ETV Bharat / opinion

OPINION: ଟ୍ରମ୍ପ ଓ ସି ଜିନପିଙ୍ଗ ବୈଠକ: ବିଶ୍ୱ ଶକ୍ତି ସମୀକରଣ ବଦଳାଇବାର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼

'ଟ୍ରମ୍ପ-ଜିନପିଙ୍ଗଙ୍କ ଶିଖର ସମ୍ମିଳନୀ ଚଳିତ ବର୍ଷର ଆନ୍ତର୍ଜାତିକ ଆଲୋଚନାର ଦିଗ ନିର୍ଣ୍ଣୟ କରିବ' ବୋଲି ମତ ରଖିଛନ୍ତି ପୋଲିସେୟା ରିସର୍ଚ୍ଚ ଫାଉଣ୍ଡେସନ୍ ଅଧ୍ୟକ୍ଷ ସଞ୍ଜୟ ପୁଲିପକା

FILE - U.S. President Donald Trump, right, and Chinese President Xi Jinping are greeted by children waving flowers and flags during a welcome ceremony at the Great Hall of the People in Beijing, Nov. 9, 2017
ଫାଇଲ୍ - ୯ ନଭେମ୍ବର, ୨୦୧୭ରେ ବେଜିଂର ଗ୍ରେଟ୍ ହଲ୍ ଅଫ୍ ଦି ପିପୁଲ୍‌ରେ ଏକ ସ୍ୱାଗତ ସମାରୋହରେ ପିଲାମାନେ ଫୁଲ ଏବଂ ପତାକା ହଲାଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍, ଡାହାଣ ପଟେ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସ୍ୱାଗତ କରିଛନ୍ତି। (AP)
author img

