ନୂଆଦିଲ୍ଲୀରେ ମୋହନ ଓ ନବୀନ, ବଢିଲା ରାଜନୈତିକ ଉଷ୍ମତା
ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ରିପୋର୍ଟ- ଭବାନୀ ଶଙ୍କର ଦାସ


Published : September 1, 2026 at 9:39 PM IST
ଭୁବନେଶ୍ୱର: ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଭୟ ନେତା ଆଜି ଭିନ୍ନ ଭିନ୍ନ ସମୟରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଶିଖର ସମ୍ମିଳନୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି । କିନ୍ତୁ ନବୀନଙ୍କ ଦିଲ୍ଲୀ ଗସ୍ତର ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ । କିନ୍ତୁ ଉଭୟ ନେତାଙ୍କ ନୂଆଦିଲ୍ଲୀ ଗସ୍ତ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ଆୟୋଜିତ ହେଉଥିବା ଶିଖର ସମ୍ମିଳନୀ ଉଦଯାପନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଯୋଗଦେବେ । ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଏଭଳି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମ ଆଜି ଆରମ୍ଭ ହୋଇଥିବାବେଳେ ବୁଧବାର ଏହା ଉଦଯାପିତ ହେବ ।
ଉଦଯାପନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଦୁଇଦିନିଆ ଶିଖର ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ, ଜଳ ଭିତ୍ତିଭୂମି ପ୍ରକଳ୍ପର ସମୟୋଚିତ କାର୍ଯ୍ୟକାରିତା, ଜଳ ସଞ୍ଚୟ, ପାନୀୟଜଳ ବ୍ୟବସ୍ଥାର ଉତ୍ସ ସ୍ଥିରତା, ଜଳ ଜୀବନ ମିଶନ ୨.୦ ଅଧୀନରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ, ବର୍ଷାଜଳ ଅମଳ, ଭୂତଳ ଜଳ ସଂରକ୍ଷଣ ଆଦି ବିଷୟ ନେଇ ଆଲୋଚନା ହେବ । ଆସନ୍ତାକାଲି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଭୁବନେଶ୍ୱର ଫେରିଆସିବେ ।
ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି । ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିରୋଧୀ ଦଳ ନେତା । ନବୀନ ବ୍ୟକ୍ତିଗତ ଗସ୍ତ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଦିଲ୍ଲୀରେ ସେ ପରିବାର ସଦସ୍ୟଙ୍କୁ ଭେଟିବେ । ୭ ଦିନରୁ ଅଧିକ ରହିବେ କି ନାହିଁ, ତାହା ସେ ନିଜେ ନିଷ୍ପତ୍ତି ନେବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ନବୀନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର, ବରିଷ୍ଠ ନେତା ଦେବୀ ମିଶ୍ର, ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା ଓ ଅନ୍ୟାନ୍ୟ ନେତା ।
ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ର କହିଛନ୍ତି, "ନବୀନ ବାବୁ ପ୍ରଥମ ନୁହେଁ କି ଶେଷ ଥର ନୂଆଦିଲ୍ଲୀ ଗସ୍ତରେ ଯାଉନାହାନ୍ତି । ନୂଆଦିଲ୍ଲୀରେ ନବୀନ ବାବୁଙ୍କ ବଡ଼ ଭାଇ ଓ ପରିବାର ଲୋକ ଅଛନ୍ତି । ଅନେକ ଥର ଯାଆନ୍ତି । ପୁନର୍ବାର ଆଜି ଗଲେ । ଏଥିରେ ନୂଆ କଥା କିଛି ନାହିଁ । ବ୍ୟକ୍ତିଗତ ଗସ୍ତରେ ନବୀନ ବାବୁ ସାଧାରଣତଃ ୪ରୁ ୫ ଦିନ ରୁହନ୍ତି । ପରିବାରର ସମସ୍ତ ସଦସ୍ୟଙ୍କୁ ସେ ଭେଟିକି ଆସନ୍ତି ।"
ସେହିପରି ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ନବୀନ ଜଣେ ବରିଷ୍ଠ ନେତା । ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ବ୍ୟକ୍ତିଗତ ବା ବିଧିବଦ୍ଧ କେଉଁଠି ବି ଆଲୋଚନା କରିପାରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଆଲୋଚନା ବିବାଦରେ ସମୟ ନିର୍ଧାରଣ ହୋଇପାରିନାହିଁ ।"
ସୂଚନା ଅନୁଯାୟୀ ଏମଏମଡିଆର ଆକ୍ଟରେ ସଂଶୋଧନକୁ ବିରୋଧ କରି କ୍ରମାଗତ ସାମ୍ବାଦିକ ସମ୍ମିଳନୀ କରୁଥିବା ବିଜେଡି ପ୍ରସଙ୍ଗରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିଛି । ଦଳ ରାଜଭବନ ଆଗରେ ଧାରଣା ଦେବା ସହ ଓଡ଼ିଶା ବନ୍ଦର ଚେତାବନୀ ଦେଇଛି ।
ବିଜେଡି ଏହି ପ୍ରସଙ୍ଗରେ ବିଧାନସଭାରେ ସଶକ୍ତ ସ୍ୱର ଉତ୍ତୋଳନ କରିବ । ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ରାଜଭବନ ଆଗରେ ଧାରଣା ଦିଆଯିବ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା ହେବ । ଓଡ଼ିଶା ନ୍ୟାୟ ନପାଇଲେ ପଲ୍ଲୀରୁ ଦିଲ୍ଲୀ ଆନ୍ଦୋଳନ ସହ ଦଳ ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଦେବ ବୋଲି ଦଳ ଚେତାବନୀ ଦେଇଛି । ଦଳ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରିବା ପରେ ସନ୍ଧ୍ୟାରେ ନବୀନ ନିବାସରେ ରୁଦ୍ଧଦ୍ୱାର ବୈଠକ କରି ନିଜର ଆନ୍ଦୋଳନାତ୍ମକ ରୂପରେଖ ପ୍ରସ୍ତୁତ କରିଛି । ଆଉ ଆଜି ବିଜେଡି ସୁପ୍ରିମୋଙ୍କ ନୂଆଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି ।
ଏହା ବି ପଢନ୍ତୁ- Gen Z କମିଟି ଗଠନ କଲା BJP, ନୂଆ ଟିମ୍ ସହ ପ୍ରଥମ ବୈଠକ କଲେ ଜାତୀୟ ସଭାପତି ନିତିନ ନବୀନ
ଇଟିଭି ଭାରତ, ଭୁବନେଶ୍ୱର

