ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା; ଶାସକ ବିଜେପି ଉପରେ ପଡ଼ିବ କି ପ୍ରଭାବ ?
ବିଜେଡି-କଂଗ୍ରେସ ମିଶି ନିର୍ବାଚନ ମୈଦାନକୁ ଓହ୍ଲାଇବେ କି ? ଏପରି ସଙ୍କେତ ଦେଲେ ପିସିସି ସଭାପତି । ବିଜେଡି କହିଲା ରାଜନିତୀରେ କିଛି ଅସମ୍ଭବ ନୁହେଁ । ରିପୋର୍ଟ: ସଞ୍ଜୀବ ରାୟ ।

Published : April 4, 2026 at 5:43 PM IST
ଭୁବନେଶ୍ବର: ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିବ କି ? ଜୋର ଧରିଛି ବିଜେଡି ଏବଂ କଂଗ୍ରେସ ମେଣ୍ଟ ଚର୍ଚ୍ଚା । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଏହି ଦୁଇ ଦଳ ମଧ୍ୟରେ ମେଣ୍ଟ ହେବ କି ? ଯଦି ଉଭୟ ବିରୋଧୀ ଦଳ ଭିତରେ ମେଣ୍ଟ ହୁଏ, ତେବେ ଶାସକ ବିଜେପି ଉପରେ କେତେ ପ୍ରଭାବ ପଡ଼ିବ ?
୨୦୦୦ ମସିହାରେ କଂଗ୍ରେସ ଏବଂ ଜନତା ଦଳର ବିକଳ୍ପ ଭାବେ ଜନ୍ମ ନେଇଥିଲା 'ବିଜୁ ଜନତା ଦଳ'। ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗରେ ପ୍ରତିଷ୍ଠା ହୋଇଥିଲା ବିଜେଡି । ବିଜୁ ଅନୁଗତଙ୍କୁ ନେଇ ବିଜେଡିର ସୃଷ୍ଟି ହୋଇଥିଲା । ୨୦୦୦ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିଥିଲା ବିଜୁ ଜନତା ଦଳ । ଯଦିଓ 9 ବର୍ଷ ବିଜେପି-ବିଜେଡିର ମିଳିତ ସରକାର ଥିଲା, ତେବେ ୨୦୦୯ ମସିହା ପରଠୁ ଏନଡିଏରୁ ନୀତିଗତ ଭାବେ ଦୂରେଇ ରହିଲେ ବିଜେଡି ସଭାପତି ନବୀନ । ଆନୁଷ୍ଠାନିକ ଭାବରେ ମେଣ୍ଟରେ ରହିଲେ ନଥିଲେ ମଧ୍ୟ ପରୋକ୍ଷରେ କେନ୍ଦ୍ରରେ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି ସରକାରକୁ ସବୁ କ୍ଷେତ୍ରରେ ସମର୍ଥନ ଦେଉଥିଲେ ନବୀନ । ।
ପ୍ରଥମଥର ପାଇଁ ବିଜେଡିର ଆଣ୍ଟି-ବିଜେପି ଷ୍ଟାଣ୍ଡ:
24 ବର୍ଷ ପରେ କ୍ଷମତାରୁ ଯିବା ପରେ ନବୀନ ଏବେ ପ୍ରଥମଥର ପାଇଁ ବିଜେପି ବିରୋଧୀ ଆଭିମୁଖ୍ୟ ପୋଷଣ କରିଛନ୍ତି । ଗତ ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଯାଇ ନବୀନ, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଥିଲେ । ନବୀନଙ୍କ ପ୍ରସ୍ତାବକୁ ଗ୍ରହଣ କରିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାଶ । ବିଜେଡିର ମିଳିତ ପ୍ରାର୍ଥୀ ଡାକ୍ତର ହୋତାଙ୍କୁ ସମର୍ଥନ କରିଥିଲା କଂଗ୍ରେସ । କିନ୍ତୁ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରି ଉଭୟ ବିଜେଡି ଏବଂ କଂଗ୍ରେସର ବିଧାୟକମାନେ ଦିଲ୍ଲୀପକୁ ଜିତାଇ ଥିଲେ । ଫଳରେ ଏବେ ନବୀନ ଏବଂ ଭକ୍ତଙ୍କ ଆକ୍ରୋଶ ଆହୁରି ବଢିଯାଇଛି । ଉଭୟଙ୍କ ଲକ୍ଷ୍ୟ କଳେ ବଳେ, କୌଶଳେ ଭାରତୀୟ ଜନତା ପାର୍ଟି ସରକାରକୁ ଚେକ୍ ଦେବା । କ୍ଷମତା ହାତରୁ ଯିବା ପରେ ନବୀନ, ବିଜେପିକୁ କାଉଣ୍ଟର କରିବାକୁ ଚଳଚଞ୍ଚଳ ମନୋଭାବ ଦେଖିବାକୁ ମିଳୁଛି । ସେହିପରି ଜାତୀୟ ସ୍ତରରେ କଂଗ୍ରେସର ଏକମାତ୍ର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପିକୁ ମାତ୍ ଦେବାକୁ ଭକ୍ତ ମଧ୍ୟ ବିଜେଡି ସହ ହାତ ମିଶାଇବା ପାଇଁ ଆଗ୍ରହି ଥିବା ଚର୍ଚ୍ଚା ହେଉଛି ।

ମେଣ୍ଟ ଚର୍ଚ୍ଚା କାହିଁକି ଜୋର ଧରିଲା ?
ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ରାଜ୍ୟ ରାଜନୀତିରେ ଉଭୟ ବିଜେଡି ଏବଂ କଂଗ୍ରେସ ମେଣ୍ଟ କରି ଲଢ଼ିବେ ନା ଏକାକୀ ଲଢ଼ିବେ ? ଏଭଳି ପ୍ରଶ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାଶଙ୍କ ଉତ୍ତର ମେଣ୍ଟ ରାଜନିତୀକୁ ଅଧିକ ରୋଚକ କରିଛି । ସେପଟେ ରାଜନୈତିକ ସମୀକ୍ଷକଙ୍କ ମତରେ ଉଭୟ ବିଜେଡି ଏବଂ କଂଗ୍ରେସ ଧର୍ମନିରପେକ୍ଷ । ରାଜ୍ୟସଭା ନିର୍ବାଚନରେ ମିଳିତ ପ୍ରାର୍ଥୀ ଦେଇ ମିଶ୍ର ଅନୁଭୂତି ସାଉଁଟିବା ପରେ ଏବେ ଉଭୟେ ବିଜେଡି-କଂଗ୍ରେସ, ବିଜେପି ସରକାରକୁ ଚେକ୍ ଦେବା ପାଇଁ ମେଣ୍ଟ ସମ୍ଭାବନାକୁ ଏଡାଇ ଦିଆ ଯାଇନପାରେ ।
ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ପିସିସି ସଭାପତି ଭକ୍ତ ଦାଶ କହିଛନ୍ତି, "ଆବଶ୍ୟକ ପଡ଼ିଲେ ବିଜେଡି ସହ କଂଗ୍ରେସ ମତ ବିନିମୟ କରିପାରେ ।"
ବିଜେଡି-କଂଗ୍ରେସ ମେଣ୍ଟ ହେବ !
