ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର; ଆନ୍ଦୋଳନରେ ଶକ୍ତି ଭରିବେ ଓଡ଼ିଶା ନେତା, ଆସିଲା ହାଇକମାଣ୍ଡଙ୍କ ଡାକରା
ଭୁବନେଶ୍ୱରରୁ ବିମାନ ଯୋଗେ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦିଲ୍ଲୀ ଯାଇଛନ୍ତି । ରିପୋର୍ଟ- ସଞ୍ଜୀବ ରାୟ


Published : October 11, 2026 at 6:35 PM IST
ଭୁବନେଶ୍ୱର: ଭୋଟ ଚୋରି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ଆନ୍ଦୋଳନରେ ଶକ୍ତି ଭରିବାକୁ ଓଡ଼ିଶା ନେତାଙ୍କୁ ହାଇକମାଣ୍ଡଙ୍କ ଡାକରା । ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଇଣ୍ଡି ମେଣ୍ଟର ପ୍ରତିବାଦ ଏବଂ ଜନ୍ତରମନ୍ତରରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟ ରାଜନୀତି ତେଜିଥିବାବେଳେ, ଏହି ଲଢ଼େଇରେ ସାମିଲ ହେବେ ଓଡ଼ିଶାର କଂଗ୍ରେସ ନେତା । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କଠାରୁ ଆରମ୍ଭ କରି ପୂର୍ବତନ ପିସିସି ସଭାପତି, ବିଧାୟକ ଓ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ଡକରା ଦେଇଛନ୍ତି ହାଇକମାଣ୍ଡ ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାର ପାଇଁ ଲଢ଼େଇରେ ସାଥ୍ ଦେବାକୁ ଆହ୍ୱାନ ଦେଇଛନ୍ତି ଭକ୍ତ ଦାସ । ଅସୁସ୍ଥତା ସତ୍ତ୍ୱେ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି କହିବା ସହ ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ ସରକାର ବିରୋଧରେ ବଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ସେପଟେ, ଜୟଦେବ ଜେନା ଓ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଦିଲ୍ଲୀ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀ ଗସ୍ତ କରୁଛନ୍ତି ।
ଦିଲ୍ଲୀରେ ଭୋଟ ଚୋରି ପ୍ରସଙ୍ଗକୁ ନେଇ କଂଗ୍ରେସର ଦୁର୍ବାର ଲଢ଼େଇ, ଆଉ ଓଡ଼ିଶାରେ ବିଜେପି ସରକାର ବିରୋଧରେ ବଡ଼ ଆନ୍ଦୋଳନର ଚେତାବନୀ । ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ରବିବାର ଦିଲ୍ଲୀ ଗସ୍ତ କରିଛନ୍ତି ଓଡ଼ିଶା କଂଗ୍ରେସର ବହୁ ବରିଷ୍ଠ ନେତା । ଜନ୍ତରମନ୍ତରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ପ୍ରତିବାଦ କରିବ କଂଗ୍ରେସ । ଆସନ୍ତାକାଲି ଦିଲ୍ଲୀରେ ବଡ଼ ଆନ୍ଦୋଳନ କରିବାକୁ ସଜବାଜ ହୋଇଛି କଂଗ୍ରେସ । ଅନ୍ୟପଟେ ଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ନେଇ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ବିରୋଧୀ ଦଳଙ୍କ ପ୍ରତିବାଦ । ଦିଲ୍ଲୀରୁ ଓଡ଼ିଶା, ଗଣତନ୍ତ୍ରର ସୁରକ୍ଷା ପ୍ରସଙ୍ଗରେ ରାଜନୈତିକ ଲଢ଼େଇ ଏବେ ତୀବ୍ର ହେବାର ଲାଗିଛି।
ଦିଲ୍ଲୀରେ ହେବ ବଡ଼ ଲଢ଼େଇ, ଓଡ଼ିଶାରେ ହେବ ବଡ଼ ଆନ୍ଦୋଳନ । ଏମିତି ଚେତାବନୀ ଦେଇ ରାଜଧାନୀ ଦିଲ୍ଲୀ ଅଭିମୁଖେ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତୃତ୍ୱ । ରାହୁଲ ଗାନ୍ଧୀଙ୍କ ଆହ୍ୱାନକ୍ରମେ ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ ବିଧାୟକ, ସାଂସଦ, ଉପସଭାପତି ଓ ସାଧାରଣ ସମ୍ପାଦକଙ୍କ ଭଳି ବହୁ ନେତା ଦିଲ୍ଲୀ ଗସ୍ତ କରିଛନ୍ତି । ସୂଚନା ଅନୁସାରେ, ଭୁବନେଶ୍ୱରରୁ ବିମାନ ଯୋଗେ ପ୍ରାୟ ୧୦୦ ଜଣ କଂଗ୍ରେସ ନେତା ଦିଲ୍ଲୀ ଯାଇଛନ୍ତି।
