ETV Bharat / opinion

In Depth | ଏକ ଉଦୀୟମାନ ଅକ୍ଷ; ଯେଉଁଠାରେ ତାଲିବାନ, CIA ଏବଂ ISIରେ ଥିବା ଏହାର ପୂର୍ବ ଗଡଫାଦରମାନଙ୍କ ପାଇଁ ଲକ୍ଷଣରେଖା ଟାଣିଥାଏ

ଏକଦା ଆଫଗାନିସ୍ତାନ ପ୍ରତିରୋଧକୁ ଆମେରିକା ପ୍ରଚୁର ସମର୍ଥନ କରିଥିଲା, ଯାହା ପାଲେଷ୍ଟାଇନ ବିରୁଦ୍ଧରେ ଯୁଦ୍ଧରେ ୱାଶିଂଟନର ଇସ୍ରାଏଲକୁ ସମର୍ଥନ ସହିତ ତୁଳନୀୟ ଥିଲା। 'ETV Bharat' ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ

AFGANISTAN
Armed Taliban ride atop an armored vehicle during celebrations marking the fifth anniversary of the U.S. withdrawal from Afghanistan and the Taliban's return to power, in Kabul, Afghanistan, Saturday, Aug. 15, 2026. (AP Photo/Siddiqullah Alizai)
author img

By Bilal Bhat

Published : August 22, 2026 at 1:47 PM IST

5 Min Read
Choose ETV Bharat

ହାଇଦ୍ରାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଜେନେରାଲ୍ ଜିଆ-ଉଲ୍-ହକ୍ ୧୯୭୯ରେ ଆଫଗାନିସ୍ତାନ ବ୍ୟୁରୋର ଦାୟିତ୍ୱରେ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ଅଖତର ଅବଦୁଲ ରହମାନ ଖାନ୍‌ଙ୍କୁ ଥରେ କହିଥିଲେ; “ଆଫଗାନିସ୍ତାନରେ ପାଣି ଠିକ୍ ତାପମାତ୍ରାରେ ଫୁଟିବା ଦରକାର।” ସେତେବେଳେ ସୋଭିଏତ୍ ସଂଘ ଆଫଗାନିସ୍ତାନ ଆକ୍ରମଣ କରିଥିଲା। ପାକିସ୍ତାନ ଓ ଆମେରିକା ମିଶି କମ୍ୟୁନିଷ୍ଟ ଶାସନ ବିରୋଧୀ ପ୍ରତିରୋଧ ଆନ୍ଦୋଳନକୁ ସମର୍ଥନ କରୁଥିଲେ। ସେପଟେ ଯେଉଁ ଆଫଗାନିସ୍ତାନକୁ ନିଜ ପ୍ରଭାବରେ ରଖିବାକୁ CIA ଓ ISI ଦିନେ ମିଳିତ ଅଭିଯାନ ଚଳାଇଥିଲେ, ଆଜି ସେହି ତାଲିବାନ ଭାରତ, ରୁଷିଆ ଓ ଚୀନ୍‌ ସହ ସମ୍ପର୍କ ବଢ଼ାଉଛି; ଏପଟେ ପାକିସ୍ତାନ ଓ ଆମେରିକା ସହ ସମୀକରଣ ଜଟିଳ ହେଉଛି।

