ଚାଷୀ ମାରଣ ନୀତି ! କାଲି ବିଜେଡିର ବିଶାଳ ବିକ୍ଷୋଭ, ସାମିଲ ହେବେ ନବୀନ, ରାଜସ୍ୱ ମନ୍ତ୍ରୀ କହିଲେ ଆଲୋଚନାକୁ ଆସନ୍ତୁ
ରାଜସ୍ୱ ମନ୍ତ୍ରୀ କହିଛନ୍ତି ବ୍ୟବସ୍ଥାକୁ ସ୍ୱଚ୍ଛତାର ସର୍ବୋଚ୍ଚ ସ୍ତରକୁ ନେବାପାଇଁ ପ୍ରତ୍ୟେକ ପରାମର୍ଶ ସରକାରଙ୍କ ପାଇଁ ସ୍ୱାଗତଯୋଗ୍ୟ ।


Published : February 23, 2026 at 10:48 PM IST
ଭୁବନେଶ୍ୱର: ରାଜ୍ୟରେ ସମୁଦାୟ ଧାନ ଉତ୍ପାଦନର ମାତ୍ର ୩୧% ଧାନ ସଂଗ୍ରହ ହୋଇଛି । ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ ହୋଇପଡିଛି । ଯେଉଁଥିପାଇଁ ରାଜ୍ୟର ଚାଷୀକୁଳ ହତାଶ ହୋଇପଡିଛନ୍ତି । ସରକାର ଉତ୍ତର ଦେବା ପରିବର୍ତ୍ତେ ମିଛ ସଫଳତା ବଖାଣୁଛନ୍ତି । ଧାନ ସଂଗ୍ରହରେ ଅବ୍ୟବସ୍ଥା, ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବିପର୍ଯ୍ୟସ୍ତକୁ ନେଇ ଆନ୍ଦୋଳନକୁ ଓହ୍ଲେଇବ ବିଜେଡି । ଆସନ୍ତାକାଲି ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ ନେଇ ଦଳ ତରଫରୁ ଆଜି ସୂଚନା ଦିଆଯାଇଛି । କାର୍ଯ୍ୟକ୍ରମରେ ସାମିଲ ହେବେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏପଟେ ଆସନ୍ତାକାଲି ବିଜେଡିର ଆନ୍ଦୋଳନ ଡାକରାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବିଧାନସଭାରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, "ଚଳିତ ବର୍ଷ ରାଜ୍ୟରେ ଧାନ ସଂଗ୍ରହ କାର୍ଯ୍ୟକ୍ରମ ପ୍ରଥମ ଦିନରୁ ଅବ୍ୟବସ୍ଥା ଲାଗି ରହିଛି । ଧାନ ସଂଗ୍ରହ ପାଇଁ ପଞ୍ଜିକରଣ, ଟୋକନ ବିତରଣ, ମଣ୍ଡିରେ ଧାନ ସଂଗ୍ରହ ବ୍ୟବସ୍ଥା, କଟନୀ ଛଟନୀ ରାଜ୍ୟର ଚାଷୀଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି । ରାଜ୍ୟର ପ୍ରତିଟି ବ୍ଲକ ଓ ଜିଲ୍ଲାରେ ଚାଷୀ ରାଜରାସ୍ତାକୁ ଓହ୍ଲାଉଛନ୍ତି । କିନ୍ତୁ ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନାହାନ୍ତି । ଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ ଚାଲିଛି ବୋଲି କହି ସରକାର ନିଜ ପିଠି ନିଜେ ଥାପୁଡ଼େଉଛନ୍ତି । କିନ୍ତୁ ତଥ୍ୟ ମୋହନ ସରକାରଙ୍କ ଦାବିକୁ ଡାହା ମିଛ ବୋଲି ପ୍ରମାଣିତ କରୁଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ରାଜ୍ୟରେ ୧୯,୬୬,୧୮୧ ଜଣ ଚାଷୀ ପଞ୍ଜିକରଣ କରିଥିଲେ । ଏମାନଙ୍କ ଭିତରୁ ପ୍ରାୟ ଦେଢ଼ ଲକ୍ଷ ଚାଷୀଙ୍କ ପଞ୍ଜିକରଣକୁ ବିଭିନ୍ନ କାରଣ ଦର୍ଶାଇ ସରକାର ରଦ୍ଦ କରିଦେଇଥିଲେ । ରାଜ୍ୟରେ ଚଳିତ ବର୍ଷ ସମୁଦାୟ ୧୯୩.