OPINION : ମମତାଙ୍କ ପରେ ପଶ୍ଚିମବଙ୍ଗ ରାଜନୀତି : ବିଜେପିର ୨୦୨୯ ରଣନୀତିରେ ବାମପନ୍ଥୀ ଏବେ ‘ନୂଆ ଦକ୍ଷିଣପନ୍ଥୀ’, ହେଲେ କାହିଁକି ?
୨୦୨୬ ବିଧାନସଭା ନିର୍ବାଚନରେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗରେ ସରକାର ଗଠନ କରିଛି ବିଜେପି; ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଶୁଭେନ୍ଦୁ ଅଧିକାରୀ

Published : May 15, 2026 at 7:52 PM IST
ହାଇଦ୍ରାବାଦ: ପଶ୍ଚିମବଙ୍ଗ ଏବେ ଏକ ନୂଆ ଏବଂ ଜଟିଳ ରାଜନୈତିକ ପର୍ଯ୍ୟାୟରେ ପହଞ୍ଚିଛି। ଉପରୁ ଦେଖିଲେ ରାଜନୈତିକ ଲଢ଼େଇ ଏବେ ବି ସରଳ ଲାଗୁଛି, ଅର୍ଥାତ ବିଜେପି ବନାମ ତୃଣମୂଳ କଂଗ୍ରେସ (TMC)। କିନ୍ତୁ ଏହି ନିର୍ବାଚନୀ ଲଢ଼େଇର ପ୍ରଚ୍ଛଦପଟରେ ଆଉ ଏକ ଗଭୀର ରାଜନୈତିକ ପରିବର୍ତ୍ତନ ଚାଲିଛି। ପଶ୍ଚିମବଙ୍ଗ ଏବେ କେବଳ ଆଗକୁ କିଏ ଶାସନ କରିବ ତାହା ନୁହେଁ, ବରଂ ମମତା ବାନାର୍ଜୀଙ୍କ ପରେ ପଶ୍ଚିମବଙ୍ଗର ରାଜନୀତିର ରୂପରେଖ କେମିତି ହେବ, ଏହା ହିଁ ବର୍ତ୍ତମାନର ସବୁଠାରୁ ବଡ଼ ରାଜନୈତିକ ପରିବର୍ତ୍ତନ।
ଦୀର୍ଘଦିନ ଧରି ବିଜେପି ପଶ୍ଚିମବଙ୍ଗକୁ ନିଜ ଜାତୀୟ ବିସ୍ତାର ରଣନୀତିର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଭାବେ ଦେଖୁଥିଲା। କିନ୍ତୁ ଲଗାତାର ହାରଜିତ ଓ ରାଜନୈତିକ ଉତ୍ଥାନପତନ ପରେ ୨୦୨୬ ନିର୍ବାଚନ, ବିଜେପିକୁ ଗୋଟିଏ କଥା ସ୍ପଷ୍ଟ କରାଇଦେଇଛି ଯେ, ଟିଏମସିକୁ ହରାଇବା ଏବଂ ଟିଏମସିର ସ୍ଥାନ ନେବା ଦୁଇଟି ଭିନ୍ନ କଥା।
