ETV Bharat / politics

ମହିଳା ବିଡ଼ିଓଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ; ଡିଜିଙ୍କୁ ଭେଟିଲା ବିଜେଡି ପ୍ରତିନିଧି ଦଳ

ବିଡ଼ିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଘଟଣା; ଡିଜିଙ୍କୁ ଭେଟିଲା ଦଳ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବୁ କହିଲା ବିଜେଡି ।

KENDRAPARA WOMAN BDO ATTACKED
ବିଡ଼ିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଘଟଣା (ETV Bharat Odisha)
author img

By ETV Bharat Odisha Team

Published : January 5, 2026 at 11:14 PM IST

3 Min Read
Choose ETV Bharat

ଭୁବନେଶ୍ୱର/କଟକ: ରାଜନଗରରେ ମହିଳା ବିଡ଼ିଓଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଡିଜି ଅଫିସରେ ବିଜେଡି ପ୍ରତିନିଧି ମଣ୍ଡଳୀ ପୋଲିସ ଡିଜିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ବିଜେଡି ନେତା ପ୍ରତାପ ଜେନାଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ମଣ୍ଡଳୀରେ ରାଜନଗର ବିଧାୟକ ଧ୍ରୁଵ ଚରଣ ସାହୁ, ସାଂସଦ ସୁଲତା ଦେଓ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ ସିଂ ବହୁ ମହିଳା ବିଜେଡି ନେତ୍ରୀ ଓ ସଂଖ୍ୟାଲଘୁ ସେଲ ନେତା ସାମିଲ ହୋଇଥିଲେ ।

ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣା । ବିଜେପି ନେତା କର୍ମୀଙ୍କ ଗୁଣ୍ଡାରାଜ ଦିନକୁ ଦିନ ବୃଦ୍ଧି ପାଉଛି । କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସରକାର ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି । ମୁଖ୍ୟ ଅଭିଯୁକ୍ତ ବିଜେପି ସଭାପତିଙ୍କ ବିଜିନେସ ପାର୍ଟନର । ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଘଟଣାର ଅଭିଯୁକ୍ତଙ୍କୁ ମିଳୁଛି ସୁରକ୍ଷା । ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ରାଜରାସ୍ତାକୁ ଓହ୍ଲାଇବୁ । ଏହଳି ସାଙ୍ଘାତିକ ଅଭିଯୋଗ ସହ ଆନ୍ଦୋଳନ ଚେତାବନୀ ଦେଇଛି ବିଜେଡି । ସେହିପରି ବିଜେଡିର ଏକ ପ୍ରତିନିଧି ଦଳ ପୋଲିସ ଡିଜିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ରାଜ୍ୟରେ ବିଜେପି ନେତା ଓ କର୍ମୀମାନେ ଆଇନ ଶୃଙ୍ଖଳାକୁ ହାତକୁ ନେବା ଏବଂ ଗୁଣ୍ଡାରାଜ ଚଳାଇବା ଭଳି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ରାପଡା ଜିଲ୍ଲାରେ ରାଜନଗର ବ୍ଲକର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଅମାନବୀୟ ଆକ୍ରମଣ ଏହାର ସଦ୍ୟତମ ଉଦାହରଣ ବୋଲି ବିଜୁ ଜନତା ଦଳ କହିଛି । ବିଜେଡି ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଓ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ମହିଳାଙ୍କ ବିରୋଧରେ ଅପରାଧ ଓ ବିଜେପି ନେତା ଓ କର୍ମୀଙ୍କ ଦୌରାତ୍ମ୍ୟ ଉପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

KENDRAPARA WOMAN BDO ATTACKED
ବିଡ଼ିଓଙ୍କୁ ବିଜେପି ନେତାଙ୍କ ଆକ୍ରମଣ ଘଟଣା (ETV Bharat Odisha)



ବିଜେଡି ମୁଖପାତ୍ର ତଥା ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "ବିଜେପି କ୍ଷମତାସୀନ ହେବାପରେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି । ମହିଳାଙ୍କ ବିରୋଧରେ ଅପରାଧ ସଂଖ୍ୟା ୪୦,୯୪୭କୁ ବୃଦ୍ଧି ପାଇଛି । ଦେଶର ଅପରାଧ ତାଲିକାରେ ଓଡିଶା ଅଷ୍ଟମ ସ୍ଥାନରେ ରହି ଏକ ଅଲୋଡ଼ା କୀର୍ତ୍ତିମାନ କରିଛି । ବିଜେପି ନେତା ଓ କର୍ମୀ ଆଇନ ଶୃଙ୍ଖଳାକୁ ହାତକୁ ନେଉଛନ୍ତି । ଯାହା ଫଳରେ ଶାସନ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ହୋଇଛି । ସରକାର ନିଘୋଡ଼ ନିଦରେ ଶୋଇଛନ୍ତି । ବିଜେପି ଓ ବିଜେପି ସମର୍ଥିତ ଗୁଣ୍ଡା ମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନଥିବାରୁ ଏହି ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼, ବିଏମସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ବିଜେପି କର୍ମୀଙ୍କ ଅମାନବୀୟ ଆକ୍ରମଣ, ନୀଳଗିରି ବିଧାୟକଙ୍କ ଅଶାଳୀନ ଟିପ୍ପଣୀ ମାମଲାରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ଯାହା ଫଳରେ ଅପରାଧୀ ମାନଙ୍କ ମନୋବଳ ବଢ଼ି ଚାଲିଛି ।"



