ଆମେରିକା-ଚୀନ୍ ଏବଂ ରୁଷ ସମ୍ମିଳନୀ; କଣ ରହିଛି ଭାରତ ପାଇଁ ବର୍ତ୍ତା ?
ଟ୍ରମ୍ପ-ଜିନପିଙ୍ଗ ଓ ଜିନପିଙ୍ଗ-ପୁଟିନ ବୈଠକ ଆଧାରରେ ଅନେକ ପର୍ଯ୍ୟବେକ୍ଷକ ଏହି ନିଷ୍କର୍ଷ କାଢିଛନ୍ତି ଯେ ଚୀନ-ଆମେରିକା ଶିଖର ସମ୍ମିଳନୀର ସୀମିତ ସଫଳତା ତୁଳନାରେ ଚୀନ୍-ରୁଷ ସମ୍ପର୍କ ଅଧିକ ମଜବୁତ ଏବଂ ଦୃଢ଼ ମନେହେଉଛି।


Published : June 7, 2026 at 8:48 PM IST
ଚୀନ୍, ରୁଷ ଏବଂ ଆମେରିକାକୁ ନେଇ ସମ୍ପ୍ରତି ହୋଇଥିବା କୂଟନୈତିକ ବୁଝାମଣାଗୁଡ଼ିକ ଭବିଷ୍ୟତର ଶକ୍ତି ସନ୍ତୁଳନକୁ ନେଇ ଏକ ବିତର୍କ ସୃଷ୍ଟି କରିଛି। ୨୦୨୬ ମେ ୧୪ ରୁ ୧୫ ରେ ବେଜିଂଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ଶିଖର ସମ୍ମିଳନୀ, ଏବଂ ଏହାର ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ଆଲୋଚନା ଆହୁରି ତୀବ୍ର ହୋଇଛି।
କେତେକ ସମୀକ୍ଷକ ଏହି ଘଟଣାକ୍ରମକୁ ଆମେରିକା ବିରୁଦ୍ଧରେ ଏକ ଶକ୍ତିଶାଳୀ ଚୀନ୍-ରୁଷ ମେଣ୍ଟ ଗଠନ ହେବାର ପ୍ରମାଣ ଭାବରେ ଦେଖୁଛନ୍ତି। ଅନ୍ୟମାନେ ଯୁକ୍ତି ବାଢ଼ିଛନ୍ତି ଯେ, ଆମେରିକାର ଶକ୍ତି ଏବଂ ମେଣ୍ଟ ଅଦ୍ୱିତୀୟ ହୋଇ ରହିଛି। ପ୍ରକୃତ ସତ୍ୟ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀ ମତାମତ ମଧ୍ୟରେ କେଉଁଠି ନା କେଉଁଠି ରହିଛି।

ଦୁଇଟି ଶିଖର ସମ୍ମିଳନୀ, ଦୁଇଟି ଭିନ୍ନ ଉଦ୍ଦେଶ୍ୟ
ଟ୍ରମ୍ପ-ଜିନପିଙ୍ଗ ଶିଖର ସମ୍ମିଳନୀରୁ କୌଣସି ଐତିହାସିକ ସଫଳତାର ଆଶା ନଥିଲା। ଏହାର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ସମ୍ପର୍କକୁ ସ୍ଥିର କରିବା ଏବଂ ସେଗୁଡ଼ିକୁ ଅନିୟନ୍ତ୍ରିତ ମୁହାଁମୁହିଁ ପରିସ୍ଥିତିରେ ପରିଣତ ହେବାରୁ ରୋକିବା। ଉଭୟ ପକ୍ଷ ସାମାନ୍ୟ ଆଶା ସହିତ ଆଲୋଚନାରେ ସାମିଲ ହୋଇଥିଲେ। ତାଇୱାନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ପ୍ରତିବନ୍ଧକ ଏବଂ ଆଞ୍ଚଳିକ ସୁରକ୍ଷା ଉପରେ ପ୍ରମୁଖ ମତଭେଦଗୁଡ଼ିକ ଅସମାହିତ ହୋଇ ରହିଲା।
