ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ତୀବ୍ର: ବାହାରିନ ଓ କୁଏତ ଉପରେ ଇରାନର ଆକ୍ରମଣ, ଇରାନୀ ତୈଳ ଜାହାଜ ଉପରେ ଆମେରିକାର ମିସାଇଲ୍ ମାଡ଼
କୁଏତ ଏବଂ ବାହାରିନ ଉପରେ ଇରାନର ମିସାଇଲ ଆକ୍ରମଣକୁ ପ୍ରତିହତ କରାଯାଇଥିବା ଦାବି କରିଛି ଆମେରିକା ସାମରିକ ବାହିନୀ ।

Published : June 3, 2026 at 11:30 AM IST
US IRAN WAR , ହାଇଦ୍ରାବାଦ: ମଧ୍ୟପ୍ରାଚ୍ୟରେ ଜାରି ରହିଛି ଅସ୍ଥିରତା । କୁଏତ ଏବଂ ବାହାରିନ୍ ଉପରେ ଇରାନ ଗତକାଲି (ମଙ୍ଗଳବାର) ମିସାଇଲ୍ ଆକ୍ରମଣ କରିଥିବା ଆମେରିକା ମିଲିଟାରୀ ପକ୍ଷରୁ ସୂଚନା ମିଳିଛି । ଏହାକୁ ଆମେରିକା ସେନା ପ୍ରତିହତ କରିବାରେ ସଫଳ ହୋଇଥିବା ଦାବି କରିଛି । ଏହା ପରେ ଆମେରିକାର କେନ୍ଦ୍ରୀୟ ପ୍ରତିରକ୍ଷା ଟିମ୍, ଇରାନର ହର୍ମୁଜ ପ୍ରଣାଳୀ ନିକଟସ୍ଥ କ୍ବେଶମ୍ ଦ୍ବୀପ (Qeshm Island) ଉପରେ ଆକ୍ରମଣ କରିଥିଲା ।
ଇରାନ ଆକ୍ରମଣ ବିଫଳ:
ଇରାନ ଦ୍ବାରା ବାହାରିନ୍ ଓ କୁଏତ ଉପରେ ମିଶାଇଲ୍ ଆକ୍ରମଣ ବିଫଳ ହୋଇଥିଲା । ମିସାଇଲ୍ ସଠିକ ଲକ୍ଷ୍ୟଭେଦ କରି ପାରିନଥିବା ଆମେରିକା ପକ୍ଷରୁ କୁହାଯାଇଛି । କୁଏତ ଉପରେ ଇରାନ ଲକ୍ଷ୍ୟ କରିଥିବା ମିସାଇଲ୍ ଅଧା ବାଟରେ ଧ୍ବଂସ ପାଇଯାଇଥିଲା । ବାହାରିନ ଉପରେ ଇରାନର ଆକ୍ରମଣକୁ ଆମେରିକୀୟ ସାମରିକ ବାହିନୀ ପ୍ରତିହତ କରିଛନ୍ତି ବୋଲି ଆମେରିକା ସେନା ପକ୍ଷରୁ କୁହାଯାଇଛି ।
An additional wave of Iranian drones attempting to attack U.S. forces in Kuwait failed to impact intended targets tonight. U.S. Central Command air defenses successfully downed multiple drones and ensured no American personnel or assets were harmed.
— U.S. Central Command (@CENTCOM) June 3, 2026
' ଯୁଦ୍ଧବିରତି ପାଇଁ ଇରାନର ବଡ଼ ବଡ଼ ନେତାମାନେ ଆମେରିକା ସହିତ ଆଲୋଚନା ବନ୍ଦ କରିବା ପରେ, ପୁ୍ଣି ଥରେ ଯୁଦ୍ଧ ପରିସ୍ଥିତି ତୀବ୍ର ହୋଇଥିବା ପରିଲକ୍ଷିତ ହୋଇଛି।' ଇରାନର 2ଟି ଅର୍ଦ୍ଧ ସରକାରୀ ସମ୍ବାଦ ଏଜେନ୍ସି ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବିକୁ ଖଣ୍ଡନ କରିବା ସହିତ ଯୁଦ୍ଧ ବିରତି ପାଇଁ କଥାବାର୍ତ୍ତା ଚାଲୁଥିବା କହିଛନ୍ତି ।
ଇରାନ ଜାହାଜ ଉପରେ ଆକ୍ରମଣ:
ଅନ୍ୟପଟେ, ଆମେରିକା ସାମରିକ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇରାନ ସ୍ଥିତ ଏକ ବନ୍ଦରରେ ଆମେରିକାର ପ୍ରତିବନ୍ଧକ ସତ୍ତ୍ବେ ଏକ ତୈଳବାହୀ ଜାହାଜ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଆମେରିକା ଏହା ଉପରେ ମିସାଇଲ୍ ମାଡ଼ କରିଛି । ଆମେରିକା ଏପରି ଭାବେ ସପ୍ତମ ଜାହାଜକୁ ଇରାନ ବନ୍ଦରରେ ପହଞ୍ଚିବାରୁ ଅଟକ ରଖିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ସୋସିଆଲ ମିଡିଆ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି ।
ଇରାନରେ ଚାଲୁଥିବା ଆଣବିକ କାର୍ଯ୍ୟକ୍ରମ ଯୁଦ୍ଧ ପାଇଁ ବାଧାପ୍ରାପ୍ତ ହୋଇଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି ମୁଖ୍ୟ ରାଫେଲ ଗ୍ରସୋଇ ପ୍ରକାଶ କରିଛନ୍ତି । ୟୁଏଇ ଗସ୍ତ ସମୟରେ ସେ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଇରାନରେ ଆଣବିକ କାର୍ଯ୍ୟକ୍ରମ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ତେହେରାନ ଠାରେ ଥିବା ଆଣବିକ ଶକ୍ତି କେନ୍ଦ୍ର ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଛି ।