କାରଣ ତୃଣମୂଳ କେବଳ ଏକ ରାଜନୈତିକ ଦଳ ନୁହେଁ; ଏହା ଏକ ଭାବନାତ୍ମକ ଶକ୍ତି। ମମତା ବାନାର୍ଜୀଙ୍କ ରାଜନୀତି ସରକାରୀ ଶକ୍ତି ଉପରେ ନୁହେଁ, ବରଂ ପ୍ରତିରୋଧର ରାଜନୀତି ଉପରେ ଗଢ଼ିଉଠିଥିଲା। ସେ CPI(M)ର ଦୀର୍ଘ ଶାସନକୁ ଚ୍ୟାଲେଞ୍ଜ କରି ଉଭା ହୋଇଥିଲେ। ଦିଲ୍ଲୀର ରାଜନୈତିକ ମହଲ ହେଉ କି କଂଗ୍ରେସ ଭିତରର ବିରୋଧ, ସବୁକୁ ସେ ସାମ୍ନା କରିଥିଲେ। ମମତା ରାଜରାସ୍ତାର ଆନ୍ଦୋଳନକୁ ଶାସନରେ ପରିଣତ କରିଥିଲେ। ଆଜି ମଧ୍ୟ ଯେତେବେଳେ ସେ ରାଜନୈତିକ ଚାପରେ ପଡ଼ନ୍ତି, ସ୍ୱାଭାବିକ ଭାବରେ ପୁଣି ପ୍ରତିରୋଧର ଭାଷାକୁ ଫେରନ୍ତି। ଇତିହାସ କୁହେ ଯେ ପଶ୍ଚିମବଙ୍ଗ ସଦାସର୍ବଦା ଏଭଳି ରାଜନୀତିକୁ ସମର୍ଥନ କରିଆସିଛି।
ଏହି କାରଣରୁ ବିଜେପି ବନାମ ଟିଏମସିର ସିଧାସଳଖ ଲଢ଼େଇ ବିଜେପି ପାଇଁ ମଧ୍ୟ ବିପଦଜନକ ହୋଇପାରେ। କାରଣ ଲଢ଼େଇ ଯେତେ ଅଧିକ ତୀବ୍ର ହୁଏ, ସେତେ ସହଜରେ ମମତା ‘ବଙ୍ଗ ବନାମ ବାହାରୁଆ’, ‘ଆଞ୍ଚଳିକ ଗର୍ବ ବନାମ କେନ୍ଦ୍ରୀୟ ପ୍ରଭାବ’ ଓ ‘ବଙ୍ଗାଳୀ ପରିଚୟ ବନାମ ରାଜନୈତିକ ସମାନୀକରଣ’ ଭଳି ପୁରୁଣା ଭାବନାକୁ ପୁଣି ଜୀବନ୍ତ କରିପାରିବେ। ବିଜେପି ମଧ୍ୟ ଏହାକୁ ଭଲଭାବେ ବୁଝିଛି। ସେହିକାରଣରୁ ଦଳର ବଙ୍ଗ ରଣନୀତି ଏବେ ବିରୋଧୀଙ୍କୁ ସମ୍ପୂର୍ଣ୍ଣ ଶେଷ କରିବା ନୁହେଁ; ବରଂ ଧୀରେ ଧୀରେ ସମଗ୍ର ରାଜନୈତିକ ପରିବେଶକୁ ପୁନଃଗଠନ କରିବା ଦିଗକୁ ଯାଉଛି।

ବାମପନ୍ଥୀ ହେଉଛନ୍ତି ‘ନୂଆ ଦକ୍ଷିଣପନ୍ଥୀ’
ଦେଶର ଅନ୍ୟାନ୍ୟ ରାଜ୍ୟରେ ବିଜେପିର ରଣନୀତି ଥିଲା ବିପକ୍ଷକୁ ଦୁର୍ବଳ କରି ତାଙ୍କ ଭୋଟ ବ୍ୟାଙ୍କକୁ ନିଜ ପକ୍ଷକୁ ନେବା। କିନ୍ତୁ ବଙ୍ଗରେ ଚିତ୍ର ଅଲଗା। ଏଠାରେ ବାମପନ୍ଥୀ ଦଳମାନଙ୍କ ରାଜନୈତିକ ଭାବେ ବଞ୍ଚି ରହିବା ବିଜେପି ପାଇଁ ଲାଭଦାୟକ ହୋଇପାରେ। କାରଣ ବାମପନ୍ଥୀମାନେ ସେହି ଭୋଟରମାନଙ୍କୁ ଆକର୍ଷିତ କରନ୍ତି, ଯେଉଁମାନେ ବିଜେପିକୁ ନେଇ ଅସୁବିଧାରେ ଅଛନ୍ତି, କିନ୍ତୁ ଟିଏମସିକୁ ନେଇ ମଧ୍ୟ ନିରାଶ। ଏଥିରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଧର୍ମନିରପେକ୍ଷ ମଧ୍ୟବର୍ଗ, ଟ୍ରେଡ୍ ୟୁନିୟନ୍ କର୍ମୀ, ସାମାଜିକ କର୍ମୀ ଏବଂ ଅଲ୍ପସଂଖ୍ୟକ ଭୋଟରଙ୍କ ଏକ ଅଂଶ ଅଛନ୍ତି। ଏହି ଭୋଟ ଟିଏମସିଠାରୁ ବାମପନ୍ଥୀଙ୍କ ଦିଗକୁ ଯିବାର ଅର୍ଥ ହେଉଛି ଟିଏମସିର ଏକମାତ୍ର ଆଣ୍ଟି-ବିଜେପି ଶକ୍ତି ଭାବେ ଫେରି ଆସିବାର କ୍ଷମତା ହ୍ରାସ ପାଇବା। ବିଜେପି ପାଇଁ ଏହା ହିଁ ସବୁଠାରୁ ବଡ଼ ଲାଭ।
ଦୁର୍ବଳ ଟିଏମସି ଓ ଅସ୍ତିତ୍ୱ ବଞ୍ଚାଇବାକୁ ସଂଗ୍ରାମ କରୁଥିବା ବାମପନ୍ଥୀଙ୍କ ମିଶ୍ରଣ ବିଜେପି ପାଇଁ ଅଧିକ ସୁବିଧାଜନକ। କାରଣ ଏହା ଆଣ୍ଟି-ବିଜେପି ଭୋଟକୁ ଏକାଠି ହେବାରୁ ରୋକିଥାଏ। କହିବାକୁ ଗଲେ ଏଠାରେ ତ୍ରିପୁରା ମଡେଲ୍ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ। ୨୦୧୮ରେ ତ୍ରିପୁରାରେ ବିଜେପି ସିପିଆଇ(ଏମ୍)କୁ ପରାସ୍ତ କରିବା ପରେ କେବଳ ସରକାର ଦଖଲ କରିନଥିଲା; ବରଂ ବାମପନ୍ଥୀଙ୍କ ସଂଗଠନ, ସ୍ଥାନୀୟ ନେତା, ବୁଥ୍ ନେଟୱର୍କ ଓ କ୍ୟାଡର ଗଠନର ବଡ଼ ଅଂଶକୁ ନିଜ ପକ୍ଷକୁ ନେଇଯାଇଥିଲା। ତଥାପି ବାମପନ୍ଥୀମାନେ ରାଜନୈତିକ ଭାବେ ସକ୍ରିୟ ରହିଥିଲେ। ଟିଏମସି ସେଠାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା।
ତ୍ରିପୁରାରେ ‘ଲାଲ୍’ ଓ ‘ଗେରୁଆ’ ମଧ୍ୟରେ ଆଦର୍ଶଗତ ଲଢ଼େଇ ଚାଲିଥିଲା, କିନ୍ତୁ ନିର୍ବାଚନୀ କେନ୍ଦ୍ରବିନ୍ଦୁ ବିଜେପି ଦିଗକୁ ଯାଇଥିଲା। ପଶ୍ଚିମବଙ୍ଗ ମଧ୍ୟ ଧୀରେ ଧୀରେ ସେହି ମଡେଲ୍ ଦିଗକୁ ବଢ଼ୁଥିବା ଦେଖାଯାଉଛି। ଅର୍ଥାତ୍ ବିପକ୍ଷ ସମ୍ପୂର୍ଣ୍ଣ ଶେଷ ହୁଏନାହିଁ, କିନ୍ତୁ ବିକ୍ଷିପ୍ତ ଭାବେ ରହିଥାଏ ଓ ବିଜେପି ରାଜନୀତିର ସ୍ଥାୟୀ କେନ୍ଦ୍ର ପାଲଟିଯାଏ।