ଜିନପିଙ୍ଗ-ପୁଟିନ ବୈଠକର ସ୍ୱରୂପ ଭିନ୍ନ ଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ଥାପିତ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବା। ଉଭୟ ନେତା ଏକ ଯୌଥ ବିବୃତି ଜାରି କରିଥିଲେ ଏବଂ ଅନେକ ସହଯୋଗ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ସେମାନେ ଅର୍ଥନୈତିକ, ବୈଷୟିକ ଏବଂ କୂଟନୈତିକ କ୍ଷେତ୍ରରେ ଗଭୀର ସମନ୍ୱୟ ରକ୍ଷା କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସାର୍ବଜନୀନ ଭାବେ ଦୋହରାଇଥିଲେ। ଏହି ପ୍ରତ୍ୟକ୍ଷ ପରିଣାମ ଆଧାରରେ ଅନେକ ପର୍ଯ୍ୟବେକ୍ଷକ ଏହି ନିଷ୍କର୍ଷ କାଢିଛନ୍ତି ଯେ ଟ୍ରମ୍ପ-ଜିନପିଙ୍ଗ ଶିଖର ସମ୍ମିଳନୀର ସୀମିତ ସଫଳତା ତୁଳନାରେ ଚୀନ୍-ରୁଷ ସମ୍ପର୍କ ଅଧିକ ମଜବୁତ ଏବଂ ଦୃଢ଼ ମନେହେଉଛି।
ମେଣ୍ଟରେ ପରିଣତ ହେବାକୁ ଯାଉଛି କି ଚୀନ୍-ରୁଷ ସହଭାଗୀତା?
ଅନେକ ବିଶ୍ଳେଷଣ ଚୀନ୍ ଏବଂ ରୁଷକୁ ଏକ ସଂଗଠିତ ପଶ୍ଚିମ-ବିରୋଧୀ ଗୁଟ୍ (ମେଣ୍ଟ) ଭାବରେ ଚିତ୍ରିତ କରନ୍ତି। ତେବେ, ‘ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍’ ଏବଂ ‘ଚ୍ୟାଥମ୍ ହାଉସ୍’ ଭଳି ପ୍ରମୁଖ ରଣନୀତିକ ସଂସ୍ଥାଗୁଡ଼ିକ ଦର୍ଶାନ୍ତି ଯେ ଚୀନ୍ ଏବଂ ରୁଷ ଚୁକ୍ତିବଦ୍ଧ ସହଯୋଗୀ ନୁହନ୍ତି, ବରଂ ଅଂଶୀଦାର ଅଟନ୍ତି। ନାଟୋ (NATO) ସଦସ୍ୟମାନଙ୍କ ବିପରୀତ, କୌଣସି ସଂଘର୍ଷ ସମୟରେ ଅନ୍ୟ ଦେଶକୁ ସାମରିକ ସହାୟତା ପ୍ରଦାନ କରିବାର କୌଣସି ବାଧ୍ୟବାଧକତା ଦୁହିଁଙ୍କ ମଧ୍ୟରୁ କାହାରି ଉପରେ ନାହିଁ। ତାଇୱାନ ଏହାର ଏକ ଉପଯୋଗୀ ଉଦାହରଣ। ଯଦି ତାଇୱାନ ଜଳଡମରୁ ମଧ୍ୟରେ କୌଣସି ସଙ୍କଟ ସୃଷ୍ଟି ହୁଏ, ତେବେ ଚୀନ୍ ସହିତ ମିଶି ଲଢିବା ପାଇଁ ରୁଷ ଉପରେ କୌଣସି ଆନୁଷ୍ଠାନିକ ବାଧ୍ୟବାଧକତା ନାହିଁ। ସେହିପରି, ୟୁକ୍ରେନ ଯୁଦ୍ଧ ସମୟରେ ମସ୍କୋକୁ ରାଜନୈତିକ ଏବଂ ଅର୍ଥନୈତିକ ସହାୟତା ପ୍ରଦାନ କରିବା ସତ୍ତ୍ୱେ, ଚୀନ୍ ପ୍ରତ୍ୟକ୍ଷ ସାମରିକ ହସ୍ତକ୍ଷେପରୁ ସତର୍କତାର ସହ ଦୂରେଇ ରହିଛି। ଏଥିରୁ ଜଣାପଡେ ଯେ ଉଭୟ ଦେଶ ବାଧ୍ୟତାମୂଳକ ଗଠବନ୍ଧନର ପ୍ରତିବଦ୍ଧତା ଅପେକ୍ଷା ରଣନୀତିକ ନମନୀୟତାକୁ ଅଧିକ ଗୁରୁତ୍ୱ ଦିଅନ୍ତି।
କାହିଁକି ଦୃଢ଼ ହେଉଛି ସହଭାଗୀତା
ଆନୁଷ୍ଠାନିକ ମେଣ୍ଟର ଅଭାବ ସତ୍ତ୍ୱେ, ଚୀନ୍-ରୁଷ ସମ୍ପର୍କ ଆଜି ଶୀତଳ ଯୁଦ୍ଧ ପରଠାରୁ ଯେକୌଣସି ସମୟ ତୁଳନାରେ ଅଧିକ ମଜବୁତ ରହିଛି। ଉଭୟ ଦେଶ ଆମେରିକାର ବୈଶ୍ୱିକ ପ୍ରଭାବକୁ ନେଇ ଚିନ୍ତିତ ଅଛନ୍ତି। ଉଭୟ ଦେଶ ସେହି ଆନ୍ତର୍ଜାତୀୟ ବ୍ୟବସ୍ଥାର ବିରୋଧ କରନ୍ତି, ଯାହାକୁ ସେମାନେ ଆମେରିକା-ପ୍ରଭୁତ୍ୱସମ୍ପନ୍ନ ବୋଲି ଦର୍ଶାନ୍ତି। ଉଭୟ ଦେଶ ଏକ ଅଧିକ ବହୁମୁଖୀ (ବହୁଧ୍ରୁବୀୟ) ବିଶ୍ୱର ଓକିଲାତି କରନ୍ତି, ଯେଉଁଠାରେ ଶକ୍ତି ୱାଶିଂଟନରେ କେନ୍ଦ୍ରୀଭୂତ ହେବା ବଦଳରେ ଅନେକ ପ୍ରମୁଖ ଦେଶ ମଧ୍ୟରେ ବିଭାଜିତ ହେଉ। ଅର୍ଥନୈତିକ ସ୍ୱାର୍ଥ ମଧ୍ୟ ଏହି ସମ୍ପର୍କକୁ ସୁଦୃଢ଼ କରେ। ଚୀନକୁ ରୁଷର ଶକ୍ତି, କଞ୍ଚାମାଲ ଏବଂ ରଣନୀତିକ ଗଭୀରତା ପର୍ଯ୍ୟନ୍ତ ସୁରକ୍ଷିତ ପ୍ରବେଶର ଆବଶ୍ୟକତା ରହିଛି। ରୁଷକୁ ଚୀନ୍ ବଜାର, ପ୍ରଯୁକ୍ତିବିଦ୍ୟା, ଅର୍ଥ ଏବଂ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଏହି ପାରସ୍ପରିକ ସ୍ୱାର୍ଥ ନିରନ୍ତର ସହଯୋଗ ପାଇଁ ଏକ ମଜବୁତ ଭିତ୍ତିଭୂମି ପ୍ରଦାନ କରେ।
ତଥାପି ସମ୍ପର୍କ ଦୃଢତା ଭିତରେ ଲୁଚି ରହିଛି ଦୁର୍ବଳତା
ତଥାପି, ଏହି ସହଭାଗିତାରେ କିଛି ଦୁର୍ବଳତା ରହିଛି। ସବୁଠାରୁ ବଡ଼ ଆହ୍ୱାନ ହେଉଛି ବଢୁଥିବା ଅସମାନତା। ଚୀନର ଅର୍ଥନୀତି ଏବେ ରୁଷର ଅର୍ଥନୀତି ତୁଳନାରେ ଅନେକ ଗୁଣ ଅଧିକ । ୟୁକ୍ରେନ ଯୁଦ୍ଧ ପରେ ପାଶ୍ଚାତ୍ୟ ପ୍ରତିବନ୍ଧକଗୁଡ଼ିକ ବେଜିଂ ଉପରେ ମସ୍କୋର ନିର୍ଭରଶୀଳତାକୁ ବଢ଼ାଇ ଦେଇଛି। ଚୀନ୍ ହେଉଛି ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ପ୍ରଯୁକ୍ତିବିଦ୍ୟା