ ଚର୍ଚ୍ଚା ହେଉଥିବା ବେଳେ, ଇଟିଭି ଭାରତକୁ Exclusive Interview ଦେଇ, ନିିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ମୋକିମ । ମହମ୍ମଦ ମୋକିମଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି ସଞ୍ଜୀବ ରାୟ।

ଇଟିଭି ଭାରତକୁ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ସାକ୍ଷାତକାର (ETV Bharat Odisha)


ପ୍ରଶ୍ନ(ଇଟିଭି ଭାରତ): ଯେତେବେଳେ କଂଗ୍ରେସ ଲୋକଙ୍କ ଆସ୍ଥାଭାଜନ ହେବାକୁ ରାଜ୍ୟ ନେତୃତ୍ୱ, କେନ୍ଦ୍ରୀୟ ନେତୃତ୍ୱ ଓଡିଶା ଉପରେ ଫୋକସ କରୁଛନ୍ତି ସେତେବେଳେ ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଦଳରୁ ବହିଷ୍କାର ହୋଇଛନ୍ତି କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏହାକୁ ନେଇ କଣ ରହିବ ଆପଣଙ୍କ ପ୍ରତିକ୍ରିୟା ?

ଉତ୍ତର (ମହମ୍ମଦ ମୋକିମ): 'ମୁଁ ଏକ ପଦକ୍ଷେପ ନେଇଥିଲି, ଯେଉଁଥିପାଇଁ ମୋତେ ବହିଷ୍କାର କରାଗଲା । କଂଗ୍ରେସ ବିଫଳ ହେବାର କାରଣ, କଂଗ୍ରେସର ବିପର୍ଯ୍ୟୟର କାରଣ, ଦିଲ୍ଲୀ ଓ ବିହାର ପରେ ନୂଆପଡ଼ା ଉପନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ସବୁ ମୋ ଭିତରେ ଦୀର୍ଘଦିନ ହେବ ଘାଣ୍ଟି ହେଉଥିଲା । ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମିଳୁନାହିଁ। ରାହୁଲ ଗାନ୍ଧୀଙ୍କ କର୍ମୀଙ୍କ ପ୍ରତି ଆହ୍ୱାନରେ ମୁଁ ଅନୁପ୍ରାଣିତ ହୋଇ ବିପର୍ଯ୍ୟୟର ନିରାକରଣ ଦିଗରେ ଶୀର୍ଷ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲି । ମୁଁ ଆନନ୍ଦିତ ମୋ ଚିଠି କେନ୍ଦ୍ର ନେତୃତ୍ୱଙ୍କ ପାଖରେ ପହଞ୍ଚିଲା । ହେଲେ ମୋ ଅଭିଯୋଗ ଉପରେ ଆଲୋଚନା ତର୍ଜମା ହେବା ପରିବର୍ତ୍ତେ ମୋ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲା ।'


ପ୍ରଶ୍ନ: ରାହୁଲ ଗାନ୍ଧୀ ଯେଉଁଭଳି ଭାବରେ ଦେଶରେ କଂଗ୍ରେସକୁ ଆସ୍ଥାଭାଜନ କରେଇବାରେ ଲାଗି ପଡିଛନ୍ତି ।ଭାରତ ଯୋଡୋ ଆନ୍ଦୋଳନ କରି କଂଗ୍ରେସକୁ ପୁନରୁଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି । ସେହି ସମୟରେ ଆପଣ ଦଳର ସର୍ବୋଚ୍ଚ ନେତାଙ୍କ ବିରୋଧ ରେଚିଠି କେମିତି ଲେଖିଲେ?


ଉତ୍ତର: 'ମୁଁ ତାଙ୍କର କୌଣସି କାର୍ଯ୍ୟକୁ ନାପସନ୍ଦ କରୁନାହିଁ। ଆମେ ଯଦି ତୃଣମୂଳ ସ୍ତର ନେତାଙ୍କୁ ଅଣଦେଖା କରିବା ତାହେଲେ କଣ ହେବ ? ପ୍ରିୟଙ୍କା ଗାନ୍ଧୀ ବହୁ ଜାଗାରେ ବଡ଼ ବଡ଼ ବୈଠକ କଲେ ହେଲେ ଫଳ ଆଶାତୀତ ହେଲାନାହିଁ । ରାଜନୀତିରେ ଅଙ୍କ ଗଣିତ ଭିନ୍ନ ଅଟେ ।'

ପ୍ରଶ୍ନ: ଯଦି ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ଗ୍ରହଣ କରୁ ନାହାନ୍ତି, ତେବେ କାହାକୁ କଂଗ୍ରେସର ବିକଳ୍ପ ଭାବୁଛନ୍ତି ?

