ETV Bharat / international

ରୁଷ ତୈଳ କିଣିଲେ ୧୦୦% ଶୁଳ୍କର ଧମକ: ବାଣିଜ୍ୟ ଆଲୋଚନା ମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ବଢ଼ିଲା ଅନିଶ୍ଚିତତା

ରୁଷ ଉପରେ ନୂଆ ପ୍ରତିବନ୍ଧକ ବିଲ୍‌କୁ ଆମେରିକୀୟ ସେନେଟ୍‌ର ଫାଷ୍ଟ-ଟ୍ରାକ୍ ମଞ୍ଜୁରି; ଭାରତର ଉର୍ଜା ସୁରକ୍ଷା, ବାଣିଜ୍ୟ ଚୁକ୍ତି ଓ ଅର୍ଥନୀତି ଉପରେ ପଡ଼ିପାରେ ବଡ଼ ପ୍ରଭାବ। ନିର୍ମଳା ଗଣପତିଙ୍କ ଆଲେଖ୍ୟ

US RUSSIA SANCTIONS BILL
ରୁଷ ତୈଳ କିଣିଲେ ୧୦୦% ଶୁଳ୍କର ଧମକ: ବାଣିଜ୍ୟ ଆଲୋଚନା ମଧ୍ୟରେ ଭାରତ-ଆମେରିକା ସମ୍ପର୍କରେ ବଢ଼ିଲା ଅନିଶ୍ଚିତତା (AP)
author img

By Nirmala Ganapathy

Published : July 31, 2026 at 2:54 PM IST

4 Min Read
Choose ETV Bharat

ନୂଆଦିଲ୍ଲୀ: ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (Bilateral Trade Agreement-BTA) ନେଇ ଆଲୋଚନା ଧୀର ଗତିରେ ଆଗକୁ ବଢ଼ୁଥିବା ବେଳେ, ରୁଷରୁ ତୈଳ କିଣୁଥିବା ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଥିବା ଏକ ଆମେରିକୀୟ ବିଲ୍‌ ଦୁଇ ଦେଶର ସମ୍ପର୍କରେ ଆହୁରି ଅନିଶ୍ଚିତତା ସୃଷ୍ଟି କରିଛି।

ଆମେରିକାର ସେନେଟ୍ ‘ଲିଣ୍ଡସେ ଓ. ଗ୍ରାହାମ ସ୍ୟାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ-୨୦୨୬’କୁ ଫାଷ୍ଟ-ଟ୍ରାକ୍ ପ୍ରକ୍ରିୟାରେ ଆଗକୁ ବଢ଼ାଇବାକୁ ଭୋଟ୍ ଦେଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତୈଳର ପାଞ୍ଚ ପ୍ରମୁଖ କ୍ରେତା; ଭାରତ, ଚୀନ, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବୈଜାନ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିପାରିବେ।

ଏହି ବିଲ୍‌ରେ ରୁଷରୁ ଆମେରିକାକୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲଗାଇବା ସହ ଇରାନ ବିରୋଧରେ ଅତିରିକ୍ତ ପ୍ରତିବନ୍ଧକ ବ୍ୟବସ୍ଥା ମଧ୍ୟ ରହିଛି।

ଏପଟେ ଭାରତ-ଆମେରିକା ବାଣିଜ୍ୟ ଆଲୋଚନାରେ ମଧ୍ୟ ନୂଆ ଅଡୁଆ ସୃଷ୍ଟି ହୋଇଛି। ଭାରତକୁ ଆମେରିକା ଯେଉଁ ଶୁଳ୍କ ରିହାତି ଦେବ, ତାହା ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କ ତୁଳନାରେ ଭାରତକୁ ପ୍ରତିଯୋଗିତାମୂଳକ ସୁବିଧା ଦେବ କି ନାହିଁ, ତାହାକୁ ନେଇ ମତଭେଦ ରହିଛି। ଭାରତ ସରକାର ଏପର୍ଯ୍ୟନ୍ତ ଏହି ରୁଷ ପ୍ରତିବନ୍ଧକ ବିଲ୍‌ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହାନ୍ତି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି, ସରକାର କଳ୍ପନାଭିତ୍ତିକ ଖବର ଉପରେ କୌଣସି ମତାମତ ଦିଅନ୍ତି ନାହିଁ।