ଓ ଶିଳ୍ପ ସମ୍ପଦର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଏହି ସମ୍ପର୍କରେ, ଯେଉଁଠି ଗୋଟିଏ ପଟେ ମସ୍କୋକୁ ଚୀନ୍ ସମର୍ଥନରୁ ଲାଭ ମିଳୁଛି, ସେହିପରି ଅନ୍ୟପଟେ ଅତ୍ୟଧିକ ନିର୍ଭରଶୀଳତା ଧୀରେ ଧୀରେ ରୁଷର ରଣନୀତିକ ସ୍ୱାଧୀନତାକୁ ହ୍ରାସ କରିପାରେ। ଏହି ଅସନ୍ତୁଳନ ଭବିଷ୍ୟତରେ ବିବାଦର କାରଣ ସାଜିପାରେ। ଐତିହାସିକ ଭାବେ, ଚୀନ୍ ଏବଂ ରୁଷ ମଧ୍ୟରେ ସୀମା ବିବାଦ, ବୈଚାରିକ ପ୍ରତିଦ୍ୱନ୍ଦ୍ୱିତା ଏବଂ ପୂର୍ବ ଓ ମଧ୍ୟ ଏସିଆରେ ପ୍ରଭାବ ବିସ୍ତାର ପାଇଁ ପ୍ରତିଯୋଗିତା ରହିଆସିଛି। ଯଦିଓ ବର୍ତ୍ତମାନର ନେତୃତ୍ୱଙ୍କ ମଧ୍ୟରେ ସମ୍ପର୍କ ଅତି ଭଲ ରହିଛି, ତଥାପି ଅବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ।

ଚୀନ୍ ଏବଂ ରୁଷକୁ ବିଭାଜିତ କରିବା ପାଇଁ ଟ୍ରମ୍ପଙ୍କ ପ୍ରୟାସ ବିଫଳ ହୋଇଛି କି?
୨୬ ମେ ୨୦୨୬ ରେ ‘ଦ ଡିପ୍ଲୋମାଟ୍’ (The Diplomat) ରେ ପ୍ରକାଶିତ ଲିଙ୍ଗଗଙ୍ଗ୍ କଙ୍ଗ୍ଙ୍କ ଏକ ଲେଖରେ ଯୁକ୍ତି କରାଯାଇଛି, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ କେତେକ ନୀତି ଯୋଗୁଁ ଅଜାଣତରେ ଚୀନ୍ ଏବଂ ରୁଷ ଉପକୃତ ହୋଇ ପାରନ୍ତି। ସହଯୋଗୀମାନଙ୍କ ସହିତ ବାଣିଜ୍ୟ ବିବାଦ ଏବଂ ୟୁରୋପୀୟ ଅଂଶୀଦାରମାନଙ୍କ ସହିତ ମତଭେଦ ପାଶ୍ଚାତ୍ୟ ମେଣ୍ଟ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ଆମେରିକାର ଅଧିକ ଏକପାଖିଆ ଆଭିମୁଖ୍ୟ ଆମେରିକୀୟ ନେତୃତ୍ୱର ଚିତ୍ରକୁ ଦୁର୍ବଳ କରିଦେଇଛି। ଲେଖକଙ୍କ ଅନୁଯାୟୀ, ଏହା ବେଜିଂ ଏବଂ ମସ୍କୋକୁ ସ୍ଥିରତା, ବହୁପାକ୍ଷିକତା ଏବଂ ସନ୍ତୁଳିତ ଆନ୍ତର୍ଜାତୀୟ ବ୍ୟବସ୍ଥାର ସମର୍ଥକ ଭାବରେ ନିଜକୁ ଉପସ୍ଥାପନ କରିବାର ସୁଯୋଗ ଦେଇଛି। ଏହାଦ୍ୱାରା ବୈଶ୍ୱିକ ମଞ୍ଚରେ ସେମାନଙ୍କର କୂଟନୈତିକ ସ୍ଥିତିରେ ସୁଧାର ଆସିଛି।
ହ୍ରାସ ପାଇଛି କି ଆମେରିକୀୟ ପ୍ରଭାବ ?
