OPINION: G7 ସମ୍ମିଳନୀରେ ଚୀନ୍ ଓ ରୁଷ ଅନୁପସ୍ଥିତିରେ ଗ୍ଲୋବାଲ୍ ସାଉଥ୍ ପାଇଁ ଭାରତ ଏକ ପ୍ରମୁଖ ପ୍ରବକ୍ତା ଭାବରେ ଉଭା ହୋଇଛି
G-7ର ମୁଖ୍ୟ ଦେଶଗୁଡ଼ିକ ବ୍ୟତୀତ ଆମନ୍ତ୍ରିତ ହୋଇଥିବା ୧୦ଟି ସଦସ୍ୟ ଦେଶ ମଧ୍ୟରେ ଭାରତ ସବୁଠାରୁ ବଡ଼ ଅର୍ଥନୀତି ଭାବେ ଉଭା ହୋଇଛି।


By Vivek Mishra
Published : June 25, 2026 at 6:14 PM IST
ନୂଆଦିଲ୍ଲୀ: ଗତ କିଛି ବର୍ଷ ହେବ G-7 'ବାକି ଦେଶଗୁଡ଼ିକର ଅଭ୍ୟୁଦୟ'କୁ ପରୋକ୍ଷରେ ସ୍ୱୀକାର କରି କାର୍ଯ୍ୟ କରୁଛି। ଏଥିରେ ସେହି ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ପ୍ରତି ଏକ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରାଯାଇଛି, ଯେଉଁମାନେ ପାଶ୍ଚାତ୍ୟ ଅର୍ଥନୈତିକ ବ୍ୟବସ୍ଥା ସହିତ ଜଡ଼ିତ ଏବଂ ବୈଶ୍ୱିକ ବିକାଶ ତଥା ଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି।
ଚୀନ ଏବଂ ରୁଷର ଅନୁପସ୍ଥିତିରେ, G-7ର ମୁଖ୍ୟ ଦେଶଗୁଡ଼ିକ ବ୍ୟତୀତ ଆମନ୍ତ୍ରିତ ହୋଇଥିବା ୧୦ଟି ସଦସ୍ୟ ଦେଶ ମଧ୍ୟରେ ଭାରତ ସବୁଠାରୁ ବଡ଼ ଅର୍ଥନୀତି ଭାବେ ଉଭା ହୋଇଛି। ଆମେରିକାର ଟ୍ରାନ୍ସ-ଆଟଲାଣ୍ଟିକ୍ ସହଯୋଗୀମାନଙ୍କ ପ୍ରତି କୌଣସି ଶତ୍ରୁତା ବିନା ବୈଠକରେ ଟ୍ରମ୍ପଙ୍କ ଉପସ୍ଥିତି, ବହୁ ପରିମାଣରେ ଇରାନ ସହିତ ହୋଇଥିବା ଅସ୍ତ୍ରବିରତି ଉପରେ ୱାଶିଂଟନର ଧ୍ୟାନ କେନ୍ଦ୍ରୀଭୂତ ହେବାର ପରିଣାମ ଥିଲା।

ଅସ୍ତ୍ରବିରତିର ପୃଷ୍ଠଭୂମିରେ, ୟୁକ୍ରେନ ସମ୍ପର୍କିତ ଆଲୋଚନା ଉପରେ ଅଧିକ ଧ୍ୟାନ
ଇରାନ ଏବଂ ୱାଶିଂଟନ ମଧ୍ୟରେ ଅସ୍ତ୍ରବିରତିର ପୃଷ୍ଠଭୂମିରେ, ୟୁକ୍ରେନ ସମ୍ପର୍କିତ ଆଲୋଚନା ଉପରେ ଅଧିକ ଧ୍ୟାନ ଦିଆଯାଇଥିଲା। ରୁଷ ଏବଂ ୟୁକ୍ରେନ ମଧ୍ୟରେ ବାରମ୍ବାର ଆକ୍ରମଣର ଆଶଙ୍କା ଓ ଭୟାବହତା ବୃଦ୍ଧି ପାଇଥିଲେ ସୁଦ୍ଧା, G-7 ନେତାମାନେ ୟୁକ୍ରେନକୁ ଦୃଢ଼ ସମର୍ଥନ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।
ୟୁକ୍ରେନ ପ୍ରତି G-7ର ସମର୍ଥନ, ବିଶେଷ କରି ୟୁରୋପରୁ ଏୟାର ଡିଫେନ୍ସ କ୍ଷମତା, ଅତିରିକ୍ତ ସିଷ୍ଟମ ଓ ଇଣ୍ଟରସେପ୍ଟର ଏବଂ ଦୂରଗାମୀ କ୍ଷମତା ଉପଲବ୍ଧ କରାଇବା ପାଇଁ ସୁନିଶ୍ଚିତ କରାଯାଇଥିଲା। ସଦସ୍ୟ ଦେଶଗୁଡ଼ିକ ଏବେ ୟୁକ୍ରେନକୁ ସାମରିକ ଉତ୍ପାଦନ ବୃଦ୍ଧି କରିବାକୁ ଅନୁମତି ଦେଉଥିବା ଲାଇସେନ୍ସର ଲାଭ ପ୍ରଦାନ କରିବାକୁ ବିଚାର କରିବା ପାଇଁ ପ୍ରସ୍ତୁତ ଥିଲେ।
