ଆଜିଠୁ ବଜେଟ୍ ଅଧିବେଶନ; ମାଳ ମାଳ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସଜବାଜ
ସର୍ବଦଳୀୟ ବୈଠକରେ ଅଧିବେଶନକୁ ଶୃଙ୍ଖଳିତ ଚଳାଇବା ପାଇଁ ସରକାର ଅପିଲ କରିଛନ୍ତି । ସେପଟେ ମାଳ ମାଳ ପ୍ରସଙ୍ଗ ସହ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ତୟାର ।


Published : February 16, 2026 at 5:46 PM IST
ଭୁବନେଶ୍ୱର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ । ବଜେଟ ଅଧିବେଶନ ପୂର୍ବରୁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକରେ ଶୃଙ୍ଖଳିତ ଗୃହ ଚାଲିବା ନେଇ ବିରୋଧୀ ଦଳଙ୍କ ସହ ଆଲୋଚନା ହୋଇଛି । ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଅଧିବେଶନରେ କିଭଳି ଗୃହ ସୁରୁଖୁରୁରେ ଚାଲିବ ସେ ନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ବୋଲି ସୂଚନା ଦେଲେ ବାଚସ୍ପତି ସୁରମା ପାଢ଼ୀ । ତେବେ ବଜେଟ ଅଧିବେଶନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଣିବେ ରାଜ୍ୟ ସରକାର । ଚଳିତ ବର୍ଷର ବଜେଟ ୩ ଲଷ କୋଟି ଟପିବା ନେଇ ସୂଚନା ମିଳୁଛି ।
ବିଧାନସଭା ହେଉଛି ରାଜ୍ୟବାସୀଙ୍କ ଆଶା ଓ ବିଶ୍ୱାସର ପ୍ରତିଫଳନ। ଆସନ୍ତା ବିଧାନସଭା ଅଧିବେଶନକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା କରିବା ପାଇଁ ସମସ୍ତ ଦଳର ସକାରାତ୍ମକ ସହଯୋଗ ଓ ସମନ୍ୱୟ ଏକାନ୍ତ ଅପରିହାର୍ଯ୍ୟ ।
— Mohan Charan Majhi (@MohanMOdisha) February 16, 2026
ବିଧାନସଭା ଅଧିବେଶନ ପୂର୍ବରୁ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗଦେଇ ଗଠନମୂଳକ ଆଲୋଚନାରେ ଅଂଶଗ୍ରହଣ କଲି । ଜନସାଧାରଣଙ୍କ ସ୍ୱାର୍ଥ… pic.twitter.com/GeKIlKi6AA
ଗତକାଲି (ସୋମବାର) ବିଧାନସଭା ପରିସରରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ଥିଲେ । ସେହିଭଳି ବୈଠକରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର, ଶାସକ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଉପସ୍ଥିତ ଥିଲେ ।
ବଜେଟ ଅଧିବେଶନ ଆସନ୍ତାକାଲି, ଫେବୃଆରୀ ୧୭ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ଆନୁଷ୍ଠାନିକ ଭାବରେ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଯିଏ ଅର୍ଥମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରନ୍ତି, ଫେବୃଆରୀ ୨୦ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ । ୧୪ ଦିନ ବଜେଟ ଉପରେ ଖର୍ଚ୍ଚ ଦାବି ଆଲୋଚନା ହେବ । ୩୧ ତାରିଖରେ ଆପ୍ରୋପ୍ରିଏସନ ବିଲ ଆଣିବେ ସରକାର ।
ଦୁଇଟି ପର୍ଯ୍ୟାୟରେ ହେବ ବିଧାନସଭା ବଜେଟ ଅଧିବେଶନ-
ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ମୋଟ ୨୮ଟି କାର୍ଯ୍ୟଦିବସ ରହିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୭ ରୁ ଫେବୃଆରୀ ୨୪ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ରୁ ଏପ୍ରିଲ ୮ ପର୍ଯ୍ୟନ୍ତ । ଯେତେବେଳେ ଭାରତୀୟ ଜନତା ପାର୍ଟି ବିରୋଧୀ ଦଳରେ ଥିଲା ସେତେବେଳେ ସେମାନେ ନବୀନ ସରକାରକୁ ପ୍ରତିବାଦ କରୁଥିଲେ । ସର୍ବନିମ୍ନ ବାର୍ଷିକ ୬୦ ଦିନ ଗୃହ ଚାଲିବା ନେଇ ନିୟମ ରହିଛି । ଏବେ କ୍ଷମତାକୁ ଆସିବା ପରେ କି ବ୍ୟବସ୍ଥା ହାତକୁ ନେଉଛନ୍ତି ତା ଉପରେ ବିରୋଧୀଙ୍କ ନଜର ରହିଛି ।