By Sanjay Pulipaka

Published : May 13, 2026 at 3:44 PM IST

5 Min Read
Choose ETV Bharat

ଆଲେଖ୍ୟ: ସଞ୍ଜୟ ପୁଲିପକା

ହାଇଦ୍ରାବାଦ: ବେଜିଂରେ ଅମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହେବାକୁ ଯାଉଥିବା ସାକ୍ଷାତ ଆଲୋଚନା ଏକ ନୂତନ ସହଯୋଗ ଯୁଗର ଆରମ୍ଭ କରିବ, ନା କି ଆମେରିକା-ଚୀନ୍‌ ମଧ୍ୟରେ ଚାଲିଥିବା ପ୍ରତିସ୍ପର୍ଧାକୁ ଜାରି ରଖିବ ? ଏହା ଏବେ ବିଶ୍ୱ ରାଜନୀତିର ଏକ ମୁଖ୍ୟ ପ୍ରଶ୍ନ ପାଲଟିଛି। ଏହି ବୈଠକ ପ୍ରଥମେ ମାର୍ଚ୍ଚ ଶେଷ ସପ୍ତାହ ଓ ଏପ୍ରିଲ ପ୍ରଥମ ସପ୍ତାହ ପାଇଁ ନିର୍ଦ୍ଧାରିତ ଥିଲା। କିନ୍ତୁ ଇରାନ ଯୁଦ୍ଧ କାରଣରୁ ଆମେରିକା ରାଷ୍ଟ୍ରପତି ବ୍ୟସ୍ତ ଥିବାରୁ ଏହାକୁ ମେ ୧୪-୧୫ ତାରିଖକୁ ଘୁଞ୍ଜାଇ ଦିଆଯାଇଛି। ପ୍ରାୟ ୯ ବର୍ଷ ପରେ କୌଣସି ଆମେରିକା ରାଷ୍ଟ୍ରପତି ଚୀନ୍‌ ଯାଉଥିବାରୁ ଟ୍ରମ୍ପଙ୍କ ଏହି ଚୀନ୍‌ ଗସ୍ତ ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି ଗସ୍ତରେ ବିଶାଳ ଆୟୋଜନ ଓ ଆଡମ୍ବରପୂର୍ଣ୍ଣ କୂଟନୀତିକ ଆଚାର-ବିଚାର ଦେଖିବାକୁ ମିଳିବ। କିନ୍ତୁ ରାଜକୀୟ ଭୋଜି ଓ କୂଟନୀତିକ ଔପଚାରିକତା ପଛରେ ଦୁଇ ଦେଶ ମଧ୍ୟରେ ଗମ୍ଭୀର ଆଲୋଚନା ହେବ, ଯାହା ବିଶ୍ୱ ଶକ୍ତି ସମୀକରଣରେ ପ୍ରଭାବ ପକାଇପାରେ। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ସମୟରୁ ଅଲଗା ଭାବରେ, ଏବେ ଚୀନ୍‌ ତାଙ୍କ ରୋକଠୋକ ଭାଷଣ ଓ ନୀତି ପାଇଁ ଅଧିକ ପ୍ରସ୍ତୁତ ଅଛି। ଏପର୍ଯ୍ୟନ୍ତ ଟ୍ରମ୍ପ ଓ ସି ଜିନପିଙ୍ଗ ପ୍ରାୟ ୬ ଥର ଭେଟ କରି ସାରିଛନ୍ତି। ଏଥିରେ ରାଜକୀୟ ଗସ୍ତ ଓ ବିଭିନ୍ନ ବହୁପକ୍ଷୀୟ ସମ୍ମିଳନୀର ସାଇଡ୍‌ଲାଇନ୍‌ ବୈଠକ ମଧ୍ୟ ରହିଛି। ଚୀନ୍‌ର ନେତୃତ୍ୱ ଟ୍ରମ୍ପଙ୍କ କୂଟନୀତିକ ଶୈଳୀ ଓ ତାଙ୍କ ରଣନୀତିକୁ ଏବେ ଭଲ ଭାବେ ବୁଝିପାରୁଛି। ଏହି ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଅନେକ ବୈଠକ ହେବାର ସମ୍ଭାବନା ରହିଛି। ଚୀନ୍‌ ଏହି ବର୍ଷ APECର ଅଧ୍ୟକ୍ଷତା କରୁଥିବାବେଳେ ଆମେରିକା G20ର ଅଧ୍ୟକ୍ଷତା କରୁଛି। ଏହା ଫଳରେ ଉଭୟ ଦେଶର ନୀତି ନିର୍ଦ୍ଧାରକମାନେ ପରସ୍ପରଙ୍କ ରାଜଧାନୀକୁ ନିୟମିତ ଭ୍ରମଣ କରିବେ। ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ଆଲୋଚନାର ପରିଣାମ ଆଗାମୀ ସମସ୍ତ ଆନ୍ତର୍ଜାତିକ ଆଲୋଚନାକୁ ପ୍ରଭାବିତ କରିବ।

FILE - U.S. President Donald Trump, center, gestures to Chinese President Xi Jinping as they listen to the band music during a welcome ceremony at the Great Hall of the People in Beijing, Nov. 9, 2017
FILE - U.S. President Donald Trump, center, gestures to Chinese President Xi Jinping as they listen to the band music during a welcome ceremony at the Great Hall of the People in Beijing, Nov. 9, 2017 (AP)

