ETV Bharat / opinion

OPINION: ସବୁଜ ବିପ୍ଳବ ଠାରୁ ହାଇବ୍ରିଡ୍ ଗହମ ପର୍ଯ୍ୟନ୍ତ; ଭବିଷ୍ୟତ ଖାଦ୍ୟ ସୁରକ୍ଷାର ଜିନେଟିକ୍ ବାଧା ଭାଙ୍ଗିବାରେ ବିଜ୍ଞାନର ବଡ଼ ସଫଳତା

ସବୁଜ ବିପ୍ଳବ ଏବଂ ହାଇବ୍ରିଡ୍ ଫସଲ ଗବେଷଣା ଯୋଗୁଁ, ଖାଦ୍ୟଶସ୍ୟ ଆମଦାନୀ ଉପରେ ନିର୍ଭରଶୀଳ ଭାରତ ଏକ ଖାଦ୍ୟ-ଅଭାବୀ ରାଷ୍ଟ୍ରରୁ ଗହମ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି। ପ୍ରଫେସର ଆପ୍ପା ରାଓ ପୋଡିଲେଙ୍କ ଆଲେଖ୍ୟ

Green Revolution to Hybrid Wheat
ଜଳନ୍ଧର ଉପକଣ୍ଠରେ ପ୍ରବଳ ବର୍ଷା ପରେ କ୍ଷତିଗ୍ରସ୍ତ ଗହମ ଫସଲ ଯାଞ୍ଚ କରୁଛନ୍ତି ଜଣେ ଚାଷୀ। (IANS)
author img

By Appa Rao Podile

Published : May 20, 2026 at 8:10 PM IST

5 Min Read
Choose ETV Bharat

ଆଲେଖ୍ୟ - ପ୍ରଫେସର ଆପ୍ପା ରାଓ ପୋଡିଲେ

ସ୍ୱାଧୀନତା ପରେ ଭାରତ ଭୟାବହ ଖାଦ୍ୟ ସଙ୍କଟ ସମ୍ମୁଖୀନ ହୋଇଥିଲା। ବଢ଼ୁଥିବା ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବାରେ ଦେଶ ହାର ମାନୁଥିଲା ଏବଂ PL-480 ପରି ବିଶେଷ ଯୋଜନା ମାଧ୍ୟମରେ ବିଦେଶରୁ ଧାନ୍ୟ ଆମଦାନୀ ଉପରେ ଭାରତ ବହୁତ ଅଂଶରେ ନିର୍ଭର କରୁଥିଲା। କିନ୍ତୁ ପରେ ଉଚ୍ଚ ଉତ୍ପାଦନକାରୀ ଗହମ ପ୍ରଜାତିର ଆଗମନ ସହ ଚିତ୍ର ପରିବର୍ତ୍ତନ ହେଲା।

ଏମ୍. ଏସ୍. ସ୍ୱାମୀନାଥନ୍ ଓ ନର୍ମାନ ବୋରଲାଗଙ୍କ ଭଳି ବୈଜ୍ଞାନିକଙ୍କ ନେତୃତ୍ୱରେ ଘଟିଥିବା ଗ୍ରୀନ୍ ରେଭଲୁସନ୍ ଭାରତର ଭାଗ୍ୟ ବଦଳାଇଦେଲା। ଉନ୍ନତ ଗହମ ବିହନ, ସ୍ବେଚ ବ୍ୟବସ୍ଥାର ବିସ୍ତାର, ରାସାୟନିକ ସାର ଓ ଆଧୁନିକ କୃଷି ପ୍ରଣାଳୀର ସମନ୍ୱୟ ଭାରତକୁ ଖାଦ୍ୟ ଅଭାବରୁ ବାହାର କରି ଗହମ ଉତ୍ପାଦନରେ ଆତ୍ମନିର୍ଭର ଦେଶରେ ପରିଣତ କରିଥିଲା। ସବୁଜ ବିପ୍ଳବ ପ୍ରମାଣିତ କରିଥିଲା ଯେ, ଉଦ୍ଭିଦ ପ୍ରଜନନ ବିଜ୍ଞାନ ଗୋଟିଏ ଦେଶର ଭାଗ୍ୟ ପରିବର୍ତ୍ତନ କରିପାରେ। ଗହମ ଉତ୍ପାଦନ ବହୁଗୁଣ ବଢ଼ିଥିଲା ଓ କୋଟି କୋଟି ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ ହୋଇଥିଲା। କିନ୍ତୁ ଆଜି ବିଶ୍ୱ ଆଉ ଏକ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ବିଶ୍ୱର ଜନସଂଖ୍ୟା ଲଗାତାର ବଢ଼ୁଛି। ଜଳବାୟୁ ପରିବର୍ତ୍ତନ ଅପ୍ରତ୍ୟାଶିତ ପଣିପାଗ ସୃଷ୍ଟି କରୁଛି। ସହରୀକରଣ ଓ ପରିବେଶ କ୍ଷୟ ଯୋଗୁ ଚାଷ ଜମି କମୁଛି। ତେଣୁ ଏଭଳି ପରିସ୍ଥିତିରେ କୃଷକଙ୍କୁ କମ୍ ଜମିରୁ ଅଧିକ ଉତ୍ପାଦନ କରିବାକୁ ପଡ଼ୁଛି।