ଇରାନ ସଂଘର୍ଷ ବିସ୍ତାର ଏବଂ ହର୍ମୁଜ୍ ସମୁଦ୍ରସଂକୁଳରେ ଅବରୋଧ ଯୋଗୁଁ ବିଶ୍ୱ ତୈଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେବା ପରେ ଭାରତ ରୁଷରୁ ତୈଳ କ୍ରୟ ବଢ଼ାଇଛି।

୨୦୨୬ ମସିହା ମେ’ ମାସରେ ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ୪୦ ପ୍ରତିଶତରୁ ଅଧିକ ରୁଷରୁ ଆସିଥିଲା। ଯଦି ଏହି ବିଲ୍ ଆଇନରେ ପରିଣତ ହୁଏ ଏବଂ ଇରାନ ସଂଘର୍ଷର ସମାଧାନ ନ ହୁଏ, ତେବେ ଏହା ଭାରତର ଉର୍ଜା ସୁରକ୍ଷା ଉପରେ ଗୁରୁତର ପ୍ରଭାବ ପକାଇବ।

ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଓ ବାଣିଜ୍ୟ ବିଶେଷଜ୍ଞ ବିଶ୍ୱଜିତ ଧର କହିଛନ୍ତି, “ରୁଷ ତୈଳ ଉପରେ ଆମର ନିର୍ଭରଶୀଳତା ବଢ଼ିଛି। ତେଣୁ ୧୦୦ ପ୍ରତିଶତ ଶୁଳ୍କ ଭାରତକୁ ଭୟଙ୍କର ଭାବେ ପ୍ରଭାବିତ କରିବ। ଯଦି ଆମେ ଆମେରିକା କିମ୍ବା ଭେନେଜୁଏଲାରୁ ତୈଳ ଆମଦାନୀ କରିବାକୁ ବାଧ୍ୟ ହେବୁ, ପରିବହନ ଖର୍ଚ୍ଚ ବହୁତ ବଢ଼ିଯିବ। ତେବେ ମୁଦ୍ରାସ୍ଫୀତିକୁ କିପରି ନିୟନ୍ତ୍ରଣ କରିବୁ? ଏହାର ଶୃଙ୍ଖଳାବଦ୍ଧ ପ୍ରଭାବ ପଡ଼ିବ।”

ସେ ଆହୁରି କହିଛନ୍ତି, “ଏହା କେବଳ ସମ୍ପର୍କରେ ଅସନ୍ତୋଷ ସୃଷ୍ଟି କରିବାର ବିଷୟ ନୁହେଁ। ଟ୍ରମ୍ପ ଏହି ବିଲ୍‌କୁ ଜୋରଦାର ଭାବେ ଆଗକୁ ବଢ଼ାଉଛନ୍ତି। ଭାରତୀୟ ଅର୍ଥନୀତି ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।”

ଏହି ବିଲ୍ ଏବେ ମଧ୍ୟ ଆଇନ ହେବା ପୂର୍ବରୁ ପ୍ରତିନିଧି ସଭାର ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ମଞ୍ଜୁରି ଭଳି କିଛି ପଦକ୍ଷେପ ଅତିକ୍ରମ କରିବା ବାକି ରହିଛି। ତେବେ ଆମେରିକୀୟ ସେନେଟର ଜନ୍ ଥୁନ୍ ଆଶା ପ୍ରକାଶ କରିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ ଏହି ବିଲ୍ ପାରିତ ହୋଇପାରେ।

ଏଥିସହ ସେ କହିଛନ୍ତି, “ଏହା ଆମ ଦେଶ ଓ ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ବିଲ୍। ଆମେ ଆଶା କରୁଛୁ ଆସନ୍ତା କିଛି ଦିନ ମଧ୍ୟରେ ଏହାକୁ ପାରିତ କରିପାରିବୁ।”

ଏହି ବିଲ୍ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଭାରତର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଶୁଳ୍କ ପଦକ୍ଷେପମାନଙ୍କର ସର୍ବଶେଷ ଉଦାହରଣ।

ସମ୍ପ୍ରତି ଟ୍ରମ୍ପ ପର୍ଯ୍ୟାୟକ୍ରମେ ଜେନେରିକ୍ ଔଷଧ ଉପରେ ଶୁଳ୍କ ଯୋଜନା ଘୋଷଣା କରିଛନ୍ତି। ଏହା ଅନୁଯାୟୀ ଅଗଷ୍ଟ ୨୦୨୮ରୁ ୧୦୦ ପ୍ରତିଶତ ଓ ଅଗଷ୍ଟ ୨୦୨୯ରୁ ୨୦୦ ପ୍ରତିଶତ ଶୁଳ୍କ ଲାଗୁ ହେବ, ଯାହା ଦ୍ୱାରା କମ୍ପାନୀମାନଙ୍କୁ ଉତ୍ପାଦନ ଆମେରିକାକୁ ସ୍ଥାନାନ୍ତର କରିବାକୁ ସମୟ ମିଳିବ।