ଇରାନ୍

ଉଭୟ ପକ୍ଷ ଔପଚାରିକ ଭାବେ ସ୍ୱୀକାର କରନ୍ତୁ ବା ନକରନ୍ତୁ, ଇରାନ ଏହି ବୈଠକର ଏକ ପ୍ରମୁଖ ଆଲୋଚନାର ବିଷୟ ହେବ। କହିବାକୁ ଗଲେ ଚୀନ୍‌ ପାଇଁ ଇରାନ ଯୁଦ୍ଧ ଉଭୟ ସମସ୍ୟା ଓ ସୁଯୋଗ ଆଣିଛି। ୨୦୨୫ ମସିହାରେ ଚୀନ୍‌, ଇରାନର ପ୍ରାୟ ୮୦ ପ୍ରତିଶତ ତୈଳ କ୍ରୟ କରିଥିଲା, ଯାହା ତାହାର ସମୁଦ୍ରପଥରେ ଆସୁଥିବା ତୈଳ ଆମଦାନୀର ୧୩.୪ ଶତାଂଶ ଥିଲା। ବର୍ତ୍ତମାନର ଇରାନ ଯୁଦ୍ଧ ଫଳରେ ଚୀନ୍‌କୁ ଯାଉଥିବା ଶସ୍ତା ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ଚୀନ୍‌ର ଅର୍ଥନୀତିକୁ ପ୍ରଭାବିତ କରୁଛି। ଅନ୍ୟପଟେ, ଏହି ଯୁଦ୍ଧ ଚୀନ୍‌କୁ ଅପେକ୍ଷାକୃତ ଅଧିକ କୂଟନୀତିକ ପ୍ରଭାବ ମଧ୍ୟ ଦେଇଛି। ଆମେରିକା ଓ ଇରାନ ମଧ୍ୟରେ ପାକିସ୍ତାନ ଶାନ୍ତି ଆଲୋଚନାରେ ମଧ୍ୟସ୍ଥତା କରୁଛି ଏବଂ ଦୁଇ ଦେଶ ମଧ୍ୟରେ ସନ୍ଦେଶ ଆଦାନ-ପ୍ରଦାନ କରୁଛି। କେବେ କେବେ ଆଲୋଚନାରେ ବାଧା ଆସିଲେ ପାକିସ୍ତାନ ବେଜିଂର ସହଯୋଗ ନେଇଥାଏ। UNSC(United Nations Security Council)ର ସ୍ଥାୟୀ ସଦସ୍ୟ ଭାବେ ଓ ଇରାନ ସହ ଘନିଷ୍ଠ ଆର୍ଥିକ-ରାଜନୈତିକ ସମ୍ପର୍କ ଥିବାରୁ ଚୀନ ଓ ଇରାନର ଭୁମିକା ଏହି ଆଲୋଚନାକୁ ପ୍ରଭାବିତ କରିପାରେ। ସେପଟେ ପାକିସ୍ତାନର ମଧ୍ୟସ୍ଥତା ପଛରେ ଚୀନ୍‌ର ବି ସମର୍ଥନ ରହିଛି।

ଆମେରିକା ଏହାକୁ ନେଇ ମଧ୍ୟ ଚିନ୍ତିତ ଯେ, ଚୀନ୍‌ ଇରାନକୁ ଅସ୍ତ୍ର ଓ ସାମରିକ ସହାୟତା ଦେଇପାରେ। ପ୍ରଥମେ ଟ୍ରମ୍ପ ଚୀନ୍‌କୁ ଇରାନକୁ ଅସ୍ତ୍ର ନଦେବାକୁ ଆହ୍ୱାନ କରିଥିଲେ। ପରେ ସେ କହିଥିଲେ ଯେ ଚୀନ୍‌ରୁ ଇରାନକୁ ଯାଉଥିବା ଅସ୍ତ୍ରବାହୀ ଜାହାଜ ଧରାପଡ଼ିଛି ଏବଂ ଯଦି ଚୀନ୍‌ ଇରାନକୁ ବାୟୁ ସୁରକ୍ଷା ପ୍ରଣାଳୀ ଯୋଗାଏ, ତେବେ ଚୀନ୍‌କୁ ବଡ଼ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ। ଏଭଳି ପରିସ୍ଥିତିରେ ଚୀନ୍‌ ପାଖରେ ଗୋଟିଏ ପଟରେ ସାମରିକ ସହାୟତା ଦେବା ଏବଂ ଅନ୍ୟପଟେ ଇରାନକୁ ଶାନ୍ତି ଆଲୋଚନା ଦିଗକୁ ଆଣିବା ଭଳି ଦୁଇ ପ୍ରକାର ସୁଯୋଗ ରହିଛି।