ଆସନ୍ତା ଫେବୃଆରୀ ୧୭ ତାରିଖରୁ ଆରମ୍ଭ ହେବାକୁଥିବା ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ନିମନ୍ତେ ମାନନୀୟା ବାଚସ୍ପତି ଶ୍ରୀମତୀ @suramapadhybjp ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବ ଦଳୀୟ ବୈଠକରେ ମାନ୍ୟବର ଉପବାଚସ୍ପତି ଶ୍ରୀ @BhabaniSBhoi , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ସହ ଯୋଗଦେଲି।
— Dr. Mukesh Mahaling (@MahalingMukesh) February 16, 2026
ଏହି ବୈଠକରେ… pic.twitter.com/4X96WLP48q
ବିରୋଧୀ ଦଳ, ବିଜେଡି ଏବଂ କଂଗ୍ରେସ, ଧାନ କିଣା ପ୍ରସଙ୍ଗ, ମହାନଦୀ ଜଳ ବିବାଦ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ସମେତ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ରାଜ୍ୟରେ ଏବେ ଚାଷୀ ପ୍ରସଙ୍ଗ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି । ଧାନ କିଣାରେ ଟୋକେନ୍ ହେଉ କିମ୍ବା କଟନୀ ଛଟନୀ ଚାଷୀଙ୍କ ସହ ସରକାର ଉପହାସ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିରୋଧୀ । ବିରୋଧୀଙ୍କ ଆକ୍ରମଣର ମୁକାବିଲା କରିବା ପାଇଁ ଶାସକ ବିଜେପି ତାର ରଣନୀତି ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ଚାଷୀ ସମସ୍ୟା ସହ ମହାନଦୀ ଜଳ ବିବାଦ, ଧାନ ମଣ୍ଡି ସମସ୍ୟା ମଧ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇପାରେ । ଖଣି ଦୁର୍ନୀତି, ସାମାଜିକ ବ୍ୟବସ୍ଥା, ପୂର୍ବବର୍ଷ ବଜେଟ ଖର୍ଚ୍ଚ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ କରିପାରନ୍ତି ବିରୋଧୀ । ତେବେ ବିଧାନସଭା ବଜେଟ ଅଧିବେଶନରେ ଉଭୟ ବିଜେଡି ଏବଂ କଂଗ୍ରେସ ଏହି ପ୍ରସଙ୍ଗକୁ ପ୍ରମୁଖ ମୁଦ୍ଦା ଜରିବ ବୋଲି ବିରୋଧୀଙ୍କ ପ୍ରତିକ୍ରିୟାରୁ ହିଁ ସ୍ପଷ୍ଟ ହେଉଛି । ସେପଟେ ବିଜେଡ଼ିରୁ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ ନିଲମ୍ବିତ ହେବା ପରେ ସେମାନଙ୍କ ଆଭିମୁଖ୍ୟ କଣ ରହିବ ସେ ମଧ୍ୟ ଦେଖିବାର ଅଛି ।
ସର୍ବଦଳୀୟ ବୈଠକ ନେଇ କଣ କହୁଛି ବିଜୁ ଜନତା ଦଳ ଆସନ୍ତୁ ଶୁଣିବା...
ବିଧାନସଭାରେ ଏଥର ଚାଷୀ ପ୍ରସଙ୍ଗକୁ ବ୍ୟାପକ କରିବ ବିଜୁ ଜନତା ଦଳ । ଆଜି ବିଧାନସଭାରେ ସର୍ବଦଳୀୟ ବୈଠକ ପରେ ଚାଷୀ ସମସ୍ୟା ନେଇ ବିଜେଡି କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କହିଛି ବିଜେଡି । "ପ୍ରତ୍ୟକ ବ୍ଲକ, ମଣ୍ଡିରେ ଚାଷୀମାନେ କିଭଳି ହନ୍ତସନ୍ତ ହେଉଛନ୍ତି ସେ କଥା ଆମେ ଉଠାଇବୁ । ବଜେଟରେ କେତେ ଖର୍ଚ୍ଚ କରିଛନ୍ତି ସରକାର ତାକୁ ନେଇ ଆମେ ପରବର୍ତ୍ତୀ ଆଲୋଚନା କରିବୁ।ବହୁ ପ୍ରସଙ୍ଗ ରହିଛି ସେ କଥା ମଧ୍ୟ ଉଠିବ । ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଆଲୋଚନା ମଧ୍ୟ ହୋଇଛି । ବିଧାନସଭା କିଭକି ଶୃଙ୍ଖଳିତ ଚାଲିବ ସେନେଇ ସେ ଅନୁରୋଧ କରିଥିଲେ," ବୋଲି କହିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