ସମ୍ପ୍ରତି ହୋଇଥିବା କୂଟନୈତିକ ଘଟଣାକ୍ରମକୁ ଆମେରିକାର ପ୍ରଭାବ ହ୍ରାସ ପାଇଛି ବୋଲି ଭାବିବା ଅପରିପକ୍ୱ ଚିନ୍ତାଧାରା ବୋଲି କହି ହେବ। ଆମେରିକାର ପ୍ରଭାବ ନିରନ୍ତର ବଜାୟ ରହିବା ପଛରେ ସବୁଠାରୁ ଶକ୍ତିଶାଳୀ ଯୁକ୍ତି ହେଉଛି ତାର ଅଦ୍ୱିତୀୟ ମେଣ୍ଟ ଏବଂ ରଣନୀତିକ ସହଭାଗିତାର ଜାଲ। ଆଜି ଅନ୍ୟ କୌଣସି ଶକ୍ତି ପାଖରେ ୟୁରୋପ ଏବଂ ଭାରତ-ପ୍ରଶାନ୍ତ (ହିନ୍ଦ୍-ପ୍ରଶାନ୍ତ) କ୍ଷେତ୍ରରେ ବ୍ୟାପିଥିବା ଚୁକ୍ତିବଦ୍ଧ ସହଯୋଗୀମାନଙ୍କର ଏଭଳି ମେଣ୍ଟ ନାହିଁ। ଜାପାନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଏବଂ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (NATO) ର ସଦସ୍ୟମାନଙ୍କ ସହିତ ସମ୍ପର୍କ ୱାଶିଂଟନକୁ ବ୍ୟାପକ ରାଜନୈତିକ, ସାମରିକ ଏବଂ ଅର୍ଥନୈତିକ ସମର୍ଥନ ପ୍ରଦାନ କରେ। ବର୍ତ୍ତମାନ ସମୟରେ ଚୀନ୍ କିମ୍ବା ରୁଷ ଏହାର ସମକକ୍ଷ ହୋଇପାରିବେ ନାହିଁ। ଏହି ଗଠବନ୍ଧନ ଗଠନ ଆମେରିକାର ସବୁଠାରୁ ସ୍ଥାୟୀ ରଣନୀତିକ ଲାଭ ମଧ୍ୟରୁ ଏକ ଏବଂ ତାର ବୈଶ୍ୱିକ ପ୍ରଭାବର ଏକ ପ୍ରମୁଖ ସ୍ତମ୍ଭ ଅଟେ।
ଏହା ବ୍ୟତୀତ, ଚୀନର ସବୁଠାରୁ ବଡ଼ ବାଣିଜ୍ୟିକ ସମ୍ପର୍କଗୁଡ଼ିକ ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ଆମେରିକା, ୟୁରୋପୀୟ ସଂଘ ଏବଂ ପ୍ରମୁଖ ଏସୀୟ ଅର୍ଥନୀତିଗୁଡ଼ିକ ସାମିଲ ଅଛନ୍ତି। ତେଣୁ ବେଜିଂ ପାଖରେ ମସ୍କୋର ଭୂ-ରାଜନୈତିକ ଏଜେଣ୍ଡା ସହିତ ସମ୍ପୂର୍ଣ୍ଣ ରୂପେ ଜଡ଼ିତ ହେବାରୁ ଦୂରେଇ ରହିବା ପାଇଁ ଶକ୍ତ କାରଣ ରହିଛି।

ଉଦୀୟମାନ ବିଶ୍ୱ ବ୍ୟବସ୍ଥା ପାଇଁ ଏହାର ଅର୍ଥ କ'ଣ ?
