ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନ; ଇରାନ ଯୁଦ୍ଧ ଓ ତେଲ ଦର ଯୋଗୁଁ ପରାଜୟ ହୋଇଥିବା ସ୍ୱୀକାର କଲେ ଟ୍ରମ୍ପ
US Midterm Election:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଯଦି ତାଙ୍କୁ ପୁନର୍ବାର ସେହି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ, ତେବେ ସେ ପୁଣି ସେହି ନିଷ୍ପତ୍ତି ହିଁ ନେବେ ।

Published : November 5, 2026 at 8:15 AM IST
ୱାଶିଂଟନ: ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା ଲାଗିଛି । ଇରାନ ସହ ଯୁଦ୍ଧ କାରଣରୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିକୁ ବଡ଼ କ୍ଷତି ସହିବାକୁ ପଡ଼ିଛି, ଏହା 'ମୋଟାମୋଟି ଭାବେ ସତ' ବୋଲି ଟ୍ରମ୍ପ ସ୍ବୀକାର କରିଛନ୍ତି । କିନ୍ତୁ, ନିଜ ନିଷ୍ପତ୍ତିରେ ଅଟଳ ରହି ସେ ଦୃଢ଼ତାର ସହ କହିଛନ୍ତି ଯେ, ଯଦି ତାଙ୍କୁ ପୁନର୍ବାର ସେହି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ, ତେବେ ସେ ପୁଣି ସେହି ନିଷ୍ପତ୍ତି ହିଁ ନେବେ । କାରଣ 'ଦୀର୍ଘକାଳୀନ' ଦୃଷ୍ଟିକୋଣରୁ ବିଚାର କଲେ, ଏହା ହିଁ 'ଏକମାତ୍ର ସମାଧାନ' ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, "ସେହି ସମୟରେ, ଯଦି ମୋତେ ଏହା ପୁନର୍ବାର କରିବାକୁ ପଡ଼ିଥାନ୍ତା, ତେବେ ମୁଁ ପୁଣି ଥରେ ଏହା କରିଥାନ୍ତି । କାରଣ, ଦୀର୍ଘମିଆଦୀ ଦୃଷ୍ଟିକୋଣରୁ ଦେଖିଲେ, ଏହା ହିଁ ଏକମାତ୍ର ସମାଧାନ । ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ହାସଲ କରିବାକୁ ଦିଆଯାଇପାରିବ ନାହିଁ ।"
ରାଷ୍ଟ୍ରପତି ଟ୍ରମ୍ପ ଜୋର ଦେଇ କହିଛନ୍ତି ଯେ, ଯୁଦ୍ଧ କ୍ଷେତ୍ରରେ ଆମେରିକା ଅନ୍ୟ କୌଣସି ଉପାୟ ଅବଲମ୍ବନ କରି ନଥାନ୍ତା । "କିନ୍ତୁ ମୁଁ ଆପଣଙ୍କୁ କହିପାରେ ଯେ, ସେହି ଯୁଦ୍ଧ କ୍ଷେତ୍ରରେ ମୁଁ ଅନ୍ୟ କିଛି କରି ନଥାନ୍ତି । ଆମେ ସେମାନଙ୍କ ସାମରିକ ଶକ୍ତିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛୁ । ସେମାନଙ୍କ ନୌସେନା ନଷ୍ଟ ହୋଇଯାଇଛି । ବାୟୁସେନା ମଧ୍ୟ ନଷ୍ଟ ହୋଇଯାଇଛି । ସେମାନଙ୍କର ଆଣ୍ଟି-ଏୟାରକ୍ରାଫ୍ଟ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଯାଇଛି," ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ଆହୁରି କହିଛନ୍ତି "ଇରାନ ପରିସ୍ଥିତିକୁ ନେଇ, ଆମକୁ ଯାହା କରିବାକୁ ପଡ଼ିଲା ଆମେ ତାହା କଲୁ, ଏବଂ ଆମେ ଏବେ ମଧ୍ୟ ତାହା କରୁଛୁ । ବର୍ତ୍ତମାନ, ହରମୁଜ୍ ପ୍ରଣାଳୀ ଦେଇ ବହୁ ପରିମାଣର ତେଲ ଆସୁଛି । ଆରମ୍ଭରେ, ଏହି ବାଟ ଦେଇ କିଛି ବି ଆସୁ ନ ଥିଲା । ଆଉ ବୋଧହୁଏ ଏହା ହିଁ ମୁଖ୍ୟ କାରଣ- ଦାମ୍, ଯୁଦ୍ଧ ନୁହେଁ, ବରଂ (ତେଲର) ଦାମ୍ ।"
ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଥିଲେ ମଧ୍ୟ, ସେ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ଙ୍କୁ ପଦରୁ ହଟାଇବା ବିଷୟରେ ଚିନ୍ତା କରୁନାହାନ୍ତି । ସେ କହିଛନ୍ତି, "ପିଟ୍ ହେଗସେଥ୍ ଖୁବ୍ ଭଲ କାମ କରୁଛନ୍ତି ।"
ସେପଟେ ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ, ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ଶୋଚନୀୟ ପରାଜୟ ପାଇଁ ଇରାନରେ ରାଷ୍ଟ୍ରପତିଙ୍କ ଯୁଦ୍ଧକୁ ଦାୟୀ କରିଛନ୍ତି ।