ସେପଟେ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ଆଧୁନିକ କୃଷି ଜୀବ ପ୍ରଯୁକ୍ତି, ଯେପରିକି ଜିନୋମିକ୍ସ, ପ୍ରିସିଜନ୍ ବ୍ରିଡିଂ ଓ ନୂତନ ହାଇବ୍ରିଡ୍ ପ୍ରଣାଳୀ ଆଶାର ନୂଆ ସାଧନ ଭାବେ ଆଗକୁ ଆସିଛି। ଏହି କ୍ଷେତ୍ରରେ ଦଶନ୍ଧି ଧରି ବୈଜ୍ଞାନିକମାନେ ଯେଉଁ ବଡ଼ ଲକ୍ଷ୍ୟ ପାଇଁ କାମ କରୁଥିଲେ, ତାହା ହେଉଛି ‘ହାଇବ୍ରିଡ୍ ଗହମ’ର ବିକାଶ। ଏବେ ଏକ ବଡ଼ ସଫଳତା ଏହି ଗବେଷଣାକୁ ନୂଆ ଦିଗ ଦେଇପାରେ।

Green Revolution to Hybrid Wheat
A farmer harvests wheat crops in a field as the main rabi harvesting season begins ahead of Baisakhi across North India in Noida on Wednesday, April 01, 2026 (IANS)

ହାଇବ୍ରିଡ୍ ଫସଲ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଦୁଇଟି ଭିନ୍ନ ଜିନେଟିକ୍ ବୈଶିଷ୍ଟ୍ୟ ଥିବା ଉଦ୍ଭିଦକୁ ମିଶାଇ ହାଇବ୍ରିଡ୍ ଫସଲ ତିଆରି କରାଯାଏ। ଏଥିରୁ ମିଳୁଥିବା ପ୍ରଥମ ପିଢ଼ିର ବିହନକୁ F1 ହାଇବ୍ରିଡ୍ କୁହାଯାଏ। ଏଥିରେ ସାଧାରଣତଃ “ହାଇବ୍ରିଡ୍ ଭିଗର୍” ଦେଖାଯାଏ, ଅର୍ଥାତ୍ ଏଥିରେ ଅଧିକ ଉତ୍ପାଦନ, ଶକ୍ତିଶାଳୀ ବୃଦ୍ଧି, ଭଲ ରୋଗ ପ୍ରତିରୋଧ କ୍ଷମତା ଓ ପରିବେଶୀୟ ଚାପକୁ ସହିବାର ଶକ୍ତି ଥାଏ। ୨୦ତମ ଶତାବ୍ଦୀରେ ହାଇବ୍ରିଡ୍ ମକା ବିଶ୍ୱ କୃଷିରେ ବିପ୍ଲବ ଆଣିଥିଲା। ଉତ୍ପାଦନ ୨୦ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବାରୁ କୃଷକମାନେ ଏହାକୁ ତ୍ବରିତ ବେଗରେ ଗ୍ରହଣ କରିଥିଲେ। ବୈଜ୍ଞାନିକମାନେ ଭାବିଥିଲେ ଗହମରେ ମଧ୍ୟ ଏହି ସଫଳତା ମିଳିବ। କିନ୍ତୁ ଏହା ଏତେ ସହଜ ନଥିଲା।

Green Revolution to Hybrid Wheat
A farmer inspects flattened wheat crops after heavy rains and a hailstorm in a field at village Verka, Amritsar, on Wednesday, April 08, 2026 (IANS)

