OPINION: ଭୂରାଜନୈତିକ ସଂକଟରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ; କାରଣ ଏବଂ ଆଗାମୀ ପନ୍ଥା
'ଆମେରିକା-ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ଅସ୍ଥିରତା କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟରେ ହ୍ରାସ ଘଟିଛି । ଯାହାକି ଅର୍ଥନୀତି ପାଇଁ ଚିନ୍ତାଜନକ।' ପ୍ରଫେସର ଏମ୍. ଭେଙ୍କଟେସ୍ବରାଲୁଙ୍କ ଆଲେଖ୍ୟ

Published : May 11, 2026 at 4:58 PM IST
ଆଲେଖ୍ୟ: ପ୍ରଫେସର ଏମ୍. ଭେଙ୍କଟେସ୍ବରାଲୁ
ଆମେରିକୀୟ ଡଲାର ତୁଳାନାରେ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ, ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଏବଂ ହର୍ମୁଜ ପ୍ରଣାଳୀ ଦେଇ ତୈଳ ପରିବହନ ବାଧାପ୍ରାପ୍ତ ଘଟଣା, ଦେଶର ଅର୍ଥନୀତିକୁ ପ୍ରଭାବିତ କରିଛି । ଭୂରାଜନୈତିକ ସଂକଟ (Geopolitical Stress) ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ମଧ୍ୟ ପଡ଼ିଛି ।
ଡଲାର ତୁଳନାରେ ଦୁର୍ବଳ ହେଉଛି ଭାରତୀୟ ମୁଦ୍ରା:
୨୦୨୫ ମେ ୧ ରୁ ୨୦୨୬ ମେ ୮ ତାରିଖ ମଧ୍ୟରେ ଭାରତୀୟ ମୁଦ୍ରା (₹)ର ମୂଲ୍ୟ ହ୍ରାସ ପାଇଛି । ଗତ ବର୍ଷକ ମଧ୍ୟରେ ୧ ଆମେରିକୀୟ ଡଲାର, ଭାରତୀୟ ମୁଦ୍ରାରେ ₹୮୩.୮୫ ରୁ ₹୯୫.୪୦ କୁ ହ୍ରାସ ପାଇଛି । ଅର୍ଥାତ ୧୨ ମାସ ଭିତରେ ଭାରତୀୟ ମୁଦ୍ରାର ମୂଲ୍ୟ ପ୍ରାୟ ୧୩.୭୭% ହ୍ରାସ ପାଇଥିବା ବେଳେ, ଦେଶର ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେବା ଚିନ୍ତାର ବିଷୟ ହୋଇଛି । ଏହା ପୁଞ୍ଜି ନିବେଶକ, ବ୍ୟବସାୟୀ ଏବଂ ନିୟନ୍ତ୍ରକ ସଂସ୍ଥା (Regulators) ସମେତ ସରକାରଙ୍କ ଚିନ୍ତା ବଢ଼ାଇଛି।
ଏସିଆରେ ଭାରତୀୟ ମୁଦ୍ରା ତଳମୁହାଁ :
ଗତ ବର୍ଷକ ମଧ୍ୟରେ ଭାରତୀୟ ଅର୍ଥନୀତିର ମୂଳଦୁଆ ଦୋହଲାଇଲା ଭଳି ସେତେବଡ଼ ଆଘାତ ଲାଗି ନଥିଲେ ମଧ୍ୟ, ମୁଦ୍ରା ଦୁର୍ବଳ ହେବା ଶୁଭ ସଂକେତ ନୁହେଁ । ବିଶେଷ କରି ୨୦୨୬ ମାର୍ଚ୍ଚରୁ ଏପ୍ରିଲ ମାସ ମଧ୍ୟରେ, ଭାରତୀୟ ମୁଦ୍ରା ଏସିଆ ମହାଦେଶର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଖରାପ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା । ଏହା ପଛରେ ଉଭୟ ଆଭ୍ୟନ୍ତରୀଣ ଏବଂ ଅନ୍ତର୍ଜାତୀୟ କାରଣ ରହିଛି ।