ଉତ୍ତର: 'ବର୍ତ୍ତମାନ ଓଡ଼ିଶାରେ କଂଗ୍ରେସ ଯେଉଁ ସ୍ଥିତିରେ ଅଛି ସାମୁହିକ ନେତୃତ୍ୱ ନହେଲେ ଓଡିଶା କଂଗ୍ରେସ ଉଧେଇ ପାରିବ ନାହିଁ । ରାହୁଲଙ୍କ ବୟସ ଏବଂ କାର୍ଯ୍ୟକ୍ରମ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ଥିବାବେଳେ ଦଳର ଶୋଚନୀୟ ପରାଜୟ ପାଇଁ ନିଜ ଉପରକୁ ଉତ୍ତରଦାଇତ୍ବ ନେଇ ଇସ୍ତଫା ଦେଇଥିଲେ । ରାହୁଲ ପରବର୍ତ୍ତୀ ସମୟରେ ଖର୍ଗେ ହେଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଯୁବ ନେତୃତ୍ୱଙ୍କୁ ଦାଇତ୍ୱ ଦିଆଯାଉ । ପ୍ରିୟଙ୍କା ଗାନ୍ଧୀଙ୍କୁ ଦାଇତ୍ୱ ଦେବା ସହ ସଚିନ ପାଇଲଟ ଏବଂ ଡିକେ ସିବକୁମାରଙ୍କ ଭଳି ଯୁବ ନେତୃତ୍ୱଙ୍କୁ ଦାଇତ୍ୱ ଦେବାକୁ ମୁଁ ଚିଠିରେ ଲେଖିଥିଲି । ଓଡ଼ିଶାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଭଳି ଲୋକପ୍ରିୟ ନେତା ଆଉ ନାହାନ୍ତି । ସେଭଳି ଜନାଦୃତ ନେତାଙ୍କୁ ଦାଇତ୍ୱ ଦେଇ AICC ତର୍ଜମା କରୁ ବୋଲି ମୁଁ ହାଇକମାଣ୍ଡଙ୍କୁ ପ୍ରସ୍ତାବ ଦେଇଥିଲି । '

ପ୍ରଶ୍ନ: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆପଣଙ୍କୁ ବହିଷ୍କାର କରାଗଲା । ଆପଣ କଣ ବାସ୍ତବରେ ଦଳ ବିରୋଧୀ କାର୍ଯ୍ୟ କରିଛନ୍ତି ?

ଉତ୍ତର: 'ସତ କଥା ହେଉଛି, ଯାହା କେହି କୁହନ୍ତି ନାହିଁ , ସେ କଥା ମୁଁ କହିଛି । ବହିଷ୍କାର ହେଲେ ବି ମନରେ କ୍ଷୋଭ ନାହିଁ। ମୋର କର୍ତ୍ତବ୍ୟ ଯାହା ଥିଲା ତାହା କରିଛି । ସମୟ କହିବ ମୋ ଉପରେ କଣ ହୋଇଛି । ମୋ ଵିଚାର ଧାରା ଏବଂ ମୋ ପରିବାର ବିଚାର ଧାରା ନେଇ ଆଗକୁ କଣ ପଦକ୍ଷେପ ନିଆଯିବା ଉଚିତ, ତାହା ସହକର୍ମୀ ଓ ପ୍ରଶଂସକଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବି ।'

ପ୍ରଶ୍ନ: କଣ ପାଇଁ ଓଡ଼ିଶାରେ କଂଗ୍ରେସ ଜନାଦୃତ ହୋଇପାରୁ ନାହିଁ ? ଲୋକଙ୍କ ବିଶ୍ୱାସଭାଜନ ହୋଇପାରୁ ନାହିଁ ? ଦୀର୍ଘ 27 ବର୍ଷ ହେବ ଓଡିଶାବାସୀଙ୍କଠାରୁ ଦୂରେଇ ରହିଛି କଂଗ୍ରେସ । ଏହାର ଦୁଇଟି ପ୍ରମୁଖ କାରଣ କଣ ହୋଇପାରେ ?


