ETV Bharat / opinion

OPINION: ଭୂରାଜନୈତିକ ସଂକଟରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ; କାରଣ ଏବଂ ଆଗାମୀ ପନ୍ଥା

'ଆମେରିକା-ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଅସ୍ଥିରତା କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟରେ ହ୍ରାସ ଘଟିଛି । ଯାହାକି ଅର୍ଥନୀତି ପାଇଁ ଚିନ୍ତାଜନକ।' ପ୍ରଫେସର ଏମ୍. ଭେଙ୍କଟେସ୍ବରାଲୁଙ୍କ ଆଲେଖ୍ୟ

Indian Rupee fall
ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦୁର୍ବଳ (File Photo (AFP))
author img

By ETV Bharat Odisha Team

Published : May 11, 2026 at 4:58 PM IST

4 Min Read
Choose ETV Bharat

ଆଲେଖ୍ୟ: ପ୍ରଫେସର ଏମ୍. ଭେଙ୍କଟେସ୍ବରାଲୁ

ଆମେରିକୀୟ ଡଲାର ତୁଳାନାରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଏବଂ ହର୍ମୁଜ ପ୍ରଣାଳୀ ଦେଇ ତୈଳ ପରିବହନ ବାଧାପ୍ରାପ୍ତ ଘଟଣା, ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି । ଭୂରାଜନୈତିକ ସଂକଟ (Geopolitical Stress) ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ପଡ଼ିଛି ।

ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା:

୨୦୨୫ ମେ ୧ ରୁ ୨୦୨୬ ମେ ୮ ତାରିଖ ମଧ୍ୟରେ ଭାରତୀୟ ମୁଦ୍ରା (₹)ର ମୂଲ୍ୟ ହ୍ରାସ ପାଇଛି । ଗତ ବର୍ଷକ ମଧ୍ୟରେ ୧ ଆମେରିକୀୟ ଡଲାର, ଭାରତୀୟ ମୁଦ୍ରାରେ ₹୮୩.୮୫ ରୁ ₹୯୫.୪୦ କୁ ହ୍ରାସ ପାଇଛି । ଅର୍ଥାତ ୧୨ ମାସ ଭିତରେ ଭାରତୀୟ ମୁଦ୍ରାର ମୂଲ୍ୟ ପ୍ରାୟ ୧୩.୭୭% ହ୍ରାସ ପାଇଥିବା ବେଳେ, ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବା ଚିନ୍ତାର ବିଷୟ ହୋଇଛି । ଏହା ପୁଞ୍ଜି ନିବେଶକ, ବ୍ୟବସାୟୀ ଏବଂ ନିୟନ୍ତ୍ରକ ସଂସ୍ଥା (Regulators) ସମେତ ସରକାରଙ୍କ ଚିନ୍ତା ବଢ଼ାଇଛି।

ଏସିଆରେ ଭାରତୀୟ ମୁଦ୍ରା ତଳମୁହାଁ :

ଗତ ବର୍ଷକ ମଧ୍ୟରେ ଭାରତୀୟ ଅର୍ଥନୀତିର ମୂଳଦୁଆ ଦୋହଲାଇଲା ଭଳି ସେତେବଡ଼ ଆଘାତ ଲାଗି ନଥିଲେ ମଧ୍ୟ, ମୁଦ୍ରା ଦୁର୍ବଳ ହେବା ଶୁଭ ସଂକେତ ନୁହେଁ । ବିଶେଷ କରି ୨୦୨୬ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ, ଭାରତୀୟ ମୁଦ୍ରା ଏସିଆ ମହାଦେଶର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଖରାପ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହା ପଛରେ ଉଭୟ ଆଭ୍ୟନ୍ତରୀଣ ଏବଂ ଅନ୍ତର୍ଜାତୀୟ କାରଣ ରହିଛି ।

A container ship sits at anchor as a small motorboat passes in the foreground in the Strait of Hormuz off Bandar Abbas, Iran, Saturday, May 2, 2026.
A container ship sits at anchor as a small motorboat passes in the foreground in the Strait of Hormuz off Bandar Abbas, Iran, Saturday, May 2, 2026. ((AP))