ଆଜି ସୋଭିଏତ୍ ସଂଘ ଆଉ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରୁନାହିଁ। ଆମେରିକା ମଧ୍ୟ ୨୦ ବର୍ଷରୁ ଅଧିକ ସମୟ ଆଫଗାନିସ୍ତାନରେ ରହିବା ପରେ ୨୦୨୧ରେ ତାଲିବାନ କ୍ଷମତା ଦଖଲ କରିବା ପରେ ପ୍ରାୟ ରାତାରାତି ଦେଶ ଛାଡ଼ିଥିଲା। ତାଲିବାନ କ୍ଷମତାରେ ପାଞ୍ଚ ବର୍ଷ ପୂରଣ କରିଛି ଏବଂ ଆମେରିକୀୟ ସେନା ଛାଡ଼ିଯାଇଥିବା ଉନ୍ନତ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣର ଏକ ବଡ଼ ଭଣ୍ଡାର ମଧ୍ୟ ତା’ର ହାତକୁ ଆସିଛି। ଆଫଗାନିସ୍ତାନର ତାପମାତ୍ରା ଏବେ ଏତେ ବଢ଼ିଯାଇଛି ଯେ, ୱାଶିଂଟନ୍ ପାଇଁ ଏହାର ପରିଣାମକୁ ଗ୍ରହଣ କରିବା ସହଜ ନୁହେଁ; ଅନ୍ୟପଟେ ପାକିସ୍ତାନ ମଧ୍ୟ ଏହି ‘ଫୁଟୁଥିବା ପାଣି’ରେ ଆଙ୍ଗୁଠି ପୂରାଇବାକୁ ଭୟ କରୁଛି, କାରଣ ଏଥିରେ ସାରା ହାତ ପୋଡ଼ିଯିବାର ଆଶଙ୍କା ରହିଛି।

AFGANISTAN
Children ride on a motorcycle carrying Taliban flags during celebrations marking the fifth anniversary of the U.S. withdrawal from Afghanistan and the Taliban's return to power, in Kabul, Afghanistan, Saturday, Aug. 15, 2026 (AP Photo/Nava Jamshidi)

ତାଲିବାନର ପାଞ୍ଚ ବର୍ଷର ଶାସନ ଦଶନ୍ଧି ପୂର୍ବେ ପାକିସ୍ତାନର ISI ଓ CIA ମିଳି ଆଫଗାନିସ୍ତାନରେ ନିଜ ପ୍ରଭାବ ସ୍ଥାପନ ପାଇଁ ଆରମ୍ଭ କରିଥିବା ଅଭିଯାନ କିପରି ଦିନକୁ ଦିନ ନିଜ ନିୟନ୍ତ୍ରଣରୁ ଦୂରେଇଯାଉଛି, ତାହାର ଏକ ସ୍ପଷ୍ଟ ସ୍ମାରକ।

ସୋଭିଏତ୍ ଆକ୍ରମଣ ପରେ ISI ଆଫଗାନିସ୍ତାନ ଭିତରକୁ ସେନା ଅଧିକାରୀମାନଙ୍କୁ ପଠାଇ ଆଣ୍ଟି-ସୋଭିଏତ୍ ପ୍ରତିରୋଧକୁ ପରିଚାଳନାରେ ସହାୟତା କରିଥିଲା। ବଡ଼ ଉଦ୍ଦେଶ୍ୟ ଥିଲା, ସୋଭିଏତ୍ ସଂଘର ପରାଜୟ ପରେ ମଧ୍ୟ ଆଫଗାନିସ୍ତାନ ଉପରେ ପାକିସ୍ତାନର ନିୟନ୍ତ୍ରଣ ଓ ପ୍ରଭାବ ବଜାୟ ରହିବ।

ବ୍ରିଗେଡିୟର୍ ଏମ୍. ୟୁସୁଫ୍ ଓ ମେଜର୍ ମାର୍କ ଆଡକିନ୍‌ଙ୍କ ପୁସ୍ତକ 'Afghanistan-The Bear Trap: The Defeat of a Superpower'ରେ ଏହି ଉଦ୍ଦେଶ୍ୟକୁ ଆଫଗାନିସ୍ତାନକୁ ଆଉ ଏକ ଭିଏତନାମ୍‌ରେ ପରିଣତ କରିବା ବୋଲି ବର୍ଣ୍ଣନା କରାଯାଇଛି। ଅର୍ଥାତ୍, ରୁଷିଆ ସେହି ଭୂମିକା ନେବ, ଯେଉଁ ଭୂମିକା ଭିଏତନାମ୍‌ରେ ଆମେରିକା ନେଇଥିଲା।

