Explainer: ୟୁକ୍ରେନ୍ ଉପରେ ଆକ୍ରମଣର ଧମକ କାହିଁକି ଦେଉଛି ଇରାନ ?
କାସ୍ପିଆନ୍ ସାଗରରେ ଇରାନୀ ବାଣିଜ୍ୟିକ ଜାହାଜ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କ ଅଧିକ ତିକ୍ତ। ସମୁଦ୍ର ବାଣିଜ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା। ନିର୍ମଳା ଗଣପତିଙ୍କ ଆଲେଖ୍ୟ

Published : July 29, 2026 at 7:49 PM IST
ନୂଆଦିଲ୍ଲୀ: ୟୁକ୍ରେନ୍ ଓ ଇରାନକୁ କେନ୍ଦ୍ର କରି ଚାଲୁଥିବା ଦୁଇଟି ଯୁଦ୍ଧ ଏପର୍ଯ୍ୟନ୍ତ ପ୍ରାୟ ଅଲଗା ଧାରାରେ ଆଗକୁ ବଢ଼ୁଥିଲା। କିନ୍ତୁ କାସ୍ପିଆନ୍ ସାଗରରେ ଇରାନର ଏକ ବାଣିଜ୍ୟିକ ଜାହାଜ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଯୁଦ୍ଧର ପରିସରକୁ ବଢ଼ାଇବା ସହ ଆଞ୍ଚଳିକ ଉତ୍ତେଜନାକୁ ଆହୁରି ତୀବ୍ର କରିଦେଇଛି।
ଇରାନ କହିଛି, ୟୁକ୍ରେନ୍ର ଆକ୍ରମଣରେ ତାହାର ଏକ ବାଣିଜ୍ୟିକ ଜାହାଜ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜଣେ ନାବିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ଆହତ ହୋଇଛନ୍ତି। ଏହା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢ଼ିଛି।
ଏହି ବଢ଼ୁଥିବା ଉତ୍ତେଜନା କଳା ସାଗର (Black Sea)ରୁ ଆରମ୍ଭ କରି ହର୍ମୁଜ୍ ପ୍ରଣାଳୀ (Strait of Hormuz) ଓ ଲୋହିତ ସାଗର (Red Sea) ପର୍ଯ୍ୟନ୍ତ ସାମୁଦ୍ରିକ ଯାତାୟାତକୁ ବାଧାପ୍ରାପ୍ତ କରିପାରେ। ଏହା ଫଳରେ ଶକ୍ତି ଓ କୃଷିଜାତ ପଣ୍ୟର ବିଶ୍ୱ ଯୋଗାଣ ଶୃଙ୍ଖଳା (Global Supply Chain) ଉପରେ ବଡ଼ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏହି ସମୁଦ୍ରପଥ ଦେଇ ବିଶ୍ୱର ବହୁ ପରିମାଣର ଅଶୋଧିତ ତୈଳ, LNG ଏବଂ ଶସ୍ୟ ପରିବହନ ହୋଇଥାଏ।
କଳା ସାଗର ୟୁକ୍ରେନ୍ର ଶସ୍ୟ ରପ୍ତାନିର ଏକ ପ୍ରମୁଖ ମାର୍ଗ ହୋଇଥିବା ବେଳେ ହର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ପଞ୍ଚମାଂଶ ତୈଳ ବାଣିଜ୍ୟ ସମ୍ପନ୍ନ ହୁଏ। ଏହି ଅସ୍ଥିରତା ଯୋଗୁଁ ଜାହାଜ ଚଳାଚଳ ଓ ବୀମା ଖର୍ଚ୍ଚ ବଢ଼ିବା ସହ ପଣ୍ୟ ଦର ବୃଦ୍ଧି ଏବଂ ବିଶ୍ୱ ବାଣିଜ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ।
ଏପଟେ, ଆମେରିକା ସପ୍ତାହକ ପାଇଁ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରି କୂଟନୀତିକ ଆଲୋଚନାକୁ ସୁଯୋଗ ଦେବା ପରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ୬ ପ୍ରତିଶତରୁ ଅଧିକ କମିଥିଲା। କିନ୍ତୁ ନୂତନ କରି ସଂଘର୍ଷ ଆରମ୍ଭ ହେଲେ ଏହି ପ୍ରବୃତ୍ତି ଓଲଟିଯିବା ସହ ଉତ୍ତେଜନା ହ୍ରାସ କରିବାର ପ୍ରୟାସ ମଧ୍ୟ ଜଟିଳ ହୋଇପାରେ।
- ଇରାନ କାହିଁକି ୟୁକ୍ରେନ୍କୁ ଧମକ ଦେଉଛି ?
