ETV Bharat / politics

ଭଦ୍ରକ ରାଜନୀତିରେ ହଲଚଲ, ବିଜେପିରେ ମିଶିଲେ ମଣ୍ଡଳ ଦମ୍ପତି

ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଉଭୟ ମଣ୍ଡଳ ଦମ୍ପତିଙ୍କୁ ଦଳରୁ ନିଲମ୍ବନ କରିଥିଲା । ରିପୋର୍ଟ- ମନୋରଞ୍ଜନ ଶଙ୍ଖୁଆ

MUKTIKANTA MANDAL JOINS BJP
ଭଦ୍ରକ ରାଜନୀତିରେ ହଲଚଲ, ବିଜେପିରେ ମିଶିଲେ ମଣ୍ଡଳ ଦମ୍ପତି (ETV Bharat Odisha)
author img

By ETV Bharat Odisha Team

Published : July 2, 2026 at 10:27 AM IST

2 Min Read
Choose ETV Bharat

ଭୁବନେଶ୍ୱର: ଭଦ୍ରକ ରାଜନୀତିରେ ପୁଣି ହଲଚଲ । ବିଜେପିରେ ସାମିଲ ହେଲେ ମଣ୍ଡଳ ଦମ୍ପତି । ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ପଦ୍ମ ଧରିଛନ୍ତି । ସେହିପରି ଖଲ୍ଲିକୋଟ ବିଜେଡିକୁ ମଧ୍ୟ ଲାଗିଛି ଝଟକା । ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ଖଲ୍ଲିକୋଟ ଜିଲ୍ଲା ପରିଷଦ ସଦସ୍ୟ ସୋନମ ପଳାଇଙ୍କ ସମେତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ ।

ବିଜେପିର ବିଚାରଧାରାରେ ଅନୁପ୍ରାଣିତ ହୋଇ ଏବଂ ରାଜ୍ୟରେ ଡବଲଇଞ୍ଜିନ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକଟ କରି ଗତକାଲି ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ, ଧାମନଗର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଜେଡି ରାଜ୍ୟ ସମ୍ପାଦକ ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ନେତା ଶଶୀ କୁମାର ସାହୁ,ସିମୁଳିଆ ବିଜେଡି ବିଧାୟକ ପାର୍ଥିନୀ ସୁବାସିନୀ ସାହୁ, ଭଦ୍ରକ ପୌରପାଳିକାର ପୂର୍ବତନ ପରିଷଦ ପ୍ରଣୟ ଦାସ, ଭଦ୍ରକ ବିଜେଡିର ପୂର୍ବତନ ଜିଲ୍ଲା ସଭାପତିଙ୍କ ସମେତ ଅନେକ ନେତା ଓ କର୍ମୀ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ପୂର୍ବରୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଉଭୟ ମଣ୍ଡଳ ଦମ୍ପତିଙ୍କୁ ବିଜେଡି ନିଲମ୍ବନ କରିଥିଲା । ଏହାପରେ ଗତ ଏପ୍ରିଲ ୨୪ରେ ସେମାନେ ଶତାଧିକ ସମର୍ଥକଙ୍କ ସହ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।

ବିଜେପିକୁ ଭଦ୍ରକରେ ସଶକ୍ତ କରିବା ପାଇଁ କାମ କରିବି: ମୁକ୍ତିକାନ୍ତ
ବିଜେପି ମିଶିବା ପରେ ମୁକ୍ତିକାନ୍ତ ମଣ୍ଡଳ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି। ଆଗକୁ ବିଜେପି କିଭଳି ବଢିବ, ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପି କିଭଳି ଜିତିବ, ସେଥିପାଇଁ କାମ କରିବି। ମନମୋହନ ସାମଲଙ୍କ ନେତୃତ୍ୱରେ ମିଳିତ ହୋଇ ଆମେ ସମସ୍ତେ ଲଢେଇ କରିବା । ବିଜେପିକୁ ଭଦ୍ରକରେ ସଶକ୍ତ କରିବା ପାଇଁ କାମ କରିବି ।"


ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତରେ ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ ହୋଇପାରିଛି । ବିଜେପି ଶାସନରେ ସଂକଳ୍ପରୁ ସିଦ୍ଧି କାରଣରୁ ସମସ୍ତେ ଆଜି ବିଜେପିରେ ଯୋଗ ଦେଉଛନ୍ତି । ଦେଶର ୨୨ ରାଜ୍ୟରେ ବିଜେପି ଏବଂ ଏନ୍‌ଡିଏ ସରକାର ଅଛି । ସାଂସଦ, ବିଧାୟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରତିନିଧି ପର୍ଯ୍ୟନ୍ତ ସବୁଠି ବିଜେପି ଏକ ତରଫା ଭାବେ ଭାରତବର୍ଷରେ ଆଦୃତ ହୋଇଛି । ଓଡ଼ିିଶାରେ ଅନେକ ସମ୍ଭାବନା ରହିଛି, ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୧ନମ୍ବର ରାଜ୍ୟ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ସେ ଯେଉଁ ପ୍ରୟାସ ଜାରି ରଖିଛନ୍ତି, ସେଥିରେ ଓଡ଼ିଶାର ସର୍ବାଧିକ ଭାଗିଦାରୀ ରହିବ ।