ପାକିସ୍ତାନୀ ସେନାର ପୂର୍ବତନ ବ୍ରିଗେଡିୟର୍ ତଥା ISIର ଆଫଗାନିସ୍ତାନ ବ୍ୟୁରୋର ଜଣେ ପ୍ରମୁଖ ଅଧିକାରୀ ଥିବା ଲେଖକ ଏକ ଏଭଳି ବିଭାଗର ବର୍ଣ୍ଣନା କରିଥିଲେ, ଯାହାକୁ “ଯୁଦ୍ଧର ସଫ୍ଟୱେର୍” ବୋଲି କୁହାଯାଉଥିଲା। ଏଠାରେ CIAର ଟଙ୍କା ବ୍ୟବହାର କରି ସୋଭିଏତ୍ ସେନା ବିରୋଧରେ ଲଢ଼ୁଥିବା ଆଫଗାନ୍ ମିଲିସିଆମାନଙ୍କୁ ସହାୟତା ଦିଆଯାଉଥିଲା।

ବିପୁଳ ପରିମାଣର ପୋଷାକ ଓ ରାସନ୍ କିଣାଯାଇ ହିନ୍ଦୁକୁଶର ଦକ୍ଷିଣ ଓ ପୂର୍ବ ଅଞ୍ଚଳକୁ ପଠାଯାଉଥିଲା, ଯେଉଁଠାରେ ପାସ୍ତୋ ଭାଷାଭାଷୀ ଆଫଗାନ୍ ଯୋଦ୍ଧାମାନେ ରହୁଥିଲେ। ହିନ୍ଦୁକୁଶର ଉତ୍ତର ଓ ପୂର୍ବ ଅଞ୍ଚଳକୁ ମଧ୍ୟ ସହାୟତା ଦିଆଯାଉଥିଲା, ଯେଉଁଠାରେ ତାଜିକ୍, ହଜାରା ଓ ଉଜବେକ୍ ସମ୍ପ୍ରଦାୟର ଲୋକେ ରହୁଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅନେକେ ଦାରି କିମ୍ବା ପାର୍ସୀ ଭାଷାଭାଷୀ ଥିଲେ। ପରବର୍ତ୍ତୀ ସମୟରେ ପାସ୍ତୁନ୍ ପ୍ରଧାନ ଅଞ୍ଚଳଗୁଡ଼ିକ ଆମେରିକା ଆଫଗାନିସ୍ତାନ ଆକ୍ରମଣ ପରେ ଉତ୍ତରାଞ୍ଚଳର ଗୋଷ୍ଠୀଗୁଡ଼ିକ ବିରୋଧରେ ଲଢ଼ିଥିଲେ। ଉତ୍ତର ଅଞ୍ଚଳର ସେହି ବାହିନୀ, ଯେଉଁମାନଙ୍କୁ ଆମେରିକା ପ୍ରଶିକ୍ଷଣ ଓ ସମର୍ଥନ ଦେଇଥିଲା, ଶେଷରେ ତାଲିବାନ ବିରୋଧରେ ଲଢ଼ିଥିଲେ।

ଆମେରିକା ବୋଧହୁଏ ଏହି ତଥ୍ୟକୁ ଅଣଦେଖା କରିଥିଲା ଯେ, ପାସ୍ତୁନ୍‌ମାନେ ଐତିହାସିକ ଭାବେ ବାହ୍ୟ ଶକ୍ତିମାନଙ୍କ ଦ୍ୱାରା ନିଜ ଉପରେ ନିୟନ୍ତ୍ରଣ ସ୍ଥାପନର ପ୍ରୟାସକୁ ପ୍ରତିରୋଧ କରିଆସିଛନ୍ତି। ଏପରିକି ବ୍ରିଟିଶ୍‌ମାନେ ମଧ୍ୟ ଏହି ଅଞ୍ଚଳର ବିଭିନ୍ନ ଯୁଦ୍ଧପ୍ରବଣ ଜାତି ଓ ଗୋଷ୍ଠୀକୁ ନିଜ ନିୟନ୍ତ୍ରଣରେ ଆଣିବାରେ ସଂଘର୍ଷ କରିଥିଲେ।

ପାକିସ୍ତାନ ଆଫଗାନ୍ ମୁଜାହିଦିନ୍‌ମାନଙ୍କୁ ସମର୍ଥନ କରିବା ପଛରେ ନିଜସ୍ୱ ଏଜେଣ୍ଡା ରଖିଥିଲା। ଭାରତ ଓ ସୋଭିଏତ୍ ସଂଘ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ ପାକିସ୍ତାନ ଭୟ କରୁଥିଲା ଯେ, ତାକୁ ରଣନୈତିକ ଭାବେ ଚାପି ଦିଆଯାଇପାରେ। ଅନ୍ୟପଟେ ଆମେରିକା ପାଇଁ ସୋଭିଏତ୍ ସଂଘ ଏକ ସ୍ୱାଭାବିକ ଶତ୍ରୁ ଥିଲା ଏବଂ ୱାଶିଂଟନ୍ ଚାହୁଁଥିଲା ଯେ, ମସ୍କୋ ସେହି ଅନୁଭୂତି ପାଉ, ଯାହା ଭିଏତନାମ୍‌ରେ ଆମେରିକା ଅନୁଭବ କରିଥିଲା। ତେଣୁ ଆଫଗାନ୍ ପ୍ରତିରୋଧକୁ ସମର୍ଥନ କରିବା ଆମେରିକାର ବୈଦେଶିକ ନୀତିର ଏକ ବିସ୍ତାର ଥିଲା।

ସୋଭିଏତ୍ ବିରୋଧୀ ଆଫଗାନ୍ ଯୁଦ୍ଧକୁ ଆମେରିକା ଯେଉଁ ତୀବ୍ରତାର ସହ ସମର୍ଥନ କରିଥିଲା, ତାହା ଆଜି ଗାଜାରେ ଇସ୍ରାଏଲ୍‌ର ଯୁଦ୍ଧକୁ ୱାଶିଂଟନ୍ ଯେଉଁ ଉତ୍ସାହର ସହ ସମର୍ଥନ କରୁଛି, ତାହା ସହ ତୁଳନୀୟ। ସୋଭିଏତ୍ ବିରୋଧରେ ଆଫଗାନ୍ ଯୁଦ୍ଧ ପାଇଁ ଆମେରିକୀୟ କଂଗ୍ରେସର ସମର୍ଥନ ମଧ୍ୟ ବ୍ୟାପକ ଥିଲା।

ଆଫଗାନିସ୍ତାନକୁ ଆମେରିକାର ସହାୟତାର ଜଣେ ଉତ୍ସାହୀ ସମର୍ଥକ କଂଗ୍ରେସମ୍ୟାନ୍ ଚାର୍ଲସ୍ ୱିଲସନ୍‌ଙ୍କୁ ୧୯୮୫ ଜାନୁଆରୀ ୧୪ର ଦ Daily Telegraph ରିପୋର୍ଟରେ ଉଦ୍ଧୃତ କରାଯାଇଥିଲା। ସେ ଆଫଗାନିସ୍ତାନର ଝାୱାର୍‌ରେ ଥିବା ଏକ ବେସ୍ କ୍ୟାମ୍ପ ପରିଦର୍ଶନ କରିଥିବା ବେଳେ ଏହି ମତ ଦେଇଥିଲେ। ଏହି ସ୍ଥାନ ପାକିସ୍ତାନର ମିରାମ୍ ଶାହ୍ ସହରର ବିପରୀତ ଦିଗରେ ଆଫଗାନିସ୍ତାନ ଭିତରେ ପ୍ରାୟ ୫ କିଲୋମିଟର ଦୂରରେ ଥିଲା। ଆଫଗାନିସ୍ତାନକୁ ପ୍ରବେଶ କରିଥିବା ସେ ପ୍ରଥମ ଆମେରିକୀୟ ରାଜନେତା ଥିଲେ।