ଟ୍ରମ୍ପଙ୍କ ବୋଝ ବଣ୍ଟନ ରଣନୀତି ୟୁରୋପ ଉପରେ ଚାପ ପକାଇବା ଏବଂ ବଦଳରେ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ମଧ୍ୟରେ ସତର୍କତାର ସହ ସନ୍ତୁଳନ ରକ୍ଷା କରିଥିଲା, ଯାହାକି ୱାଶିଂଟନ ସିଧାସଳଖ ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ବଦଳରେ ଥିଲା। ଏହା ବ୍ୟତୀତ, ଆମେରିକା-ଇରାନ ଯୁଦ୍ଧ ଏବଂ ହରମୁଜ ଷ୍ଟ୍ରିଟ (Strait of Hormuz) ବନ୍ଦ ହେବା ଯୋଗୁଁ ବୈଶ୍ୱିକ ଅର୍ଥନୀତି ଉପରେ ଆସିଥିବା ସଙ୍କଟ ମଧ୍ୟରେ, ଟ୍ରମ୍ପ ୟୁକ୍ରେନକୁ ୱାଶିଂଟନର ସହାୟତାକୁ ୟୁରୋପୀୟ ଦେଶଗୁଡ଼ିକର ସହଯୋଗ ସହିତ ଯୋଡ଼ିଥିଲେ।
ଏହି ସହଯୋଗ ଏକ ଏଭଳି ବୈଶ୍ୱିକ ମେଣ୍ଟ ଜରିଆରେ ହେବାର ଥିଲା, ଯାହା ଆମେରିକାକୁ ହରମୁଜ ଷ୍ଟ୍ରିଟକୁ ମୁକ୍ତ କରାଇବାରେ ସାହାଯ୍ୟ କରିଥାନ୍ତା । ଅନ୍ୟ ଅର୍ଥରେ କହିଲେ, ଇରାନ ବିରୁଦ୍ଧରେ ଯୁଦ୍ଧରେ ସାମିଲ ହେବା। ସାରା ବିଶ୍ୱରେ ବଢ଼ୁଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ, ପାଶ୍ଚାତ୍ୟ ଦେଶ ବାହାରର ଦେଶଗୁଡ଼ିକ ସହିତ ନିଜର ବହୁସ୍ତରୀୟ ଏବଂ ବ୍ୟବସ୍ଥିତ ସମ୍ପର୍କ ଉପରେ ନିର୍ଭର କରୁଥିବା ପରି ମନେ ହେଉଥିଲା।
ଭାରତର ଗୁରୁତ୍ୱକୁ ପ୍ରତିପାଦିତ କରିବାରେ କାର୍ନିଙ୍କ ଭୂମିକା
ଏହି ପ୍ରସଙ୍ଗରେ, କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଆଭିମୁଖ୍ୟ ବିଶେଷ ଭାବେ ଉଲ୍ଲେଖନୀୟ ଥିଲା। ଭାରତର ଭୂମିକା, କୂଟନୈତିକ ଗୁରୁତ୍ୱ ଏବଂ ବଢ଼ୁଥିବା ଅର୍ଥନୈତିକ ଶକ୍ତିକୁ ପ୍ରଦର୍ଶିତ କରିବାରେ କାର୍ନି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେ ଭାରତକୁ ଏକ ସାଧାରଣ 'ମଧ୍ୟମ ଶକ୍ତି'ରୁ ବହୁ ଆଗକୁ, 'ଗ୍ଲୋବାଲ ସାଉଥ୍' (ବିକାଶଶୀଳ ଦେଶଗୁଡ଼ିକ)ର ଏକ ଅପରିହାର୍ଯ୍ୟ ସ୍ୱର ଭାବେ ଉପସ୍ଥାପନ କରିଥିଲେ। ତାଙ୍କର ଏହି ଆଭିମୁଖ୍ୟ ଚଳିତ ବର୍ଷ ଜାନୁଆରୀ ମାସରେ ୱାର୍ଲ୍ଡ ଇକୋନୋମିକ ଫୋରମରେ ଦେଇଥିବା ତାଙ୍କର ସେହି ଚର୍ଚ୍ଚିତ ଭାଷଣ ସଦୃଶ ଥିଲା, ଯେଉଁଥିରେ ସେ 'ମଧ୍ୟମ ଶକ୍ତି'ଗୁଡ଼ିକର ସପକ୍ଷରେ କହିଥିଲେ; ଯେତେବେଳେ କି ବଡ଼ ଶକ୍ତିଗୁଡ଼ିକ ଆକ୍ରମଣାତ୍ମକ ତଥା ଦାବିଦାର ଥିଲେ ଏବଂ ନିଜଠାରୁ କମ୍ ଶକ୍ତିଶାଳୀ ଦେଶଗୁଡ଼ିକକୁ ହେୟ ମନେ କରୁଥିଲେ।

ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତିର ଘୋଷଣା ୟୁରୋପୀୟ ଦେଶଗୁଡ଼ିକୁ ଟ୍ରମ୍ପଙ୍କ ସହ ସମ୍ପର୍କ ସୁଧାରିବାର ଏକ ସୁଯୋଗ ଦେଇଛି। ଏହାପୂର୍ବରୁ, ଅସ୍ତ୍ରବିରତି ହେବା ଆଗରୁ ସେମାନେ ଆମେରିକାର ପ୍ରଚେଷ୍ଟାରେ ସାମିଲ ହେବାକୁ କୁଣ୍ଠାବୋଧ କରୁଥିଲେ । ହରମୁଜ ଷ୍ଟ୍ରିଟକୁ ମୁକ୍ତ କରିବା କଥା ହେଉ କିମ୍ବା ମିଳିତ ନାକାବନ୍ଦୀ ଲାଗୁ କରିବା ହେଉ। ଏହି କଥା G7ର ସେହି ପ୍ରତିଶ୍ରୁତିରୁ ସ୍ପଷ୍ଟ ଜଣାପଡ଼େ, ଯେଉଁଥିରେ କୁହାଯାଇଥିଲା ଯେ, 'ଫ୍ରାନ୍ସ ଏବଂ ୟୁକେର ନେତୃତ୍ୱରେ ଏକ ବହୁଦେଶୀୟ, ସ୍ୱାଧୀନ ଏବଂ ପ୍ରତିରକ୍ଷାମୂଳକ ଆଭିମୁଖ୍ୟ, ହରମୁଜ ଷ୍ଟ୍ରିଟ ମଧ୍ୟରେ ସାମୁଦ୍ରିକ ଯାତାୟାତକୁ ପୁନର୍ବାର ଆରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏହି ପଦକ୍ଷେପ ବାଣିଜ୍ୟିକ ଜାହାଜଗୁଡ଼ିକର ସୁରକ୍ଷା କରି, କମର୍ସିଆଲ୍ ସିପିଂ ଅପରେଟରମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରି ଏବଂ ସମସ୍ତ ସାମୁଦ୍ରିକ ମାଇନ୍ସ ହଟାଯାଇଥିବା ସୁନିଶ୍ଚିତ କରିବାରେ ସାହାଯ୍ୟ କରି ଏହା କରିପାରିବ।'
ଏଭିଆନ୍ ଠାରେ ଅନୁଷ୍ଠିତ ଜି୭ ବୈଠକ ଆଉ ଏକ ପ୍ରତିଶ୍ରୁତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଥିଲା ଏବଂ ତାହା ଥିଲା ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରକୁ ନେଇ।
ଏଭଳି ଏକ ସମୟରେ, ଯେତେବେଳେ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରରେ ନିଜର ଦାୟିତ୍ୱଗୁଡ଼ିକୁ ହ୍ରାସ କରିବାକୁ ଜିଦ୍ ଧରିଥିବା ପରି ମନେହେଉଛି, ସେତେବେଳେ ଇଣ୍ଡୋ-ପ୍ୟାସିଫିକ୍ କ୍ଷେତ୍ରକୁ ନେଇ କରାଯାଇଥିବା ଏହି ମିଳିତ ପ୍ରତିଶ୍ରୁତି ଏସିଆ ପାଇଁ ଏକ ବଡ଼ ଆଶ୍ୱାସନାର ବିଷୟ ଥିଲା।
ଚୀନ ସହ କୌଣସି ବଡ଼ ବୁଝାମଣା ପାଇଁ ପ୍ରୟାସ କରୁଛି ୱାଶିଂଟନ !
