ETV Bharat / politics

ପ୍ରତିଷ୍ଠା ଦିବସରେ ନବୀନଙ୍କ ପ୍ରତିଶ୍ରୁତି, '100 ବର୍ଷ ପର୍ଯ୍ୟନ୍ତ ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ BJD'

ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ । କାର୍ଯ୍ୟକ୍ରମରେ ସାମିଲ ହୋଇ ବିଜେପି ସରକାଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ।

NAVEEN PATNAIK
ବିଜେଡି ସଭାପତି ନବୀନ ପଟ୍ଟନାୟକ (Etv Bharat)
author img

By ETV Bharat Odisha Team

Published : December 26, 2025 at 7:31 PM IST

|

Updated : December 26, 2025 at 8:43 PM IST

3 Min Read
Choose ETV Bharat

ଭୁବନେଶ୍ବର: "ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ବିଜେଡି ଓଡିଶା ବାସୀଙ୍କ ଦଳ । ବିଜେଡି ଏକ ଜନ ଆନ୍ଦୋଳନ । ଓଡିଶାବାସୀଙ୍କ ସ୍ୱାଭିମାନ ଓ ଆଶା, ଆକାଂକ୍ଷା ସହ ବିଜେଡି ଜଡିତ । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ । ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ପରିଣତ କରିବାକୁ ପଡିବ ।" ଏହି ଆହ୍ୱାନ ଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେହିପରି ବିଜେପିକୁ ଟାର୍ଗେଟ କରି ରାଜ୍ୟରେ ଏବେ ସରକାର ଥିବା ପରି ଅନୁଭବ ହେଉ ନାହିଁ ବୋଲି ନବୀନ କହିଛନ୍ତି ।

'ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡି଼ଶା ବାସୀଙ୍କ ସ୍ୱର ହୋଇ ରହିବ'

ପ୍ରତିଷ୍ଠା ଦିବସରେ ନବୀନଙ୍କ ପ୍ରତିଶ୍ରୁତି, '100 ବର୍ଷ ପର୍ଯ୍ୟନ୍ତ ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ BJD' (ETV BHARAT ODISHA)

ଶଙ୍ଖ ଭବନରେ ଆଜି ଆୟୋଜିତ ହୋଇଛି ବିଜୁ ଜନତା ଦଳ ୨୯ ତମ ପ୍ରତିଷ୍ଠା ଦିବସ । ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ସହ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, "ଗଣତନ୍ତ୍ରରେ ହାରଜିତ ରହିଛି । କିନ୍ତୁ କିଛି ଲୋକ ଓ କିଛି ଦଳ ଏବେ ବିଜେଡିକୁ ନେଇ ଅପପ୍ରଚାର କରୁଛନ୍ତି । ବିଜେଡି ଭାଙ୍ଗି ଯିବ ଇତ୍ୟାଦି ନାନା ଗୁଜବ ମଧ୍ୟ ସୃଷ୍ଟି କରାଯାଉଛି । କିନ୍ତୁ ସେମାନେ ଜାଣି ରଖିବା ଉଚିତ ବିଜେଡି ଓଡ଼ିଶାବାସୀଙ୍କ ଦଳ । ସାଢେ ଚାରି କୋଟି ଓଡି଼ଶାବାସୀଙ୍କ ଆଶା ଆକାଂକ୍ଷା ଓ ସ୍ୱାଭିମାନ ସହ ବିଜେଡି ଜଡିତ । ବିଜେଡି ରହିଛି । ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜେଡି ଓଡି଼ଶାବାସୀଙ୍କ ସ୍ୱର ହୋଇ ରହିବ । ବିଜୁ ଜନତା ଦଳ ଏକ ସଫଳ ଆଞ୍ଚଳିକ ଦଳ ।

'ଓଡି଼ଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି'

