OPINION : ବେଜିଂରେ ଡୋନାଲ୍ଡ ଟ୍ରମ୍ପ : ଶାନ୍ତି ଆଲୋଚନା ନା ଅର୍ଥନୈତିକ ଡିଲ୍ ?
ଆମେରିକା-ଚୀନ ବୈଠକକୁ ନେଇ ବଢ଼ୁଛି ଚର୍ଚ୍ଚା, ଇରାନ ଯୁଦ୍ଧ ମଧ୍ୟରେ ଏକ ବୃହତ ଡିଲ୍ ହେବାର ସମ୍ଭାବନା ଥିବା ମତ ପ୍ରକାଶ କରିଛନ୍ତି ବିବେକ ମିଶ୍ର

By Vivek Mishra
Published : May 14, 2026 at 8:32 PM IST
|Updated : May 14, 2026 at 8:38 PM IST
ଚୀନରେ ଡୋନାଲ୍ଡ ଟ୍ରମ୍ପ ଓ ସି ଜିନପିଙ୍ଗଙ୍କ ଦୁଇ ଦିନିଆ ବୈଠକକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ଏହି ବୈଠକ କେବଳ ଦୁଇ ଦେଶର ସମ୍ପର୍କ ପାଇଁ ନୁହେଁ, ବିଶ୍ୱ ରାଜନୀତି ଓ ଅର୍ଥନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ବିଶେଷକରି ଇରାନ ଯୁଦ୍ଧ ମଧ୍ୟରେ ଏହି ବୈଠକକୁ ଏକ ବଡ଼ ଭୂ-ରାଜନୈତିକ ପଦକ୍ଷେପ ଭାବେ ଦେଖାଯାଉଛି। ଗୋଟିଏ ପଟେ ଇରାନ ଯୁଦ୍ଧ ଯୋଗୁଁ ଆମେରିକା ଉପରେ ଅର୍ଥନୈତିକ ଚାପ ବଢ଼ୁଛି, ଅନ୍ୟପଟେ ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼ ଓ ଲୋକଙ୍କ ଅସନ୍ତୋଷ ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢ଼ାଇଛି। ଯୁଦ୍ଧ ଖର୍ଚ୍ଚ ବଢ଼ିବା ସହିତ ଟ୍ରମ୍ପ ନିଜର ଅନେକ ଦେଶୀୟ ପ୍ରତିଶ୍ରୁତି ପୂରଣ କରିପାରିନାହାନ୍ତି। ଏହାର ପ୍ରଭାବ ତାଙ୍କ ଲୋକପ୍ରିୟତା ଉପରେ ମଧ୍ୟ ପଡ଼ିଛି। ଏହି ପରିସ୍ଥିତିରେ ଟ୍ରମ୍ପଙ୍କ ଚୀନ ଯାତ୍ରାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଗତ ୯ ବର୍ଷ ମଧ୍ୟରେ ଚୀନ ଯାଉଥିବା ସେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି।

ଟ୍ରମ୍ପ ଏକ ବଡ଼ ବ୍ୟବସାୟିକ ପ୍ରତିନିଧି ଦଳ ସହ ଚୀନ ଯାଇଛନ୍ତି ଓ ତାଙ୍କ ମୁଖ୍ୟ ଲକ୍ଷ୍ୟ ହେଉଛି ଚୀନ ସହ ଏକ ବଡ଼ ଅର୍ଥନୈତିକ ଡିଲ୍ କରିବା। ଏହି ଆଲୋଚନାରେ ଆମେରିକା-ଚୀନ ବ୍ୟବସାୟ, ସେମିକଣ୍ଡକ୍ଟର ଓ ମୁଖ୍ୟ ପ୍ରଯୁକ୍ତି, ଉର୍ଜା ଓ କୃଷି ଭଳି ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆମେରିକା ଓ ଚୀନ ମଧ୍ୟରେ ବ୍ୟବସାୟ ପ୍ରାୟ ୩୦ ପ୍ରତିଶତ କମିଥିବାରୁ ଏହା ମଧ୍ୟ ଆଲୋଚନାର ଏକ ମୁଖ୍ୟ ବିଷୟ ହୋଇପାରେ। ତେବେ ଆମେରିକାର କିଛି ଶିଳ୍ପପତି ଏହି ଦ୍ୱିପାକ୍ଷିକ ସମ୍ମତିକୁ ନେଇ ସତର୍କ ଅଛନ୍ତି। ବିଶେଷକରି ଇସ୍ପାତ, ଗାଡ଼ି ଓ ପ୍ରଯୁକ୍ତି କ୍ଷେତ୍ରର କମ୍ପାନୀମାନଙ୍କର ଆଶଙ୍କା ହେଉଛି, ଏହି ଡିଲ୍ ଦ୍ୱାରା ଚୀନ କମ୍ପାନୀମାନେ ଆମେରିକାରେ ଅଧିକ ନିବେଶ କରିପାରନ୍ତି।

ଏହି ବୈଠକରେ ଇରାନ ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇପାରେ। କାରଣ ଆମେରିକାର ଅଭିଯୋଗ ହେଉଛି, ଚୀନ ଇରାନକୁ ଅର୍ଥନୈତିକ ଓ ପ୍ରଯୁକ୍ତି ସମ୍ବନ୍ଧୀୟ ସହଯୋଗ ଦେଉଛି। ଏହି କାରଣରୁ ବୈଠକ ପୂର୍ବରୁ ଆମେରିକା କିଛି ଚିନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ଅଭିଯୋଗ ଅନୁସାରେ, କିଛି ଚିନ କମ୍ପାନୀ ଇରାନକୁ ଉପଗ୍ରହ ଛବି ଓ ଅନ୍ୟ ସହଯୋଗ ଦେଇଥିଲେ, ଯାହା ମଧ୍ୟପ୍ରାଚ୍ୟରେ ଆମେରିକୀୟ ସେନା ଉପରେ ଆକ୍ରମଣରେ ସାହାଯ୍ୟ କରିଥିଲା। Meentropy Technology, The Earth Eye ଓ Chang Guang Satellite Technology ଭଳି କମ୍ପାନୀଙ୍କ ନାଁ ନେଇ ଆମେରିକା ଏଭଳି ଅଭିଯୋଗ କରିଛି। ଏଥିସହ ଆମେରିକାର ମତ ହେଉଛି, ଇରାନର ଯୁଦ୍ଧ ଅର୍ଥନୀତିକୁ ସ୍ଥିର ରଖିବାରେ ଚୀନର ଭୂମିକା ରହିଛି। ଏହି କାରଣରୁ ଟ୍ରମ୍ପ ଏହି ଆଲୋଚନାକୁ ଏକ ଶକ୍ତିଶାଳୀ ସ୍ଥିତିରୁ ଆରମ୍ଭ କରିବାକୁ ଚାହୁଁଛନ୍ତି।

ଏସବୁ ଭିତରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟ୍ରମ୍ପ କେବେ ସି ଜିନପିଙ୍ଗଙ୍କୁ ମିତ୍ର ତ କେବେ ପ୍ରତିଦ୍ୱନ୍ଦୀ ବୋଲି କହୁଛନ୍ତି। କିନ୍ତୁ ସି ଜିନପିଙ୍ଗ ଏହି ବୈଠକକୁ ନେଇ ଅଧିକ ଉତ୍ସାହ ଦେଖାଇନାହାନ୍ତି। ଏପଟେ ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧବିରତି ଜାରି ରହିଛି। କିନ୍ତୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପୂର୍ଣ୍ଣ ଥମିନାହିଁ। ଲେବାନନରେ ଇସ୍ରାଏଲର ଆକ୍ରମଣ ଚାଲିଥିବାରୁ ପରିସ୍ଥିତି ଏଯାବତ୍ ଚିନ୍ତାଜନକ ରହିଛି। ଏହି ପରିପ୍ରେକ୍ଷୀରେ ସମସ୍ତ ପକ୍ଷ ଏବେ ଯୁଦ୍ଧ ବନ୍ଦ କରିବା ଜରୁରୀ ବୋଲି ଅନେକ ବିଶେଷଜ୍ଞ ମନେ କରୁଛନ୍ତି।

ଟ୍ରମ୍ପ ଓ ଇରାନ ଉଭୟ ଏହି ଯୁଦ୍ଧରୁ ନିଜ ନିଜ ମର୍ଯ୍ୟାଦା ବଞ୍ଚାଇ ବାହାରିବାକୁ ଚାହୁଁଛନ୍ତି। ଟ୍ରମ୍ପଙ୍କ ସମ୍ମୁଖରେ ମଧ୍ୟବର୍ତ୍ତୀ ନିର୍ବାଚନ, ମହଙ୍ଗା ମାଡ଼ ଓ ଯୁଦ୍ଧ ବିରୋଧୀ MAGA ସମର୍ଥକଙ୍କ ଅସନ୍ତୋଷ ଭଳି ସମସ୍ୟା ରହିଛି। ଅନ୍ୟପଟେ, ଇରାନ ମଧ୍ୟ ନିଜର ରାଜନୈତିକ ସ୍ଥିତିକୁ ଦୁର୍ବଳ କରିବାକୁ ଚାହୁଁନାହିଁ। ହର୍ମୁଜ୍ ସମୁଦ୍ର ପଥକୁ ଅବରୋଧ କରିବାରେ ଇରାନ ଯେଉଁ ଚାପ ସୃଷ୍ଟି କରିଛି, ତାହା ବିଶ୍ୱ ତୈଳ ବଜାରକୁ ମଧ୍ୟ ପ୍ରଭାବିତ କରିଛି। ଏଭଳି ସମୟରେ ଟ୍ରମ୍ପ ଚୀନକୁ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୈତିକ ଓ ଭୂ-ରାଜନୈତିକ ଶକ୍ତି ଭାବେ ଦେଖୁଛନ୍ତି। ଅର୍ଥାତ, ଯଦି ଚୀନ ସହ ଏକ ବଡ଼ ଡିଲ୍ ହୁଏ, ତେବେ ବିଶ୍ୱରେ ଦେଖାଦେଇଥିବା ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି କମିପାରେ ଏବଂ ଇରାନ ମଧ୍ୟ ଆଲୋଚନାକୁ ଆସିପାରେ। ଚୀନ ଆମେରିକାରୁ ଅଧିକ ସାମଗ୍ରୀ କିଣିପାରେ ଏବଂ ଇରାନକୁ ସାମରିକ ଓ ଗୁପ୍ତଚର ସହଯୋଗ କମାଇପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ବିଶେଷଜ୍ଞମାନେ କହୁଛନ୍ତି, ଚୀନ ଏପରି ପଦକ୍ଷେପ ନେବାର ସମ୍ଭାବନା ବହୁତ କମ୍। କାରଣ ଭେନେଜୁଏଲା ଓ ଇରାନ ପ୍ରତି ଟ୍ରମ୍ପଙ୍କ ପଦକ୍ଷେପ ପୂର୍ବରୁ ଚୀନର ଅର୍ଥନୀତିକୁ ପ୍ରଭାବିତ କରିଛି ଏବଂ ଚୀନକୁ ନୂଆ ତୈଳ ଉତ୍ସ ଖୋଜିବାକୁ ବାଧ୍ୟ କରିଛି। ଏହି ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଉକ୍ରେନ୍ ଯୁଦ୍ଧ ଶେଷ ଦିଗକୁ ବଢ଼ୁଥିବା ସଙ୍କେତ ଦେଇଛନ୍ତି। ଇରାନ ମଧ୍ୟ ଅସ୍ଥାୟୀ ଶାନ୍ତି ପ୍ରସ୍ତାବ ଉପରେ ଚିନ୍ତା କରୁଥିବା ଖବର ଆସୁଛି। ଏହା ଦ୍ୱାରା ବିଶ୍ୱ ଶାନ୍ତି ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହୋଇପାରେ। ଟ୍ରମ୍ପ ପ୍ରଶାସନର ଚୀନ ପ୍ରତି ନୀତି ମୁଖ୍ୟତଃ ଅର୍ଥନୈତିକ ଲାଭକୁ କେନ୍ଦ୍ର କରିଛି। ପୂର୍ବରୁ ଚର୍ଚ୍ଚାରେ ଥିବା ଆମେରିକା-ଚୀନ ‘G2’ ଧାରଣା ଏବେ ପ୍ରାୟ ଶାନ୍ତ ହୋଇଯାଇଛି। ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସହଯୋଗ ଓ ଇରାନ ଯୁଦ୍ଧକୁ ନେଇ ଅନିଶ୍ଚିତତା ହିଁ ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି।
(Disclaimer : ଏହି ଲେଖାରେ ପ୍ରକାଶିତ ଆଲେଖ୍ୟ ଲେଖକଙ୍କ ବ୍ୟକ୍ତିଗତ ମତ। ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV ଭାରତର ମତାମତକୁ ପ୍ରତିଫଳିତ କରେ ନାହିଁ)