ରାଇଟର୍ସ ବିଲ୍ଡିଂସ୍ : ଏକ ରାଜନୈତିକ ପ୍ରତୀକ
ବିଜେପିର ‘ରାଇଟର୍ସ ବିଲ୍ଡିଂସ୍’ ପ୍ରତି ଆଗ୍ରହ ମଧ୍ୟ ଅତ୍ୟନ୍ତ ରାଜନୈତିକ। ବାହାରୁ ଦେଖିଲେ ଏହା ସାଧାରଣ ପ୍ରସଙ୍ଗ ଲାଗିପାରେ। କିନ୍ତୁ ପଶ୍ଚିମବଙ୍ଗର ରାଜନୈତିକ ଇତିହାସରେ ରାଇଟର୍ସ ବିଲ୍ଡିଂସ୍ର ଅଲଗା ମହତ୍ତ୍ୱ ରହିଛି। ବ୍ରିଟିଶ୍ ଶାସନ ଏଠାରୁ ଚାଲୁଥିଲା। ପରେ କମ୍ୟୁନିଷ୍ଟମାନେ ଏହାକୁ ବାମପନ୍ଥୀ ସ୍ଥାୟୀ ଶକ୍ତିର ପ୍ରତୀକରେ ପରିଣତ କରିଥିଲେ। ବହୁ ବର୍ଷ ଧରି ପଶ୍ଚିମବଙ୍ଗ ଶାସନକୁ ଲୋକ ସେହି ଲାଲ୍ ଉପନିବେଶୀୟ କରିଡର୍ ସହିତ ଯୋଡ଼ି ଦେଖୁଥିଲେ। ୨୦୧୧ରେ ବାମମୋର୍ଚ୍ଚାକୁ ପରାସ୍ତ କରିବା ପରେ ମମତା ବାନାର୍ଜୀ ସଚିବାଳୟକୁ ନବାନ୍ନକୁ ସ୍ଥାନାନ୍ତର କରିଥିଲେ। ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ ଥିଲା। ଏହା ମାଧ୍ୟମରେ ସେ ପଶ୍ଚିମବଙ୍ଗରେ କମ୍ୟୁନିଷ୍ଟ ଯୁଗର ଶେଷର ସନ୍ଦେଶ ଦେଇଥିଲେ।
ଏବେ ବିଜେପି ସେହି ପ୍ରତୀକକୁ ପୁଣି ଫେରାଇବାକୁ ଚାହୁଁଛି। ‘ରାଇଟର୍ସ ବିଲ୍ଡିଂସ୍’କୁ ପୁନରୁଦ୍ଧାର କରିବା ଓ ପୁଣି ସେଠାରୁ ଶାସନ ଚଲାଇବା ଉପରେ ଜୋର ଦେବା କେବଳ ପୁରୁଣା ସ୍ମୃତିକୁ ଫେରାଇବା ନୁହେଁ; ଏହା ବଙ୍ଗର ରାଜନୈତିକ ଇତିହାସକୁ ନିଜ ସହିତ ଯୋଡ଼ିବାର ଚେଷ୍ଟା। ବିଜେପିର ସନ୍ଦେଶ ସ୍ପଷ୍ଟ । ଦଳ ଆଉ ପଶ୍ଚିମବଙ୍ଗକୁ ପ୍ରବେଶ କରୁଥିବା ବାହାରୁଆ ଶକ୍ତି ଭାବେ ନୁହେଁ, ବରଂ ବଙ୍ଗର ସ୍ୱାଭାବିକ ଶାସନକାରୀ ଶକ୍ତି ଭାବେ ନିଜକୁ ସ୍ଥାପନ କରିବାକୁ ଚାହୁଁଛି।
ଅଳ୍ପସଂଖ୍ୟକ ଭୋଟର ଜଟିଳ ସମୀକରଣ