ନବୀନ ଆହୁରି ମଧ୍ୟ କହିଛନ୍ତି, "୧୯୯୭ ରୁ ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ଓଡି଼ଶାବାସୀଙ୍କ ସେବା କରିଚାଲିଛି । ୨୦୦୦ ରୁ ୨୦୨୪ ପର୍ଯ୍ୟନ୍ତ ବିଜେଡି ଶାସନ ଥିଲା ଓଡିଶାର ବିକାଶ ଇତିହାସ ସୁବର୍ଣ୍ଣ ଯୁଗ । ଦାରିଦ୍ର୍ୟ, କ୍ଷୁଧା, ଶିଶୁ ମୃତ୍ୟୁ ଓ ପ୍ରାକୃତିକ ବିପତ୍ତି ସହ ଲଢ଼ିଛୁ, ସଫଳ ହୋଇଛୁ । ଓଡି଼ଶାକୁ ନୂଆ ପରିଚୟ ଦେଇଛୁ । ମା' ମାନଙ୍କୁ ସଶକ୍ତ କରିଛୁ । ଚାଷୀଙ୍କ ରୋଜଗାର ବୃଦ୍ଧି କରିଛୁ । BSKY ପରି ମାଗଣା ସ୍ୱାସ୍ଥ୍ୟ ସେବା ଦେଇଛୁ । ରାଜ୍ୟକୁ ପୁଞ୍ଜି ଆଣିଛୁ, ଯୁବ ସମାଜକୁ ନିଯୁକ୍ତି ଦେଇଛୁ । ଓଡି଼ଶାକୁ ବିଜେଡି ସରକାର ନୂଆ ପରିଚୟ ଦେଇଛି ।

ବିଜେପିକୁ ନବୀନଙ୍କ ଟାର୍ଗେଟ:

ବର୍ତ୍ତମାନର ବିଜେପି ସରକାରର କାମ ଉପରେ ନବୀନ କହିଛନ୍ତି, "ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଚାଲିଛି । କିନ୍ତୁ ବିକାଶ କାହିଁ ? ଏବେ ଚାଷୀକୁ ସାର ମିଳୁନାହିଁ, ମଣ୍ଡି ଖୋଲୁନାହିଁ । ମିଶନ ଶକ୍ତି ମା'ମାନେ ହଇରାଣ , ଯୁବ ସମାଜ ହତାଶ । ଗତ ୧୮ ମାସରେ ୧୮ ଥର ନିଯୁକ୍ତି ପରୀକ୍ଷା ପ୍ରଶ୍ନ ଲିକ ହେଲାଣି । ଆଇନ ଶୃଙ୍ଖଳା କଥା ନ କହିବା ଭଲ । ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଏପରିକି ଛୋଟ ଛୋଟ ଝିଅ ମଧ୍ୟ ନିରାପଦ ନୁଁହନ୍ତି । ରାଜ୍ୟରେ ଏକ ସରକାର ଥିବା ପରି ଅନୁଭବ ହେଉ ନାହିଁ ।

'ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରନ୍ତୁ'

29th foundation day of Biju Janata Dal
ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ (ETV BHARAT ODISHA)
ଯୁବ ସମାଜ ଦଳର ଅମୂଲ୍ୟ ସମ୍ପତ୍ତି । ସେବା, ସଂଗ୍ରାମ ଓ ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ଆମର ପରିଚୟ । ତେଣୁ ବିଜେଡିର ଯୁବ ବନ୍ଧୁ ମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରୁହନ୍ତୁ । ଦଳ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରର ଫଳପ୍ରଦ ମୁକାବିଲା କରନ୍ତୁ । ରାଜନୀତିରେ ଧୈର୍ଯ୍ୟ ବହୁତ ଗୁରୁତ୍ୱପୂର୍ଣ । ଦଳର ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କ କଠିନ ପରିଶ୍ରମ ଓ ପ୍ରତିବଦ୍ଧତା ଉପରେ ଗଭୀର ବିଶ୍ୱାସ ରହିଛି । ତେଣୁ ବର୍ତ୍ତମାନର ଆହ୍ୱାନକୁ ଭବିଷ୍ୟତ ପାଇଁ ସୁଯୋଗରେ ରୂପାନ୍ତରିତ କରି ଏକ ସଶକ୍ତ ଓଡିଶା ଗଠନ ଦିଗରେ ବ୍ରତୀ ହେବାକୁ ନବୀନ ପରାମର୍ଶ ଦେଇଛନ୍ତି ।
29th foundation day of Biju Janata Dal
ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ (ETV BHARAT ODISHA)