୦୬ ଲକ୍ଷ ମେଟ୍ରିକ ଟନ ଧାନ ଉତ୍ପାଦନ ହୋଇଛି । ଏବେ ସୁଦ୍ଧା ମାତ୍ର ୬୦.୦୯ ଲକ୍ଷ ମେଟ୍ରିକ ଟନ ଧାନ କିଣା ହୋଇପାରିଛି । ଯାହା ସମୁଦାୟ ଧାନର ମାତ୍ର ୩୧ ପ୍ରତିଶତ । ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି । ତେବେ ବାକି ଧାନକୁ ନେଇ ଚାଷୀ କ’ଣ କରିବେ ? ଏହା ଛଡା ଚଳିତ ବର୍ଷ ଏମଏସପିରେ ୬୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଏହାକୁ ସରକାର ଦେଉନାହାନ୍ତି । ଧାନ ସଂଗ୍ରହ ପରେ ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ବିକ୍ରି ମୂଲ୍ୟ ଯିବା କଥା । କିନ୍ତୁ ଏହା ପନ୍ଦର କୋଡିଏ ଦିନ ପର୍ଯ୍ୟନ୍ତ ଯାଇପାରୁନାହିଁ । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । ତେଣୁ ଏହି ନୀତି ବିରୋଧରେ ବିଜୁ ଜନତା ଦଳ ତରଫରୁ ଆସନ୍ତାକାଲି ଏକ ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।
ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜିରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ବ୍ୟତୀତ ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଏହିସବୁ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।"
ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, "ଗତ ନିର୍ବାଚନରେ ବିନା କଟନୀ ଛଟନୀରେ ଏମଏସପି ଉପରେ ୮୦୦ ଟଙ୍କାର ଇନପୁଟ ସବସିଡି ପ୍ରଦାନ କରି ଧାନ କିଣାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ଚାଷୀ ସମୁଦାୟକୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇ ତାଙ୍କ ଭୋଟ ହାତେଇବା ପରେ ଏବେ ଚାଷୀ ମାରଣ ନୀତି ଆପଣେଇଛନ୍ତି । କେବଳ ସେତିକି ନୁହେଁ, ଭାରତୀୟ ଜନତା ପାର୍ଟି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଚାଷୀମାନଙ୍କ ସମସ୍ତ ଧାନକୁ କ୍ରୟ କରିବ । କିନ୍ତୁ ଏବେ ସମସ୍ତ ପ୍ରତିଶ୍ରୁତିକୁ ଭାଙ୍ଗି ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନକୁ ଆଉ ୩୧୦୦ ଟଙ୍କାରେ କ୍ରୟ କରୁନାହାନ୍ତି । ରାଜ୍ୟର ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କୃଷି ମନ୍ତ୍ରୀ ଧାନ ସଂଗ୍ରହ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି ଓ ଚାଷୀକୁଳକୁ ଉପହାସ କରୁଛନ୍ତି । ତେଣୁ ରାଜ୍ୟର କୃଷକଙ୍କୁ ନ୍ୟାୟ ପ୍ରଦାନ ଲକ୍ଷ୍ୟରେ ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ବିଜେଡି ପକ୍ଷରୁ ଆସନ୍ତାକାଲି ବିଶାଳ ବିକ୍ଷୋଭ ଆୟୋଜନ କରାଯିବ ।"