ଗହମର ଜଟିଳ ଜିନେଟିକ୍ ଗଠନ ହିଁ ସବୁଠାରୁ ବଡ଼ ବାଧକ

ଗହମର ଜିନେଟିକ୍ ଗଠନ ଅତ୍ୟନ୍ତ ଜଟିଳ। ଆଧୁନିକ ବ୍ରେଡ୍ ଗହମ (Triticum aestivum) ରେ ଛଅଟି କ୍ରୋମୋଜୋମ୍ ସେଟ୍ ଥାଏ। ବୈଜ୍ଞାନିକ ଭାଷାରେ ଏହାକୁ “ହେକ୍ସାପ୍ଲଏଡ୍” କୁହାଯାଏ। ସରଳ ଭାବେ କହିଲେ, ଗହମ ଗଛରେ ତିନୋଟି ସମାନ କିନ୍ତୁ ଅଲ୍ପ ଭିନ୍ନ ଜିନୋମ୍ ଏକାସାଙ୍ଗରେ ଥାଏ। ଯେଉଁଥିରୁ ଅନେକ ସମସ୍ୟା ସୃଷ୍ଟି ହୁଏ। ଅନେକ ଜିନ୍‌ର ଅନେକ କପି ଥାଏ। କେଉଁ ଗୁଣ କିପରି ମିଶିବ ତାହା ପୂର୍ବାନୁମାନ କରିବା କଷ୍ଟକର। କେତେକ ଜିନ୍ ଅନ୍ୟ ଜିନ୍‌ର ପ୍ରଭାବକୁ କମାଇ ଦେଇପାରେ। ଜିନ୍‌ମାନଙ୍କର ପରସ୍ପର କ୍ରିୟା ଅନିଶ୍ଚିତ ହୋଇଯାଏ। ଅର୍ଥାତ ଗୋଟିଏ ନିର୍ଦ୍ଦେଶିକାର ତିନୋଟି ଭିନ୍ନ ସଂସ୍କରଣକୁ ଏକାସାଙ୍ଗରେ ସମ୍ପାଦନ କରିବା ଭଳି ଅବସ୍ଥା। ମକା ପରି ସରଳ ଫସଲରେ ଜିନେଟିକ୍ ପ୍ରକ୍ରିୟା ସହଜ ଥିଲେ ମଧ୍ୟ ଗହମରେ ଏହା ଅଧିକ ଜଟିଳ। ଏହି କାରଣରୁ ହାଇବ୍ରିଡ୍ ଗହମ ସବୁବେଳେ ଭଲ ଫଳ ଦେବ କି ନାହିଁ, ତାହା ନେଇ ଅନିଶ୍ଚିତତା ଲାଗି ରହିଥାଏ।

ସ୍ୱୟଂ-ପରାଗସଞ୍ଚାର ଆଉ ଏକ ବଡ଼ ସମସ୍ୟା

ଗହମ ସ୍ୱାଭାବିକ ଭାବେ ନିଜେ ନିଜକୁ ପରାଗସଞ୍ଚାର କରେ, ଯାହା ମକା କ୍ଷେତ୍ରରେ ଭିନ୍ନ ଅଟେ। ଗହମ ଫୁଲର ଗଠନ ଏମିତି ଯେ ଫୁଲ ଖୋଲିବା ପୂର୍ବରୁ ହିଁ ପରାଗସଞ୍ଚାର ହୋଇଯାଏ। ତେଣୁ ହାଇବ୍ରିଡ୍ ଗହମ ତିଆରି ପାଇଁ ବୈଜ୍ଞାନିକଙ୍କୁ ମହିଳା ଗଛରେ ପରାଗ ଉତ୍ପାଦନ ବନ୍ଦ କରିବାକୁ ପଡ଼େ ଓ ପୁରୁଷ ଗଛର ପରାଗ ଠିକ୍ ଭାବରେ ପହଞ୍ଚାଇବାକୁ ପଡ଼େ। ଏଥିସହ ଦୁଇଟି ଗଛର ଫୁଲ ଖୋଲିବା ସମୟକୁ ମେଳ କରିବାକୁ ପଡ଼େ। ଏହା ଅତ୍ୟନ୍ତ ଜଟିଳ ଓ ଖର୍ଚ୍ଚସାଧ୍ୟ ପ୍ରକ୍ରିୟା। ସାମାନ୍ୟ ଭୁଲ ହେଲେ ମଧ୍ୟ ହାଇବ୍ରିଡ୍ ବିହନ ତିଆରି ହୁଏ ନାହିଁ।