ଦେଶରେ ଭୋଟ ଚୋରି ଆଉ ଓଡ଼ିଶାରେ ମଧ୍ୟ ଭୋଟରଙ୍କ ନାଁ କାଟିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛି ପ୍ରଦେଶ କଂଗ୍ରେସ।
କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଅଭିଯୋଗ, ଦେଶରେ ଗଣତନ୍ତ୍ର ଓ ଭୋଟରଙ୍କ ଅଧିକାରକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଚାଲିଛି । ଏହାର ପ୍ରତିବାଦରେ ଜନ୍ତରମନ୍ତରରେ ହେବ ଶକ୍ତି ପ୍ରଦର୍ଶନ । ଭୋଟ ଚୋରି ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବ ବିରୋଧୀ ଶିବିର । ଦିଲ୍ଲୀରେ ଇଣ୍ଡି ମେଣ୍ଟର ଏହି ପ୍ରତିବାଦକୁ ନେଇ ରାଜନୈତିକ ତାତି ବଢ଼ୁଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ ।
ଏହି ପ୍ରସଙ୍ଗରେ ଓଡ଼ିଶା ପିସିସି ସଭାପତି ଭକ୍ତ ଦାସଙ୍କ ଆଭିମୁଖ୍ୟ ମଧ୍ୟ କଠୋର । ସେ କହିଛନ୍ତି, ଦିଲ୍ଲୀ ପୋଲିସକୁ ସେ ଭୟ କରନ୍ତି ନାହିଁ। ଅସୁସ୍ଥ ଥିଲେ ମଧ୍ୟ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ। ଗଣତନ୍ତ୍ରର ସୁରକ୍ଷା ପାଇଁ ରାହୁଲ ଗାନ୍ଧୀ ଯେଉଁ ଲଢ଼େଇ ଲଢ଼ୁଛନ୍ତି, ସେଥିରେ ସାମିଲ ହେବା ଦଳର ଦାୟିତ୍ୱ ବୋଲି ସେ କହିଛନ୍ତି ।
କେବଳ ଦିଲ୍ଲୀରେ ନୁହେଁ, ଓଡ଼ିଶାରେ ମଧ୍ୟ ସରକାରଙ୍କ ବିରୋଧରେ ବଡ଼ ଆନ୍ଦୋଳନ ହେବ ବୋଲି ଭକ୍ତ ଚରଣ ଦାସ ଚେତାବନୀ ଦେଇଛନ୍ତି । ଯେତେ ପୋଲିସ ମୁତୟନ ହେଲେ ମଧ୍ୟ ଆନ୍ଦୋଳନକୁ ଅଟକାଇ ପାରିବେ ନାହିଁ ବୋଲି ତାଙ୍କ ଦାବି । ତେବେ ଏହି ରାଜନୈତିକ ବୟାନ ମଧ୍ୟରେ ଏବେ ନଜର ରହିଛି ଦିଲ୍ଲୀର ପ୍ରତିବାଦ ଏବଂ ତାହାର ପରବର୍ତ୍ତୀ ରାଜନୈତିକ ପ୍ରଭାବ ଉପରେ ।
ଅନ୍ୟପଟେ ଦିଲ୍ଲୀରେ ଛାତ୍ର ସମାଜ,ବିରୋଧୀ ମେଣ୍ଟର ପ୍ରତିବାଦ ବେଳେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗକୁ ନେଇ ଭୁବନେଶ୍ୱରରେ ମଧ୍ୟ ପ୍ରତିବାଦ ହୋଇଛି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି । ଫଳରେ ଦିଲ୍ଲୀରେ ନିର୍ବାଚନୀ ସ୍ୱଚ୍ଛତାର ପ୍ରଶ୍ନ ଏବଂ ଭୁବନେଶ୍ୱରରେ ପୋଲିସ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ । ଦୁଇଟି ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିରୋଧୀଙ୍କ ରାଜନୈତିକ ରଣନୀତି ଏବେ ଚର୍ଚ୍ଚାରେ ।
ସେହିପରି କଂଗ୍ରେସ ଉପସଭାପତି ସନ୍ତୋଷ ସିଂ ସାଲୁଜା ଦିଲ୍ଲୀ ଗସ୍ତକୁ ନେଇ କହିଛନ୍ତି, ଠରାହୁଲ ଗାନ୍ଧୀଙ୍କ ଡ଼ାକରାରେ ଆମେ ଦିଲ୍ଲୀ ଯାଇ ପ୍ରତିବାଦରେ ସାମିଲ ହେବୁ । ଭୋଟ ଚୋରି ଯେଉଁଭଳି ବ୍ୟାପକ ହୋଇଛି ତାର ବିରୋଧ କରାଯିବ ।"
ସୂଚନା ଥାଉ କି, ଦିଲ୍ଲୀରେ କୋକ୍ରୋଚ ଜନତା ପାର୍ଟିପକ୍ଷରୁ ମୁଖ୍ୟ ନିର୍ବାଚନ ଅୟୁକ୍ତ ଜ୍ଞାନେଶ କୁମାର ଙ୍କ ଇସ୍ତଫା ଦାବି କରି ଜନ୍ତରମନ୍ତର ପ୍ରତିବାଦ ଚାଲିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ତୀବ୍ର ଅସନ୍ତୋଷ ଲାଗି ରହିଛି । ସ୍ଥିତି ଏପରି ସଙ୍ଗୀନ ହୋଇଛି ଯେ ସୁପ୍ରିମକୋର୍ଟ ଦିଲ୍ଲୀ ପୋଲିସର କଠୋର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ୱର