ସମ୍ପ୍ରତି ନିର୍ବାଚନ ପରେ ଅନେକ ବିଶ୍ଳେଷଣରେ କୁହାଯାଇଛି ଯେ ଟିଏମସିର ମୁସଲିମ୍ ଭୋଟ ବ୍ୟାଙ୍କ ଭାଙ୍ଗିଯାଇଛି। କିନ୍ତୁ ପ୍ରକୃତ ଚିତ୍ର ତାହାଠାରୁ ଅଧିକ ଜଟିଳ। ମୁର୍ଶିଦାବାଦ, ମାଲଦା, ଉତ୍ତର ଦିନାଜପୁର, ଦକ୍ଷିଣ ଦିନାଜପୁର ଓ ଉତ୍ତର-ଦକ୍ଷିଣ ୨୪ ପରଗଣାର କିଛି ଅଞ୍ଚଳରେ ଟିଏମସି କିଛି ମୁସଲିମ୍ ଭୋଟ ହରାଇଥିବା ଦେଖାଯାଇଛି। ସେହି ଭୋଟ ବାମପନ୍ଥୀ, କଂଗ୍ରେସ ଓ ଇଣ୍ଡିଆନ୍ ସେକ୍ୟୁଲାର୍ ଫ୍ରଣ୍ଟ ମଧ୍ୟରେ ବାଣ୍ଟିହୋଇଥିବା ଦେଖାଯାଇଛି। କିନ୍ତୁ ଭୋଟର ସ୍ଥାନାନ୍ତର ଅର୍ଥ ଏହା ନୁହେଁ ଯେ ମୁସଲିମ୍ ଭୋଟରମାନେ ଭାବନାତ୍ମକ ଭାବେ ମମତାଙ୍କୁ ଛାଡ଼ିଦେଇଛନ୍ତି। ପଶ୍ଚିମବଙ୍ଗର ଅନେକ ଆସନରେ ପାଞ୍ଚ କିମ୍ବା ଛଅ ପ୍ରତିଶତ ଭୋଟ ପରିବର୍ତ୍ତନ ମଧ୍ୟ ଫଳାଫଳକୁ ବଦଳାଇଦେଇପାରେ।
ବାସ୍ତବିକ କଥା ହେଉଛି ଟିଏମସିର ଅଲ୍ପସଂଖ୍ୟକ ଭିତ୍ତି ପୂର୍ବପରି ଅତୁଟ ରହିନାହିଁ। ଯଦି ଅଲ୍ପସଂଖ୍ୟକ ଭୋଟର ବିଭାଜନ ଟିଏମସିକୁ ଭିତରୁ ଦୁର୍ବଳ କରିଥିଲା, ତେବେ ହିନ୍ଦୁ ଭୋଟ ଏକତ୍ରୀକରଣ ଉପରୁ ଚାପ ସୃଷ୍ଟି କରିଥିଲା। ବିଜେପି ବହୁ ପୂର୍ବରୁ ବୁଝିଯାଇଥିଲା ଯେ ବଙ୍ଗର ହିନ୍ଦୁ ଭୋଟରମାନେ ଜାତି, ଶ୍ରେଣୀ, ଭାଷା, ଶରଣାର୍ଥୀ ପରିଚୟ ଓ ରାଜନୈତିକ ପରମ୍ପରା ଆଧାରରେ ବିଭକ୍ତ ଥିଲେ। ଆରଏସଏସ୍ର ଶାଖା ଓ ଗ୍ରାଉଣ୍ଡ ଓାର୍କରମାନେ ଏହି ଅସନ୍ତୋଷକୁ ରାଜନୈତିକ ଭୋଟରେ ପରିଣତ କରିଥିଲେ।
ସୀମାନ୍ତ ଜିଲ୍ଲାମାନେରେ ଅନୁପ୍ରବେଶ ଓ ଜନସଂଖ୍ୟା ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିଲା। ସେମି-ଆର୍ବନ୍ ଅଞ୍ଚଳରେ ଟିଏମସି ସିଣ୍ଡିକେଟ୍ ପ୍ରତି ଅସନ୍ତୋଷ ବଢ଼ିଥିଲା। କିଛି ଅନୁସୂଚିତ ଜାତି