ନିଷ୍ପତ୍ତି ବଦଳାଇଲେ ଟ୍ରମ୍ପ, ଖସିଲା ଅଶୋଧିତ ତୈଳ ଦର
ଇରାନ ଉପରେ ଆକ୍ରମଣ ବନ୍ଦ ନେଇ ଟ୍ରମ୍ପ ଘୋଷଣା ପରେ ଖସିଲା ଅଶୋଧିତ ତୈଳ ଦର । ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 4 ଡଲାର ହ୍ରାସ ପାଇଛି ।

Published : August 3, 2026 at 10:37 AM IST
ୱାଶିଂଟନ: ଇରାନ ଉପରେ ବଡ଼ ଆକ୍ରମଣ ଯୋଜନାରୁ ଓହରି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଖସିଲା ଅଶୋଧିତ ତୈଳର ଦାମ୍ । ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 4 ଡଲାର ହ୍ରାସ ପାଇଛି ।
ବ୍ୟାରେଲ ପିଛା କେତେ ହେଲା ଅଶୋଧିତ ତୈଳ ?
ଅନ୍ତରାଷ୍ଟ୍ରୀୟ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର 4.08 ଡଲାର ହ୍ରାସ କରିଛନ୍ତି । ଫଳରେ ବର୍ତ୍ତମାନ ବ୍ୟାରେଲ ପିଛା 83.58 ଡଲାର ଦର ପହଞ୍ଚିଛି । ଆମେରିକା ୱେଷ୍ଟ ଟେକ୍ସସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତୈଳ 4.01 ଡଲାର ହ୍ରାସ ପାଇ ବ୍ୟାରେଲ ପିଛା 80.66 ଡଲାରରେ କାରବାର ହେଉଥିବା ଦେଖିବାକୁ ମିଳିଛି ।
ଲଗାତର 2 ମାସ ହେଲା ତୈଳ ଦରରେ ଲାଗୁନଥିଲା ବ୍ରେକ:
ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଲଗାତର 2 ମାସ ହେଲା ତେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା । ଇରାନ-ଆମେରିକା ମଧ୍ୟରେ ଘନ ଘନ ଆକ୍ରମଣର ପ୍ରଭାବ ସାରା ବିଶ୍ବରେ ପଡିଥିଲା । ଏଥିସହ ହୋର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁଁ ଶକ୍ତି ସଙ୍କଟ ଦେଇ ଗତି କରୁଥିବା ବିଶ୍ବ । ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳର ବୃଦ୍ଧି କାରଣରୁ ବଢୁଥିଲା ତୈଳ ଦର ।
ଆଜି କେଉଁଠି କେତେ ଅଛି ପେଟ୍ରୋଲ ଦର ?
- ଦିଲ୍ଲୀ ଲିଟର ପିଛା 102.12 ଟଙ୍କା
- ମୁମ୍ବାଇ ଲିଟର ପିଛା 111.12 ଟଙ୍କା
- କୋଲକାତା ଲିଟର ପିଛା 113.43 ଟଙ୍କା
- ଚେନ୍ନାଇ ଲିଟର ପିଛା 107.75 ଟଙ୍କା
- ହାଇଦ୍ରାବାଦ ଲିଟର ପିଛା 115.74 ଟଙ୍କା
- ବେଙ୍ଗାଲୁରୁ ଲିଟର ପିଛା 110.93 ଟଙ୍କା
- ଭୁବନେଶ୍ବର ଲିଟର ପିଛା 109.33 ଟଙ୍କା
ଆଜି କେଉଁଠି କେତେ ଅଛି ଡିଜେଲ ଦର ?
- ଦିଲ୍ଲୀ ଲିଟର ପିଛା 95.20 ଟଙ୍କା
- ମୁମ୍ବାଇ ଲିଟର ପିଛା 97.78 ଟଙ୍କା
- କୋଲକାତା ଲିଟର ପିଛା 99.78ଟଙ୍କା
- ଚେନ୍ନାଇ ଲିଟର ପିଛା 99.57 ଟଙ୍କା
- ହାଇଦ୍ରାବାଦ ଲିଟର ପିଛା 103.90 ଟଙ୍କା
- ବେଙ୍ଗାଲୁରୁ ଲିଟର ପିଛା 98.79 ଟଙ୍କା
- ଭୁବନେଶ୍ବର ଲିଟର ପିଛା 101.01 ଟଙ୍କା
କଣ କହିଲେ ଟ୍ରମ୍ପ ?
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ଟ୍ରୁଥରେ କହିଥିଲେ ଯେ, ଇରାନ ଓ ପଶ୍ଚିମ ଏସିଆର କିଛି ଦେଶ ଚୁକ୍ତି ପାଇଁ କିଛି ସମୟ ମାଗିଛନ୍ତି । ଟ୍ରମ୍ପ ଏଥିରେ ଦାବି କରିଥିଲେ ଯେ, ଯଦି ଚୁକ୍ତି ସ୍ବାକ୍ଷରିତ ହୋଇଯାଏ ତେବେ ତୁରନ୍ତ ଷ୍ଟେଟ ଅଫ୍ ହୋର୍ମୁଜ ଖୋଲି ଦିଆଯିବ ।
ଆଜି ଇରାନ ସହ ଆଲୋଚନା:
ଟ୍ରମ୍ପ ପୂର୍ବରୁ କହିଥିଲେ ଯେ, ଇରାନ ସହ ଆଲୋଚନା ସୋମବାର ଠାରୁ ଆରମ୍ଭ ହେବ । ତେବେ ଏହି ବୈଠକ ସମ୍ପର୍କରେ ଇରାନ ପକ୍ଷରୁ ସାର୍ବଜନୀନ ଭାବେ କିଛି କୁହାଯାଇନାହିଁ । ବର୍ତ୍ତମାନ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ 6 ମାସ ହେଲାଣି । ଯାହାର ପ୍ରଭାବ ସାରା ବିଶ୍ବରେ ଦେଖିବାକୁ ମିଳିଛି ।