୨୦୨୫ ଜୁଲାଇରେ ଭାରତୀୟ ମୁଦ୍ରାର ମୂଲ୍ୟ ୨.୭% ହ୍ରାସ ପାଇଥିଲା । ଆମେରିକାର ବାଣିଜ୍ୟ ଶୁଳ୍କ ଲାଗୁ ଏବଂ ବାଣିଜ୍ୟ ନୀତି ଭଳି ଅନିଶ୍ଚିତତା ଏଥିରେ ପ୍ରମୁଖ କାରଣ ଥିଲା । ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ଅର୍ଥ କାଢ଼ି ନେଇ ଡଲାରକୁ ପରିବର୍ତ୍ତନ କରୁଥିବାରୁ ଆମେରିକୀୟ ଡଲାରର ଚାହିଦା ବଢ଼ିଥିବା ବେଳେ, ଆମ ଦେଶର ଟଙ୍କା ଦୁର୍ବଳ ହୋଇଥିଲା । ସାଧାରଣତଃ ଭାରତର ସୁଧ ହାର ଆମେରିକାର ଫେଡେରାଲ ରିଜର୍ଭ (Federal Reserve) ହାରଠାରୁ ଅଧିକ ଥାଏ । ଯାହା ବିଦେଶୀ ନିବେଶକଙ୍କୁ ଭାରତ ପ୍ରତି ଆକର୍ଷିତ କରିଥାଏ । ବର୍ତ୍ତମାନ ଏହି ଫରକ ୭୫ ବେସିସ ପଏଣ୍ଟ (Basis Point) ଅର୍ଥାତ ୦.୭୫% ରହିଛି । ତଥାପି ଭାରତୀୟ ମୁଦ୍ରା ସଶକ୍ତ ହୋଇପାରୁ ନାହିଁ । କାରଣ ୨୦୨୬ରେ ଅଶୋଧିତ ତେଲ ମୂଲ୍ୟ, ବାଣିଜ୍ୟ ପରିସ୍ଥିତି ଏବଂ ଭୂରାଜନୈତିକ ଅସ୍ଥିରତା ଭାରତୀୟ ମୁଦ୍ରାର ଗତିବିଧିକୁ ଅଧିକ ପ୍ରଭାବିତ କରିଛି ।

ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ୨୦୨୬ ଫେବୃଆରୀ ଶେଷଭାଗରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ୬୦ ଦିନରେ ଭାରତୀୟ ମୁଦ୍ରାର ମୂଲ୍ୟ ୫.୩୫% ହ୍ରାସ ପାଇଥିଲା । ଏହାସହ ଟଙ୍କାର ମୂଲ୍ୟରେ ଅହେତୁକ ଅସ୍ଥିରତା ଦେଖା ଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ନିୟମିତ ଭାବେ ହସ୍ତକ୍ଷେପ କରି ଆସୁଛି ।

ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ, ଇରାନ ଉପରେ ଆକ୍ରମଣ କରିବା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଜାରି ରହିଛି । ଏହାର ପ୍ରଭାବ ବିଶେଷ କରି ଅଶୋଧିତ ତୈଳ ବଜାରରେ ପଡ଼ିଛି । ବିଶ୍ୱର ପ୍ରାୟ ୧୫-୨୦% ଅଶୋଧିତ ତେଲ ଯାଉଥିବା ହର୍ମୁଜ ପ୍ରଣାଳୀ ଅସୁରକ୍ଷିତ ହେବା ଆଶଙ୍କାରୁ ତୈଳ ସଂକଟ ଦେଖା ଦେଇଥିବା ବେଳେ ମୂଲ୍ୟ ମଧ୍ୟ ବଢ଼ିଛି ।

A collage of US President Donald Trump and Iran Supreme leader Mojtaba Khamenei
A collage of US President Donald Trump and Iran Supreme leader Mojtaba Khamenei ((AP))