୨୦୨୫ ଜୁଲାଇରେ ଭାରତୀୟ ମୁଦ୍ରାର ମୂଲ୍ୟ ୨.୭% ହ୍ରାସ ପାଇଥିଲା । ଆମେରିକାର ବାଣିଜ୍ୟ ଶୁଳ୍କ ଲାଗୁ ଏବଂ ବାଣିଜ୍ୟ ନୀତି ଭଳି ଅନିଶ୍ଚିତତା ଏଥିରେ ପ୍ରମୁଖ କାରଣ ଥିଲା । ବିଦେଶୀ ପୁଞ୍ଜି ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରୁ ଅର୍ଥ କାଢ଼ି ନେଇ ଡଲାରକୁ ପରିବର୍ତ୍ତନ କରୁଥିବାରୁ ଆମେରିକୀୟ ଡଲାରର ଚାହିଦା ବଢ଼ିଥିବା ବେଳେ, ଆମ ଦେଶର ଟଙ୍କା ଦୁର୍ବଳ ହୋଇଥିଲା । ସାଧାରଣତଃ ଭାରତର ସୁଧ ହାର ଆମେରିକାର ଫେଡେରାଲ ରିଜର୍ଭ (Federal Reserve) ହାରଠାରୁ ଅଧିକ ଥାଏ । ଯାହା ବିଦେଶୀ ନିବେଶକଙ୍କୁ ଭାରତ ପ୍ରତି ଆକର୍ଷିତ କରିଥାଏ । ବର୍ତ୍ତମାନ ଏହି ଫରକ ୭୫ ବେସିସ ପଏଣ୍ଟ (Basis Point) ଅର୍ଥାତ ୦.୭୫% ରହିଛି । ତଥାପି ଭାରତୀୟ ମୁଦ୍ରା ସଶକ୍ତ ହୋଇପାରୁ ନାହିଁ । କାରଣ ୨୦୨୬ରେ ଅଶୋଧିତ ତେଲ ମୂଲ୍ୟ, ବାଣିଜ୍ୟ ପରିସ୍ଥିତି ଏବଂ ଭୂରାଜନୈତିକ ଅସ୍ଥିରତା ଭାରତୀୟ ମୁଦ୍ରାର ଗତିବିଧିକୁ ଅଧିକ ପ୍ରଭାବିତ କରିଛି ।
ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ଯୋଗୁଁ ୨୦୨୬ ଫେବୃଆରୀ ଶେଷଭାଗରୁ ଏପ୍ରିଲ ଶେଷ ପର୍ଯ୍ୟନ୍ତ ୬୦ ଦିନରେ ଭାରତୀୟ ମୁଦ୍ରାର ମୂଲ୍ୟ ୫.୩୫% ହ୍ରାସ ପାଇଥିଲା । ଏହାସହ ଟଙ୍କାର ମୂଲ୍ୟରେ ଅହେତୁକ ଅସ୍ଥିରତା ଦେଖା ଦେଇଥିଲା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank Of India) ନିୟମିତ ଭାବେ ହସ୍ତକ୍ଷେପ କରି ଆସୁଛି ।
ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବେ, ଇରାନ ଉପରେ ଆକ୍ରମଣ କରିବା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଜାରି ରହିଛି । ଏହାର ପ୍ରଭାବ ବିଶେଷ କରି ଅଶୋଧିତ ତୈଳ ବଜାରରେ ପଡ଼ିଛି । ବିଶ୍ୱର ପ୍ରାୟ ୧୫-୨୦% ଅଶୋଧିତ ତେଲ ଯାଉଥିବା ହର୍ମୁଜ ପ୍ରଣାଳୀ ଅସୁରକ୍ଷିତ ହେବା ଆଶଙ୍କାରୁ ତୈଳ ସଂକଟ ଦେଖା ଦେଇଥିବା ବେଳେ ମୂଲ୍ୟ ମଧ୍ୟ ବଢ଼ିଛି ।

