ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି
ରାଜ୍ୟସଭା ନିର୍ବାଚନ ପାଇଁ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Published : February 28, 2026 at 1:32 PM IST
ଭୁବନେଶ୍ବର: ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଏନେଇ ଆଜି ନବୀନ ନିବାସରେ ବିଧିବଦ୍ଧ ଭାବେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ପାଇଁ ସଂତୃପ୍ତ ମିଶ୍ର ଓ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ଘୋଷଣା କରିଛନ୍ତି । ତେବେ ତୃତୀୟ ସିଟ ପାଇଁ ସଂତୃପ୍ତ ମିଶ୍ରଙ୍କ ନାଁ ରହିଥିବା ବେଳେ ଚତୁର୍ଥ ସିଟ୍ ତଥା ମିଳିତ ଆସନ ପାଇଁ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାଁ ରହିଛି ।
ବିଜେଡିର ଦୁଇ ରାଜ୍ୟସଭା ପ୍ରାର୍ଥୀ:
ଆଜି ନବୀନ ନିବାସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି," ରାଜ୍ୟସଭା ନିର୍ବାଚନ ପାଇଁ ଆମ ଦଳ ଦୁଇ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରଥମ ପ୍ରାର୍ଥୀ ତୃତୀୟ ଆସନ ପାଇଁ ଡ଼ା. ସଂତୃପ୍ତ ମିଶ୍ର, ସେ ଆମ ଦଳର ଜଣେ ବରିଷ୍ଠ ନେତା ଏବଂ ଦ୍ବିତୀୟ ପ୍ରାର୍ଥୀ ଚତୁର୍ଥ ଆସନ ତଥା ମିଳିତ ଆସନ ପାଇଁ ଡାକ୍ତର ଦତ୍ତେଶ୍ଵର ହୋତା ନାଁ ଘୋଷଣା କରାଯାଇଛି । ସେ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଥିଲେ । ଏବଂ SCB ମେଡିକାଲର ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ । ମୁଁ ସମସ୍ତ ଦଳକୁ ଅନୁରୋଧ କରୁଛି ଯେ, ତାଙ୍କୁ ସମସ୍ତେ ସମର୍ଥନ କରି ରାଜ୍ୟସଭାକୁ ପଠାନ୍ତୁ । "
ବିଜେଡିର ରାଜ୍ୟସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର କହିଛନ୍ତି," ବିଜେଡି ସଭାପତି, ଦଳର ବିଧାୟକ ଓ କର୍ମୀ ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ମୋତେ ଦେଇଛନ୍ତି । ଏହାକୁ ଅତ୍ୟନ୍ତ ନମ୍ରତାର ସହିତ ଗ୍ରହଣ କରୁଛି । ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି । ସମସ୍ତେ ମୋତେ ବିଶ୍ୱାସ କରି ଓଡ଼ିଶାକୁ ଆଗକୁ ନେବା ସହ ଦଳକୁ ଦୃଢ଼ କରିବା ପାଇଁ ଏହି ଦାଇତ୍ୱ ଦେଇଛନ୍ତି । ସବୁ କ୍ଷେତ୍ରରେ କିଛି ଲୋକ ସନ୍ତୁଷ୍ଟ ଓ ଆଉ କିଛି ଲୋକ ଅସନ୍ତୁଷ୍ଟ ରହିବେ । ଏହା ଜୀବନର ପ୍ରବାହ । ଏଥିରେ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକତା ନାହିଁ । ଯେଉଁମାନେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଓ ନବୀନ ପଟ୍ଟନାୟକ ଦିଗଦର୍ଶନରେ ପ୍ରେରିତ ସେମାନେ ସମସ୍ତେ ବିଜେଡିର ନିଷ୍ପତ୍ତି ଉପରେ ଆସ୍ଥା ପ୍ରକଟ କରିଛନ୍ତି । ନବୀନ ଏ ବିବାଦରେ ମୋ ସହିତ ଆଲୋଚନା କରିନଥିଲେ । ଆଜି ସକାଳେ ମୋତେ ଡାକି ଏ ବାବଦରେ ଅବଗତ କଲେ । ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ନବୀନ ବାବୁ ନିର୍ଦ୍ଦେଶ ଦେଲେ ।"
ସହଯୋଗ ପାଇଁ ସମସ୍ତଙ୍କୁ ନିବେଦନ କଲେ ଡାକ୍ତର ଦତ୍ତେଶ୍ଵର ହୋତା:
ସେହିପରି ଡାକ୍ତର ଦତ୍ତେଶ୍ଵର ହୋତା କହିଛନ୍ତି,"ଭଗବାନଙ୍କ ନିକଟରେ କୃତଜ୍ଞ । ସୁଯୋଗ ଦେଇଥିବାରୁ ବିଜେଡି ସଭାପତିଙ୍କ ନିକଟରେ କୃତଜ୍ଞ । ରାଜ୍ୟର ବିକାଶ ପାଇଁ ଯଥା ସମ୍ଭବ ଚେଷ୍ଟା କରିବି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଯାହା ବି ଜ୍ଞାନ ଅଛି, ଜାତୀୟ ସ୍ତରରେ ଏହାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବି । ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟକୁ ଆହୁରି ଅଧିକ ଉନ୍ନତ କରିବା ପାଇଁ ସୁଯୋଗ ମିଳିଲେ ଚେଷ୍ଟା କରିବି । ସହଯୋଗ ପାଇଁ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିବି ।"

