ଜାନୁଆରୀ 30ରୁ କଂଗ୍ରେସର ପଦଯାତ୍ରା 'ଗାନ୍ଧୀ ପଥେ ଓଡି଼ଶା'
ପ୍ରଥମେ ଦକ୍ଷିଣ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,ରାୟଗଡା, କଳାହାଣ୍ଡିରେ ପଦଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ବିଫଳତା ସହ ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟାକୁ ନେଇ ଏହି ପଦଯାତ୍ରା ଆୟୋଜନ କରାଯିବ।

Published : January 9, 2026 at 11:05 AM IST
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୩୦ରୁ କଂଗ୍ରେସ ପକ୍ଷରୁ ବର୍ଷେ ବ୍ୟାପୀ ପଦଯାତ୍ରା 'ଗାନ୍ଧୀ ପଥେ ଓଡି଼ଶା' ଆରମ୍ଭ ହେବ । ଜନସାଧାରଣଙ୍କ ସହ ଯୋଡି ହେବା ପାଇଁ ଏହି ପଦଯାତ୍ରା ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଓଡ଼ିଶାରେ ବହୁ ପ୍ରସଙ୍ଗ ରହିଛି, ପଦଯାତ୍ରା ଭଲ ମାଧ୍ୟମ ହେଲେ ବିରୋଧୀଙ୍କୁ ସଶକ୍ତ ହେବାକୁ ପଡ଼ିବ। କଂଗ୍ରେସ ଖାଲି ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ କଲେ ହେବ ନାହିଁ, ଗାଁ ଗାଁ କୁ ଯିବାର ଆବଶ୍ୟକତା ରହିଛି।
ମାଲକାନଗିରିରୁ ଆରମ୍ଭ ହେବ ପଦଯାତ୍ରା:
ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ପାଖରେ ପହଞ୍ଚିବାକୁ ଯୋଜନା କରିଛି ପ୍ରଦେଶ କଂଗ୍ରେସ। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ସଫଳତା ପରେ ଓଡ଼ିଶାରେ ପଦଯାତ୍ରା ମାଧ୍ୟମରେ ସମାଜର ସବୁ ବର୍ଗଙ୍କ ସହ ଯୋଡିବାକୁ ନିଷ୍ପତ୍ତି ନେଇଛନ୍ତି ପିସିସି ସଭାପତି । ଗାଁ ଗାଁ ପୁର ପଲ୍ଲୀରେ କଂଗ୍ରେସର ସ୍ୱର ପହଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ପଦଯାତ୍ରା କରିବ କଂଗ୍ରେସ। ପ୍ରଥମେ ଦକ୍ଷିଣ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର ,ରାୟଗଡା, କଳାହାଣ୍ଡିରେ ପଦଯାତ୍ରା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଏହି ପଦଯାତ୍ରା ହେବ। ଦୈନିକ ୧୦ ରୁ ୨୦ କିଲୋମିଟର ପଦଯାତ୍ରା ଚାଲିବ।
ପଦଯାତ୍ରାରେ ସାମିଲ ହେବାକୁ ଲୋକଙ୍କୁ ନିବେଦନ କଲେ ପିସିସି ସଭାପତି:
ଗୋଟିଏ ବ୍ଲକରେ ଗୋଟିଏ ଦିନର ଯାତ୍ରା ରହିବ। ରାଜ୍ୟ ସରକାରଙ୍କ ବିଫଳତା ସହ ସ୍ଥାନୀୟ ଅଞ୍ଚଳରେ ହେଉଥିବା ସମସ୍ୟାକୁ ନେଇ ଏହି ପଦଯାତ୍ରା ଆୟୋଜନ କରାଯିବ। ପଦଯାତ୍ରାରେ ପ୍ରମୁଖ ପ୍ରସଙ୍ଗ ହେବ ବିଜୁଳି ଉପଭୋକ୍ତାଙ୍କୁ ଶୋଷଣ, ଧାନ ମଣ୍ଡି ସମସ୍ୟା, ମହାତ୍ମା ଗାନ୍ଧୀଙ୍କ ନାଁ ହଟେଇବା, ଶ୍ରମିକ ମାରଣ ନୀତି, ସାମାଜିକ ସୁରକ୍ଷା, ଉତ୍କଟ ବେକାରୀ ସମସ୍ୟା ଭଳି ପ୍ରମୁଖ ପ୍ରସଙ୍ଗକୁ ନେଇ ତୃଣମୂଳ ସ୍ତରରେ ଲୋକଙ୍କ ପାଖକୁ ଯିବ କଂଗ୍ରେସ। କଂଗ୍ରେସ ଅହିଂସା ଉପରେ ବିଶ୍ୱାସ କରେ। ସରକାରୀ ବିଫଳତାକୁ ନେଇ ଭୋଟରଙ୍କୁ ସଚେତନ କରାଇବ। ଓଡ଼ିଶାର ସ୍ବାର୍ଥ ରକ୍ଷା ଏବଂ ମହିଳା ମାନଙ୍କ ସୁରକ୍ଷା ସମ୍ମାନ ନିମନ୍ତେ ସରକାରଙ୍କୁ ଚେତାଇ ଦେବା ପାଇଁ ଗାନ୍ଧୀଙ୍କ ଅହିଂସା ପଥକୁ ଅନୁସରଣ କରି ଆୟୋଜିତ ହେଉଥିବା ଏହି ପଦଯାତ୍ରାରେ ସାମିଲ ହେବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ପଦଯାତ୍ରାର ମୂଳ ଲକ୍ଷ୍ୟ ଲୋକଙ୍କ ଚିନ୍ତାକୁ ବୁଝିବା:
ପଦଯାତ୍ରା ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ, ବିଶେଷକରି ଭୋଟରଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ ଏକ ଅନନ୍ୟ ମାଧ୍ୟମ। ପଦଯାତ୍ରା ମାଧ୍ୟମରେ ତୃଣମୂଳ ସ୍ତରର ଲୋକଙ୍କ ସହ ସଂଯୋଗ ସ୍ଥାପନା କରିହୁଏ। ପଦଯାତ୍ରାର ମୂଳ ଲକ୍ଷ୍ୟ ହେଉଛି ଲୋକଙ୍କ ଚିନ୍ତାକୁ ବୁଝିବା, ମତାମତ ସଂଗ୍ରହ କରିବା ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ଦଳର ପ୍ରତିବଦ୍ଧତା ପ୍ରଦର୍ଶନ କରିବା। ତେବେ କ୍ଷମତା ଠାରୁ ଦୀର୍ଘ ୨୬ବର୍ଷ ହେବ ଦୂରରେ ଥିବା କଂଗ୍ରେସ ଜନସାଧାରଣଙ୍କ ସହ ଯୋଡି ହୋଇ ରାଜ୍ୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ଓଡିଶାବାସୀଙ୍କ ପାଖରେ ପହଞ୍ଚାଇବାକୁ ପୁନର୍ବାର ଜାନୁଆରୀ ୩୦ରୁ ଆରମ୍ଭ ହେବ ପଦଯାତ୍ରା 'ଗାନ୍ଧୀ ପଥେ ଓଡି଼ଶା'।
ଭାରତୀୟ ରାଜନୀତିରେ ପଦଯାତ୍ରାର କିଛି ଝଲକ:
ଭାରତ ଯୋଡୋ ଯାତ୍ରା: ଏକତାକୁ ପ୍ରୋତ୍ସାହିତ କରିବା ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ପାଇଁ ରାହୁଲ ଗାନ୍ଧୀ କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ୧୪୫ ଦିନ ବ୍ୟାପୀ ଯାତ୍ରା କରିଥିଲେ। ରାଜନେତାମାନଙ୍କ ପାଇଁ ଜନସାଧାରଣଙ୍କ ସହିତ ସମ୍ପର୍କ ସ୍ଥାପନ କରିବା, ସେମାନଙ୍କ ଚିନ୍ତାକୁ ବୁଝିବା ଏବଂ ସେମାନଙ୍କ ଦଳ ପାଇଁ ସମର୍ଥନ ସୃଷ୍ଟି କରିବା ପାଇଁ ପଦଯାତ୍ରା ଏକ ପ୍ରଭାବଶାଳୀ ଉପାୟ ହୋଇ ରହିଛି।