ଫେବୃଆରୀ ମାସରୁ ହିଁ ଆମେରିକା-ଇରାନ ମଧ୍ୟରେ ଲାଗିରହିଥିବା ଉତ୍ତେଜନାର ପ୍ରଭାବ ସହିତ ଏସିଆ ସଂଘର୍ଷ କରି ଆସୁଛି। G-7 ବୈଠକରେ ଚୀନର ଅନୁପସ୍ଥିତି ଯୋଗୁଁ ପୂର୍ବ ଓ ଦକ୍ଷିଣ ଚୀନ ସାଗର ଏବଂ ତାଇୱାନ ଜଳଡମରୁ ମଧ୍ୟରେ ସ୍ଥିତାବସ୍ଥା ବଦଳାଇବାକୁ କରାଯାଉଥିବା ଯେ କୌଣସି ଏକତରଫା ପ୍ରୟାସକୁ ଖୋଲାଖୋଲି ଭାବେ ବିରୋଧ କରାଯାଇ ପାରିଲା।
ଏହି ସମ୍ପୂର୍ଣ୍ଣ ପରିସ୍ଥିତିର ବିରୋଧାଭାସ ମଧ୍ୟ ସ୍ପଷ୍ଟ ଦେଖାଯାଉଥିଲା, କାରଣ ଟ୍ରମ୍ପ ପ୍ରଶାସନ ଚୀନ ମାମଲାରେ ସଙ୍କୋଚ ପ୍ରକାଶ କରୁଛି। ସେମାନେ ଏଭଳି କୌଣସି ଚାପପୂର୍ଣ୍ଣ ପ୍ରସଙ୍ଗ ଉଲ୍ଲେଖ କରିବାରୁ ଦୂରେଇ ରହୁଛନ୍ତି, ଯାହା ଦ୍ୱାରା ବେଜିଂ ଅସନ୍ତୁଷ୍ଟ ହୋଇପାରେ। ଏଥିରୁ ମନେହେଉଛି ଯେ, ୱାଶିଂଟନ ଚୀନ ସହିତ କୌଣସି ବଡ଼ ବୁଝାମଣା କରିବା ପାଇଁ ଅତ୍ୟଧିକ ପ୍ରୟାସ କରୁଛି।

ଏଭିଆନ୍ ଠାରେ G-7 ବୈଠକ ପୂର୍ବରୁ, ଚୀନ ଜୁନ୍ ୧୧ରେ ରାଷ୍ଟ୍ରପତି ମାକ୍ରୋନଙ୍କ ଦ୍ୱାରା ଆହୁତ 'ଗ୍ଲୋବାଲ କନଭର୍ଜେନ୍ସ ଫର ଗ୍ରୋଥ୍ ସମିଟ୍'ରେ ଭାଗ ନେଇଥିଲା। ଏହି ଗୋଷ୍ଠୀରେ ଚୀନ ସମ୍ପୂର୍ଣ୍ଣ ଭାବେ ସାମିଲ ନ ହେବାର ଅଭାବକୁ ଏଥର ୱାଶିଂଟନର ନିଜ ୟୁରୋପୀୟ ସହଯୋଗୀମାନଙ୍କଠାରୁ ଦୂରେଇ ରହିବା ନିଷ୍ପତ୍ତି ସନ୍ତୁଳିତ କରିଦେଇଥିଲା। ଫଳସ୍ୱରୂପ, ବୈଶ୍ୱିକ ବିକାଶ ଏବଂ ଶାସନ ପ୍ରସଙ୍ଗଗୁଡ଼ିକ ଉପରେ ମଧ୍ୟମ ସ୍ତରୀୟ ଶକ୍ତିଗୁଡ଼ିକର ଯୋଗଦାନର ପରିସର ବୃଦ୍ଧି ପାଇପାରେ।
ଭାରତ ପାଇଁ, G7 ଏକ ଏଭଳି ନିରନ୍ତରତାକୁ ଦର୍ଶାଏ, ଯାହା ତାର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବୈଶ୍ୱିକ ମଞ୍ଚରେ ବଢୁଥିବା ଗୁରୁତ୍ୱକୁ ପ୍ରତିପାଦିତ କରେ। ଏଭିଆନ ଠାରେ ଆଲୋଚନା କରାଯାଇଥିବା ତିନୋଟି ବିଷୟ ନୂଆଦିଲ୍ଲୀର ବୈଶ୍ୱିକ ଏବଂ ଘରୋଇ ପ୍ରାଥମିକତାଗୁଡ଼ିକର ଅନୁକୂଳ ଥିଲା।
