ETV Bharat / opinion

କାହିଁକି ଭାରତ ବିଶ୍ୱର ସବୁଠୁ ଉଷ୍ଣ ଦେଶରେ ପରିଣତ ହେଲା: ମୂଳ କାରଣ ଓ ମାନବୀୟ ତ୍ରୁଟି

ବିଶେଷଜ୍ଞମାନଙ୍କ ମତରେ, ଭାରତକୁ ତୁରନ୍ତ ସହର ଯୋଜନା, ସବୁଜ ଅଞ୍ଚଳ ସୁରକ୍ଷା, ଜଳାଶୟ ସଂରକ୍ଷଣ, ପରିବେଶମୁଖୀ ପରିବହନ ଓ ନଗର ବିକାଶ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ।

CLIMATE CHANGE INDIA
କାହିଁକି ଭାରତ ବିଶ୍ୱର ସବୁଠୁ ଉଷ୍ଣ ଦେଶରେ ପରିଣତ ହେଲା: ମୂଳ କାରଣ ଓ ମାନବୀୟ ତ୍ରୁଟି (AFP)
author img

By C P Rajendran

Published : May 11, 2026 at 3:31 PM IST

3 Min Read
Choose ETV Bharat

ଲେଖକ - ସିପି ରାଜେନ୍ଦ୍ରନ

ଭାରତୀୟ ପାଣିପାଗ ବିଭାଗ (IMD)ର ରିଆଲ୍-ଟାଇମ୍ ତଥ୍ୟ ଅନୁଯାୟୀ, ବିଶ୍ୱର ସର୍ବାଧିକ ୧୦୦ଟି ଉଷ୍ଣ ସହର ମଧ୍ୟରୁ ୯୫ରୁ ୯୮ଟି ସହର ଭାରତରେ ଅବସ୍ଥିତ। ଭାରତର ବର୍ତ୍ତମାନର ଅତ୍ୟଧିକ ଉଷ୍ଣତା ପଛରେ ଅନେକ କାରଣ ରହିଛି। ମୁଖ୍ୟତଃ ମେଘ ନଥିବା, ପବନ ଗତି କମ୍ ଥିବା ଏବଂ ଉଚ୍ଚ ଚାପ ବଳୟ (High Pressure System) ଗଠିତ ହୋଇ ତାପକୁ ଭୂପୃଷ୍ଠ ନିକଟରେ ଅଟକାଇ ରଖୁଛି। ଉତ୍ତର ଓ ପୂର୍ବ ଭାରତ ଉପରେ “ହିଟ୍ ଡୋମ୍” (Heat Dome) ଗଠିତ ହୋଇଛି। ଏହା ଗରମ ବାୟୁକୁ ଉପରକୁ ଯିବାକୁ ଦେଉନାହିଁ ଏବଂ ଉଚ୍ଚ ଚାପ ପୁଣି ସେହି ତାପକୁ ଭୁପୃଷ୍ଠକୁ ଫେରାଇ ଦେଉଛି। ସେଥିପାଇଁ ମେଡିଟେରେନିଆନ୍ ଅଞ୍ଚଳରୁ ଆସୁଥିବା “ୱେଷ୍ଟର୍ନ ଡିଷ୍ଟର୍ବାନ୍ସ” ଦୁର୍ବଳ ପଡ଼ିଥିବାରୁ ପାହାଡିଆ ଅଞ୍ଚଳରେ ବରଫପାତ ଓ ଉତ୍ତର ଭାରତରେ ବର୍ଷା ପରିମାଣ ହ୍ରାସ ପାଇଯାଇଛି।

୨୦୨୬ ଏପ୍ରିଲ୍ ସୁଦ୍ଧା ଉତ୍ତର ପ୍ରଦେଶର ବାନ୍ଦା, ପ୍ରୟାଗରାଜ ଏବଂ ରାଜସ୍ଥାନର ବିଭିନ୍ନ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିଅସ୍ ଉପରେ ରେକର୍ଡ ହେଉଛି। ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିଅସ୍ କିମ୍ବା ପାହାଡ଼ିଆ ଅଞ୍ଚଳରେ ୩୦ ଡିଗ୍ରୀ ସେଲସିଅସ୍ ଅତିକ୍ରମ କଲେ “ହିଟ୍ ଓ୍ବେଭ୍” ଘୋଷଣା କରାଯାଏ। ଭାରତରେ ସାଧାରଣତଃ ମାର୍ଚ୍ଚରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହୋଇଥାଏ ଏବଂ କେବେ କେବେ ଏହା ଜୁଲାଇ ପର୍ଯ୍ୟନ୍ତ ଚାଲିଥାଏ। ପ୍ରତିବର୍ଷ ଉତ୍ତର ଭାରତରେ ସାଧାରଣତଃ ୫ରୁ ୬ଟି ଗ୍ରୀଷ୍ମ ପ୍ରବାହ ଜନିତ ଘଟଣା ଦେଖାଯାଇଥାଏ। ୨୦୧୬ ମସିହାରେ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଗୁଜରାଟ୍‌ରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଦେଖାଦେଇଥିଲା।

ହିଟ୍ ଡୋମ୍ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ

ଇଣ୍ଡୋ-ଗାଙ୍ଗେଟିକ୍ ସମତଳ ଏବଂ ମଧ୍ୟ ଭାରତ ଉପରେ ଦୀର୍ଘସ୍ଥାୟୀ ଉଚ୍ଚ ଚାପ ବଳୟ ରହିଛି। ଏହା ଗରମ ବାୟୁକୁ ଅଟକାଇ ରଖିବା ସହ ମେଘ ଗଠନ ପ୍ରକ୍ରିୟାକୁ ବାଧା ଦେଉଛି। ଫଳରେ ପୂର୍ବ-ମୌସୁମୀ ବର୍ଷା କମି ଯାଇ ଶୁଷ୍କ ଗରମ ବୃଦ୍ଧି ପାଇଛି। ଏହା ସହିତ ଅଯୋଜିତ ସହରୀକରଣ ବଡ଼ ଭୂମିକା ନେଉଛି। ସବୁଜ ଅଞ୍ଚଳକୁ କଙ୍କ୍ରିଟ୍, ଡାମ୍ବର ଓ କାଚର ଭବନ ଦ୍ୱାରା ପରିବର୍ତ୍ତନ କରାଯାଇଛି। ଏହି ପଦାର୍ଥଗୁଡ଼ିକ ଦିନରେ ଅଧିକ ତାପ ଶୋଷଣ କରି ରାତିରେ ଧୀରେ ଧୀରେ ଛାଡ଼ିଥାନ୍ତି, ଯାହା ସହରକୁ ଗ୍ରାମାଞ୍ଚଳ ତୁଳନାରେ ଅଧିକ ଉଷ୍ଣ କରିଥାଏ। ଗଛମାନଙ୍କ ସଂଖ୍ୟା କମିଯାଇଥିବାରୁ ପ୍ରାକୃତିକ ବାଷ୍ପୀଭବନ ପ୍ରକ୍ରିୟା (Evapotranspiration) ହ୍ରାସ ପାଇଛି, ଯାହା ପରିବେଶକୁ ସ୍ୱାଭାବିକ ଭାବେ ଶୀତଳ କରିଥାଏ।

ମାନବ ସୃଷ୍ଟ ଉଷ୍ଣତା

ବିଶେଷଜ୍ଞମାନେ ଭାରତର ପରିସ୍ଥିତିକୁ “ହାଇବ୍ରିଡ୍ ଡିଜାଷ୍ଟର” ବୋଲି ବର୍ଣ୍ଣନା କରୁଛନ୍ତି। ଅର୍ଥାତ୍ ବିଶ୍ୱ ଜଳବାୟୁ ପରିବର୍ତ୍ତନ ଓ ସ୍ଥାନୀୟ ତ୍ରୁଟିପୂର୍ଣ୍ଣ ନୀତିର ସଂଯୁକ୍ତ ପ୍ରଭାବ। ଅଧ୍ୟୟନ ଅନୁଯାୟୀ, ସହରାଞ୍ଚଳଗୁଡ଼ିକ ଗ୍ରାମାଞ୍ଚଳ ତୁଳନାରେ ୪୫% ଦ୍ରୁତ ଉଷ୍ଣ ହେଉଛି। ବୃକ୍ଷରାଜି ତାପମାତ୍ରାକୁ ୧୦ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ କମାଇପାରେ। କିନ୍ତୁ ଅନିୟନ୍ତ୍ରିତ ଭାବେ ଗଛ କାଟିବା ଓ ଜଳାଶୟ ଧ୍ୱଂସ କରିବା ଫଳରେ ସ୍ୱାଭାବିକ ଶୀତଳତା ନଷ୍ଟ ହେଉଛି। ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଓ ଚେନ୍ନାଇ ପରି ସହରଗୁଡ଼ିକ “ହିଟ୍ ଆଇଲ୍ୟାଣ୍ଡ”ରେ ପରିଣତ ହୋଇଛି। ଜଳାଶୟ, ହ୍ରଦ ଓ ଜଳଭୂମି ନଷ୍ଟ ହେବାରୁ ସହରର ସ୍ୱାଭାବିକ ଶୀତଳ ପରିବେଶ ହ୍ରାସ ପାଇଛି।