FILE - U.S. President Donald Trump, right, and Chinese President Xi Jinping inspect a honor guard during a welcome ceremony at the Great Hall of the People in Beijing, Nov. 9, 2017
FILE - U.S. President Donald Trump, right, and Chinese President Xi Jinping inspect a honor guard during a welcome ceremony at the Great Hall of the People in Beijing, Nov. 9, 2017 (AP)

ତାଇୱାନ୍

ତାଇୱାନ ମଧ୍ୟ ଦୁଇ ନେତାଙ୍କ ଆଲୋଚନାର ଏକ ପ୍ରମୁଖ ଭୂ-ରାଜନୈତିକ ବିଷୟ ହୋଇପାରେ। ତାଇୱାନକୁ ପୂର୍ଣ୍ଣ ଭାବେ ଚୀନ୍‌ରେ ଏକୀକୃତ କରିବା ନେଇ ବେଜିଂର ମତ ସ୍ପଷ୍ଟ। ଏପର୍ଯ୍ୟନ୍ତ ରହି ଆସିଥିବା ଆମେରିକାର ନୀତି ଅନୁସାରେ, ସେ “ତାଇୱାନର ସ୍ୱାଧୀନତାକୁ ସମର୍ଥନ କରେ ନାହିଁ ଓ ବର୍ତ୍ତମାନ ସ୍ଥିତି ପରିବର୍ତ୍ତନ କରିବା ପାଇଁ କୌଣସି ଏକପାଖିଆ ପଦକ୍ଷେପକୁ ମଧ୍ୟ ସମର୍ଥନ କରେନାହିଁ। ” ତଥାପି ଚୀନ୍‌ ଚାହୁଁଛି ଯେ ଆମେରିକା ସ୍ପଷ୍ଟ ଭାବେ ତାଇୱାନର ସ୍ୱାଧୀନତାକୁ ବିରୋଧ କରୁ ଏବଂ ତାଇୱାନକୁ ଅସ୍ତ୍ର ବିକ୍ରୟ ବନ୍ଦ କରୁ। ଟ୍ରମ୍ପ ତାଇୱାନ ଆମେରିକାର ଚିପ୍‌ ଶିଳ୍ପ “ଚୋରି” କରିନେଇଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ, ସେ ତାଇୱାନ୍ ବିଷୟରେ କୌଣସି ବଡ଼ ରିହାତି ଦେବା ଭଳିି ଲାଗୁ ନାହିଁ। ତଥାପି ଆମେରିକାକୁ ମତ ପରିବର୍ତ୍ତନ କରାଇବା ପାଇଁ ଚୀନ୍‌ ସମସ୍ତ ସମ୍ଭାବନା ଖୋଜିବ।

FILE - U.S. President Donald Trump meets traditional opera performers as he arrives with Chinese President Xi Jinping, unseen, to watch their performance at a royal theatre in the Forbidden City, Nov. 8, 2017, in Beijing
FILE - U.S. President Donald Trump meets traditional opera performers as he arrives with Chinese President Xi Jinping, unseen, to watch their performance at a royal theatre in the Forbidden City, Nov. 8, 2017, in Beijing (AP)

