ETV Bharat / politics

ବିକ୍ରମଙ୍କ ବେଲକୁ ନେଇ ବଢିଲା ବାକ୍ ଯୁଦ୍ଧ; ମନ୍ତ୍ରୀଙ୍କ ଏକ୍ସପାରୀ ଡେଟ୍ ମନ୍ତବ୍ୟ ଉପରେ କଡା ଜବାବ ରଖିଲା ବିଜେଡି

ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଲା, ଲୋକପ୍ରିୟତାରେ ଈର୍ଷାନ୍ବିତ ହୋଇ ବିକ୍ରମଙ୍କୁ ଷଡ଼ଯନ୍ତ୍ର କରି ଫସାଇଥିଲେ ମନ୍ତ୍ରୀ । ରିପୋର୍ଟ-ସଞ୍ଜୀବ କୁମାର ରାୟ/ଭବାନୀ ଶଙ୍କର ଦାସ

bikram panda bail politics bjd bjp war of words over expity date remark
ବିକ୍ରମଙ୍କ ବେଲକୁ ନେଇ ବଢିଲା ବାକ୍ ଯୁଦ୍ଧ; ମନ୍ତ୍ରୀଙ୍କ ଏକ୍ସପାରୀ ଡେଟ୍ ମନ୍ତବ୍ୟ ଉପରେ କଡା ଜବାବ ରଖିଲା ବିଜେଡି (Etv Bharat)
author img

By ETV Bharat Odisha Team

Published : September 2, 2026 at 8:50 PM IST

|

Updated : September 2, 2026 at 9:14 PM IST

2 Min Read
Choose ETV Bharat

ଭୁବନେଶ୍ୱର: ଜେଲରୁ ମୁକୁଳିବା ପରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ଶୋଭାଯାତ୍ରାକୁ ନେଇ ରାଜନୈତିକ ବୟାନବାଜି ତେଜିବାରେ ଲାଗିଛି । ମୁହାମୁହିଁ ହୋଇଛନ୍ତି ବିଜେପି-ବିଜେଡି । ରାଜ୍ୟ ରାଜନୀତିରେ ଜୋର ଧରିଛି ବାକ୍ ଯୁଦ୍ଧ । ଜେଲରୁ ବାହାରିବା ପରେ କର୍ମୀ ଓ ସମର୍ଥକଙ୍କ ଗହଣରେ ଆସିଥିବା ବିକ୍ରମ ପଣ୍ଡା ଏହାକୁ ଧର୍ମର ବିଜୟ ହୋଇଛି ବୋଲି କହିଥିବାବେଳେ ମନ୍ତ୍ରୀ ବିଭୂତି ଜେନା ବିଜେଡିର ଏକ୍ସପାରୀ ଡେଟ ଗଲାଣି ବୋଲି କହିଛନ୍ତି । ଖଣିମନ୍ତ୍ରୀଙ୍କ ଏପରି ମନ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ବିଜେଡିର ଏକ୍ସପାରୀ ଡେଟ୍ କଥା କହିବା ପୂର୍ବରୁ ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକେ ତାଙ୍କ ଉପରେ କଣ ମନ୍ତବ୍ୟ ଦେଉଛନ୍ତି ଶୁଣନ୍ତୁ ବୋଲି କହିଛନ୍ତି ପ୍ରତାପ ।

ବିକ୍ରମଙ୍କ ବେଲକୁ ନେଇ ବଢିଲା ବାକ୍ ଯୁଦ୍ଧ; ମନ୍ତ୍ରୀଙ୍କ ଏକ୍ସପାରୀ ଡେଟ୍ ମନ୍ତବ୍ୟ ଉପରେ କଡା ଜବାବ ରଖିଲା ବିଜେଡି (Etv Bharat)

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ ଦର୍ଶାଇ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଥିଲା ପୋଲିସ । ସୋମବାର ହାଇକୋର୍ଟରୁ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ ମିଳିଥିଲା । ଦୀର୍ଘ 10 ମାସ ପରେ ଗତକାଲି ଜେଲରୁ ବାହାରିଲେ ବ୍ରହ୍ମପୁରର ପୂର୍ବତନ ବିଜେଡି ବିଧାୟକ ।

ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବିକ୍ରମ ପଣ୍ଡା ବାହାରିବା ପରେ ତାଙ୍କୁ ପାଛୋଟି ନେବା ପାଇଁ ତାଙ୍କ ସମର୍ଥକଙ୍କ ସମେତ ଦଳର ବହୁ କର୍ମୀ ଏବଂ ନେତୃବୃନ୍ଦ ଫାଟକ ସମ୍ମୁଖରେ ଅପେକ୍ଷା କରିଥିଲେ । ଜେଲରୁ ବାହାରିବା ପରେ ତାଙ୍କୁ ଶୋଭାଯାତ୍ରାରେ ତାଙ୍କ ବାସ ଭବନକୁ ନିଆଯାଇଥିଲା । ଏହି ଅବସରରେ ବିକ୍ରମ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ତାଙ୍କୁ ଫସାଇ ଦିଆଯାଇଥିବା କହିବା ସହ ଧର୍ମ ଓ ନ୍ୟାୟର ବିଜୟ ହୋଇଛି ବୋଲି କହିଥିଲେ ।

‘ଏକ୍ସପାୟରି ଡେଟ୍’ରେ ବିଜେଡି

ବିକ୍ରମଙ୍କ ମନ୍ତବ୍ୟ ଉପରେ ଆଜି କଡା ପ୍ରତିକ୍ରିୟା ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ଔଷଧର ଏକ୍ସପାୟରି ଡେଟ୍ ଗଲା ପରେ କାମ କରେନି ବୋଲି କହି ବିଜେଡିର ରାଜନୈତିକ ପ୍ରଭାବକୁ ତାଚ୍ଛଲ୍ୟ କରିଛନ୍ତି । ସେ କହିଛନ୍ତି, ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଣିବା ପରି ବିକ୍ରମ ପଣ଼୍ଡାଙ୍କୁ ଜେଲରୁ ଆଣିଥିଲେ । ବିକ୍ରମ ଦୋଷମୁକ୍ତ ହୋଇ ନାହାନ୍ତି । ଜାମିନରେ ଆସିଛନ୍ତି । ଏମିତି ଶୋଭାଯାତ୍ରା ଲାଜ ଲାଗିବା କଥା । ଗଞ୍ଜାମ ଭାଷାରେ ଏହାକୁ ‘ଅଲାଜୁକ’ କୁହାଯାଏ। ”
ସେତିକି ନୁହେଁ, ମନ୍ତ୍ରୀ ବିଭୂତି ଜେନା ବିଜେଡି ନେତାଙ୍କୁ ସିଧାସଳଖ ଚାଲେଞ୍ଜ ଦେଇ ପଚାରିରିଛନ୍ତି, ‘ଗତକାଲି ବ୍ରହ୍ମପୁର ଯାଇଥିବା ନେତାମାନେ ନିଜକୁ ପଚାରନ୍ତୁ, ବିକ୍ରମ ପଣ୍ଡା ଦେଶ କିମ୍ବା ରାଜ୍ୟ ପାଇଁ କୌଣସି ବଡ଼ କାମ କରି ଜେଲ ଯାଇଥିଲେ କି? ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ଜଣେ ରାଜନୈତିକ ନେତାଙ୍କ ଜେଲ ଯିବାକୁ ଏକାଠି କରାଯାଇପାରିବ କି?

ଏପଟେ ବିଭୂତି ଜେନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା । ଲୋକପ୍ରିୟତାରେ ଈର୍ଷାନ୍ବିତ ହୋଇ ବିକ୍ରମଙ୍କୁ ଷଡ଼ଯନ୍ତ୍ର କରି ମନ୍ତ୍ରୀ ବିଭୂତି ଜେନା ଫସାଇଥିଲେ ବୋଲି ଅଭିଯୋଗ କରି ଖଣିମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତାପ ।