ବୃକ୍ଷ ଓ ଜଙ୍ଗଲ ହ୍ରାସ

ମୁମ୍ବାଇ କୋଷ୍ଟାଲ୍ ରୋଡ୍ ପ୍ରକଳ୍ପ ପାଇଁ ୪୫ ହଜାରରୁ ଅଧିକ ମ୍ୟାଙ୍ଗ୍ରୋଭ୍(ହେନ୍ତାଳ ବନ/ଲୁଣା ଜଙ୍ଗଲ) ଗଛ କାଟିବାକୁ ଅନୁମତି ମିଳିଛି। ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ପାଇଁ ମହାରାଷ୍ଟ୍ରରେ ହଜାର ହଜାର ମ୍ୟାଙ୍ଗ୍ରୋଭ୍ ଗଛ ନଷ୍ଟ ହେଉଛି। ଗ୍ରେଟ୍ ନିକୋବାର ପ୍ରକଳ୍ପ ପାଇଁ ପ୍ରାୟ ୧୦ ଲକ୍ଷ ଗଛ କାଟିବା ଚିହ୍ନଟ ହୋଇଛି। ଚାରଧାମ ରୋଡ୍ ପ୍ରକଳ୍ପ ପାଇଁ ଉତ୍ତରାଖଣ୍ଡରେ ୫୬ ହଜାରରୁ ଅଧିକ ଗଛ କଟାଯାଇଛି। ସେହିପରି କେନ୍-ବେତୱା ନଦୀ ସଂଯୋଗ ପ୍ରକଳ୍ପ ପାଇଁ ପ୍ରାୟ ୨୩ ଲକ୍ଷ ଗଛ କାଟିବା ସମ୍ଭାବନା ରହିଛି।

ଜଳଭୂମିର ହ୍ରାସ

ହାଇଦ୍ରାବାଦର ୬୧% ହ୍ରଦ ଅଞ୍ଚଳ ନଷ୍ଟ ହୋଇଛି। ବେଙ୍ଗାଲୁରୁରେ ୮୦୦ରୁ ଅଧିକ ହ୍ରଦ ଶୁଖି ସାରିଛି। ଚେନ୍ନାଇର ୮୫%ରୁ ୯୦% ଜଳଭୂମି ସହରୀକରଣରେ ନଷ୍ଟ ହୋଇଛି। କୋଲକାତାର ପୂର୍ବ ଜଳଭୂମି ଅଞ୍ଚଳ ୬୩% ପର୍ଯ୍ୟନ୍ତ କମିଯାଇଛି। ଜଳଭୂମି ଓ ହ୍ରଦଗୁଡ଼ିକ ପ୍ରାକୃତିକ “ଏୟାର କଣ୍ଡିସନର୍” ଭଳି କାମ କରେ। ଏଗୁଡ଼ିକ ଚାରିପାଖର ଅଞ୍ଚଳକୁ ୮୦୦ ମିଟରରୁ ୧ କିଲୋମିଟର ପର୍ଯ୍ୟନ୍ତ ଶୀତଳ ରଖିପାରେ।

ଭବିଷ୍ୟତ ପାଇଁ ସତର୍କ ସଙ୍କେତ

୨୦୧୧ରୁ ୨୦୩୬ ମଧ୍ୟରେ ଭାରତର ସହର ଅଞ୍ଚଳରେ ଆହୁରି ୨୧.୭ କୋଟି ଲୋକ ଯୋଗ ହେବେ। ବର୍ତ୍ତମାନ ଭାରତର ଅନେକ ସହର ବିଶ୍ୱର ସବୁଠୁ ପ୍ରଦୂଷିତ, ଯାତାୟାତ ଜନିତ ଅସୁବିଧାପୂର୍ଣ୍ଣ ଓ ଉଷ୍ଣ ସହରମାନଙ୍କ ମଧ୍ୟରେ ଗଣାଯାଉଛି। ବିଶେଷଜ୍ଞମାନଙ୍କ ମତରେ, ଭାରତକୁ ତୁରନ୍ତ ସହର ଯୋଜନା, ସବୁଜ ଅଞ୍ଚଳ ସୁରକ୍ଷା, ଜଳାଶୟ ସଂରକ୍ଷଣ, ପରିବେଶମୁଖୀ ପରିବହନ ଓ ଅନୁକୂଳ ନଗର ବିକାଶ ଦିଗରେ ଗୁରୁତ୍ୱ ଦେବା ଆବଶ୍ୟକ। ନହେଲେ ଭବିଷ୍ୟତରେ ଭାରତ ପ୍ରାକୃତିକ ସମ୍ବଳର ଅବକ୍ଷୟ ଭଳି ସଙ୍କଟର ସମ୍ମୁଖୀନ ହେବ।

ଏହା ମଧ୍ୟ ପଢନ୍ତୁ...OPINION: ଅପରେସନ ସିନ୍ଦୂରର ଏକ ବର୍ଷ ପରେ...କିପରି ବଦଳୁଛି ଭାରତର ସାମରିକ ଚିନ୍ତାଧାରା

ଏହା ମଧ୍ୟ ପଢନ୍ତୁ...ପଶ୍ଚିମ ଏସିଆ ବିବାଦ: ଭାରତ ଉପରେ ଏହାର ପ୍ରଭାବ ଓ କ'ଣ ରହିଛି ସରକାରୀ ନୀତି