ଭୋଟରଙ୍କ ମଧ୍ୟରେ ନାଗରିକତା ପ୍ରସଙ୍ଗ ଭାବନାତ୍ମକ ପ୍ରଭାବ ରଖିଥିଲା। ସହର ଅଞ୍ଚଳରେ ନିଯୁକ୍ତି ଦୁର୍ନୀତି ଓ ରାଜନୈତିକ ଭୟଭୀତ କରିବାର ବାତାବରଣ ମଧ୍ୟବର୍ଗର ଅସନ୍ତୋଷକୁ ବଢ଼ାଇଥିଲା। ବିଜେପି ଏହି ସମସ୍ତ ଅସନ୍ତୋଷକୁ ଏକ ବଡ଼ ରାଜନୈତିକ ଭାବନାରେ ପରିଣତ କରିଥିଲା।
ଏସ୍ଆଇଆର୍କୁ ନେଇ ବିବାଦ
ଏହା ସହିତ ଆଉ ଏକ ବଡ଼ ବିବାଦ ଥିଲା ନିର୍ବାଚନୀ ତାଲିକାର ‘ସ୍ପେସିଆଲ୍ ଇଣ୍ଟେନ୍ସିଭ୍ ରିଭିଜନ୍’ (SIR)। ଭାରତୀୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଏହି ସଂଶୋଧନ ପ୍ରକ୍ରିୟାରେ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ୯୦ ଲକ୍ଷରୁ ଅଧିକ ନାମ ବାହାର କରାଯାଇଥିଲା। ଆୟୋଗ କହିଥିଲା ଯେ ଏହିମାନେ ଡୁପ୍ଲିକେଟ୍, ମୃତ, ସ୍ଥାନାନ୍ତରିତ କିମ୍ବା ଅଯୋଗ୍ୟ ଭୋଟର ଥିଲେ। ପ୍ରାୟ ୨୭ ଲକ୍ଷ ଲୋକ ଏହି କାରଣରୁ ଭୋଟ ଦେଇପାରିନଥିଲେ।
ରାଜନୈତିକ ଭାବେ ଏହାକୁ ଅଣଦେଖା କରିବା ଅସମ୍ଭବ ଥିଲା। ଅନେକ ଆସନରେ ଏଭଳି ଭୋଟରଙ୍କ ସଂଖ୍ୟା ବିଜୟ ମାର୍ଜିନ୍ଠାରୁ ଅଧିକ ଥିଲା। ପ୍ରାରମ୍ଭିକ ବିଶ୍ଳେଷଣ ଅନୁଯାୟୀ, ଅନ୍ତତଃ ୪୯ଟି ଆସନରେ ଏହି ପରିସ୍ଥିତି ଦେଖାଯାଇଥିଲା। ସେଥିରୁ ୨୬ଟି ଆସନ ବିଜେପି ଓ ୨୧ଟି ଆସନ ଟିଏମସି ଜିତିଥିଲା। ଟିଏମସି ସୁପ୍ରିମକୋର୍ଟରେ ଦାବି କରିଛି ଯେ ଏହି ପ୍ରକ୍ରିୟା ଅଲ୍ପସଂଖ୍ୟକ ଓ ସୀମାନ୍ତ ଅଞ୍ଚଳକୁ ପ୍ରଭାବିତ କରିଛି। ଯଦିଓ ଏହା ଚୂଡ଼ାନ୍ତ ଭାବରେ ହେରଫେରକୁ ପ୍ରମାଣିତ କରେ ନାହିଁ, କିନ୍ତୁ ଏହା ନିସନ୍ଦେହରେ ନିର୍ବାଚନୀ ଫଳାଫଳକୁ ନେଇ ଚର୍ଚ୍ଚାକୁ ଜଟିଳ କରିଦେଇଛି।
୨୦୨୬ରୁ ୨୦୨୯ : କେଉଁ ଦିଗକୁ ଯିବ ପଶ୍ଚିମବଙ୍ଗ ?