୨୦୨୫ ମେ ମାସରୁ ୨୦୨୫ ଡିସେମ୍ବର ମାସ ମଧ୍ୟରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ ପିଛା ୫୮ ରୁ ୬୦ ଆମେରିକୀୟ ଡଲାର ମଧ୍ୟରେ ଥିଲା । ୨୦୨୬ ଫେବୃଆରୀ 28ରେ ସଂଘର୍ଷ ଆରମ୍ ହେବା ପରେ ଏହା କ୍ରମଶଃ ବଢ଼ି ବଢ଼ି ଏପ୍ରିଲ ଆଡ଼କୁ ପ୍ରତି ବ୍ୟାରେଲ ପିଛା ୧୦୮ ଡଲାରରେ ପହଞ୍ଚିଥିଲା । ଯାହାକି ପାଖାପାଖି ୮୫% ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଏହା $୮୫ ରୁ $୧୦୦ ମଧ୍ୟରେ ରହିଛି ।

ଏପରି ହଠାତ୍ ତୈଳ ଦର ବୃଦ୍ଧିକୁ ଭାରତ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଅଶୋଧିତ ତେଲ ଆମଦାନୀ ମୂଲ୍ୟ ପ୍ରାୟ $୧୮୦-୧୮୫ ବିଲିୟନ ଡଲାର ଥିଲା । କିନ୍ତୁ ଜାନୁଆରୀରୁ ଏପ୍ରିଲ ୨୦୨୬ ମଧ୍ୟରେ ତେଲ ଦର ବୃଦ୍ଧି ଫଳରେ, ପ୍ରତି ମାସ ପ୍ରାୟ ୮ରୁ ୯ ବିଲିୟନ ଡଲାର ଅତିରିକ୍ତ ଖର୍ଚ୍ଚ ହେଉଛି । ଏହା ଭାରତୀୟ ମୁଦ୍ରା ଉପରେ ଅଭୂତପୂର୍ବ ଚାପ ସୃଷ୍ଟି କରିଥିଲା ।

ଆମ୍ ଦେଶ ୮୦%-୯୦% ଶକ୍ତି ଆବଶ୍ୟକତା ପାଇଁ, ବିଦେଶରୁ ତେଲ ଓ ଗ୍ୟାସ ଉପରେ ନିର୍ଭର କରିଥାଏ । ତେଣୁ ତେଲ ଦର ବଢ଼ିଲେ ଆମଦାନୀ ବିଲ୍, ବାଣିଜ୍ୟ କ୍ଷତି ଏବଂ ଦୈନନ୍ଦିନ ଖର୍ଚ୍ଚ ବଢ଼ିଯାଏ । ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଯାତାୟତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ୨୦୨୪ ରୁ ୨୦୨୫ ମଧ୍ୟରେ Annual Consumer Price Index(CPI) ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ୪% ଠାରୁ କମ୍ ଥିଲା । ୨୦୨୫ ଡିସେମ୍ବରରେ ଏହା ୧.୭% କୁ ଖସିଥିଲା । କିନ୍ତୁ ୨୦୨୬ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ଏହା ହଠାତ୍ ୩.୮୧% କୁ ବୃଦ୍ଧି ପାଇଥିଲା ।

୨୦୨୬ ଜାନୁଆରୀରେ ଭାରତର ବାଣିଜ୍ୟ ନିଅଣ୍ଟ $୩୪.୬୮ ବିଲିୟନରେ ପହଞ୍ଚି ଥିଲା, ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ଦୁଇଗୁଣା । ସୁନା ଓ ରୁପା ଚାହିଦା ବୃଦ୍ଧି ଏହାର ମୁଖ୍ୟ କାରଣ ଥିଲା । କିନ୍ତୁ ମାର୍ଚ୍ଚ ୨୦୨୬ ଶେଷରେ ଏହା ହ୍ରାସ ପାଇ $୨୦.୬୭ ବିଲିୟନକୁ ଖସିଥିଲା, ଯାହା ଜୁନ ୨୦୨୫ ପରଠାରୁ ସବୁଠୁ କମ୍ ରେକର୍ଡ କରାଯାଇଥିଲା ।

