24 ଘଣ୍ଟା ମଧ୍ୟରେ ହରମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଅତିକ୍ରମ କଲେ 28 ଜାହାଜ
ଏ ସମସ୍ତ ଜାହାଜକୁ ଆଗକୁ ଯିବା ପାଇଁ ଅନୁମତି ଦେଇଛି ଆଇଆରଜିସି ।


Published : June 1, 2026 at 8:48 AM IST
US IRAN WAR UPDATE ତେହେରାନ: ଗତ 24 ଘଣ୍ଟା ମଧ୍ୟରେ ହରମୁଜ ପ୍ରଣାଳୀ ଦେଇ ସୁରକ୍ଷିତ ଅତିକ୍ରମ କଲେ 28 ଜାହାଜ । ଏଥିରେ ତେଲ ଟ୍ୟାଙ୍କର ଓ କମର୍ସିଆଲ ଜାହାଜ ସାମିଲ ଥିବା କହିଛି ଇରାନର ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କପର୍ସ (IRGC) । ଏ ସମସ୍ତ ଜାହାଜକୁ ଆଇଆରଜିସି (IRGC) ସ୍ମାର୍ଟ କଣ୍ଟ୍ରୋଲ ବ୍ୟବସ୍ଥା ଅନୁସାରେ ଆଗକୁ ଯିବା ପାଇଁ ଅନୁମତି ଦେଇଛି । ସେପଟେ ମଧ୍ୟପ୍ରାଚ୍ୟରେ ଅଶାନ୍ତି ପାଇଁ ଆମେରିକା ଓ ତାର ସେନାକୁ ଦାୟୀ କରିଛି IRGC । ଇରାନ ଗଣମାଧ୍ୟମର ରିପୋର୍ଟ ଅନୁସାରେ IRGC ସହ ସମନ୍ବୟ ରକ୍ଷା କରି ଜାହାଜ ଗୁଡିକୁ ଯିବା ପାଇଁ ଅନୁମତି ମିଳିଛି ।
ହରମୁଜ ପ୍ରଣାଳୀ ଦେଇ ଆରବ ସାଗରକୁ ସଂଯୋଗ କରିଥିବା ଜଳପଥ ବିଶ୍ୱ ଅର୍ଥନୀତି ପାଇଁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଜଳପଥ ଅଟେ । ଆଇଆରଜିସି କହିଛି ଯେ ‘‘ଏହି ଜଳପଥ ମୁସଲିମ ଦେଶ ଗୁଡ଼ିକର ଏକ ଜଳଭାଗ ଅଟେ । କିନ୍ତୁ ଆମେରିକୀୟ ଆତଙ୍କବାଦୀ ଓ ଏହାର ସେନାର ଆକ୍ରମଣ ଏହି ଜଳପଥର ଅସୁରକ୍ଷିତତାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ’’। ଆଇଆରଜିସି (IRGC) ଆହୁରି କହିଛି ଯେ ବାଣିଜ୍ୟିକ ଜାହାଜ ଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ ହରମୁଜ ପ୍ରଣାଳୀ ଦୃଢ଼ ଏବଂ କ୍ଷମତାର ସହ ନିରନ୍ତର ଭାବରେ "ବୁଦ୍ଧିମତ୍ତାପୂର୍ଣ୍ଣ ନିୟନ୍ତ୍ରଣ" କରୁଛି। ଗତ ଶନିବାର ଆଇଆରଜିସି ଠାରୁ ଅନୁମତି ନେବା ଏବଂ ସେନା ସହିତ ସମନ୍ୱୟ ରକ୍ଷା କରିବା ପରେ ୨୦ଟି ବାଣିଜ୍ୟିକ ଜାହାଜ ଏହି ପ୍ରଣାଳୀ ଦେଇ ଅତିକ୍ରମ କରିଛି।
ନିକଟରେ ହର୍ମୁଜ ଜଳମାର୍ଗ ଦେଇ ଯାତାୟତରେ ପ୍ରତିବନ୍ଧକ ଓ ଦେଖାଶୁଣା ପାଇଁ ଇରାନ ନୂଆ ନିୟାମକ ବୋର୍ଡ ତିଆରି କରିଛି । କିନ୍ତୁ ଆମେରିକା ନିକଟରେ ଏହା ଉପରେ ପ୍ରତିବନ୍ଧକ ଲଗାଇଛି ।
118ଟି ଜାହାଜର ଗତିପଥ ବଦଳାଇଲା ଆମେରିକା