ଅର୍ଥନୈତିକ ସମସ୍ୟା

ହାଇବ୍ରିଡ୍ ଗହମରେ କିଛିଟା ସଫଳତା ମିଳିଥିଲେ ମଧ୍ୟ ଏହାର ବ୍ୟାପକ ବ୍ୟବହାର ହୋଇନଥିଲା। କାରଣ ଗହମ ଚାଷ ପାଇଁ ପ୍ରତି ହେକ୍ଟରରେ ବହୁତ ଅଧିକ ବିହନ ଆବଶ୍ୟକ। ହାଇବ୍ରିଡ୍ ବିହନ ତିଆରି କରିବା ଖର୍ଚ୍ଚସାଧ୍ୟ। ତା’ପରେ ଉତ୍ପାଦନ ବୃଦ୍ଧି ମଧ୍ୟ କେବଳ ୫ରୁ ୧୫ ପ୍ରତିଶତ ମଧ୍ୟରେ ଥିଲା। ତେଣୁ କୃଷକମାନେ ଭାବୁଥିଲେ ଦାମୀ ବିହନ କିଣିବାର ଲାଭ କେତେ। ଏହି କାରଣରୁ ଦଶକ ଧରି ହାଇବ୍ରିଡ୍ ଗହମ ବ୍ୟବସାୟିକ ଦୃଷ୍ଟି କୋଣରେ ସଫଳ ହୋଇପାରିନଥିଲା।

ପ୍ରଜନନ ଓ ସ୍ଥିରତା ସମସ୍ୟା

ଗହମରେ ଛଅଟି କ୍ରୋମୋଜୋମ୍ ସେଟ୍ ଥିବାରୁ ପ୍ରଜନନ ସମୟରେ ସମସ୍ତ ଜିନ୍‌ର ସଠିକ୍ ମେଳ ଆବଶ୍ୟକ। ଦୁଇଟି ଭିନ୍ନ ଗହମ ପ୍ରଜାତିକୁ ମିଶାଇଲେ କ୍ରୋମୋଜୋମ୍ ଠିକ୍ ଭାବରେ ମେଳ ନ ହୋଇପାରେ। ଏଥିରୁ ପ୍ରଜନନ କ୍ଷମତା କମିଯାଏ, ଉତ୍ପାଦନ କମିଯାଏ କିମ୍ବା ଭିନ୍ନ ଭିନ୍ନ ପରିବେଶରେ ଫଳାଫଳ ଅସ୍ଥିର ହୋଇଯାଏ। ହାଇବ୍ରିଡ୍ ପ୍ରଣାଳୀ ସଫଳ ହେବାକୁ ହେଲେ ଏହା ବର୍ଷ ପରେ ବର୍ଷ, ଭିନ୍ନ ମାଟି ଓ ଜଳବାୟୁରେ ସ୍ଥିର ଫଳ ଦେବା ଦରକାର। ଏହି ସ୍ଥିରତା ହିଁ ସବୁଠାରୁ ବୈଜ୍ଞାନିକଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ଥିଲା।

X-TERRA ହାଇବ୍ରିଡ୍ ଗହମର ବଡ଼ ସଫଳତା

୨୦୨୬ରେ Syngenta ଘୋଷଣା କରିଥିଲା ଯେ ତାଙ୍କର ହାଇବ୍ରିଡ୍ ଗହମ ପ୍ଲାଟଫର୍ମ “X-TERRA” କୁ ଫ୍ରାନ୍ସରେ ଅନୁମୋଦନ ମିଳିଛି। ଏହା ୟୁରୋପର ପ୍ରଥମ ବ୍ୟବସାୟିକ ଭାବେ ବ୍ୟାପକ ହୋଇପାରୁଥିବା ହାଇବ୍ରିଡ୍ ଗହମ ପ୍ରଣାଳୀମାନଙ୍କ ମଧ୍ୟରୁ ଗୋଟିଏ। କମ୍ପାନୀ ଏହାକୁ ବ୍ରିଟେନ୍ ସହ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ବିସ୍ତାର କରିବା ପାଇଁ ପ୍ରସ୍ତୁତି ନେଉଛି।

Green Revolution to Hybrid Wheat
A woman harvests wheat crop in a field at Kotabagh village of Nainital district on Wednesday, April 15, 2026 (IANS)

X-TERRA କାହିଁକି ଅଲଗା?