ରାଜସ୍ୱ ମନ୍ତ୍ରୀ କହିଛନ୍ତି, "ବିଜେପି ସରକାର ‘ଅନ୍ନଦାତା’ କୃଷକ ଭାଇଭଉଣୀଙ୍କ ସମ୍ମାନ ଓ ମର୍ଯ୍ୟାଦା ରକ୍ଷା ପାଇଁ ଦୃଢ଼ ସଂକଳ୍ପବଦ୍ଧ । ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ପାଇଁ ସ୍ୱଚ୍ଛତା, ସୁନିଶ୍ଚିତ ଆୟ ଏବଂ ସମ୍ମାନଜନକ ଜୀବନ ବଞ୍ଚିବାର ଅଧିକାର ପ୍ରଦାନ କରିବା ଆମର ପ୍ରାଥମିକତା । ରାଜ୍ୟରେ ଭିତ୍ତିଭୂମିର ଅଭାବ, ଗୋଡାଉନ ସମସ୍ୟା, ଇନପୁଟ ଆସିଷ୍ଟାନସ ପ୍ରଦାନ ପରେ ଅଧିକ ଚାଷୀ ପଞ୍ଜୀକରଣ, ଅଧିକ ଚାଷଜମି ପଞ୍ଜୀକରଣ ଓ ଅନ୍ୟ ଫସଲ ପରିବର୍ତ୍ତେ ଧାନ ଚାଷର ପ୍ରବଣତା ବୃଦ୍ଧି ଯୋଗୁଁ ପ୍ରାରମ୍ଭିକ ଚାପ ସୃଷ୍ଟି ହୋଇଥିବା କଥା ଆମେ ସ୍ୱୀକାର କରୁଛୁ । କିନ୍ତୁ ଏହା ଆମର କୃଷି ନୀତିର ସଫଳତାର ପ୍ରତିଫଳ ଚାଷୀ ଆଜି ବିଶ୍ୱାସ କରୁଛନ୍ତି ଯେ ସରକାର ତାଙ୍କ ପାଖରେ ଅଛି । ଏହି ଚାପକୁ ଦୃଷ୍ଟିରେ ରଖି ଭବିଷ୍ୟତରେ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଭିତ୍ତିଭୂମି ଗଢ଼ି ତୋଳିବା ଏକ ସମୟ ସାପେକ୍ଷ ଏବଂ ପର୍ଯ୍ୟାୟକ୍ରମିକ ପ୍ରକ୍ରିୟା । ଦୀର୍ଘ ଦିନ ଧରି ଅବହେଳିତ ଅଞ୍ଚଳଗୁଡ଼ିକରେ ଗୋଟିଏ ଦିନରେ ପରିବର୍ତ୍ତନ ଆଣିହେବ ନାହିଁ । କିନ୍ତୁ ଆମ ସରକାର ଯୋଜନାବଦ୍ଧ ଭାବରେ ଏହାକୁ ସୁଦୃଢ଼ କରିବାକୁ ଦୃଢ଼ ପଦକ୍ଷେପ ନେଇଛି ।
ମଣ୍ଡିରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି 973ଟି ଭିତ୍ତିଭୂମି ଉନ୍ନୟନ କାମ ଆରମ୍ଭ କରାଯାଇଛି । ଏହାମଧ୍ୟରୁ 212ଟି କାମ ସମ୍ପୂର୍ଣ୍ଣ ହୋଇସାରିଛି । ଅନ୍ୟ 466ଟି କାମ ଶୀଘ୍ର ସମାପ୍ତି ପଥରେ ଅଛି । ରାଜ୍ୟରେ 100ଟି ମଡେଲ୍ ମଣ୍ଡି ସ୍ଥାପନ କରାଯିବ । 5 ଲକ୍ଷ ମେଟ୍ରିକ ଟନ କ୍ଷମତା ବିଷିଷ୍ଟ ଗୋଦାମ ଗୃହ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ସମଗ୍ର ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଶୃଙ୍ଖଳିତ, ବ୍ୟବସ୍ଥିତ ଏବଂ ସ୍ୱଚ୍ଛ ଭାବେ ଆଗେଇ ଚାଲିଛି । ମଣ୍ଡିରେ ସାମାନ୍ୟ ଅବ୍ୟବସ୍ଥା ହୋଇଥିଲେ ମଧ୍ୟ କୌଣସି ବିଶୃଙ୍ଖଳା ନାହିଁ । ଧାନ ଉଠାଇବାରେ କୌଣସି ସ୍ଥାଣୁତା ନାହିଁ । ଚାଷୀଙ୍କ ପ୍ରାପ୍ୟ ପ୍ରଦାନରେ କୌଣସି ବିଳମ୍ବ ନାହିଁ । ସମସ୍ତ ସ୍ତରରେ ନିରନ୍ତର ତଦାରଖ ମାଧ୍ୟମରେ ଏହି ବ୍ୟବସ୍ଥା ସମନ୍ୱିତ ଭାବେ କାର୍ଯ୍ୟ କରୁଛି । ଚାଷୀଙ୍କ ସୁବିଧା ପାଇଁ ଟୋକନ ପ୍ରଦାନ ପ୍ରକ୍ରିୟାକୁ ପର୍ଯ୍ୟାୟକ୍ରମେ ଓ ସ୍ୱଚ୍ଛ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ବୃହତ ଚାଷୀଙ୍କ ସହ ସମସ୍ତ ବର୍ଗକୁ ସାମିଲ କରାଯାଇଛି । ଯେପରି ପ୍ରତିଟି ଯୋଗ୍ୟ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ନିଜର ଧାନ ବିକ୍ରି କରିବାର ସୁଯୋଗ ପାଇବେ । ଆମର ଲକ୍ଷ୍ୟ ସ୍ପଷ୍ଟ କୌଣସି ପ୍ରକୃତ ଚାଷୀ ବଞ୍ଚିତ ହେବେ ନାହିଁ ।
ଆମେ KMS 2024-25 ରେ 92.64 ଲକ୍ଷ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କରି ଏକ ଐତିହାସିକ ସଫଳତା ଲାଭ କରିଛୁ । ଯେଉଁଥିରେ 19 ଲକ୍ଷ 73 ହଜାର ଚାଷୀ ସାମିଲ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ MSP ସହ ‘ସମୃଦ୍ଧ କୃଷକ ଯୋଜନା’ ଅଧୀନରେ ଅତିରିକ୍ତ ସହାୟତା ଯୋଗାଇ ଦେଇ ଆମେ ଚାଷୀଙ୍କୁ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରିଛୁ । DBT ମାଧ୍ୟମରେ ପ୍ରାୟ 28,719 କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି । ଯାହା ରାଜ୍ୟ ଇତିହାସରେ ସର୍ବାଧିକ । ପୂର୍ବ ସରକାରଙ୍କ ସମୟରେ KMS 2023-24 ରେ ଉଭୟ ଖରିଫ ଓ ରବି ଋତୁରେ ମୋଟ 70.88 ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ଏଥିରେ 15.32 ଲକ୍ଷ ଚାଷୀ ଉପକୃତ ହୋଇଥିଲେ । କିନ୍ତୁ ବିଜେପି ସରକାରଙ୍କ ଚଳିତ KMS 2025-26ର କେବଳ ଖରିଫ ଋତୁରେ ଆଜି ସୁଦ୍ଧା 63.46 ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇସାରିଛି । ଯେଉଁଥିରେ 14.83 ଲକ୍ଷରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି । ଏହି ପ୍ରକ୍ରିୟା ମାର୍ଚ୍ଚ ମାସ 31 ତାରିଖ ଯାଏ ଚାଲିବ । ବିରୋଧୀ ରାଜନୈତିକ ସଂକୀର୍ଣ୍ଣତାରୁ ଉପରକୁ ଉଠି ପରିବର୍ତ୍ତନକୁ ସ୍ୱୀକାର କରନ୍ତୁ । ଆଲୋଚନାକୁ ଆସନ୍ତୁ । ବ୍ୟବସ୍ଥାକୁ ସ୍ୱଚ୍ଛତାର ସର୍ବୋଚ୍ଚ ସ୍ତରକୁ ନେବାପାଇଁ ପ୍ରତ୍ୟେକ ପରାମର୍ଶ ସରକାରଙ୍କ ପାଇଁ ସ୍ୱାଗତଯୋଗ୍ୟ ।
ଏହା ବି ପଢନ୍ତୁ- 24ରେ ଭୁବନେଶ୍ୱରରେ ବିଜେଡିର ଚାଷୀ ସମାବେଶ
ଇଟିଭି ଭାରତ, ଭୁବନେଶ୍ୱର