ସେ ଆହୁରି ମଧ୍ୟ କହିଛନ୍ତି, "ରାଜନଗର ମହିଳା ବିଡ଼ିଓଙ୍କ ଉପରେ ବିଜେପି ନେତା କର୍ମୀଙ୍କ ଆକ୍ରମଣ ଘଟଣାକୁ ୩ ଦିନରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିବା ବେଳେ, ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ରାଜନଗରରେ ଏହା ପ୍ରଥମ ଘଟଣା ନୁହେଁ । ପ୍ରାୟ ବର୍ଷେ ତଳେ ସେବେକାର ବିଡ଼ିଓ ଶୋଭନ ପଣ୍ଡା ପରେ ରବି ଆଚାର୍ଯ୍ୟଙ୍କ ଉପରେ ମଧ୍ୟ ବିଜେପି ରାଜନଗର ବିଧାୟକ ପ୍ରାର୍ଥୀ ଓ ତାଙ୍କ ସହଯୋଗୀଙ୍କ ଦ୍ୱାରା ଏପରି ଆକ୍ରମଣ କରାଯାଇଥିଲା । ୨୦ ଦିନ ତଳେ ବିଡ଼ିଓ ଭାବେ ଯୋଗ ଦେଇଥିବା ତିଳୋତ୍ତମା ପୃଷ୍ଟିଙ୍କ ଉପରେ ଆଉ ଥରେ ଆକ୍ରମଣ କରାଯାଇଛି ।"



ବିଜେଡିର ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ କହିଛନ୍ତି, "ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଯିଏକି ରାଜନଗର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଥିଲେ, ସେ ମନମୋହନ ସାମଲଙ୍କ ଚିଙ୍ଗୁଡ଼ି ବ୍ୟବସାୟରେ ପାର୍ଟନର ଅଛନ୍ତି । ମନମୋହନଙ୍କ ଇଙ୍ଗିତରେ ତାଙ୍କୁ ବିଜେପି ସରକାର ସୁରକ୍ଷା ଦେଉଛନ୍ତି । ବିଜେପି ହିଂସାରେ ବିଶ୍ୱାସ କରେ । ଯାହାକୁ ସେମାନେ ରାଜ୍ୟରେ ସରକାରକୁ ଆସିବା ପରେ ବାରମ୍ୱାର ପ୍ରମାଣିତ କରୁଛନ୍ତି । ପ୍ରଶାସନିକ ବିଧି ବ୍ୟବସ୍ଥା ବିଜେପିର ପୈତୃକ ସମ୍ପତ୍ତି ନୁହେଁ । ବିଧି ବ୍ୟବସ୍ଥା ଲୋକଙ୍କ କାମ କରିବା ପାଇଁ ଅଛି । ଚବିଶ ଘଣ୍ଟା ଭିତରେ ଅପରାଧୀ ମାନଙ୍କୁ ଗିରଫ କରାନଗଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।"



ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଘଟଣାକୁ ଯେତେ କଡା ଭାଷାରେ ନିନ୍ଦା କଲେ ମଧ୍ୟ କମ୍ ହେବ । ଅହଙ୍କାରର ବଶବର୍ତ୍ତୀ ହୋଇ ବିଜେପିର କର୍ମୀ ମାନେ ବ୍ଲକ ପଞ୍ଚାୟତକୁ ନିଜ କବ୍ଜାରେ ରଖିବାକୁ ଚାହୁଁଛନ୍ତି । ଗତକାଲି ଏହି ଘଟଣାର ଅଭିଯୁକ୍ତ ମାନେ ଥାନାରେ ପହଞ୍ଚି ମିଥ୍ୟା ଆରୋପ ଦେଇ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ସେମାନଙ୍କ ଠାରୁ ପାଲଟା ଏଫଆଇଆର ରଖିବାରୁ ରାଜ୍ୟରେ ପୋଲିସ ଶାସକ ଦଳର ହାତବାରିସୀ ସାଜିଛି ବୋଲି ସ୍ପଷ୍ଟ ହେଉଛି । ତେଣୁ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟ ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ଅପରାଧୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ, ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।"

"ସରକାରୀ କର୍ମଚାରୀ ଏବେ ଅସୁରକ୍ଷିତ । ଯିଏ ଆଇନକୁ ହାତକୁ ନେଉଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ," ବୋଲି ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଦାବି ରଖିଛନ୍ତି । ରାଜ୍ୟରେ ଜଣେ ମହିଳା ମୁଖ୍ୟ ଶାସନ ସଚିବ ଥିବା ବେଳେ ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ଅଛନ୍ତି । ଏଭଳି ସ୍ଥିତିରେ ଜଣେ ମହିଳା ଅଫିସରଙ୍କୁ ଆକ୍ରମଣ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଂସଦ ସୁଲତା ଦେଓ ଦାବି କରିଛନ୍ତି । ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ରାଜନଗର ବିଧାୟକ ଧ୍ରୁଵ ଚରଣ ସାହୁ ସାମିଲ ଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦଳର ବିଧାୟକ ପ୍ରାର୍ଥୀ ଓ କର୍ମୀ ଏଥିରେ ସାମିଲ ଥିବା ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର/କଟକ