୨୦୨୫ ମେ ମାସରୁ ୨୦୨୫ ଡିସେମ୍ବର ମାସ ମଧ୍ୟରେ ଅଶୋଧିତ ତେଲ ଦର ପ୍ରତି ବ୍ୟାରେଲ ପିଛା ୫୮ ରୁ ୬୦ ଆମେରିକୀୟ ଡଲାର ମଧ୍ୟରେ ଥିଲା । ୨୦୨୬ ଫେବୃଆରୀ 28ରେ ସଂଘର୍ଷ ଆରମ୍ ହେବା ପରେ ଏହା କ୍ରମଶଃ ବଢ଼ି ବଢ଼ି ଏପ୍ରିଲ ଆଡ଼କୁ ପ୍ରତି ବ୍ୟାରେଲ ପିଛା ୧୦୮ ଡଲାରରେ ପହଞ୍ଚିଥିଲା । ଯାହାକି ପାଖାପାଖି ୮୫% ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଏହା $୮୫ ରୁ $୧୦୦ ମଧ୍ୟରେ ରହିଛି ।
ଏପରି ହଠାତ୍ ତୈଳ ଦର ବୃଦ୍ଧିକୁ ଭାରତ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ନଥିଲା । ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ଅଶୋଧିତ ତେଲ ଆମଦାନୀ ମୂଲ୍ୟ ପ୍ରାୟ $୧୮୦-୧୮୫ ବିଲିୟନ ଡଲାର ଥିଲା । କିନ୍ତୁ ଜାନୁଆରୀରୁ ଏପ୍ରିଲ ୨୦୨୬ ମଧ୍ୟରେ ତେଲ ଦର ବୃଦ୍ଧି ଫଳରେ, ପ୍ରତି ମାସ ପ୍ରାୟ ୮ରୁ ୯ ବିଲିୟନ ଡଲାର ଅତିରିକ୍ତ ଖର୍ଚ୍ଚ ହେଉଛି । ଏହା ଭାରତୀୟ ମୁଦ୍ରା ଉପରେ ଅଭୂତପୂର୍ବ ଚାପ ସୃଷ୍ଟି କରିଥିଲା ।
ଆମ୍ ଦେଶ ୮୦%-୯୦% ଶକ୍ତି ଆବଶ୍ୟକତା ପାଇଁ, ବିଦେଶରୁ ତେଲ ଓ ଗ୍ୟାସ ଉପରେ ନିର୍ଭର କରିଥାଏ । ତେଣୁ ତେଲ ଦର ବଢ଼ିଲେ ଆମଦାନୀ ବିଲ୍, ବାଣିଜ୍ୟ କ୍ଷତି ଏବଂ ଦୈନନ୍ଦିନ ଖର୍ଚ୍ଚ ବଢ଼ିଯାଏ । ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ଯାତାୟତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି । ୨୦୨୪ ରୁ ୨୦୨୫ ମଧ୍ୟରେ Annual Consumer Price Index(CPI) ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ୪% ଠାରୁ କମ୍ ଥିଲା । ୨୦୨୫ ଡିସେମ୍ବରରେ ଏହା ୧.୭% କୁ ଖସିଥିଲା । କିନ୍ତୁ ୨୦୨୬ ଫେବୃଆରୀରୁ ଏପ୍ରିଲ ମଧ୍ୟରେ ଏହା ହଠାତ୍ ୩.୮୧% କୁ ବୃଦ୍ଧି ପାଇଥିଲା ।
୨୦୨୬ ଜାନୁଆରୀରେ ଭାରତର ବାଣିଜ୍ୟ ନିଅଣ୍ଟ $୩୪.୬୮ ବିଲିୟନରେ ପହଞ୍ଚି ଥିଲା, ଯାହା ପୂର୍ବବର୍ଷ ତୁଳନାରେ ପ୍ରାୟ ଦୁଇଗୁଣା । ସୁନା ଓ ରୁପା ଚାହିଦା ବୃଦ୍ଧି ଏହାର ମୁଖ୍ୟ କାରଣ ଥିଲା । କିନ୍ତୁ ମାର୍ଚ୍ଚ ୨୦୨୬ ଶେଷରେ ଏହା ହ୍ରାସ ପାଇ $୨୦.୬୭ ବିଲିୟନକୁ ଖସିଥିଲା, ଯାହା ଜୁନ ୨୦୨୫ ପରଠାରୁ ସବୁଠୁ କମ୍ ରେକର୍ଡ କରାଯାଇଥିଲା ।
