ଲଙ୍କା କାଟିବା ପରେ ହାତ ପୋଡୁଛି କି ? ଏହି ଘରୋଇ ଉପାୟ ଆପଣାନ୍ତୁ
ଲଙ୍କା ବିନା ଆମ ଖାଦ୍ୟ ଅସମ୍ପୂର୍ଣ୍ଣ । ମାତ୍ର ଲଙ୍କା କାଟିବା ବେଳେ ବହୁତ ଲୋକ ହାତ ଜଳାପୋଡ଼ା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଜାଣନ୍ତୁ କିପରି ଏହି କଷ୍ଟରୁ ମୁକ୍ତି ପାଇବେ ।

Published : November 7, 2025 at 4:13 PM IST
ହାଇଦ୍ରାବାଦ: ଆମ ଓଡ଼ିଆ ଖାଦ୍ୟ ଦେଶର ଅନ୍ୟପ୍ରାନ୍ତ ଠାରୁ ନିଆରା ଅଟେ । ହେଲେ ଖାଦ୍ୟରେ କଞ୍ଚାଲଙ୍କାର ବ୍ୟବହାର କରିବା ଦ୍ବାରା ଏହାର ସ୍ବାଦ ବହୁଗୁଣିତ ହୋଇଥାଏ ଏବଂ ଏହାର ଅନେକ ସ୍ବାସ୍ଥ୍ୟଗତ ଫାଇଦା ମଧ୍ୟ ରହିଛି । କଞ୍ଚାଲଙ୍କାରେ ଥିବା 'କ୍ୟାପସାଇନ' ନାମକ ରସାୟନ ପାଇଁ ଏହାକୁ ଖାଇଲେ ରାଗ ଲାଗେ । ଏଥିପାଇଁ ଏହା ତ୍ବଚା ସହିତ ସମ୍ପର୍କରେ ଆସିଲେ ପୋଡ଼ିଥାଏ । ଲଙ୍କାର କାଣ୍ଡର ଧଳା ଅଂଶ ଭାଗରେ ରାଗପଣ ରହିଥାଏ । ଏହା ତ୍ବଚା ସହିତ ସମ୍ପର୍କରେ ଆସିଲେ ପୋଡ଼ିବା ସହିତ ଗରମ ଅନୁଭବ ହୋଇଥାଏ । ଏଥିପାଇଁ ଲୋକେ ଲଙ୍କା କାଟିବା ଏପରିକି ଏହାକୁ ଛୁଇଁବାକୁ ମଧ୍ୟ ଡ଼ରିଥାନ୍ତି ।
ଆମେରିକାର କୃଷି ବିଭାଗ ଅନୁଯାୟୀ, ଲଙ୍କାରେ ବହୁ ପୋଷକ ତତ୍ତ୍ବ ରହିଛି । ଏଥିରେ ପ୍ରୋଟିନ, ଫାଇବର, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସ୍ଫରସ୍, ପୋଟାସିୟମ୍, ଭିଟାମିନ C, ଭିଟାମିନ A, ବିଟା-କ୍ୟାରୋଟିନ୍, ଲ୍ୟୁଟିନ୍, ଜିଆକ୍ସାଥିନ୍, ଭିଟାମିନ୍ K ଏବଂ E ଭଳି ଉପାଦାନ ସାମିଲ ରହିଛି । ତେବେ ଲଙ୍କାରେ ଥିବା ବିଭିନ୍ନ ଏନଜାଇମ୍ ପାଇଁ ଏହାକୁ କାଟିବା ବେଳେ ଶରୀରରେ ପୋଡ଼ା ହୋଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଏହି ସବୁ ଉପାୟ ଆପଣେଇ ପାରିବେ ।
ଲଙ୍କା କାଟିବା ପରେ ହାତ ପୋଡ଼ିଲେ ଏହା କରନ୍ତୁ:
- କ୍ଷୀର:
ଲଙ୍କା କାଟିବା ପରେ ହାତରେ ଜଳାପୋଡ଼ା ହେଲେ ଆପଣ କ୍ଷୀରକୁ ବ୍ୟବହାର କରିପାରିବେ । ଏକ ଗିନାରେ କ୍ଷୀର ନେଇ ଜଳୁଥିବା ଅଂଶକୁ ଏଥିରେ ବୁଡ଼ାଇ ରଖନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କୁ ଆରାମ ମିଳିବ । ଏହା ସହିତ ପୋଡୁଥିବା ସ୍ଥାନରେ କ୍ଷୀର ସର କିମ୍ବା ଲହୁଣୀର ମଧ୍ୟ ବ୍ୟବହାର କରିପାରିବେ । ଏପରି କରିଲେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।
- ଘି କୁଆଁରୀ ରସ:
ପ୍ରାୟ ସମସ୍ତଙ୍କ ଘରେ ଘି କୁଆଁରୀ ଗଛ ଦେଖିବାକୁ ମିଳେ । ଲଙ୍କା କାଟିବା ପରେ ଆପଣ ପୋଡୁଥିବା ସ୍ଥାନରେ ଏହାର ରସକୁ ଲଗାଇପାରିବେ । ତାଜା ଘି କୁଆଁରୀ ରସ ପୋଡୁଥିବା ସ୍ଥାନରେ ଲଗାଇଲେ ଏହା ପୋଡ଼ାକୁ କମ୍ କରିଥାଏ ।