ଜବାବ ରଖିଲା ବିଜେଡି

ବିଜେଡି ନେତା କହିଛନ୍ତି, ‘ ବିକ୍ରମଙ୍କୁ ଜାମିନ ଦେବାବେଳେ ହାଇକୋର୍ଟ ଦେଇଥିବା ରିପୋର୍ଟକୁ ମନ୍ତ୍ରୀ ଟିକେ ପଢନ୍ତୁ । ବିଜେଡିର ଏକ୍ସପାରୀ ଡେଟ୍ କଥା କହିବା ପୂର୍ବରୁ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇ ଲୋକେ ତାଙ୍କ ଉପରେ କଣ ମନ୍ତବ୍ୟ ଦେଉଛନ୍ତି ଶୁଣନ୍ତୁ, ଜାଣିପାରିବେ ।’

ବିକ୍ରମଙ୍କ ଲୋକପ୍ରିୟତାକୁ ବିଜେପି ନେତା ସହିପାରୁ ନାହାଁନ୍ତି

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଆହୁରି କହିଛନ୍ତି, "ବିକ୍ରମ ପଣ୍ଡା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ହେବା ପରେ ବିଜେଡି ସଂଗଠନ ଶକ୍ତିଶାଳୀ ହେଉଥିଲା । ଦିନକୁ ଦିନ ବିକ୍ରମଙ୍କ ଲୋକପ୍ରିୟତା ବଢିବାରେ ଲାଗିଥିଲା । ଏହାକୁ ମନ୍ତ୍ରୀ ଓ ବିଜେପି ନେତା ମାନେ ସହ୍ୟ କରିପାରିଲେ ନାହିଁ । ବିକ୍ରମଙ୍କ ଲୋକପ୍ରିୟତାକୁ ସହ୍ୟ କରିନପାରି ଉଦ୍ଦେଶ୍ୟମୂଳକ ଭାବେ ଏକ ହତ୍ୟା ମାମଲାରେ ତାଙ୍କ ନାଁକୁ ଭର୍ତ୍ତି କରି ଗିରଫ କରାଯାଇଥିଲା । ପରିବହନ ମନ୍ତ୍ରୀ ବିବୃତି ରଖିବା ପୂର୍ବରୁ ହାଇକୋର୍ଟଙ୍କ ରିପୋର୍ଟକୁ ପଢ଼ନ୍ତୁ । ବିକ୍ରମଙ୍କ ଗିରଫଦାରୀ ଅସାମ୍ବିଧାନିକ ଥିଲା । ଯାହା ପାଇଁ ହାଇକୋର୍ଟ ବିକ୍ରମଙ୍କୁ ବେଲ ଦେଇଛନ୍ତି । ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ବିଜେଡିର ବିଶ୍ୱାସ ଅଛି । ବିକ୍ରମଙ୍କୁ ସମ୍ପୂର୍ଣ୍ଣ ଭାବେ ନ୍ୟାୟ ମିଳିବ ବୋଲି ଆଶା ଅଛି । ସତ୍ୟର ବିଜୟ ହେବ । ବେଲ ପାଇ ଆସିବା ସମର୍ଥକ ଉପସ୍ଥିତି ବିକ୍ରମଙ୍କ ଲୋକପ୍ରିୟତାକୁ ଦର୍ଶାଉଛି " ବୋଲି କହିଛନ୍ତି ପ୍ରତାପ ।


ପ୍ରତାପ ଆହୁରି ମଧ୍ୟ କହିଛନ୍ତି, "ମନ୍ତ୍ରୀ ବିଜେଡି ବାବଦରେ କହିବା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବିଜେପି-ବିଜେପି ମଧ୍ୟରେ ଚାଲିଥିବା ଲଢେଇକୁ ପ୍ରଥମେ ସମ୍ଭାଳନ୍ତୁ । ମନ୍ତ୍ରୀ କଣ ଜ୍ୟୋତିଷ ଶାସ୍ତ୍ର ଲେଖୁଛନ୍ତି କି ? ବିଜେପି ବାବଦରେ ଲୋକେ କଣ କହୁଛନ୍ତି, ଗାଁକୁ ଗଲେ ଜଣାପଡିଯିବ । ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପ୍ରତିକ୍ରିୟା ସଂଗ୍ରହ ହେଉ । ଲୋକେ ମନ୍ତ୍ରୀଙ୍କ ବାବଦରେ କଣ କହିବେ ତାହା ଜଣାପଡିବ” ବୋଲି କହିଛନ୍ତି ବିଜେଡି ନେତା ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : September 2, 2026 at 9:14 PM IST