ଆର୍ଥିକ ପ୍ରସଙ୍ଗ

ଦୁଇ ନେତାଙ୍କ ଆଲୋଚନାରେ ଆର୍ଥିକ ସହଯୋଗ ପ୍ରମୁଖ ବିଷୟ ହେବ। ବୌଦ୍ଧିକ ସ୍ୱାମୀତ୍ୱ ଅଧିକାର, ଚୀନ୍‌ର ବ୍ୟବସାୟ ନୀତି ଓ ଟ୍ରମ୍ପଙ୍କ ଶୁଳ୍କ ନୀତି ନେଇ ଦୁଇ ଦେଶର ସମ୍ପର୍କରେ ମତଭେଦ ରହିଛି। ଗତବର୍ଷ ଚୀନ୍‌ ଉପରେ ଟ୍ରମ୍ପ୍ ପ୍ରାୟ ୧୪୫ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଯାହାର ପ୍ରତିକ୍ରିୟାରେ ଚୀନ୍‌ ଆମେରିକାକୁ ରେୟାର ଆର୍ଥ୍‌ ଧାତୁ ରପ୍ତାନିରେ ନିୟନ୍ତ୍ରଣ ଲାଗୁ କରିଥିଲା। ଏହି ଧାତୁଗୁଡ଼ିକ ମୋବାଇଲ୍‌, ଡ୍ରୋନ୍‌ ଓ ଯୁଦ୍ଧ ବିମାନ ଭଳି ଆଧୁନିକ ପ୍ରଯୁକ୍ତି ପାଇଁ ଅତ୍ୟାବଶ୍ୟକ। ପରେ ଉଭୟ ଦେଶ କିଛି ପର୍ଯ୍ୟନ୍ତ ତାଙ୍କ କଡ଼ା ଆର୍ଥିକ ପଦକ୍ଷେପକୁ ଶିଥିଳ କରିଥିଲେ। ଦେଶର ଅର୍ଥନୈତିକ ବୃଦ୍ଧି ଶିଥିଳ ହୋଇଥିବାରୁ ଚୀନ୍‌ ଆମେରିକା ସହ ପୁଣିଥରେ ବାଣିଜ୍ୟିକ ଯୁଦ୍ଧ ଚାହୁଁନାହିଁ। ଚୀନ୍‌ ଓ ଆମେରିକାର ଅର୍ଥନୀତିକ ଓ ସମ୍ପଦ ନିର୍ଭରଶୀଳତା ଏତେ ଗଭୀର ଯେ ଟ୍ରମ୍ପ ପ୍ରଶାସନ ପାଇଁ ଚୀନ୍‌ ଉପରେ ଅତ୍ୟଧିକ ଶୁଳ୍କ ଜାରି ରଖିବା ଏକପ୍ରକାର କଷ୍ଟକର ହୋଇପଡ଼ିଛି। ଇରାନ ଯୁଦ୍ଧର ଆର୍ଥିକ ଚାପ ଦେଖି ଟ୍ରମ୍ପ ପ୍ରଶାସନ ପୁଣି ବାଣିଜ୍ୟିକ ଯୁଦ୍ଧ ଆରମ୍ଭ କରିବ ସମ୍ଭାବନା କମ୍‌।

FILE - U.S. President Donald Trump, second left, first lady Melania Trump, left, Chinese President Xi Jinping and his wife Peng Liyuan stand together as they tour the Forbidden City in Beijing, Nov. 8, 2017
FILE - U.S. President Donald Trump, second left, first lady Melania Trump, left, Chinese President Xi Jinping and his wife Peng Liyuan stand together as they tour the Forbidden City in Beijing, Nov. 8, 2017 (AP)

