ଆମେରିକାର ‘ନର୍କ’, ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ନୂଆ ଠିକଣା
ବ୍ରୁକଲିନ ସ୍ଥିତ ମେଟ୍ରୋପଲିଟିଆନ ଡିଟେନସନ ସେଣ୍ଟରରେ ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ରଖିଛନ୍ତି ଟ୍ରମ୍ପ ସରକାର । ଏହାକୁ ଆମେରିକାର ନର୍କ ମଧ୍ୟ କୁହାଯାଏ । ଜାଣନ୍ତୁ କାହିଁକି ।

Published : January 6, 2026 at 3:04 PM IST
ୱାଶିଂଟନ(ଆମେରିକା): ଦକ୍ଷିଣ-ଆମେରିକୀୟ ଦେଶ ଭେନେଜୁଏଲା ଉପରେ ଏୟାରଷ୍ଟ୍ରାଇକ । ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇ ଆଣିଲା ଆମେରିକା । ଏବେ ବ୍ରୁକଲିନ ସ୍ଥିତ ମେଟ୍ରୋପଲିଟିଆନ ଡିଟେନସନ ସେଣ୍ଟର(MDC) ପାଲଟିଛି ମାଦୁରୋଙ୍କ ଠିକଣା । ଏହି ଜେଲରେ ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ବନ୍ଦୀ କରି ରଖିଛି ଆମେରିକା । ତେବେ ଆମେରିକାର ଏହି ଜେଲକୁ ‘ନର୍କ’ ଭାବେ ବିଚେଚନା କରାଯାଏ । ଏଠାରେ ଅନେକ ହାଇପ୍ରୋଫାଇଲ କଏଦୀଙ୍କୁ ରଖାଯାଇଥିବା ବେଳେ ସେଥିରେ ଯୋଡି ହୋଇଯାଇଛି ମାଦୁରୋଙ୍କ ନାଁ । ଆସନ୍ତୁ ଜାଣିବା ଏହି ଜେଲ ସମ୍ପର୍କରେ...
ମେଟ୍ରୋପଲିଟିଆନ ଡିଟେନସନ ସେଣ୍ଟର କଣ ?
ବ୍ରୁକଲିନରେ 1990 ମସିହାରେ ବ୍ୟୁରୋ ଅଫ୍ ପ୍ରିଜନ ଏହି ଜେଲର ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ମେନହଟ୍ଟନ ବା ବ୍ରୁକଲିନ ଫେଡେରାଲ କୋର୍ଟରେ ବିଚାର ହେବାକୁ ଥିବା ବିଚାରଧିନ କଏଦୀଙ୍କୁ ଏଠାରେ ରଖିବା । ଜେଲର ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ଏଠାରେ ପ୍ରାୟ 1300 କଏଦୀ ଅଛନ୍ତି । ତେବେ ଗତ କିଛି ବର୍ଷ ହେବ ଏଠାରେ 1600 କଏଦୀ ରହୁଆସୁଛନ୍ତି ।
ଏହି ଜେଲରେ କଣ କଣ ବ୍ୟବସ୍ଥା ରହିଛି ?