୧. ଆଧୁନିକ ଜିନୋମିକ୍ ଟୁଲ୍

ଆଜିର ବୈଜ୍ଞାନିକମାନେ ଉନ୍ନତ DNA ପ୍ରଯୁକ୍ତି ମାଧ୍ୟମରେ ସମଗ୍ର ଗହମ ଜିନୋମ୍ ସ୍କାନ୍ କରିପାରୁଛନ୍ତି। ଏଥିରୁ ଦରକାରୀ ଜିନ୍‌କୁ ଶୀଘ୍ର ଚିହ୍ନଟ କରିବା, କେଉଁ ଦୁଇ ପ୍ରଜାତି ଭଲ ମିଶିବ ସେଥିର ଅନୁମାନ କରିବା ଓ ପରୀକ୍ଷା-ଭୁଲ ପ୍ରକ୍ରିୟାକୁ କମାଇବା ସମ୍ଭବ ହେଉଛି।

୨. ଉନ୍ନତ Male Sterility ପ୍ରଣାଳୀ

ସଫଳ ହାଇବ୍ରିଡ୍ ବୀଜ ଉତ୍ପାଦନ ପାଇଁ ଭରସାଯୋଗ୍ୟ male sterility ପ୍ରଣାଳୀ ଦରକାର। Syngenta ଏମିତି ପ୍ରଣାଳୀ ତିଆରି କରିଛି ଯାହା ସ୍ୱୟଂ-ପରାଗସଞ୍ଚାରକୁ କମାଏ, ହାଇବ୍ରିଡ୍ ବୀଜର ଶୁଦ୍ଧତା ବଢ଼ାଏ ଓ ଉତ୍ପାଦନ କ୍ଷମତା ବଢ଼ାଏ। ଏଥିରୁ ବୀଜ ଉତ୍ପାଦନ ଖର୍ଚ୍ଚ ମଧ୍ୟ କମିପାରେ।

୩. ଉତ୍ପାଦନ ସ୍ଥିରତା ଉପରେ ଗୁରୁତ୍ୱ

କେବଳ ଅଧିକ ଉତ୍ପାଦନ ନୁହେଁ, X-TERRA ହାଇବ୍ରିଡ୍ ଗହମ ବର୍ଷକୁ ବର୍ଷ ସ୍ଥିର ଉତ୍ପାଦନ, ଶକ୍ତିଶାଳୀ ମୂଳ ବ୍ୟବସ୍ଥା, ରୋଗ ପ୍ରତିରୋଧ ଓ ପରିବେଶୀୟ ଚାପକୁ ସହିବା କ୍ଷମତା ଉପରେ ଜୋର ଦେଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ୁଥିବା ଖରା, ତାପ ତରଙ୍ଗ ଓ ଅନିୟମିତ ବର୍ଷା ପରି ପରିସ୍ଥିତିରେ ଏହା ଅତ୍ୟନ୍ତ ଦରକାରୀ।

Green Revolution to Hybrid Wheat
A cyclist rides past a mound of wheat at the grain market in Amritsar on Friday, April 24, 2026 (IANS)

ହାଇବ୍ରିଡ୍ ଗହମ କାହିଁକି ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ?

ଆଜିର ବିଶ୍ୱ ପରିସ୍ଥିତି ୧୯୬୦ ଦଶକରୁ ସମ୍ପୂର୍ଣ୍ଣ ଭିନ୍ନ। ଗ୍ରୀନ୍ ରେଭଲୁସନ୍ ସମୟରେ ସେଚ୍ଛ ବ୍ୟବସ୍ଥା ଓ ସାର ବ୍ୟବହାର ବୃଦ୍ଧି ଉତ୍ପାଦନ ବଢ଼ାଇଥିଲା। କିନ୍ତୁ ଏବେ ଜଳ ସମ୍ପଦ ସୀମିତ, ସାରର ଦାମ ବଢ଼ୁଛି, ଜଳବାୟୁ ଅସ୍ଥିର ଓ ଚାଷ ଜମି କମୁଛି। ଏଭଳି ସମୟରେ କୃଷି ଜୀବ ପ୍ରଯୁକ୍ତିକୁ ଏମିତି ସମାଧାନ ଦେବାକୁ ପଡ଼ିବ ଯାହା ସ୍ଥାୟୀ ଓ କାର୍ଯ୍ୟକ୍ଷମ। ହାଇବ୍ରିଡ୍ ଗହମ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରେ। ଏହା ପୋଷକ ଉପାଦାନର ଭଲ ବ୍ୟବହାର, ଦୃଢ ମୂଳ ବ୍ୟବସ୍ଥା, ପରିବେଶୀୟ ଚାପ ପ୍ରତିରୋଧ ଓ ଅନିଶ୍ଚିତ ପାଗରେ ସ୍ଥିର ଉତ୍ପାଦନ ଦେଇପାରିବ। ଯେପରି ଉନ୍ନତ ଗହମ ପ୍ରଜାତି ଭାରତକୁ ଖାଦ୍ୟ ଆତ୍ମନିର୍ଭରତା ଦେଇଥିଲା, ସେହିପରି ନୂତନ ବ୍ରିଡିଂ ପ୍ରଯୁକ୍ତି ଭବିଷ୍ୟତର ଖାଦ୍ୟ ଚାହିଦା ପୂରଣରେ ସାରା ବିଶ୍ୱକୁ ସାହାଯ୍ୟ କରିପାରେ।