ଉତ୍ତର: 'ଯେଉଁମାନେ ପିସିସି ସଭାପତି ହେଉଛନ୍ତି ସେମାନଙ୍କ ମୁଣ୍ଡରେ ପଶିଯାଉଛି ଆମେ ମୁଖ୍ୟମନ୍ତ୍ରୀ ହେବୁ । ତେଣୁ ସେମାନେ ଆଗେ ଦଳ ଭିତରେ ପକ୍ଷ ଛେଦନ କରିବାକୁ ବ୍ୟବସ୍ଥା କରିଥାନ୍ତି। ଦଳରେ ସମସ୍ତଙ୍କୁ ନେଇ ଆଗକୁ ବଢି ପାରୁନାହାନ୍ତି । ଫଳରେ ଏଭଳି ସ୍ଥିତି ହେଉଛି । ଦ୍ୱିତୀୟରେ ଦଳ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ସହ ଯୋଡି ହୋଇ ପାରୁନାହିଁ । ଯେଉଁଠି ପ୍ରାର୍ଥୀ ମଜବୁତ ସେଠି ମିଟିଂ କରୁଛେ । ଯେଉଁଠି ଆବଶ୍ୟକ ରହିଛି ,ଦଳର ସ୍ଥିତି ଭଲ ନାହିଁ,ଦଳ ଦୁର୍ବଳ ଅଛି ସେ ସ୍ଥାନରେ କିଛି କରାଯାଉନାହିଁ ।'


ପ୍ରଶ୍ନ : ଆପଣଙ୍କ ଝିଅ ତଥା ବିଧାୟିକା ସୋଫିଆ ଫିର୍ଦ୍ଦୋଶ, ଦକ୍ଷ ରାଜନେତ୍ରୀ ଭାବେ ପ୍ରତିପାଦିତ କରି ଆସୁଛନ୍ତି । ଆପଣ ଦଳରୁ ବହିଷ୍କୃତ ହେବା ପରେ ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ କିଛି ପ୍ରଭାବ ପଡ଼ିବ କି ?


ଉତ୍ତର: 'କିଏ କାହା ଭବିଷ୍ୟତ ନେଇ ଆସିନାହିଁ । ମୋ ଝିଅ ତା କାମ କରୁଛି , କଟକବାସୀ ତାକୁ ନିର୍ବାଚିତ କରିଛନ୍ତି । ସେ ତାହା ଭବିଷ୍ୟତ ନେଇ ଆଗକୁ ବଢିବ। କୌଣସି ବାଧା ଉପୁଜିବ ନାହିଁ ବୋଲି ମୁଁ ଭାବୁଛି।'


ପ୍ରଶ୍ନ: ଏବେ ଆପଣଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ ?

ଉତ୍ତର: ' କିଛି ଭାବିନି, ଖୋଲା ମନରେ ଚିଠି ଲେଖିଛି । ଯେଉଁଠି କି ଚିଠି ଲେଖିଥିଲି ସେଠି ପହଞ୍ଚିଛି । ଦଳ ବହିଷ୍କାର କରିଛି ତାକୁ ଗ୍ରହଣ ମଧ୍ୟ କରୁଛି। ମୋର ସହଯୋଗୀ ଓ ଶୁଭେଚ୍ଛୁଙ୍କ ସହ ଆଲୋଚନା କରି ଆଗାମୀ ପଦକ୍ଷେପ ନେବି।'

ପ୍ରଶ୍ନ: ଆପଣଙ୍କ ବହିଷ୍କାର ଦଳ ଉପରେ ପ୍ରଭାବ ପକାଇବ କି ?

ଉତ୍ତର: 'କିଛି କହିବିନି ,ଦଳରେ ବହୁ ବନ୍ଧୁ ଅଛନ୍ତି ସମସ୍ତଙ୍କ ସହ ସମ୍ପର୍କ ରହିଛି।'

ପ୍ରଶ୍ନ- ପିସିସି ସଭାପତି ଭକ୍ତ ଦାସଙ୍କ ବିଷୟରେ କଣ କହିବେ ?

ଉତ୍ତର: 'ସେ ପିସିସି ସଭାପତି ଅଛନ୍ତି ,ଦଳ ତାଙ୍କୁ ଗୁରୁ ଦାଇତ୍ୱ ଦେଇଛି । ମୁଁ ଆଶା କରୁଛି ସେ ତାଙ୍କ ଦାଇତ୍ୱ ନିର୍ବାହ କରିବେ।'


ଏହା ବି ପଢନ୍ତୁ- କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, 'ଦଳ ଦୂରେଇ ଦେଇଛି, ବିଚାରଧାରାରୁ ଦୂରେଇ ପାରିବେ ନାହିଁ '

ଇଟିଭି ଭାରତ, ଭୁବନେଶ୍ୱର

Last Updated : December 16, 2025 at 2:49 PM IST