ଏହି ସକାରାତ୍ମକ ବାଣିଜ୍ୟ ପରିସ୍ଥିତି ଭାରତୀୟ ମୁଦ୍ରାକୁ ସଶକ୍ତ କରିବା କଥା । କିନ୍ତୁ ବିଦେଶୀ ପୁଞ୍ଜି ପ୍ରତ୍ୟାହାର, ଡଲାର ମୂଲ୍ୟ ବୃଦ୍ଧି ଏବଂ ତୈଳ ଆମଦାନୀ ପାଇଁ ଡଲାର ଚାହିଦା ବୃଦ୍ଧି କାରଣରୁ ଭାରତୀୟ ମୁଦ୍ରାର ମୂଲ୍ୟ ଅଧିକ ଦୁର୍ବଳ ହୋଇଥିଲା ।
ଇରାନ-ଆମେରିକା ସଂଘର୍ଷ ଆରମ୍ଭ ହେବା ପରଠାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ, ମୁଦ୍ରା ମୂଲ୍ୟକୁ ସ୍ଥିର ରଖିବା ପାଇଁ ସତର୍କ ରହି ଆସିଛି । ଯଦିଓ ରିଜର୍ଭ ବ୍ୟାଙ୍କ ଆବଶ୍ୟକତା କ୍ଷେତ୍ରରେ ନିଜ ତରଫରୁ ହସ୍ତକ୍ଷେପ କରିଛି, ତଥାପି ବଢ଼ୁଥିବା ଅଶୋଧିତ ତୈଳ ଦର ଭାରତୀୟ ଅର୍ଥନୀତିକୁ ପ୍ରଭାବିତ କରି ଚାଲିଛି ।

ବିଶ୍ୱସ୍ତରରେ ଅସ୍ଥିରତା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଯୋଗୁଁ ଶିଳ୍ପ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇଛି । ୨୦୨୬ ମାର୍ଚ୍ଚରେ ଶିଳ୍ପ ଉତ୍ପାଦନ ବୃଦ୍ଧି ହାର ୪.୧% କୁ ଖସି ଆସିଥିଲା । ଯାହା ପାଞ୍ଚ ମାସରେ ସବୁଠୁ କମ୍ ଥିଲା । ଜିଡିପି (Gross Domestic Product) ବୃଦ୍ଧି ଆକଳନ ୭.୫% ରୁ ୬.୩%କୁ ହ୍ରାସ କରାଯାଇଛି ।
ଭାରତ ଆମଦାନିକାରୀ ଦେଶ, ଅର୍ଥାତ ଭାରତ ଯେତିକି ରପ୍ତାନୀ କରେ , ତାଠାରୁ ଅଧିକ ଆମଦାନୀ କରିଥାଏ । ତେଣୁ ବାଣିଜ୍ୟ ନିଅଣ୍ଟ ପରିଲକ୍ଷିତ ହୁଏ । ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ଓ ଆମଦାନୀ ଉପରେ ନିର୍ଭରତା ହେଉଛି ଭାରତୀୟ ମୁଦ୍ରା ଦୁର୍ବଳ ହେବାର ପ୍ରମୁଖ କାରଣ ।
ଭାରତୀୟ ମୁଦ୍ରାକୁ ବିଶ୍ୱ ମୁଦ୍ରା ବଜାରରେ ସଶକ୍ତ କରିବା ପାଇଁ ଭାରତକୁ ଆମଦାନୀ ନିର୍ଭରତା ହ୍ରାସ କରିବାକୁ ପଡ଼ିବ । ଏଥିପାଇଁ ଦେଶରେ ଉତ୍ପାଦନ ବୃଦ୍ଧି କରିବା ସହ ରପ୍ତାନୀ କ୍ଷମତା ବୃଦ୍ଧି କରିବା ଜରୁରୀ । ଏହାସହିତ ଦୀର୍ଘକାଳୀନ ପର୍ଯ୍ୟାୟରେ ବିଦେଶୀ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ପଦକ୍ଷେପ ନିଆଗଲେ, ଭାରତ ଏକ ଶକ୍ତିଶାଳୀ ଅର୍ଥନୀତି ଭାବେ ପ୍ରତିପାଦିତ ହୋଇପାରିବ ।