X-TERRAର ବଡ଼ ସଫଳତା ପଛରେ କେତେକ ପ୍ରଶ୍ନ ଏବେ ମଧ୍ୟ ଉତ୍ତର ଅପେକ୍ଷାରେ

  • କ’ଣ ହାଇବ୍ରିଡ୍ ଗହମ ନିରନ୍ତର ଭାବରେ ସର୍ବୋତ୍ତମ ପାରମ୍ପରିକ କିସମଗୁଡ଼ିକୁ ପଛରେ ପକାଇବ ?
  • କ’ଣ ବିହନ ମୂଲ୍ୟ ପ୍ରତିଯୋଗିତାମୂଳକ ରହିବ ?
  • ଉତ୍ତମ କିମ୍ବା ଶୁଷ୍କ ଅଞ୍ଚଳରେ ହାଇବ୍ରିଡ୍ କିପରି ପ୍ରଦର୍ଶନ କରିବ ?
  • କ’ଣ ଏସିଆ ଏବଂ ଆଫ୍ରିକା ସମେତ ବିଶ୍ୱ ସ୍ତରରେ ହାଇବ୍ରିଡ୍ ପ୍ରଣାଳୀ ବୃଦ୍ଧି ପାଇପାରିବ ?
Green Revolution to Hybrid Wheat
A farmer inspects damaged wheat crops after heavy rain on the outskirts of Jalandhar on Wednesday, April 8, 2026 (IANS)

ହାଇବ୍ରିଡ୍ ଗହମ ସହଜରେ ପାରମ୍ପରିକ ପ୍ରଜାତିକୁ ବଦଳାଇଦେବ ନାହିଁ। କିନ୍ତୁ ଏହା ଏକ ନୂଆ ଦିଗ ଖୋଲିଛି, ଯାହା ଉତ୍ପାଦନ ସ୍ଥିରତା ବଢ଼ାଇବ, ପରିବେଶୀୟ ଚାପ ସହିବାର କ୍ଷମତା ବଢ଼ାଇବ ଓ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଫସଲମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିପାରିବ। ଗ୍ରୀନ୍ ରେଭଲୁସନ୍ ଠାରୁ ଜିନୋମିକ୍ସ ଆଧାରିତ ବ୍ରିଡିଂ ପର୍ଯ୍ୟନ୍ତ ଗହମର କାହାଣୀ ଏବେ ମଧ୍ୟ ଚାଲିଛି। ପୁଣିଥରେ ଉଦ୍ଭିଦ ବିଜ୍ଞାନର ନବୀନତା ନିର୍ଣ୍ଣୟ କରିପାରେ ଯେ ଆଗାମୀ ଦଶକ ଗୁଡ଼ିକରେ ମାନବଜାତି କେତେ ସଫଳତାର ସହ ନିଜକୁ ଖାଦ୍ୟ ଯୋଗାଇପାରିବ।

(Disclaimer: ପ୍ରଫେସର ଆପ୍ପା ରାଓ ପୋଡିଲେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଅଟନ୍ତି। ଏହି ଲେଖାରେ ପ୍ରକାଶିତ ଆଲେଖ୍ୟ ଲେଖକଙ୍କ ବ୍ୟକ୍ତିଗତ ମତ। ଏଠାରେ ପ୍ରକାଶିତ ତଥ୍ୟ ଏବଂ ମତାମତ ETV ଭାରତର ମତାମତକୁ ପ୍ରତିଫଳିତ କରେ ନାହିଁ)

ହା ମଧ୍ୟ ପଢନ୍ତୁ... ରେଭେନ୍ସାରେ ହ୍ରାଇଡ୍ରୋପୋନିକ ଗହମ ଚାଷ, ମାଟିଠୁ ଶୀଘ୍ର ଉତ୍ପାଦନ