ଏହି ସକାରାତ୍ମକ ବାଣିଜ୍ୟ ପରିସ୍ଥିତି ଭାରତୀୟ ମୁଦ୍ରାକୁ ସଶକ୍ତ କରିବା କଥା । କିନ୍ତୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର, ଡଲାର ମୂଲ୍ୟ ବୃଦ୍ଧି ଏବଂ ତୈଳ ଆମଦାନୀ ପାଇଁ ଡଲାର ଚାହିଦା ବୃଦ୍ଧି କାରଣରୁ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ ଦୁର୍ବଳ ହୋଇଥିଲା ।

ଇରାନ-ଆମେରିକା ସଂଘର୍ଷ ଆରମ୍ଭ ହେବା ପରଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ମୁଦ୍ରା ମୂଲ୍ୟକୁ ସ୍ଥିର ରଖିବା ପାଇଁ ସତର୍କ ରହି ଆସିଛି । ଯଦିଓ ରିଜର୍ଭ ବ୍ୟାଙ୍କ ଆବଶ୍ୟକତା କ୍ଷେତ୍ରରେ ନିଜ ତରଫରୁ ହସ୍ତକ୍ଷେପ କରିଛି, ତଥାପି ବଢ଼ୁଥିବା ଅଶୋଧିତ ତୈଳ ଦର ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରି ଚାଲିଛି ।

Explained Rupee Free Fall Amid Geopolitical Stress - Causes, Concern, And Way Forward
A woman holds up pictures of the Iranian Supreme Leader Ayatollah Mojtaba Khamenei, left, and his father, the slain Ayatollah Ali Khamenei in a state-organised rally celebrating the birthday of Imam Reza, the 8th Shiite Muslims' Imam, and supporting the supreme leader, in Tehran, Iran, Wednesday, April 29, 2026. ((AP))

ବିଶ୍ୱସ୍ତରରେ ଅସ୍ଥିରତା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଯୋଗୁଁ ଶିଳ୍ପ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି । ୨୦୨୬ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନ ବୃଦ୍ଧି ହାର ୪.୧% କୁ ଖସି ଆସିଥିଲା । ଯାହା ପାଞ୍ଚ ମାସରେ ସବୁଠୁ କମ୍ ଥିଲା । ଜିଡିପି (Gross Domestic Product) ବୃଦ୍ଧି ଆକଳନ ୭.୫% ରୁ ୬.୩%କୁ ହ୍ରାସ କରାଯାଇଛି ।

ଭାରତ ଆମଦାନିକାରୀ ଦେଶ, ଅର୍ଥାତ ଭାରତ ଯେତିକି ରପ୍ତାନୀ କରେ , ତାଠାରୁ ଅଧିକ ଆମଦାନୀ କରିଥାଏ । ତେଣୁ ବାଣିଜ୍ୟ ନିଅଣ୍ଟ ପରିଲକ୍ଷିତ ହୁଏ । ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଓ ଆମଦାନୀ ଉପରେ ନିର୍ଭରତା ହେଉଛି ଭାରତୀୟ ମୁଦ୍ରା ଦୁର୍ବଳ ହେବାର ପ୍ରମୁଖ କାରଣ ।

ଭାରତୀୟ ମୁଦ୍ରାକୁ ବିଶ୍ୱ ମୁଦ୍ରା ବଜାରରେ ସଶକ୍ତ କରିବା ପାଇଁ ଭାରତକୁ ଆମଦାନୀ ନିର୍ଭରତା ହ୍ରାସ କରିବାକୁ ପଡ଼ିବ । ଏଥିପାଇଁ ଦେଶରେ ଉତ୍ପାଦନ ବୃଦ୍ଧି କରିବା ସହ ରପ୍ତାନୀ କ୍ଷମତା ବୃଦ୍ଧି କରିବା ଜରୁରୀ । ଏହାସହିତ ଦୀର୍ଘକାଳୀନ ପର୍ଯ୍ୟାୟରେ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନିଆଗଲେ, ଭାରତ ଏକ ଶକ୍ତିଶାଳୀ ଅର୍ଥନୀତି ଭାବେ ପ୍ରତିପାଦିତ ହୋଇପାରିବ ।