ବିତର୍କ ପାଇଁ ନବୀନଙ୍କୁ ଆହ୍ବାନ କଲେ ସୁରେଶ ପୂଜାରୀ:

ଅନ୍ୟପଟେ ନବୀନଙ୍କ ଟାର୍ଗେଟର କଡା କାଉଣ୍ଟର କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ । ବିତର୍କ ପାଇଁ ନବୀନଙ୍କୁ ଆହ୍ବାନ କରିଛନ୍ତି । " ନବୀନ ବାବୁ ଆଇନ ଶୃଙ୍ଖଳା ପରିସ୍ଥିତି କଥା ଯଦି କହୁଛନ୍ତି ତାହେଲେ ଗୃହରେ ମୂଲତବି ପ୍ରସ୍ତାବ ଆଣନ୍ତୁ । ସରକାର ଆଲୋଚନା ପାଇଁ ପୁରା ତୟାର, ବିଜେପି ଜନ ସେବାରେ ବ୍ୟସ୍ତ ଅଛି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି । ବିଜେଡି କିନ୍ତୁ ମେଣ୍ଟ ଭାଙ୍ଗିବା ବେଳେ ବିଜେପିକୁ ଭାଙ୍ଗିବାକୁ ବହୁତ ଚେଷ୍ଟା କରିଥିଲା । କ୍ଷମତା ଯିବା ପରେ ତାଙ୍କର ଅନେକ ନେତା ବିଜେପି ଯୋଗାଯୋଗରେ ଅଛନ୍ତି । ସେଥିରେ ବିଜେପିର ଭୁଲ କଣ ? ତୁମେ ତୁମ ନେତାଙ୍କୁ ରଖି ପାରୁନ ।

29th foundation day of Biju Janata Dal
ଶଙ୍ଖ ଭବନରେ ଆୟୋଜିତ ହୋଇଛି ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ (ETV BHARAT ODISHA)

ବିଜେଡି ଚାଷୀଙ୍କୁ 100 ଟଙ୍କା ଦେଇ ପାରିଲେନି ଆମେ 800 ଦେଲୁ । ମହିଳାକୁ ବର୍ଷକୁ 10 ହଜାର ଦେଲୁ । ନବୀନ ଯଦି କହୁଛନ୍ତି ବିଜେଡି ଲୋକଙ୍କ ହୃଦୟରେ ଅଛି, ତାହେଲେ ଛବିରାଣୀ ଏବଂ ବେବିନା ହୃଦୟରେ ରହି ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ । ବିଜେପି କେବେ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରିନି । ସେମାନଙ୍କ ନେତା ଆମ ଯୋଗାଯୋଗରେ ଅଛନ୍ତି । ତାହେଲେ ଆମେ କଣ କରିବୁ । କ୍ଷମତା ହେଉଛି ଫେବିକଲ, ଯାହା ଚାଲିଗଲେ ସବୁ ଭାଙ୍ଗିଯାଏଁ, ସେମାନେ ତାଙ୍କ ନେତା କର୍ମୀଙ୍କୁ ବିଶ୍ଵାସ ଦିଅନ୍ତୁ , ନବୀନ ସବୁବେଳେ ନେତାଙ୍କୁ ମାରିଛନ୍ତି, କେବେ କାହାକୁ ତିଆରି କରି ନାହାନ୍ତି ।"

29th foundation day of Biju Janata Dal
ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ଭଦ୍ରକ ବିଜେଡିରେ ହଇଚଇ; ପଦ୍ମ ଧରିପାରନ୍ତି ମଣ୍ଡଳ ଦମ୍ପତି, ଚର୍ଚ୍ଚାକୁ ଖଣ୍ଡନ କଲେ ମୁକ୍ତିକାନ୍ତ

ଏହା ମଧ୍ୟ ପଢନ୍ତୁ-ବିଜେଡି 29ତମ ପ୍ରତିଷ୍ଠା ଦିବସ; ବିଜେପି ସରକାର ବିଫଳତାକୁ ଲୋକଙ୍କ ପାଖକୁ ନେବ ଟିମ୍ ନବୀନ

ଇଟିଭି ଭାରତ, ଭୁବନେଶ୍ବର

Last Updated : December 26, 2025 at 8:43 PM IST