ରବିବାର ବିଳମ୍ବିତ ରାତିରେ (ଭାରତୀୟ ସମୟ ଅନୁସାରେ) ଇରାନ ବନ୍ଦର ଗୁଡ଼ିକରେ ସକ୍ରିୟ ନୌସେନା ଅବରୋଧର ଅଂଶବିଶେଷ ସ୍ୱରୂପ ଆମେରିକୀୟ ସେନା ୧୧୮ଟି ବାଣିଜ୍ୟିକ ଜାହାଜର ଗତିପଥ ବଦଳାଇ ଦେବା ସହ ଅନ୍ୟ ୫ଟିକୁ ଅଚଳ କରି ଦେଇଥିବା ଦାବି କରିଛି ୟୁନାଇଟେଡ୍ ଷ୍ଟେଟ୍ସ ସେଣ୍ଟ୍ରାଲ୍ କମାଣ୍ଡ (CENTCOM) । ଆମେରିକୀୟ ସେନା ଏପ୍ରିଲ ୧୩ ରେ ଇରାନର ନୌସେନା ଅବରୋଧ କରିଥିଲା। CENTCOM ଏକ୍ସରେ ପୋଷ୍ଟ କରି କହିଛି ଯେ, ମେ ୩୧ ସୁଦ୍ଧା ଆମେରିକା ସେନା "୧୧୮ଟି ବାଣିଜ୍ୟିକ ଜାହାଜର ଗତିପଥ ବଦଳାଇଛି ଏବଂ ୫ଟିକୁ ଅଚଳ କରିଛି।"
ଏହାକୁ କାର୍ଯ୍ୟକାରୀ କରିବା ପରେ ୟୁଏସ୍ ସେଣ୍ଟ୍ରାଲ୍ କମାଣ୍ଡ ଚେତାବନୀ ଦେଇଛି ଯେ ଇରାନ ବନ୍ଦରକୁ ଯାଉଥିବା ଏବଂ ସେଠାରୁ ଆସୁଥିବା ସମସ୍ତ ଜାହାଜର ଚଳାଚଳକୁ ସେମାନେ ଅବରୋଧ କରିବା ଜାରି ରଖିବେ।
ଆମେରିକାକୁ ବିଶ୍ୱାସ କରାଯାଇ ପାରିବ ନାହିଁ ବୋଲି ଇରାନର ମୁଖ୍ୟ ଆଲୋଚନାକାରୀ ଚେତାବନୀ ଦେଇଛନ୍ତି । ଇରାନ ଅଧିକାରକୁ ସମ୍ପୂର୍ଣ୍ଣ ସୁରକ୍ଷିତ ନ କରିବା ଯଏଁ ତେହେରାନ ୱାଶିଂଟନ ସହିତ କୌଣସି ଚୁକ୍ତି କରିବ ନାହିଁ।
ମହମ୍ମଦ ବାଘେର ଗାଲିବାଫ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ କଠୋର ଶାନ୍ତି ପ୍ରସ୍ତାବ ପଠାଇଛନ୍ତି । ଏହି ଦାବି ଗୁଡ଼ିକୁ ଉପରେ ପୁଣି ଥରେ ବିଚାର ବିମର୍ଶ କରାଯିବ ।
ଲେବାନନରେ ଇସ୍ରାଏଲ ଆକ୍ରମଣ
ଦକ୍ଷିଣ ଲେବାନନରେ ଅପରେସନ ଜାରି ରଖିଛି ଇସ୍ରାଏଲ । ରବିବାର ଇସ୍ରାଏଲର ଆକ୍ରମଣରେ ଲେବାନନର 8 ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ତିନି ଜଣ ମହିଳା ପ୍ରାଣ ହରାଇଥିବା ଲେବାନନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦାବି କରିଛି । ହିଜ୍ଜବୁଲା ବିରୋଧରେ ଇସ୍ରାଏଲର ଅପରେସନ ଜାରି ରହଥିବା ମନ୍ତ୍ରାଳୟ କହିଛି ।
ରବିବାର ଭୋରରୁ ନାବାତେହ ଜିଲ୍ଲା ଦୈର ଜାହରାନୀ ସହରରେ ଇସ୍ରାଏଲ ସେନା ନରସଂହାର କରିଛି । ଏଥିରେ 8 ଜଣ ଶହୀଦ ହୋଇଥିବାବେଳେ 3 ଜଣ ମହିଳା ରହିଛନ୍ତି । ଆକ୍ରମଣରେ 19 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ 5 ଶିଶୁ ଓ 6 ମହିଳା ରହିଥିବା ମନ୍ତ୍ରାଳୟ କହିଛି ।