ଟ୍ରମ୍ପ ପ୍ରଶାସନ ଚୀନ୍‌କୁ ଆମେରିକାରୁ ବଡ଼ ପରିମାଣରେ ମକା ଓ ସୋୟାବିନ୍‌ ଭଳି କୃଷି ଉତ୍ପାଦ କିଣିବାକୁ ଚାପ ସୃଷ୍ଟି କରିପାରେ। ଯଦିଓ ଚୀନ୍‌ ପୂର୍ବରୁ ଏପରି ପ୍ରତିଶ୍ରୁତି ଦେଇଥିଲା, ତଥାପି ଏହା ବାସ୍ତବରେ ରୂପାନ୍ତରିତ ହୋଇନଥିଲା। ଆମେରିକା ଚୀନ୍‌କୁ ବୋଇଂ ବିମାନ ଇଞ୍ଜିନ୍‌ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣ କିଣିବାକୁ ମଧ୍ୟ ଚାପ ପ୍ରୟୋଦ କରିପାରେ। କିନ୍ତୁ ଦୀର୍ଘମିଆଦୀ ଭାବରେ ଚୀନ୍‌ ଆର୍ଥିକ ଚାପ ବିନା ଏହିପରି ଉପକରଣ କ୍ରୟ ଜାରି ରଖିବ ବୋଲି ମନେ ହେଉନାହିଁ। ଚୀନ୍‌ ଉପରେ ଦୀର୍ଘମିଆଦୀ ଆର୍ଥିକ ଚାପ ସୃଷ୍ଟି କରିବା ପାଇଁ ଆମେରିକାକୁ ଏକ ସଂଘଟିତ କ୍ଷେତ୍ରୀୟ ଆର୍ଥିକ ରଣନୀତି ଆବଶ୍ୟକ। ପୂର୍ବତନ ଆମେରିକୀୟ ପ୍ରଶାସନଗୁଡ଼ିକ ଟ୍ରାନ୍ସ-ପାସିଫିକ୍ ପାର୍ଟନରସିପ୍ (TPP) ଭଳି ବିକଳ୍ପ ଆର୍ଥିକ ଗଠନ ନେଇ ଆଲୋଚନା କରିଥିଲେ, ଯାହା ସ୍ୱଚ୍ଛତା ଓ ମୁକ୍ତ ବଜାରକୁ ପ୍ରୋତ୍ସାହନ ଦେଇଥିଲା। କିନ୍ତୁ ଟ୍ରମ୍ପ ଦ୍ୱିପକ୍ଷୀୟ ବ୍ୟାପାର ଓ ମିତ୍ର ଦେଶମାନଙ୍କ ଉପରେ ଶୁଳ୍କ ଲାଗୁ କରିବାରେ ଗୁରୁତ୍ୱ ଦେଇ ଚୀନ୍‌କୁ କ୍ଷେତ୍ରୀୟ ଭାବେ ନିଜ ପ୍ରଭାବ ବଢ଼ାଇବାର ସୁଯୋଗ ଦେଇଛନ୍ତି। ବର୍ତ୍ତମାନ ୨୦୨୫ରେ ୧.୦୫୫ ଟ୍ରିଲିୟନ୍‌ ଡଲାର ବ୍ୟାପାର ସହ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡ଼ିକ ଚୀନ୍‌ର ସବୁଠାରୁ ବଡ଼ ବାଣିଜ୍ୟିକ ସାଥୀ ହୋଇଉଠିଛନ୍ତି।

AI ଓ ପ୍ରଯୁକ୍ତି

ଡିଜିଟାଲ୍‌ ପ୍ରଯୁକ୍ତି କ୍ଷେତ୍ର ଏବେ ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରମୁଖ ପ୍ରତିସ୍ପର୍ଧାର ବିବାଦୀୟ କ୍ଷେତ୍ର ପାଲଟିଛି। ଆମେରିକା ଉନ୍ନତ AI ଓ ସେମିକଣ୍ଡକ୍ଟର୍ ଚିପ୍‌ ଉପରେ ଚୟନାତ୍ମକ ରପ୍ତାନି ନିୟନ୍ତ୍ରଣ ଲାଗୁ କରିଛି। ଯଦି ଟ୍ରମ୍ପଙ୍କ ଚୀନ୍‌ ଗସ୍ତ ସମୟରେ AI ଓ ସେମିକଣ୍ଡକ୍ଟର୍ ନେଇ କୌଣସି ଚୁକ୍ତି ହେଉଥାଏ ମଧ୍ୟ, ସେହି ଚୁକ୍ତି ଦୀର୍ଘସ୍ଥାୟୀ ହେବ ନାହିଁ। କାରଣ ଚୀନ୍‌ ଦୀର୍ଘମିଆଦୀ ରଣନୀତି ସହ ନିଜକୁ ଏକ ପ୍ରଯୁକ୍ତି ସୁପରପାୱାର ଭାବେ ଗଢ଼ି ତୋଳିବାକୁ ଚାହୁଁଛି ଓ ଆମେରିକା ଉପରେ ନିର୍ଭରତା କମାଇବାକୁ ଚାହୁଁଛି। ଚୀନ୍‌ ସ୍ବଳ୍ପକାଳ ପାଇଁ ଆମେରିକାରୁ ଉନ୍ନତ ଚିପ୍‌ ଆମଦାନୀ କରିବାକୁ ଚାହୁଁଥିବାବେଳେ, ତାହାର ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ନିଜେ AI ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ସ୍ୱୟଂସମ୍ପୂର୍ଣ୍ଣ ସୁପରପାୱାର ହେବ।

