ETV Bharat / politics

କଂଗ୍ରେସର ସମର୍ଥନ ଲୋଡ଼ିଲେ ଦତ୍ତେଶ୍ବର; ପିସିସି ଦେଲା ଗ୍ରୀନ୍ ସିଗନାଲ, ବୈଠକକୁ ଆସିଲେନି ଦୁଇ ବିଧାୟକ

ଆରମ୍ଭରୁ କେଁ ! ଆଜି କଂଗ୍ରେସ ବିଧାୟକ ଦଳ ବୈଠକରେ ସମର୍ଥନ ଲୋଡ଼ିଲେ ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ସେପଟେ ବୈଠକକୁ ଆସିଲେନି କଂଗ୍ରେସର ଦୁଇ ବିଧାୟକ ।

BJD CONGRESS ALLIANCE ODISHA
କଂଗ୍ରେସଠାରୁ ସମର୍ଥନ ଲୋଡ଼ିଲେ ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା (ETV Bharat Odisha)
author img

By ETV Bharat Odisha Team

Published : March 2, 2026 at 10:55 PM IST

3 Min Read
Choose ETV Bharat

ରିପୋର୍ଟ: ସଞ୍ଜୀବ ରାୟ

ଭୁବନେଶ୍ବର: ନିଜ ସପକ୍ଷରେ ସମର୍ଥନ ଲୋଡିବାକୁ କଂଗ୍ରେସ ବିଧାୟକମାନଙ୍କୁ ଅନୁରୋଧ କଲେ ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ସେପଟେ କଂଗ୍ରେସ ବିଧାୟକ ଦଳ ବୈଠକରେ ଆରମ୍ଭରୁ କେଁ ଆସିଲେନି ଦୁଇ ବିଧାୟକ । ଆଜି ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ କଂଗ୍ରେସର ବିଧାୟକମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା । କଂଗ୍ରେସ ମଧ୍ୟ ତାଙ୍କୁ ସମର୍ଥନ ଦେବା ନେଇ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

କଂଗ୍ରେସଠାରୁ ସମର୍ଥନ ଲୋଡ଼ିଲେ ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା (ETV Bharat Odisha)

ପିସିସି ସଭାପତି ଭକ୍ତ ଦାସ ଆଜି ଦିଲ୍ଲୀ ଗସ୍ତ ସାରି ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡ଼ାମଙ୍କ ସରକାରୀ ବାସଭବନରେ ଅପରାହ୍ନ ୩ ଟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଯେଉଁଥିରେ କେନ୍ଦ୍ରୀୟ ପ୍ରଭାରୀ ଅଜୟ କୁମାର ଲଲୁ, ନବ ନିଯୁକ୍ତ ସହ ପ୍ରଭାରୀ ମୟୂରା ଜୟ କୁମାର, ପିସିସି ସଭାପତି ଭକ୍ତ ଦାସ, ବିଧାୟକ ଅଶୋକ ଦାଶ, ରାଜେନ ଏକ୍କା, ପବିତ୍ର ସାଉନ୍ତା, ପ୍ରଫୁଲ୍ଲ ପ୍ରଧାନ, ସାଗର ଦାସ, ନୀଳମାଧବ ହିକ୍କା, ମଙ୍ଗୁ ଖିଲ, ସତ୍ୟଜିତ ଗମାଙ୍ଗ ଉପସ୍ଥିତ ରହିଥିଲେ । କିନ୍ତୁ ବରିଷ୍ଠ ବିଧାୟକ ତାରା ବାହିନୀପତି, ରମେଶ ଜେନା, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ ବୈଠକକୁ ଆସିନଥିଲେ ।

ଏହାପରେ ଏକ ଘରୋଇ ହୋଟେଲରେ କଂଗ୍ରେସର ବିଧାୟକମାନଙ୍କୁ ଭେଟି ନିଜ ସପକ୍ଷରେ ଭୋଟ ମାଗିଛନ୍ତି ବିଜେଡିର ମିଳିତ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ବର ହୋତା । ହେଲେ ଏହି ବୈଠକରେ ବିଧାୟକ ତାରା ବାହିନୀପତି ଏବଂ ଦାଶରଥି ଗମାଙ୍ଗଙ୍କୁ ଦେଖିବାକୁ ମିଳିଥିବା ବେଳେ ସୋଫିଆ ଏବଂ ରମେଶ ଜେନାଙ୍କ ଦେଖା ମିଳିନଥିଲା । ଯାହାକୁ ନେଇ ଏବେ କଂଗ୍ରେସର ଦଳୀୟ କନ୍ଦଳ ପଦାରେ ପଡ଼ିଛି । ଦତ୍ତେଶ୍ବରଙ୍କୁ ସମର୍ଥନ ନେଇ କଂଗ୍ରେସ, ବିଜେଡି ସହ ଏକମତ ହୋଇ ପାରୁନାହିଁ ବୋଲି ଚର୍ଚ୍ଚା ହୋଇଥିବା ବେଳେ ଦଳର ୧୪ଟି ଭୋଟ ଏକାଠି ନାହିଁ, ଯାହା ପିସିସି ସଭାପତିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଏହି ଅବସରରେ ରାଜ୍ୟସଭା ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା କହିଛନ୍ତି," ମୁଁ ମିଳିତ ରାଜ୍ୟସଭା ପ୍ରାର୍ଥୀ । ସମସ୍ତଙ୍କ ସହଯୋଗ ଲୋଡିଛି । ଆଜି କଂଗ୍ରେସ ବିଧାୟକ ଦଳର ବୈଠକରେ ଯୋଗଦେଇ ସମର୍ଥନ ଲୋଡ଼ିଛି । ବୈଠକରେ ଅନୁପସ୍ଥିତି ଥିବା କଂଗ୍ରେସ ବିଧାୟକଙ୍କୁ ମଧ୍ୟ ଭେଟିବି ।"

କଂଗ୍ରେସର ବିଧାୟକ ଦଳର ବୈଠକ ଶେଷ ହେବା ପରେ ଉପସ୍ଥିତ ସମସ୍ତ ବିଧାୟକଙ୍କ ଏବଂ ପ୍ରଭାରୀଙ୍କୁ ନେଇ ରାମଚନ୍ଦ୍ର କାଡ଼ାମଙ୍କ ବାସଭବନରେ ପହଞ୍ଚିଥିଲେ ପସିସି ସଭାପତି, ସେଠାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ବେଳେ ଅତି ଚତୁରତାର ସହ ଅନୁପସ୍ଥିତ ବିଧାୟକମାନଙ୍କ ପ୍ରଶ୍ନକୁ ଏଡାଇ ଯାଇଥିଲେ ଭକ୍ତ ଦାସ । ପିସିସି ସଭାପତି କହିଥିଲେ,"ଡାକ୍ତର ଦତ୍ତେଶ୍ବର ହୋତା ହେଉଛନ୍ତି ମିଳିତ ପ୍ରାର୍ଥୀ । ସମସ୍ତେ କିଭଳି ସମର୍ଥନ କରିବେ ସେନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଏ ବାବଦରେ କେନ୍ଦ୍ରୀୟ ନେତୃତ୍ବ ନିଷ୍ପତି ପରେ ରାଜ୍ୟ କଂଗ୍ରେସ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରୁଛି ।" ବାକି ସୋଫିଆ ଓ ରମେଶଙ୍କୁ ନେଇ ଭକ୍ତ କହିଛନ୍ତି ସେମାନେ ପରେ ଆମ ସହିତ ସାମିଲ ହେବେ ।


ସେପଟେ ବିଧାୟକ ଦାଶରଥି ଗମାଙ୍ଗଙ୍କ ପ୍ରତିକ୍ରିୟା ଏବେ ଭକ୍ତଙ୍କୁ ଅଡ଼ୁଆରେ ପକାଇବା ନିଶ୍ଚିତ । କାରଣ ଦାଶରଥିଙ୍କ ବକ୍ତବ୍ୟରୁ ହି ସ୍ପଷ୍ଟ ହେଉଛି ଯେ ସେ ଅସନ୍ତୁଷ୍ଟ ଅଛନ୍ତି, ବିଜେଡି ଦୀର୍ଘ 24 ବର୍ଷ କଂଗ୍ରେସର ପ୍ରତିଯୋଗି ଭାବେ ଥିଲା ଏବେ ହଠାତ ତାଙ୍କ ପ୍ରାର୍ଥୀଙ୍କୁ ଆମେ ସମର୍ଥନ କେଉଁ ଆଧାରରେ ଦେବୁ 5 ତାରିଖ ପରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ସେ ।

ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି,"ରାଜ୍ୟସଭା ପ୍ରାର୍ଥୀ କିଏ ମୁଁ ଜାଣିନି । ବର୍ତ୍ତମାନ ସୁଦ୍ଧା କିଛି କ୍ଲିୟର ପିକ୍ଚର ନାହିଁ । ଆମକୁ ନୋଟିଫିକେଶନ ହେବ । ଯେତବେଳେ ଆମକୁ ଦଳ ତରଫରୁ କୁହାଯିବ ଯେ ଏ ଆମର ପ୍ରାର୍ଥୀ ତେବେ ଆମେ ତାଙ୍କୁ ଭୋଟ ଦେବୁ । ଏପର୍ଯ୍ୟନ୍ତ କୌଣସି ଶେଷ ନିଷ୍ପତ୍ତି ହୋଇନି । ମୁଁ କନଫ୍ୟୁଜ୍ ନୁହଁ ସବୁ ବିଧାୟକଙ୍କ ଗୋଟେ କଥା । ପିସିସି ଯାହା ନିଷ୍ପତ୍ତି ନେବ । ଏ ପର୍ଯନ୍ତ ମୁଁ ଜାଣିନାହିଁ ସେ ଆମର ରାଜ୍ୟସଭା ପ୍ରାର୍ଥୀ ହେବେ କି କଣ ?"

ରାଜ୍ୟସଭା ପାଇଁ ବିଜେଡି ଏବଂ କଂଗ୍ରେସର କମନ୍ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଭୁବନେଶ୍ୱରରେ କଂଗ୍ରେସ ବିଧାୟକମାନଙ୍କୁ ଭେଟିଥିଲେ, ଦୁଇଜଣ ବିଧାୟକଙ୍କ ଅନୁପସ୍ଥିତି ଡାକ୍ତର ହୋତାଙ୍କ ଜିତିବା ସମ୍ଭାବନାକୁ କୋଉଠି ନା କୋଉଠି ପ୍ରଭାବିତ କରିବା ସମ୍ଭାବନା ଦେଖାଦେଇଛି । କାରଣ ଚତୁର୍ଥ ଆସନ ପାଇଁ ସଂଖ୍ୟା କମ୍ । ବିଜେଡିର ୪୮ ଜଣ ବିଧାୟକ ଥିବାବେଳେ, ଏବଂ କଂଗ୍ରେସର ୧୪ ଜଣ ବିଧାୟକଙ୍କ ସହିତ, ଚତୁର୍ଥ ଆସନ ଜିତିବା ପାଇଁ ସେମାନଙ୍କୁ ଅତିରିକ୍ତ ସମର୍ଥନ ଆବଶ୍ୟକତା ପଡିପାରେ ।


ସେହିପରି, ବିଜେପି ଦୁଇଟି ଆସନ ଜିତିବାର ସମ୍ଭାବନା ଅଛି, ଏବଂ ସନ୍ତୃପ୍ତ ମିଶ୍ରଙ୍କ ପ୍ରାର୍ଥୀତ୍ୱ ସହିତ ବିଜେଡି ଗୋଟିଏ ଆସନ ନିଶ୍ଚିତ ଅକ୍ତିଆର କରିବ । ଡାକ୍ତର ହୋତାଙ୍କ ବିଜୟ ଅନ୍ୟ ଦଳ କିମ୍ବା ସ୍ୱାଧୀନ ବିଧାୟକଙ୍କଠାରୁ ଭୋଟ୍ ହାସଲ କରିବା ଉପରେ ନିର୍ଭର କରେ । ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଅନୁପସ୍ଥିତି ବିଜେପିକୁ ଆଗକୁ ନେଇପାରେ, କିନ୍ତୁ ଏହା ଏପର୍ଯ୍ୟନ୍ତ ଅନିଶ୍ଚିତ।

ଏହା ମଧ୍ୟ ପଢନ୍ତୁ... କିଏ ଡାକ୍ତର ଦତ୍ତେଶ୍ବର ହୋତା?; ବିଜେଡି କଲା ପ୍ରାର୍ଥୀ, କଂଗ୍ରେସରୁ ମିଳିବ ସମର୍ଥନ

ଏହା ମଧ୍ୟ ପଢନ୍ତୁ... ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଏହା ମଧ୍ୟ ପଢନ୍ତୁ... ରାଜ୍ୟସଭା ନିର୍ବାଚନ: 16 ସେଟ୍ ଫର୍ମ କିଣିଲା ବିଜେପି, ରାଜ୍ୟସଭା ପାଇଁ ବିଜେପି ଦେବ 3 ପ୍ରାର୍ଥୀ

ଇଟିଭି ଭାରତ, ଭୁବନେଶ୍ବର