ଏହି ସମସ୍ତ ରାଜନୈତିକ ଗଣିତ ୨୦୨୯ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗର ରାଜନୈତିକ ଚିତ୍ରକୁ ପ୍ରଭାବିତ କରିପାରେ। ବିଜେପିର ସବୁଠାରୁ ବଡ଼ ଚ୍ୟାଲେଞ୍ଜ କେବଳ ଭୋଟ ଗଣିତ ନୁହେଁ; ଏହା ଏକ ମନୋବୃତ୍ତିର ଯୁଦ୍ଧ। ବଡ଼ ସଫଳତା ସତ୍ତ୍ୱେ ମଧ୍ୟ ଅନେକ ବଙ୍ଗାଳୀ ଭୋଟର ଏବେ ବି ବିଜେପିକୁ ବାହାରୁଆ ଜାତୀୟ ଶକ୍ତି ଭାବେ ଦେଖନ୍ତି। ବିଜେପିର ଦୀର୍ଘକାଳୀନ ଲକ୍ଷ୍ୟ ହେଉଛି ବଙ୍ଗର ରାଜନୈତିକ ମନୋବୃତ୍ତିରେ ନିଜକୁ ସ୍ୱାଭାବିକ କରିବା। ଏକ ବାହାର ଚ୍ୟାଲେଞ୍ଜର୍ ଭାବେ ନୁହେଁ, ବରଂ ପଶ୍ଚିମବଙ୍ଗର ସ୍ୱାଭାବିକ ଶାସନକାରୀ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିବା।
ବିଧାନସଭା ନିର୍ବାଚନ ପରେ ଦୁର୍ବଳ ହୋଇପଡ଼ିଥିବା ଟିଏମସି ପାଇଁ ପୁଣି ଭାବନାତ୍ମକ ଆଣ୍ଟି-ବିଜେପି ଏକତ୍ରୀକରଣ ସୃଷ୍ଟି କରିବା କଷ୍ଟକର ହୋଇପାରେ। କିନ୍ତୁ ଯଦି ମମତା ବାନାର୍ଜୀ ପୁଣି ନିଜ ଅଲ୍ପସଂଖ୍ୟକ ଓ କଲ୍ୟାଣମୂଳକ ଭୋଟ ବ୍ୟାଙ୍କକୁ ଏକତ୍ର କରିପାରନ୍ତି, ତେବେ ୨୦୨୯ ପୁଣି ଏକ ଆଞ୍ଚଳୀୟ ଭାବନାକୁ କେନ୍ଦ୍ର କରି ନିର୍ବାଚନ ହୋଇପାରେ। ସେହିକାରଣରୁ ବିଜେପିର ପଶ୍ଚିମବଙ୍ଗ ମିଶନ୍ ଏବେ ଏକ ‘ନିୟନ୍ତ୍ରିତ ରାଜନୈତିକ ପରିବର୍ତ୍ତନ’ ପରି ଦେଖାଯାଉଛି। ବିଜେପି ବୁଝିଯାଇଛି ଯେ ପଶ୍ଚିମବଙ୍ଗରେ ସ୍ଥାୟୀ ଶକ୍ତି କେବଳ ନିର୍ବାଚନୀ ବିଜୟରେ ଆସେନାହିଁ; ଏହା ପାଇଁ ସାଂସ୍କୃତିକ ସ୍ୱୀକୃତି ମଧ୍ୟ ଆବଶ୍ୟକ।
ସେହିକାରଣରୁ ରାଇଟର୍ସ ବିଲ୍ଡିଂସ୍ ଓ ବାମପନ୍ଥୀମାନେ ମଧ୍ୟ ବିଜେପି ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ପଶ୍ଚିମବଙ୍ଗ କେବଳ ସରକାର ବଦଳାଇନାହିଁ; ଏହା ଏବେ ଶକ୍ତି, ପ୍ରତିରୋଧ, ପରିଚୟ ଓ ସ୍ଥାୟୀତ୍ୱକୁ ବୁଝିବାର ସମଗ୍ର ରାଜନୈତିକ ଗଠନକୁ ପୁଣି ନୂଆ ଭାବରେ ଗଢ଼ୁଛି। ୨୦୨୯ ଲୋକସଭା ନିର୍ବାଚନ ନିର୍ଣ୍ଣୟ କରିବ ଯେ, ପଶ୍ଚିମବଙ୍ଗର ଭବିଷ୍ୟତ ରାଜନୀତି ଭାବନାତ୍ମକ ଭାବେ କ୍ଷେତ୍ରୀୟ ରହିବ, ନା ଗଠନାତ୍ମକ ଭାବେ ଜାତୀୟ ରାଜନୀତିର ଅଂଶ ହୋଇଯିବ।