କଂଗ୍ରେସ ଆଭିମୁଖ୍ୟ ଉପରେ ରାଜ୍ୟବାସୀଙ୍କ ନଜର-
ବିଧାନସଭାରେ ଆଲୋଚନା ବେଳେ କିଏ କେତେ ସମୟ ନେବେ, ବିରୋଧୀଙ୍କୁ କେତେ ସମୟ ଦିଆଯିବ, ଶାସକ ଦଳ ପକ୍ଷରୁ ଆଲୋଚନା ବେଳେ ବଜେଟକୁ ନେଇ କିଭଳି ବିରୋଧୀଙ୍କ ଆଭିମୁଖ୍ୟକୁ ପରିଚାଳନା କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି।ବିଶେଷକରି କଂଗ୍ରେସର କଣ ଆଭିମୁଖ୍ୟ ରହିବ, ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି । କଂଗ୍ରେସର ଟ୍ରମ୍ପ କାର୍ଡ କୁହାଯାଉଥିବା ତାରା ବାହିନୀପତି ଅସୁସ୍ଥତା କାରଣରୁ ତାଙ୍କ ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି । ରମେଶ ଜେନା କେଉଁଭଳି କାର୍ଯ୍ୟ କରିବେ ସେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଧାନସଭାରେ ନବାଗତ ଭାବେ ନିଜର ବଳିଷ୍ଠ ଉପସ୍ଥାପନ ଶୈଳୀରେ ସରକାରଙ୍କୁ ଅଡ଼ୁଆରେ ପକାଉଥିବା ସୋଫିଆଙ୍କ ପ୍ରଦର୍ଶନକୁ ଏବେ ଅପେକ୍ଷା । କାରଣ ମହମ୍ମଦ ମୋକିମଙ୍କ ବିଦ୍ରୋହ ପରେ ସୋଫିଆଙ୍କ ଆଭିମୁଖ୍ୟ ଜଣ ରହିବ ତା ଉପରେ ରହିଛି ସମସ୍ତଙ୍କ ନଜର । ସୋଫିଆ ପୂର୍ବଭଳି ସରକାରୀ ବିରୋଧୀ ସ୍ବର ଶାଣିତ କରିବେ କି ନାହିଁ ତାଙ୍କ ଉପରେ ମଧ୍ୟ ନଜର ରହିଛି ।
"ଆମେ ସଂସଦୀୟ ପ୍ରକ୍ରିୟାରେ ଅଛି ସେମିତି ସହଯୋଗ କରିବୁ । ଯେମିତି ପାତର ଅନ୍ତର ବେବନାହିଁ ସେ କଥା ଆଲୋଚନା ହେଲା।କୋଟିଆ ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ । କେନ୍ଦ୍ର ,ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ରହିଛି ସେ ବିଷୟରେ ଆଲୋଚନା ହେଲା । ଆଜି କଂଗ୍ରେସ ବିଧାୟକ ଦଳର ବୈଠକ ପରେ କଣ ପ୍ରସଙ୍ଗ ରହିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ," ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ।
ତେବେ କେନ୍ଦ୍ରାପଡାରେ ଦଳିତ ପ୍ରସଙ୍ଗକୁ ନେଇ ଜାତୀୟ ସ୍ତରରେ ଯେଉଁ ଚର୍ଚ୍ଚା ହେଉଛି ସେ ପ୍ରସଙ୍ଗ ମଧ୍ୟ ଉଠାଇବୁ ବୋଲି କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ କହିଛନ୍ତି।
ଚଳିତ ବଜେଟ ଅଧିବେଶନ କିଭଳି ସୁରୁଖୁରୁରେରେ ଚାଲିବ ସେନେଇ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହଲିଙ୍ଗ କହିଛନ୍ତି, "ସର୍ବଦଳୀୟ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ ଗୃହ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସମସ୍ତଙ୍କ ସହଯୋଗ ଲୋଡାଗଲା । ଆସନ୍ତାକାଲି ରାଜ୍ୟପାଳ ଅଭିଭାଷଣ ରଖିବେ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହେଲା । ଆସନ୍ତା ୨୦ ତାରିଖ ବଜେଟ ,୧୪ ଦିନ ବଜେଟ ଉପରେ ଖର୍ଚ୍ଚ ଦାବି ଆଲୋଚନା ହେବ । ୩୧ ତାରିଖରେ ଆପ୍ରୋପ୍ରିଏସନ ବିଲ ଆଣିବେ ସରକାର," ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ସୁଭଦ୍ରା ଯୋଜନା ଭଳି ପାଇଲଟ ଯୋଜନାକୁ କେତେ ପ୍ରାଧାନ୍ୟ ମିଳୁଛି, କେଉଁ ନୂଆ ଯୋଜନା ଆଣୁଛନ୍ତି ସରକାର ତାହା ଉପରେ ମଧ୍ୟ ରହିଛି ତୀକ୍ଷ୍ଣ ନଜର ।
ଇଟିଭି ଭାରତ, ଭୁବନେଶ୍ୱର