ଆମେରିକା ଓ ଚୀନ୍‌ ମଧ୍ୟରେ ଅନେକ ଏମିତି ପ୍ରସଙ୍ଗ ରହିଛି, ଯାହାରେ ସାଧାରଣ ମତାମତ ଗଠନ କରିବା ପାଇଁ ଦୁଇ ଦେଶକୁ କଡ଼ା ପ୍ରୟାସ କରିବାକୁ ପଡ଼ିବ। ତଥାପି ଏହି ଶିଖର ସମ୍ମିଳନୀର ସଫଳତା ନେତାମାନଙ୍କ ଆଲୋଚନା ଶୈଳୀ ଉପରେ ନିର୍ଭର କରୁଛି। ମାସ ମାସ ଧରି ପ୍ରସ୍ତୁତି ହୋଇଥିଲେ ମଧ୍ୟ ଟ୍ରମ୍ପ ପ୍ରାୟତଃ ରାଜକୀୟ ଗସ୍ତକୁ ବ୍ୟକ୍ତିଗତ କୂଟନୈତିକ ଗସ୍ତରେ ପରିଣତ କରିଦିଅନ୍ତି, ଯେଉଁଠାରେ ନୀତିଗତ ମତାମତ ହଠାତ୍‌ ପରିବର୍ତ୍ତନ ହୋଇଯାଏ। ଅନ୍ୟପଟେ ଚୀନ୍‌ ନିଜକୁ ବିଶ୍ୱରେ ସୁପରପାୱାର୍ ଭାବେ ସ୍ଥାପିତ କରିବା ଆକାଂକ୍ଷାରୁ ପଛକୁ ହଟିବ ନାହିଁ। ତେଣୁ ହେବାକୁ ଥିବା ଏହି ଶିଖର ବୈଠକ କୌଣସି ଶେଷ ଅଧ୍ୟାୟ ନୁହେଁ, ବରଂ ବିଶ୍ୱ ଶକ୍ତି ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ବୋଲି କୁହାଯାଇପାରେ।

(Disclaimer : ଏହି ଲେଖାରେ ପ୍ରକାଶିତ ମତାମତ ଲେଖକଙ୍କ ନିଜସ୍ୱ। ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV ଭାରତର ମତାମତକୁ ପ୍ରତିଫଳିତ କରେ ନାହିଁ।)

ଏହା ମଧ୍ୟ ପଢ଼ନ୍ତୁ... ଚୀନ ଗସ୍ତରେ ଟ୍ରମ୍ପ, କହିଲେ 'ଇରାନ ଯୁଦ୍ଧ ସମାପ୍ତ ପାଇଁ ଜିନପିଙ୍ଗଙ୍କ ସହାୟତା ଲୋଡ଼ାନାହିଁ'

ଏହା ମଧ୍ୟ ପଢ଼ନ୍ତୁ... US-Iran War: ଶାନ୍ତି ବୁଝାମଣା ଆଶା ଧୂଳିସାତ୍‌ ! ଇରାନର ଜବାବକୁ ଖାରଜ କଲେ ଟ୍ରମ୍ପ