ସଂକଳ୍ପ ପଦଯାତ୍ରା: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଫେବୃଆରୀ ୨୦୨୫ରେ ଭୁବନେଶ୍ୱରରୁ ପୁରୀ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ସଂକଳ୍ପ ପଦଯାତ୍ରା ଆରମ୍ଭ କରିଥିଲା। ପଦଯାତ୍ରା କରି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ପିସିସି ସଭାପତି। ଏହି ପଦଯାତ୍ରାର ଲକ୍ଷ୍ୟ ଥିଲା ପୂର୍ବତନ ଦଳୀୟ ନେତା ଏବଂ କର୍ମୀଙ୍କ ସହିତ ପୁନଃ ସଂଯୋଗ ସ୍ଥାପନ କରିବା, ତୃଣମୂଳ ସ୍ତରର ଉପସ୍ଥିତିକୁ ମଜବୁତ କରିବା ଏବଂ ରାଜ୍ୟରେ ପରିବର୍ତ୍ତନ ଆଣିବା।
'ଯେଉଁ ଶୂନ୍ୟତା ରହିଛି ତାକୁ କଂଗ୍ରେସ ପୂରଣ କରିପାରିବ'
ରାଜନୈତିକ ବିଶେଷଜ୍ଞ ରବି ଦାଶ କହିଛନ୍ତି," ବିଜେପି ସରକାରକୁ ଆସିଲା, ବିଜେଡି ଭାଙ୍ଗୁଛି, କଂଗ୍ରେସ ପାଖରେ ଏକ ସୁଯୋଗ ଥିଲେ ବି ସେ ଉଠିପାରୁନି ,ରାଜ୍ୟ ରାଜନୀତିରେ ଏକ ଶୂନ୍ୟତା ସୃଷ୍ଟି ହେଲାଣି। ଲୋକଙ୍କ ପାଖକୁ ଯିବା ଦରକାର। କଂଗ୍ରେସ ସାଙ୍ଗଠନିକ ତତ୍ପରତା ପ୍ରକାଶ ପାଉନାହିଁ। ପଦଯାତ୍ରା କଲେ ଲୋକଙ୍କ ଆବଶ୍ୟକତା ଅଛି, କଂଗ୍ରେସ ପାଖରେ ଏବେ ସେ ଶକ୍ତି ନାହିଁ। କଂଗ୍ରେସରେ ସମର୍ପିତ କର୍ମୀ ହ୍ରାସ ପାଉଛନ୍ତି। ଛାମୁଆ ସଂଗଠନ ଗୁଡ଼ିକ ସକ୍ରିୟ ହେବା ନଜରକୁ ଆସୁନାହିଁ। ଯେଉଁ ଶୂନ୍ୟତା ରହିଛି ତାକୁ କଂଗ୍ରେସ ପୂରଣ କରିପାରିବ। ରାଜ୍ୟରେ ବହୁ ପ୍ରସଙ୍ଗ ରହିଛି,ସାଙ୍ଗଠନିକ ଦୃଷ୍ଟିରୁ କଂଗ୍ରେସ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ ଯାହା କରିବା କଥା ତାହା କରୁନାହିଁ ବୋଲି କହିଛନ୍ତି ରାଜନିତୀ ବିଶାରଦ ।"
ଆସନ୍ତା ଦିନରେ ପଦଯାତ୍ରା ମାଧ୍ୟମରେ ଜନସାଧାରଣଙ୍କ ସହ କିଭଳି ଯୋଡି ହେଉଛି କଂଗ୍ରେସ ଆଗାମୀ ଦିନରେ ତାହା ସ୍ପଷ୍ଟ ହେବ।
ତିନି ପ୍ରମୁଖ ଦଳର ସଦସ୍ୟଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ 2026ରେ ଶେଷ ହେବ କି ?
ମୋକିମଙ୍କୁ ଭକ୍ତଙ୍କ ଜବାବ, କହିଲେ 'ଅତୃପ୍ତ ଆତ୍ମାର ପ୍ରତିକାର ନାହିଁ, ତାଙ୍କୁ ଜଗନ୍ନାଥ ସାହା'
ଇଟିଭି ଭାରତ, ଭୁବନେଶ୍ବର