ଏପଟେ ପାକିସ୍ତାନ ସେନା ମଧ୍ୟ ଆଫଗାନିସ୍ତାନ ଭିତରେ ନିଜ ଲୋକଙ୍କୁ ନିୟୋଜିତ କରିଥିଲା। ସେମାନେ ଗୁଇନ୍ଦା ସୂଚନା ସଂଗ୍ରହ କରିବା ସହ ଆଫଗାନ୍ ଯୋଦ୍ଧାମାନଙ୍କୁ ଦିଆଯାଉଥିବା ସହାୟତାର ଦିଗ ନିର୍ଦ୍ଦେଶ କରୁଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଯୁଦ୍ଧରେ ନିଖୋଜ ହୋଇଥିଲେ କିମ୍ବା ମୃତାହତ ହୋଇଥିଲେ।

୧୯୮୯ରେ The Times ରିପୋର୍ଟ କରିଥିଲା ଯେ, ପାକିସ୍ତାନ ସେନାର ଦୁଇଜଣ ଗୁଇନ୍ଦା ଅଧିକାରୀଙ୍କୁ ସୋଭିଏତ୍ ସେନା କାବୁଲରେ ଧରିଥିଲା। ସେମାନେ ଗୁଇନ୍ଦାଗିରି କରିଥିବା କଥା ସ୍ୱୀକାର କରିଥିବା ଏବଂ ପୁଲ୍-ଇ-ଚାରଖି ଜେଲ୍‌ରେ ୧୬ ମାସରୁ ଅଧିକ ସମୟ ବନ୍ଦୀ ରହିଥିବା ରିପୋର୍ଟ ହୋଇଥିଲା। ସେହି ଜେଲ୍‌କୁ ନେଇ କୁହାଯାଉଥିଲା ଯେ, ସେଠାର ବନ୍ଦୀମାନେ ଜୀବନ୍ତ ନରକ ଭଳି ପରିସ୍ଥିତି ସହିବା ଅପେକ୍ଷା ମୃତ୍ୟୁକୁ ପସନ୍ଦ କରୁଥିଲେ। ପାକିସ୍ତାନ ଏହି ଦୁଇ ଅଧିକାରୀଙ୍କୁ ଅସ୍ୱୀକାର କରିଦେଇଥିଲା। ଅର୍ଥାତ୍, ସାମରିକ ସଂଘର୍ଷ ସହିତ ସମାନାନ୍ତରାଳରେ ଏକ ଗୁଇନ୍ଦା ଯୁଦ୍ଧ ମଧ୍ୟ ଚାଲିଥିଲା।