ଇରାନ ଓ ୟୁକ୍ରେନ୍ର ସମ୍ପର୍କ ପୂର୍ବରୁ ମଧ୍ୟ ତିକ୍ତ ଥିଲା। ତେହରାନ ଏହି ଡ୍ରୋନ୍ ଆକ୍ରମଣକୁ ନିଜର ବାଣିଜ୍ୟିକ ସ୍ୱାର୍ଥ ଉପରେ ଆକ୍ରମଣ ବୋଲି ଦେଖୁଛି। ଇରାନ ୟୁକ୍ରେନ୍ର କୂଟନୀତିଜ୍ଞମାନଙ୍କୁ ତଲବ କରିଥିବା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି କହିଛନ୍ତି, ଜାହାଜ ଉପରେ ହୋଇଥିବା ଆକ୍ରମଣକୁ "କୌଣସି ପରିସ୍ଥିତିରେ ଅଣଦେଖା କରାଯିବ ନାହିଁ" ଏବଂ ଏହା ଜାତିସଂଘ ସନଦର ଉଲ୍ଲଂଘନ।
ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାଘାଇ ଏହି ଆକ୍ରମଣକୁ "ଅପରାଧିକ ଓ ଆକ୍ରମଣାତ୍ମକ କାର୍ଯ୍ୟ" ବୋଲି ବର୍ଣ୍ଣନା କରି ୟୁକ୍ରେନ୍କୁ ସତର୍କ କରିଛନ୍ତି ଯେ ଏହା ଯୁଦ୍ଧର ପରିସର ବଢ଼ାଇପାରେ।
ଅନ୍ୟପଟେ, ୟୁକ୍ରେନ୍ କହିଛି ଯେ ସେ ରୁଷିଆର ଏକ ଯୁଦ୍ଧ ଜାହାଜ ଏବଂ ଇରାନ ସହ ସଂପୃକ୍ତ ସାମରିକ ସାମଗ୍ରୀ ପରିବହନରେ ବ୍ୟବହୃତ ଜାହାଜଗୁଡ଼ିକୁ ଟାର୍ଗେଟ୍ କରିଥିଲା। ଇରାନର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ "ରୁଷିଆ-ୟୁକ୍ରେନ୍ ସଂଘର୍ଷରେ ଇରାନ କେବେ ହସ୍ତକ୍ଷେପ କରିନାହିଁ।"
ୟୁକ୍ରେନ୍ ସମ୍ପ୍ରତି ରୁଷିଆ ବିରୋଧରେ ଡ୍ରୋନ୍ ଅଭିଯାନ ତୀବ୍ର କରିଛି। ବିଶେଷକରି ରୁଷିଆର ବନ୍ଦର ଭିତ୍ତିଭୂମି ଓ ଜାହାଜଗୁଡ଼ିକୁ ଲକ୍ଷ୍ୟ କରାଯାଉଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମିର ଜେଲେନସ୍କି ରୁଷିଆର ଲଜିଷ୍ଟିକ୍ସ ଓ ଶକ୍ତି ଭିତ୍ତିଭୂମି ବିରୋଧରେ ବ୍ୟାପକ ଡ୍ରୋନ୍ ଅଭିଯାନ ଚାଲିଥିବା କଥା କହିଛନ୍ତି।
ରୁଷିଆର ସର୍ବବୃହତ୍ କଳା ସାଗର ତୈଳ ରପ୍ତାନି କେନ୍ଦ୍ର ନୋଭୋରୋସିସ୍କର ଶେସ୍ଖାରିସ୍ (Sheskharis) ଟର୍ମିନାଲ୍ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ପରେ ଟ୍ୟାଙ୍କର ଲୋଡିଂ ବନ୍ଦ କରିଦେଇଛି। ଏହା ସହ ୟୁକ୍ରେନ୍ ରୋଷ୍ଟୋଭ୍-ଅନ୍-ଡନ୍ର ଏକ ରପ୍ତାନି ଟର୍ମିନାଲ୍ ଉପରେ ମଧ୍ୟ ଆକ୍ରମଣ କରିଛି।