ଭାରତ ବିଶ୍ୱର ସର୍ବବୃହତ୍ ଜେନେରିକ୍ ଔଷଧ ଯୋଗାଣକାରୀ ହୋଇଥିବାରୁ ଏବଂ ଆମେରିକାର ପ୍ରାୟ ୪୦ ପ୍ରତିଶତ ଜେନେରିକ୍ ଔଷଧ ଚାହିଦା ପୂରଣ କରୁଥିବାରୁ ଏହା ଔଷଧ ଶିଳ୍ପକୁ ବଡ଼ ଝଟକା ଦେଇପାରେ। ଏହାଛଡ଼ା, ବାଧ୍ୟତାମୂଳକ ଶ୍ରମ ମାଧ୍ୟମରେ ଆମଦାନୀ ରୋକିବାରେ ବିଫଳ ହୋଇଥିବା ୬୦ଟି ଦେଶ ମଧ୍ୟରେ ଭାରତ ଥିବାରୁ ଆମେରିକା ଟ୍ରେଡ୍ ଆକ୍ଟର ସେକ୍ସନ୍ ୩୦୧ ଅନୁଯାୟୀ ୧୦ ପ୍ରତିଶତ ଶୁଳ୍କ ମଧ୍ୟ ଲାଗୁ କରିଛି।

ଏବେ ପ୍ରଶ୍ନ ଉଠୁଛି, ୨୦୨୫ରେ ପ୍ରଥମେ ଘୋଷଣା ହୋଇଥିବା ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟର ଭବିଷ୍ୟତ କଣ ହେବ?

ଏହି ଶୁଳ୍କ ପଦକ୍ଷେପ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ କରିବାକୁ ଜଟିଳ କରିଦେଇଛି। ଭାରତର ଆଶଙ୍କା ରହିଛି ଯେ, ଅନ୍ୟ ଦେଶ ଅଧିକ ଶୁଳ୍କ ରିହାତି ପାଇଲେ ଭାରତୀୟ ରପ୍ତାନି ପ୍ରତିଯୋଗିତାମୂଳକ ସୁବିଧା ହରାଇବ। ଚୁକ୍ତିର ଖସଡ଼ା ଫେବୃଆରୀରେ ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ପୀୟୂଷ ଗୋୟଲ ପୁଣି କହିଛନ୍ତି ଯେ, ଭାରତକୁ ପଡ଼ୋଶୀ ଦେଶ, ଆସିଆନ୍ ଅଞ୍ଚଳ ଓ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ଦେଶଙ୍କ ତୁଳନାରେ ପ୍ରତିଯୋଗିତାମୂଳକ ସୁବିଧା ମିଳିଲେ ହିଁ ଏହି ଅନ୍ତରୀଣ ବାଣିଜ୍ୟ ଚୁକ୍ତି କାର୍ଯ୍ୟକାରୀ ହେବ।

ଟ୍ରମ୍ପଙ୍କ ପାଇଁ ଶୁଳ୍କ ନୀତି ତାଙ୍କ ବୈଦେଶିକ ନୀତିର ମୁଖ୍ୟ ଆଧାର ପାଲଟିଛି। ଏହା ମାଧ୍ୟମରେ ସେ ଆମେରିକୀୟ ଉତ୍ପାଦନ ବଢ଼ାଇବା, ବାଣିଜ୍ୟିକ କ୍ଷତି କମାଇବା, ବିଭିନ୍ନ ଦେଶ ଉପରେ ଚାପ ପକାଇବା ଏବଂ କମ୍ପାନୀମାନଙ୍କୁ ଆମେରିକାରେ ଉତ୍ପାଦନ କରିବାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି।