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି, ସଭାପତି ଭକ୍ତ ଚରଣ ଦାସ ଭବିଷ୍ୟତରେ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ-ବିଜେଡି ମେଣ୍ଟ ହେବାର ସମ୍ଭାବନା ଉପରେ ଇଙ୍ଗିତ କରି ବିତର୍କ ଆରମ୍ଭ କରିଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାଶ କହିଛନ୍ତି,"ଯଦି ପାରସ୍ପରିକ ବୁଝାମଣା ହୁଏ, ତେବେ ଦୁଇ ଦଳ ଏକାଠି ଲଢ଼ିପାରିବେ, ଯଦିଓ ଭବିଷ୍ୟତ ଅନିଶ୍ଚିତତା ରହିଛି ।"
ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏବଂ ବିଜୁ ଜନତା ଦଳ ମଧ୍ୟରେ ମେଣ୍ଟ ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଯଦି ରାଜ୍ୟରେ ବିଜେଡି କଂଗ୍ରେସ ମେଣ୍ଟ ହୁଏ ତାହେଲେ ପ୍ରଭାବ କଣ ପଡିବ ? ବିଜେଡି କଂଗ୍ରେସ ହାତ ମିଳାଇ ସେମାନେ ଶାସକ ଭାରତୀୟ ଜନତା ପାର୍ଟି ସରକାରକୁ ଏକ ଦୃଢ଼ ବିରୋଧ ଉପସ୍ଥାପନ କରିପାରିବେ । ଯାହା ଓଡ଼ିଶାର ନିର୍ବାଚନୀ ଦୃଶ୍ୟପଟକୁ ପରିବର୍ତ୍ତନ କରିପାରେ । କଂଗ୍ରେସ ଏବଂ ବିଜେଡିର ମିଳିତ ଭୋଟ ଅଂଶ ସେମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ଦେଇପାରେ, ବିଶେଷକରି ଯେଉଁ ନିର୍ବାଚନ ମଣ୍ଡଳୀରେ ସେମାନେ ପାରମ୍ପରିକ ଭାବରେ ଭଲ ପ୍ରଦର୍ଶନ କରିଛନ୍ତି ।
ଏହି ମେଣ୍ଟ ସେମାନଙ୍କୁ ପ୍ରମୁଖ ପଞ୍ଚାୟତ ଆସନ ଦଖଲ କରିବାରେ ଏବଂ ସ୍ଥାନୀୟ ଶାସନ ଉପରେ ଅଧିକ ପ୍ରଭାବ ପକାଇବାରେ ସହାୟକ ହୋଇପାରେ । ମିଳିତ ଭାବେ କାର୍ଯ୍ୟ କଲେ କଂଗ୍ରେସ ଏବଂ ବିଜେଡି ଓଡ଼ିଶାରେ ବିଜେପିକୁ ପ୍ରଭାବଶାଳୀ ଭାବରେ ମୁକାବିଲା କରିପାରିବେ । ଏହି ମେଣ୍ଟ ଓଡ଼ିଶାରେ ଆଞ୍ଚଳିକ ରାଜନୀତିକୁ ମଧ୍ୟ ସୁଦୃଢ଼ କରିପାରିବ, ସ୍ଥାନୀୟ ସମସ୍ୟାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିପାରିବ ।
ରାଜନିତୀରେ କିଛି ଅସମ୍ଭବ ନୁହେଁ: ବିଜେଡି
ସେପଟେ ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି, "ରାଜନିତୀରେ କିଛି ଅସମ୍ଭବ ନୁହେଁ । ରାଜନୈତିକ ବିଚାର ଧାରା, ରାଜନୈତିକ ଆଦର୍ଶ, ଚିନ୍ତାଧାରା ଯେଉଁଠି ସମାନ ରୁହେ, ସେଠି ହୁଏତ ବନ୍ଧୁତା ସ୍ଥାପନ କରାଯାଇପାରେ । କଂଗ୍ରେସ ସହ ମେଣ୍ଟ ହେବ କି ନହେବ ସେ ନିଷ୍ପତ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ । ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟି ନିଷ୍ପତ୍ତି ନେବ । ରାଜନିତୀରେ କେହି କାହାର ଚିର ଶତ୍ରୁ କିମ୍ବା ଚିର ମିତ୍ର ନୁହଁନ୍ତି । ତେଣୁ ଆଗାମୀ ଦିନରେ ସବୁ ସ୍ପଷ୍ଟ ହେବ । "