ଏହି ଜେଲର ଭିତରେ ବୁଲିବା ପାଇଁ ସ୍ଥାନ ଅଛି । ମେଡିକାଲ ୟୁନିଟ୍ ରହିଛି । ଦାନ୍ତ ପରୀକ୍ଷା ପାଇଁ ରୁମ୍ ରହିଛି । ଏଜୁକେସନାଲ ପ୍ରୋଗାମ ପାଇଁ ପ୍ରକୋଷ୍ଠ ରହିବା ସହ ଜେଲ ଲାଇବ୍ରେରୀ ରହିଛି । ମହିଳା ଓ ପୁରୁଷ କଏଦୀ ପଢିବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଜେଲ ନୁହେଁ ନର୍କ ଭାବେ ପରିଚିତ:
ଏହିକୁ ନର୍କ ଭାବେ ମଧ୍ୟ କୁହାଯାଏ । କାରଣ ଅନେକ ସମୟରେ ଜେଲ ମଧ୍ୟରେ କଏଦୀଙ୍କ ସଂଘର୍ଷ ଘଟଣା ସାମ୍ନାକୁ ଆସେ । ବ୍ୟୁରୋ ଅଫ୍ ପ୍ରିଜନର୍ସ ଜୁନ 2025 ରିପୋର୍ଟ ଅନୁଯାୟୀ, ବନ୍ଧୁକ କାରବାର ମାମଲାରେ ଜଡିତ ଥିବା ଜଣେ ଅଭିଯୁକ୍ତ ଅନ୍ୟ ଏକ କଏଦୀକୁ ଛୁରୀରେ ହତ୍ୟା କରିଥିଲା । ସେହିପରି ଗତ ଜୁଲାଇରେ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟି ଏଡବିନ କୋଡେରୋ ନାମକ ଜଣେ କଏଦୀର ମୃତ୍ୟୁ ଘଟିଥିଲା ।
ଜାନୁଆରୀ 2019ରେ ଦୀର୍ଘ ଦିନ ଧରି ଜେଲରେ ବିଜୁଳି ନଥିଲା । ଅନ୍ଧାରରେ ରହୁଥିଲେ କଏଦୀ । ଥଣ୍ଡା କାକରରେ ମଧ୍ୟ ଅସ୍ତବ୍ୟସ୍ତ ହୁଏନ୍ତି ଏକଦୀ । ଏହି ସବୁ ଘଟଣା ଉପରେ ଧ୍ୟାନ ଦେଇ ବିଚାରପତି କହିଥିଲେ, ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ବର୍ବରତାପୂର୍ଣ୍ଣ ଅଟେ ।
କଏଦୀ ଭୋଗନ୍ତି ଏସବୁ ସମସ୍ୟା:
ଏଠି କଏଦୀଙ୍କୁ ପରିଜନଙ୍କ ସହ ଭେଟିବାକୁ ଦିଆଯାଏନି, କଲ କରିବା ମଧ୍ୟ ମନା, ଗାଧୋଇବା, ବାହାରକୁ ବାହାରିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଏ । ଏପରିକି କୋଭିଡ ମହାମାରୀ ସମୟରେ ଜେଲରେ ସ୍ଥିତି ବହୁତ ଗମ୍ଭୀର ରହିଥିଲା । ଏଥିପାଇଁ ଏହି ଜେଲଟି ଅନେକ ସମାଲୋଚନାର ମଧ୍ୟ ଶିକାର ହୋଇଛି ।
ଏହି ଜେଲ୍ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଠିକଣା:
ଏହି ଜେଲରେ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କୁ ରଖାଯାଇଥାଏ । ଜେଫରି ଏପଷ୍ଟିନ ଘିସନେଲ ମ୍ୟାକ୍ସୱାଲଙ୍କୁ ମଧ୍ୟ ଏହି ଜେଲରେ ରଖାଯାଇଥିଲା । ପରେ ଟ୍ରମ୍ପ ପ୍ରଶାସନ ତାଙ୍କୁ ଅନ୍ୟ ଜେଲକୁ ଟ୍ରାନ୍ସଫର କରିଥିଲେ । ସେମ୍ ବ୍ୟାକମେନ ଫ୍ରାଇଡ, କ୍ରିପ୍ଟୋର ଜଣାଶୁଣା ଖେଳାଳି, ଠକିବା ମାମଲାର ଅନେକ କଏଦୀ ଏହି ଜେଲରେ ସଜ୍ଜା କାଟୁଛନ୍ତି । ସେହିପରି ହୋଣ୍ଡୁରାସର ପୂର୍ବତନ ରାଷ୍ଟ୍ରପତି ଜୁଆନ ଓରଲେଣ୍ଡୋ ହର୍ଣ୍ଣାଡେଜଙ୍କୁ ମଧ୍ୟ ଏହି ଜେଲରେ ରଖାଯାଇଥିଲା ।