- ଲେମ୍ବୁ ରସ:
ଲଙ୍କାର ରାଗପଣକୁ କମ୍ କରିବାରେ ଲେମ୍ବୁ ବହୁ ଉପକାରୀ ହୋଇଥାଏ । ଯଦି ଲଙ୍କା କାଟୁ କାଟୁ ଆପଣଙ୍କ ହାତ ପୋଡୁଛି ତେବେ ଲେମ୍ବୁ ରସ ଲଗାଇବା ଆପଣଙ୍କୁ ସାହାଯ୍ୟ କରିବ ।
- ଏହି ସବୁ ତେଲ ଲଗାଇପାରିବେ:
ଯଦି ଲଙ୍ଗ ଲଙ୍କା କାଟିବା ବେଳେ ଏବଂ ଚଟଣୀ ବାଟିବା ବେଳେ ହାତ ପୋଡୁଥାଏ, ଆପଣ ନଡ଼ିଆ ତେଲ, ଅଲିଭ ତେଲ ଏବଂ ଦେଶୀ ଘିଅ ମଧ୍ୟ ଲଗାଇପାରିବେ । ଏପରି କରିବା ଦ୍ବାରା ଆପଣଙ୍କ ହାତ ପୋଡ଼ିବା କମ୍ ହୋଇଯାଏ ।
ଲଙ୍କା ଖାଇଲେ ଏହି ସବୁ ଫାଇଦା ହୁଏ:
- ଶରୀରରେ ଅକ୍ସିଡ଼େଟିଭ କ୍ଷତିରୁ ମୁକ୍ତି:
କଞ୍ଚା ଲଙ୍କାରେ ଆଣ୍ଟି ଅକ୍ସିଡ଼ାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ଶରୀରକୁ ଅକ୍ସିଡ଼େଟିଭ କ୍ଷତିରୁ ରକ୍ଷା କରିଥାଏ । ଲଙ୍କାରେ ଥିବା କ୍ୟାପ୍ସାଇନ ଆଣ୍ଟି ଅକ୍ସିଡ଼ାଣ୍ଟ ଭାବେ କାର୍ଯ୍ୟ କରିଥାଏ । ଏହା ଶରୀରର ବିଭିନ୍ନ ଦୀର୍ଘତମ ରୋଗ ସହିତ ଲଢେଇ କରିଥାଏ ।
- ପୋଷକ ତତ୍ତ୍ବରେ ଭରପୁର:
କଞ୍ଚା ଲଙ୍କାରେ ପୋଷକ ତତ୍ତ୍ବରେ ପ୍ରଚୁର ପରିମାଣରେ ରହିଥାଏ । ଏହା ଶରୀରକୁ ବିଭିନ୍ନ ସମସ୍ୟାରୁ ରକ୍ଷା କରିଥାଏ । ସୁସ୍ଥ ଶରୀର ପାଇଁ ଭିଟାମିନ A, ଭିଟାମିନ C, ଭିଟାମିନ E ଆଦି ପୋଷକ ତତ୍ତ୍ବ ଲଙ୍କାରେ ମିଳିଥାଏ । ଏହି ଭିଟାମିନଗୁଡ଼ିକ ସୁସ୍ଥ ଶରୀର, ତ୍ବଚା, ଆଖି ଓ କୋଷ ମରାମତିରେ ସହାୟତା କରିଥାଏ ।
- ପାଚନ ପ୍ରକ୍ରିୟା ସକ୍ରିୟ ହୋଇଥାଏ:
କଞ୍ଚା ଲଙ୍କା ଖାଇବା ଦ୍ବାରା ପାଚନ ପ୍ରକ୍ରିୟା ତ୍ବରିତ୍ ହୋଇଥାଏ । ଏହା ଫଳରେ କ୍ୟାଲୋରୀ ଜଲଦି ତରଳିଥାଏ । ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
- ହୃଦୟ ସ୍ବାସ୍ଥ୍ୟ ପାଇଁ ଉତ୍ତମ:
କଞ୍ଚା ଲଙ୍କା ଶରୀରରେ ମେଦ କମ୍ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ । ଏହା ଦ୍ବାରା ହୃଦ୍ ରୋଗ କମ୍ ହୋଇଥାଏ । ଏବଂ ଧମନୀ ଗୁଡ଼ିକ ଅକ୍ସିଡ଼େଟିଭ୍ କ୍ଷତିରୁ ରକ୍ଷା ପାଇଥାନ୍ତି ।
ଏହା ମଧ୍ୟ ପଢନ୍ତୁ...
Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଅଟେ । ଏହା ବୈଜ୍ଞାନିକ ଅନୁସନ୍ଧାନ, ରିପୋର୍ଟ, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା ଆଧାରରେ ପ୍ରଦାନ କରାଯାଇଛି । ତେବେ କାମରେ ଲଗାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