'ବିଜେଡି-କଂଗ୍ରେସ ମିଶିଲେ ବି ବିଜେପିକୁ ରୋକି ପାରିବେନି': ବିଜେପି
କଂଗ୍ରେସ ଏବଂ ବିଜୁ ଜନତା ଦଳ ଓଡ଼ିଶାରେ ହାତ ମିଳାଇଛନ୍ତି । ରାଜ୍ୟସଭା ନିର୍ବାଚନ ପାଇଁ ଜଣେ ସାଧାରଣ ପ୍ରାର୍ଥୀ, ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପ୍ରାର୍ଥୀ କରିଥିଲେ । ଭାରତୀୟ ଜନତା ପାର୍ଟିକୁ ଚେକ ଦେବାକୁ ଏହି ମେଣ୍ଟ ଏକ ରଣନୀତିକ ପଦକ୍ଷେପ ବୋଲି କୁହାଯାଇପାରେ । ତେବେ ବିଜେଡି-କଂଗ୍ରେସ ମେଣ୍ଟ ହେଲେ ଗେରୁଆ ଦଳକୁ କିଛି ଫରକ ପଡ଼ିବ ନାହିଁ ବୋଲି ଶାସକ ଦଳ ଯୁକ୍ତି ବାଢ଼ିଛି ।
ବିଜେଡି-କଂଗ୍ରେସର ମେଣ୍ଟ ନେଇ ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି," ବିଜେଡି-କଂଗ୍ରେସ ମିଶିଲେ ବି ବିଜେପିକୁ ରୋକି ପାରିବେନି । ଲୋକମତ ଆମ ସହ ଅଛି, ଆଗକୁ ଅଧିକ ସମର୍ଥନ ମିଳିବ।ତାଙ୍କର ସ୍ଥିତି ଦିନକୁ ଦିନ ଖରାପ ହେବାକୁ ବସିଲାଣି । ସେମାନେ ନିଜ ଦଳ, ନିଜ ବିଧାୟକମାନଙ୍କୁ ଏକାଠି ରଖନ୍ତୁ । ତାପରେ ବିଜେପି କଥା କହିବେ ।"

ଏପରି କହିଲେ ରାଜନୈତିକ ସମୀକ୍ଷକ:
ରାଜନୈତିକ ସମୀକ୍ଷକ ରବି ଦାଶ କହିଛନ୍ତି,"ଉଭୟ ବିଜେଡି-କଂଗ୍ରେସ ମଧ୍ୟରେ ସେମିତି ଗ୍ରାଉଣ୍ଡ ସ୍ତରର ଆଲୋଚନା ଏପର୍ଯ୍ୟନ୍ତ ହେବାର କୌଣସି ସୂଚନା ସାମ୍ନାକୁ ଆସିନାହିଁ । ଉଭୟ ବିଜେଡି କଂଗ୍ରେସ ଧର୍ମ ନିରପେକ୍ଷ । ରାଜ୍ୟ ତଥା ସାରା ଦେଶରେ କଂଗ୍ରେସର ମୁଖ୍ୟ ଶତ୍ରୁ ହେଉଛି ବିଜେପି । ଓଡ଼ିଶାରେ ବିଜେଡି ମଧ୍ୟ ବିରୋଧୀ ଦଳ । ତେବେ ଭକ୍ତ ଦାଶ ହିଁ ନିଷ୍ପତ୍ତି ନେଇପାରିବେ । କିନ୍ତୁ କଂଗ୍ରେସ ଭିତରେ ସେନେଇ ଅସନ୍ତୋଷ ବ୍ୟାପୁଛି । ସେମିତି କିଛି ଆଲୋଚନା ଉଭୟ ବିଜେଡି ଏବଂ କଂଗ୍ରେସର କାହିଁକି ଦେଖିବାକୁ ମିଳୁନାହିଁ । ଯଦି ଉଭୟ ଦଳ ଚାହିଁବେ, ତେବେ ସେମାନେ ମେଣ୍ଟ କରିପାରିବେ ।"
ଏହା ମଧ୍ୟ ପଢନ୍ତୁ... ଦକ୍ଷିଣତଟ ରେଳବାଇରେ ମିଶିବ ପଲାସା ଓ ଇଚ୍ଛାପୁରମ୍; ବିଜେଡିର ଜୋରଦାର ବିରୋଧ ଏହା ମଧ୍ୟ ପଢନ୍ତୁ...କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ନାନା ଚର୍ଚ୍ଚା, ଖଣ୍ଡନ କଲେ ପିସିସି ସଭାପତି |
ଇଟିଭି ଭାରତ, ଭୁବନେଶ୍ବର