ବିଶ୍ୱଜିତ ଧରଙ୍କ ମତରେ, ଭାରତ ସହ ବାଣିଜ୍ୟ ଚୁକ୍ତି ଆମେରିକୀୟ କମ୍ପାନୀମାନଙ୍କ ପାଇଁ ବିଶାଳ ବଜାର ଖୋଲିଦେବ। ତେଣୁ ଟ୍ରମ୍ପ ଏହି ଚୁକ୍ତି ଶୀଘ୍ର ସମ୍ପନ୍ନ କରିବାକୁ ଭାରତ ଉପରେ ଚାପ ବଢ଼ାଇବେ।ସେ କହିଛନ୍ତି, “ଟ୍ରମ୍ପଙ୍କ ସମଗ୍ର ବାଣିଜ୍ୟ ନୀତି ଭାରତ ଓ ଚୀନ ଭଳି ବଡ଼ ବଜାର ଉପରେ ନିର୍ଭର କରୁଛି। ଚୀନ ନିଜକୁ ବିବିଧୀକରଣ କରିସାରିଛି। ଏବେ ଭାରତ ହିଁ ତାଙ୍କର ସବୁଠାରୁ ବଡ଼ ଲକ୍ଷ୍ୟ। ସେ ଦେଖାଇବାକୁ ଚାହୁଁଛନ୍ତି ଯେ ଭାରତଠାରୁ ସେ ବଡ଼ ରିହାତି ହାସଲ କରିଛନ୍ତି। ଆସନ୍ତା କିଛି ମାସରେ ଭାରତ ଉପରେ ଚାପ ଆହୁରି ବଢ଼ିବ।”

ବର୍ଷ ବର୍ଷ ଧରି ଚୀନର ବଢ଼ୁଥିବା ପ୍ରଭାବକୁ ମୁକାବିଲା କରିବାରେ ଭାରତକୁ ଗୁରୁତ୍ୱ ଦେଉଥିବାରୁ ଭାରତ-ଆମେରିକା ସମ୍ପର୍କକୁ ଉଭୟ ଦଳର ସମର୍ଥନ ମିଳୁଥିଲା। କିନ୍ତୁ ଦ୍ୱିତୀୟ କାର୍ଯ୍ୟକାଳରେ ଟ୍ରମ୍ପ ଅଧିକ ବ୍ୟବହାରିକ (Transactional) ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ବାଣିଜ୍ୟକୁ ଭୂ-ରାଜନୈତିକ ହସ୍ତିଆର ଭାବେ ବ୍ୟବହାର କରୁଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଭାରତ ସହ ସମ୍ପର୍କ ରଖୁଥିବା ବେଳେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଜର ବନ୍ଧୁ ବୋଲି କହିଛନ୍ତି। ତଥାପି ଦୁଇ ଦେଶ ମଧ୍ୟରେ ମତଭେଦ ଜାରି ରହିଛି ବୋଲି ବିଶ୍ଳେଷକମାନେ କହୁଛନ୍ତି।

ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ୍‌ (ORF)ର ବିଶିଷ୍ଟ ଫେଲୋ ମନୋଜ ଯୋଶୀଙ୍କ ମତରେ, ବର୍ତ୍ତମାନ ଭାରତ-ଆମେରିକା ସମ୍ପର୍କ ସବୁଠାରୁ ନିମ୍ନ ସ୍ତରରେ ରହିଛି। ସେ କହିଛନ୍ତି, “ବର୍ତ୍ତମାନ ସମ୍ପର୍କ ସମ୍ପୂର୍ଣ୍ଣ ବ୍ୟବହାରିକ ଆଭିମୁଖ୍ୟ ଉପରେ ଆଧାରିତ। ଶୁଳ୍କ ଓ ପ୍ରବାସନ ଭଳି ନୀତିରେ ମିତ୍ର ଦେଶମାନଙ୍କ ପାଇଁ ମଧ୍ୟ କୌଣସି ବ୍ୟତିକ୍ରମ କରାଯିବ ନାହିଁ ବୋଲି ଆମେରିକା ସ୍ପଷ୍ଟ କରିଦେଇଛି।”

ସେ ଆହୁରି କହିଛନ୍ତି, “ଯଦି ରୁଷ ସହ ତୈଳ ବାଣିଜ୍ୟକୁ ନେଇ ଭାରତ ଉପରେ କଠୋର ପ୍ରତିବନ୍ଧକ ଲାଗୁ ହୁଏ, ତେବେ ଦୁଇ ଦେଶ ମଧ୍ୟରେ ମତଭେଦ ଆହୁରି ବଢ଼ିବ।”

ଏହା ମଧ୍ୟ ପଢ଼ନ୍ତୁ... ‘ତୁମେ ଭାରତର ଅତୀତ’: ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