ଆନ୍ତର୍ଜାତୀୟ ରାଜନୀତି ଅନେକ ପ୍ରମୁଖ ଶକ୍ତିଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଯୋଗିତାର ଏକ ପର୍ଯ୍ୟାୟରେ ପ୍ରବେଶ କରୁଛି। ଚୀନ୍ ଏବଂ ରୁଷ ନିଜର ପ୍ରଭାବ ବଢ଼ାଇବା ଏବଂ ପ୍ରଚଳିତ ବ୍ୟବସ୍ଥାର କେତେକ ଦିଗକୁ ଆହ୍ୱାନ ଦେବା ପାଇଁ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସଂଯୁକ୍ତ ରାଷ୍ଟ୍ର ଆମେରିକା ପାଖରେ ଅର୍ଥନୈତିକ, ସାମରିକ, ବୈଷୟିକ ଏବଂ ମେଣ୍ଟ ମାମଲାରେ ଅପାର ସୁବିଧା ରହିଛି। ବର୍ତ୍ତମାନ ସମୟରେ କୌଣସି ବି ପକ୍ଷ ପାଖରେ ଏକାକୀ ଆନ୍ତର୍ଜାତୀୟ ବ୍ୟବସ୍ଥାକୁ ନିର୍ଣ୍ଣାୟକ ରୂପ ଦେବା ପାଇଁ ପର୍ଯ୍ୟାପ୍ତ ଶକ୍ତି ନାହିଁ। ପରିଣାମ ସ୍ୱରୂପ, ରଣନୀତିକ ପ୍ରତିଯୋଗିତା ଅନେକ ବର୍ଷ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ଅଛି, ଯାହାଦ୍ୱାରା ଏକ ଏଭଳି ବିଶ୍ୱ ଗଠନ ହେବ ଯାହା ଦ୍ରୁତ ଗତିରେ ବହୁମୁଖୀ (ବହୁଧ୍ରୁବୀୟ), ପ୍ରତିଯୋଗିତାମୂଳକ ଏବଂ ଅପ୍ରତ୍ୟାଶିତ ହେବାକୁ ଯାଉଛି।
ଭାରତରେ ପାଇଁ କଣ ରହିବ ଏହାର ପ୍ରଭାବ ?
ଭାରତ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ହେଉଛି, ଚୀନ୍ ଉପରେ ରୁଷର ବଢୁଥିବା ନିର୍ଭରଶୀଳତାର ଦୀର୍ଘକାଳୀନ ଧାରା। ଯଦି ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥ ପାଇଁ ମସ୍କୋ ଚୀନ୍ ଉପରେ ଦ୍ରୁତ ଗତିରେ ନିର୍ଭରଶୀଳ ହୋଇଯାଏ, ତେବେ ରୁଷର ସ୍ୱାଧୀନ ରଣନୀତିକ କାର୍ଯ୍ୟକଳାପର ପରିସର ଧୀରେ ଧୀରେ ହ୍ରାସ ପାଇପାରେ। ଏହା ସହିତ, ଭାରତ ଚୀନ୍-ରୁଷ ସମ୍ପର୍କକୁ ଏକ ଅତୁଟ ମେଣ୍ଟ ଭାବରେ ଦେଖିବାରୁ ଦୂରେଇ ରହିବା ଉଚିତ। ଗୁରୁତ୍ୱପୂର୍ଣ୍ଣ ଅସମାନତା ଏବଂ ଅନ୍ତର୍ନିହିତ ଉତ୍ତେଜନା ଏହା ଭିତରେ ଲୁଚି ରହିଛି। ନୂଆଦିଲ୍ଲୀ ପାଇଁ ସର୍ବୋତ୍ତମ ମାର୍ଗ ହେଉଛି ରଣନୀତିକ ସ୍ୱାଧୀନତା (ସ୍ୱାୟତ୍ତତା) ବଜାୟ ରଖିବା, ରୁଷ ସହିତ ମଜବୁତ ସମ୍ପର୍କ ରଖିବା, ସଂଯୁକ୍ତ ରାଷ୍ଟ୍ର ଆମେରିକା ଏବଂ ତାର ସହଯୋଗୀମାନଙ୍କ ସହିତ ସହଯୋଗକୁ ସମ୍ପ୍ରସାରଣ କରିବା ଏବଂ ନିଜର ଅର୍ଥନୈତିକ ଓ ସାମରିକ କ୍ଷମତାକୁ ସୁଦୃଢ଼ କରିବାର ଚେଷ୍ଟା ଜାରି ରଖିବା ।
ଏହା ମଧ୍ୟ ପଢନ୍ତୁ OPINION: ସବୁଜ ବିପ୍ଳବ ଠାରୁ ହାଇବ୍ରିଡ୍ ଗହମ ପର୍ଯ୍ୟନ୍ତ; ଭବିଷ୍ୟତ ଖାଦ୍ୟ ସୁରକ୍ଷାର ଜିନେଟିକ୍ ବାଧା ଭାଙ୍ଗିବାରେ ବିଜ୍ଞାନର ବଡ଼ ସଫଳତା
ଏହା ମଧ୍ୟ ପଢନ୍ତୁ OPINION : ବେଜିଂରେ ଡୋନାଲ୍ଡ ଟ୍ରମ୍ପ : ଶାନ୍ତି ଆଲୋଚନା ନା ଅର୍ଥନୈତିକ ଡିଲ୍ ?