ବଡ଼ କଥା ହେଉଛି; ଏହି ସଂଘର୍ଷ ମଧ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି।
ଏହି ଡ୍ରୋନ୍ ଆକ୍ରମଣରେ କେବଳ ଇରାନ ନୁହେଁ, ଭାରତ ମଧ୍ୟ କ୍ଷତି ସହିଛି। ବିଶ୍ୱର ତୃତୀୟ ବୃହତ୍ ନାବିକ ଯୋଗାଣକାରୀ ଦେଶ ଭାବେ ଭାରତର ପାଞ୍ଚ ଜଣ ନାବିକଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଭାରତ ରୁଷିଆ ଓ ୟୁକ୍ରେନ୍ଙ୍କ ନିକଟରେ ପୃଥକ ଭାବେ ପ୍ରତିବାଦ ଜଣାଇଛି।
- ଇରାନ-ରୁଷିଆ ପ୍ରତିରକ୍ଷା ସମ୍ପର୍କ
ଇରାନ ରୁଷିଆକୁ ଡ୍ରୋନ୍ ଓ ସାମରିକ ପ୍ରଯୁକ୍ତି ଯୋଗାଉଥିବା ଖବର ପରେ ଇରାନ ଓ ୟୁକ୍ରେନ୍ର ସମ୍ପର୍କ ଆହୁରି ତିକ୍ତ ହୋଇଥିଲା। ଜେଲେନସ୍କି ଇରାନ ଉପରେ ରୁଷିଆକୁ ଯୁଦ୍ଧରେ ସହଯୋଗ କରୁଥିବା ଅଭିଯୋଗ କରିଛନ୍ତି। ଯଦିଓ ଇରାନ ରୁଷିଆକୁ କ୍ଷେପଣାସ୍ତ୍ର ଯୋଗାଇଥିବା ଅଭିଯୋଗ ଖଣ୍ଡନ କରିଛି ଏବଂ କହିଛି ଯେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ପୂର୍ବରୁ ଡ୍ରୋନ୍ ଯୋଗାଇଥିଲା। କିନ୍ତୁ ପଶ୍ଚିମ ଦେଶଗୁଡ଼ିକର ସନ୍ଦେହ ଯେ ଇରାନ ଓ ରୁଷିଆ ଗୋପନରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ କରୁଛନ୍ତି ଏବଂ ନିଜ ନିଜ ଯୁଦ୍ଧରେ ପରସ୍ପରକୁ ସହାୟତା କରୁଛନ୍ତି।
ଆମେରିକା ତଦନ୍ତ କରୁଛି ଯେ ରୁଷିଆ କି ଇରାନକୁ ସିଆଇଏ (CIA)ର ଉପସାଗରୀୟ ଅଞ୍ଚଳର ସୁବିଧାଗୁଡ଼ିକୁ ଲକ୍ଷ୍ୟ କରିବା ପାଇଁ ସୂଚନା କିମ୍ବା ଡ୍ରୋନ୍ ପ୍ରଯୁକ୍ତି ଯୋଗାଇଥିଲା କି ନାହିଁ। ଏଥିରେ ମାର୍ଚ୍ଚ ମାସରେ ସାଉଦି ଆରବର ରିୟାଦସ୍ଥିତ ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଇରାନର ଆକ୍ରମଣ ମଧ୍ୟ ସାମିଲ, ଯାହା ସଂଘର୍ଷ ଆରମ୍ଭ ହେବାର କିଛି ସମୟ ପରେ ଘଟିଥିଲା।
ରଏଟର୍ସର ଏକ ରିପୋର୍ଟରେ ପଶ୍ଚିମୀ ଅଧିକାରୀଙ୍କୁ ଉଦ୍ଧୃତ କରି କୁହାଯାଇଛି ଯେ ସାଉଦି ଆରବର ଆମେରିକୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣରେ ରୁଷିଆ ଦ୍ୱାରା ଉନ୍ନତ ସଂସ୍କରଣର ଇରାନୀ ଶାହେଦ୍ (Shahed) ଡ୍ରୋନ୍ ବ୍ୟବହାର କରାଯାଇଥିବା ବୋଲି ବିଶ୍ଳେଷକମାନେ ସନ୍ଦେହ କରୁଛନ୍ତି।
ୟୁକ୍ରେନ୍ ସହ ବଢ଼ୁଥିବା ଉତ୍ତେଜନା ଇରାନ ଓ ରୁଷିଆକୁ ଆହୁରି ନିକଟତର କରିପାରେ, ଯଦିଓ ଉଭୟ ଦେଶ ନିଜ ନିଜ ଯୁଦ୍ଧରେ ବ୍ୟସ୍ତ ଥିବାରୁ ପରସ୍ପରକୁ ସହଯୋଗ କରିବାର କ୍ଷମତା ସୀମିତ ରହିପାରେ।
- ଆମେରିକା-ଇରାନ ବିରତିର ପ୍ରଭାବ
ସପ୍ତାହକ ପାଇଁ ଇରାନ ବିରୋଧରେ ଆମେରିକା ଆକ୍ରମଣ ବନ୍ଦ କରିବା ପରେ ୟୁକ୍ରେନ୍ ଓ ଇରାନ ମଧ୍ୟରେ ଉତ୍ତେଜନା ବଢ଼ିଛି। ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଟଜ୍ ରବିବାର Fox Newsକୁ କହିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତିକ ଆଲୋଚନା ପାଇଁ ସୁଯୋଗ ଦେବାକୁ ଇରାନ ବିରୋଧରେ ଆକ୍ରମଣ ସ୍ଥଗିତ ରଖିଛନ୍ତି।
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାଟ୍ରିଅଟ୍ ଆଣ୍ଟି-ମିସାଇଲ୍ ଇଣ୍ଟରସେପ୍ଟର ଓ ଅନ୍ୟାନ୍ୟ ବାୟୁ ପ୍ରତିରକ୍ଷା ଅସ୍ତ୍ରର ମହଜୁଦ କମିଯାଇଥିବାରୁ ଟ୍ରମ୍ପ ଇରାନ ବିରୋଧରେ ଆକ୍ରମଣ ବଢ଼ାଇବା ଯୋଜନାକୁ ସ୍ଥଗିତ ରଖିଛନ୍ତି।
ତେବେ ଆମେରିକା ଓ ଇରାନ ମଧ୍ୟରେ ବିରତି ଚାଲିଥିଲେ ମଧ୍ୟ ଇରାନ ସମର୍ଥିତ ୟେମେନର ହୁଥି ବିଦ୍ରୋହୀ ଓ ସାଉଦି ଆରବ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ହୁଥିମାନେ ସାଉଦିର ତୈଳ ସ୍ଥାପନା, ଲୋହିତ ସାଗରରେ ତୈଳ ଟ୍ୟାଙ୍କର ଏବଂ ବାଣିଜ୍ୟିକ ସମୁଦ୍ରପଥକୁ ଟାର୍ଗେଟ୍ କରିଥିବା ଦାବି କରିଛନ୍ତି।
ଏହି ପରିସ୍ଥିତିରେ ୟୁକ୍ରେନ୍ ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ନୂଆ ଉତ୍ତେଜନା ୟୁକ୍ରେନ୍ ଯୁଦ୍ଧରେ ଆଉ ଏକ ନୂଆ ମୋର୍ଚ୍ଚା ଖୋଲିଦେବାର ଆଶଙ୍କା ସୃଷ୍ଟି କରିଛି।