ଆଫଗାନିସ୍ତାନରେ ମହିଳାଙ୍କ ଅଧିକାର କ୍ଷୁଣ୍ଣ କରୁଥିବା ଅଭିଯୋଗରେ ଆମେରିକା ସମେତ ପଶ୍ଚିମୀ ଦେଶଗୁଡ଼ିକ ତାଲିବାନକୁ ବାରମ୍ବାର ସମାଲୋଚନା କରିଆସିଛନ୍ତି। କିନ୍ତୁ ଆଫଗାନିସ୍ତାନରେ ସୋଭିଏତ୍ ଦଖଲ ସମୟରେ ମଧ୍ୟ ମହିଳାଙ୍କ ଅଧିକାର ଓ ଶିକ୍ଷାର ପ୍ରସଙ୍ଗ ବ୍ୟବହୃତ ହୋଇଥିଲା। ଆକ୍ରମଣ ପରେ ସୋଭିଏତ୍ ସମର୍ଥିତ ସରକାର ଆଫଗାନ୍ ମହିଳାଙ୍କ ଶିକ୍ଷାକୁ ପ୍ରାଥମିକତା ଦେଇଥିଲା। କିନ୍ତୁ ଆଫଗାନ୍ ସମାଜର କିଛି ବର୍ଗ ଏହି ନୀତିକୁ ନିଜ ସଂସ୍କୃତି ଓ ପରମ୍ପରା ଉପରେ ଆକ୍ରମଣ ଭାବେ ଦେଖିଥିଲେ। ଏପରିକି ସୋଭିଏତ୍‌ମାନେ ଯେଉଁ ସେନାକୁ ପ୍ରଶିକ୍ଷଣ ଦେଇଥିଲେ, ସେହି ସେନା ଶେଷରେ ସେମାନଙ୍କ ବିରୋଧରେ ହିଁ ମୁହଁ ଫେରାଇଥିଲା।

ଏବେ ତାଲିବାନ ଆଫଗାନିସ୍ତାନର ନିୟନ୍ତ୍ରଣରେ ଥିବାବେଳେ ଦେଶଟି ଭାରତ ଓ ରୁଷିଆ ସହିତ ଚୀନ୍‌ର ନିକଟତର ହେଉଥିବା ଦେଖାଯାଉଛି। ଅନ୍ୟପଟେ ପାକିସ୍ତାନ ଓ ଆମେରିକା ସହ ଏହାର ସମ୍ପର୍କ କ୍ରମଶଃ ଜଟିଳ ହେଉଛି।

AFGANISTAN
Afghan Foreign Minister Amir Khan Muttaqi talks to Taliban delegates from across the country as they gather for a meeting opening celebrations for the fifth anniversary of the U.S. withdrawal and the Taliban's return to power, at Loya Jirga Hall in Kabul, Afghanistan, Saturday, Aug. 15, 2026 (AP Photo/Siddiqullah Alizai)

ଦିଲ୍ଲୀରେ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଫଗାନ୍ ଦୂତାବାସ ତାଲିବାନ ଶାସନର ପାଞ୍ଚ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ କରି ଭାରତୀୟ କୂଟନୀତିଜ୍ଞମାନଙ୍କୁ ଆମନ୍ତ୍ରଣ କରିଥିଲା। ଏହା ବଦଳୁଥିବା ସମୀକରଣର ଆଉ ଏକ ସଙ୍କେତ ଥିଲା। ଏହି ସମୟରେ ଆଫଗାନ୍ ଓ ପାକିସ୍ତାନୀ ସେନା ମଧ୍ୟରେ ସୀମାରେ ହୋଇଥିବା ସଂଘର୍ଷ କାବୁଲ୍ ଓ ଇସଲାମାବାଦ ମଧ୍ୟରେ ତିକ୍ତତାକୁ ଆହୁରି ବଢ଼ାଇଛି।

ତାଲିବାନ ନେତା ଆମିର ମୁତ୍ତାକୀଙ୍କ ୨୦୨୫ରେ ଭାରତ ଗସ୍ତ ଏବଂ ଉତ୍ତରପ୍ରଦେଶର ଦେଓବନ୍ଦ ଯାଇ ଦାରୁଲ ଉଲୁମ୍ ଦେଓବନ୍ଦର ଧର୍ମଗୁରୁମାନଙ୍କୁ ଭେଟିବା ଆଞ୍ଚଳିକ ସମୀକରଣରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଥିଲା। ଏହା ପାକିସ୍ତାନକୁ ନିଶ୍ଚିତ ଭାବେ ଚିନ୍ତିତ କରିଥିବ।