ଏଭଳି ଏକ ସମୟରେ ଯେତେବେଳେ 'ଗ୍ଲୋବାଲ୍ ନର୍ଥ' (ବିକଶିତ ଦେଶ) 'ଗ୍ଲୋବାଲ୍ ସାଉଥ୍' (ବିକାଶଶୀଳ ଦେଶ) ର ପ୍ରାଥମିକତାଗୁଡ଼ିକ ଠାରୁ ଅଲଗା ହୋଇ ଏକ ଗବେଷଣାଗାରପରି ମନେହେଉଛି, ସେହି ସମୟରେ ଭାରତକୁ ( ଯିଏ କି 'ଗ୍ଲୋବାଲ୍ ସାଉଥ୍' ର ସବୁଠାରୁ ବଡ଼ ଦେଶ) ସୁଯୋଗ ମିଳିବା କ୍ଷଣି ସଠିକ୍ ପ୍ରାଥମିକତାଗୁଡ଼ିକୁ ସାମ୍ନାକୁ ରଖିବାର ଆବଶ୍ୟକତା ରହିଛି। ବିଶ୍ୱାସ ସୃଷ୍ଟି ବା ପୁନର୍ବାର ସ୍ଥାପନ କରିବାର ଆହ୍ୱାନ ଭାରତର ସେହି ଅନନ୍ୟ ସ୍ଥିତି ସହ ମେଳ ଖାଉଛି, ଯେଉଁଥିରେ ସେ କୌଣସି ବି ସଂଘର୍ଷରତ ପକ୍ଷ ସହିତ ମୁହାଁମୁହିଁ ସ୍ଥିତିରେ ନାହିଁ ଏବଂ ସେଥିପାଇଁ ଶାନ୍ତି ଓ ସ୍ଥିରତା ଆଣିବାରେ ସହାୟକ ହୋଇପାରିବ । କେବଳ ନିଜ ପଡ଼ୋଶୀ ଦେଶଗୁଡ଼ିକରେ ନୁହେଁ ବରଂ ସାରା ବିଶ୍ୱରେ।
ଶେଷରେ, କନେକ୍ଟିଭିଟି ବା ଯୋଗାଯୋଗ ଉପରେ ଭାରତର ଗୁରୁତ୍ୱ ଯେତିକି ସମୟୋଚିତ, ସେତିକି ଜରୁରୀ ମଧ୍ୟ। ଚାଲୁ ରହିଥିବା ଯୁଦ୍ଧଗୁଡ଼ିକର ପରିଣାମ ସ୍ୱରୂପ ବୈଶ୍ୱିକ କନେକ୍ଟିଭିଟି ଏବଂ ଯୋଗାଣ ଶୃଙ୍ଖଳା ରେ ସୁରକ୍ଷା ଓ ରାଜନୈତିକ ଅସ୍ଥିରତା ଭାରତର ସେହି କନେକ୍ଟିଭିଟି ପ୍ରକଳ୍ପଗୁଡ଼ିକୁ ପ୍ରଭାବିତ କରିଛି ଯାହା ମଧ୍ୟପ୍ରାଚ୍ୟକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ମାନୁଥିଲା। ବୋଧହୁଏ, ଇରାନ-ଆମେରିକା ସଂଘର୍ଷ ଶେଷ ହେବା ସହିତ I2U2 ଏବଂ IMEEC ଭଳି କନେକ୍ଟିଭିଟି ପ୍ରକଳ୍ପଗୁଡ଼ିକ ଗତିଶୀଳ ହେବ।
ଏହା ମଧ୍ୟ ପଢନ୍ତୁ OPINION : ଆମେରିକା–ଇରାନ ଶାନ୍ତି ଚୁକ୍ତି: କ୍ଷଣିକ ପାଇଁ ଉତ୍ତମ କିନ୍ତୁ ଚୂଡ଼ାନ୍ତ ସମାଧାନ ଦୃଷ୍ଟିରୁ ବାହାରେ !
ଏହା ମଧ୍ୟ ପଢନ୍ତୁ ଆମେରିକା-ଚୀନ୍ ଏବଂ ରୁଷ ସମ୍ମିଳନୀ; କଣ ରହିଛି ଭାରତ ପାଇଁ ବର୍ତ୍ତା ?