ଦିଲ୍ଲୀରେ ତାଲିବାନ ଏକ ପ୍ରେସ୍ ବ୍ରିଫିଂ ଆୟୋଜନ କରିବା ଏବଂ ପରେ ମହିଳା ସାମ୍ବାଦିକମାନଙ୍କୁ ସେଥିରେ ଅଂଶଗ୍ରହଣ କରିବାକୁ ଅନୁମତି ଦେବା ମଧ୍ୟ ଭାରତ ଓ ତାଲିବାନ ମଧ୍ୟରେ ଏକ ପ୍ରକାର ବୁଝାମଣା ଥିବାର ସଙ୍କେତ ଦେଇପାରେ, ଯେଉଁ ସମୀକରଣରେ ଉଭୟ ପକ୍ଷ ଆରାମଦାୟକ ଥିବା ପରି ଦେଖାଯାଉଛି।

ଏହି ଉଦୀୟମାନ ଅକ୍ଷରେ ଗୋଟିଏ ପଟେ ପାକିସ୍ତାନ ଓ ଆମେରିକା ଥିବାବେଳେ ଅନ୍ୟପଟେ ତାଲିବାନ ସେହି ଶକ୍ତିମାନଙ୍କ ନିକଟତର ହେଉଛି, ଯେଉଁମାନଙ୍କୁ କେବେ CIA ଓ ISI ନିଜ ପ୍ରଭାବରୁ ଦୂରେ ରଖିବାକୁ ଚାହୁଁଥିଲେ। ଏହା ଆଞ୍ଚଳିକ ଭୂ-ରାଜନୀତିରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ।

ଏବେ ପ୍ରଶ୍ନ ହେଉଛି; ପାକିସ୍ତାନ ଓ ୱାଶିଂଟନ୍ ନିଜେ ସୃଷ୍ଟି କରିଥିବା ଏହି ଜଟିଳ ପରିସ୍ଥିତିକୁ କିପରି ସମ୍ଭାଳିବେ, ତାହା ଦେଖିବା ବି ଏକ ଆକର୍ଷଣୀୟ ବିଷୟ।

ଜେନେରାଲ୍ ଜିଆ-ଉଲ୍-ହକ୍ ଯେଉଁ “ଠିକ୍ ତାପମାତ୍ରାରେ” ଆଫଗାନିସ୍ତାନର ପାଣିକୁ ଫୁଟାଇବାକୁ ଚାହୁଁଥିଲେ, ଶେଷରେ ସେହି ପାଣି ହୁଏତ ନିୟନ୍ତ୍ରଣର ସୀମା ଟପି ଫୁଟିଯାଇଛି। ଆଉ ଯେଉଁ ଶକ୍ତିମାନେ ଦିନେ ଏହାର ତାପମାତ୍ରାକୁ ନିଜ ଇଚ୍ଛା ଅନୁସାରେ ନିୟନ୍ତ୍ରଣ କରିପାରିବେ ବୋଲି ଭାବିଥିଲେ, ଆଜି ସେମାନେ ନିଜେ ଏହାର ପରିଣାମ ସହ ଲଢ଼ୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... Ground Report | କ୍ଷତ ଶୁଖିଯାଇଛି, କିନ୍ତୁ ମନର ଘା' ଏବେ ବି ତାଜା... Air India-171 ବିମାନ ଦୁର୍ଘଟଣାର ପୀଡ଼ିତ ପରିବାର ଓ ବଞ୍ଚିଯାଇଥିବା ଲୋକଙ୍କ ସହ ସାକ୍ଷାତ ଆଲୋଚନା

ଏହା ମଧ୍ୟ ପଢ଼ନ୍ତୁ... 'ଯେତେବେଳେ ସମସ୍ତେ ଶୋଉଥିଲେ, ତାଙ୍କ ଦିନ ଆରମ୍ଭ ହେଉଥିଲା'; ସ୍ବର୍ଗତ ଶ୍ରୀ ରାମୋଜୀ ରାଓଙ୍କ ଦ୍ୱିତୀୟ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି