ଦୁଇ ଘଣ୍ଟା ଆଲୋଚନା ପରେ ବି ବାହାରିଲାନି ଆମେରିକା ଇରାନ ସଂଘର୍ଷ ନିଷ୍କର୍ସ
ଇରାନ ସହିତ ଅସ୍ତ୍ରବିରତି ଅବଧି ବୃଦ୍ଧି ଏବଂ ହରମୁଜ ପ୍ରଣାଳୀ ପୁନର୍ବାର ଖୋଲିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ "ଶେଷ ନିଷ୍ପତ୍ତି" ର ସଂକେତ ଦେଇଥିଲେ ।


Published : May 30, 2026 at 2:58 PM IST
ୱାଶିଂଟନ: ପୁଣି ଅନିଶ୍ଚିତତା ମଧ୍ୟରେ ଇରାନ ଆମେରିକା ସଂଘର୍ଷ । ବାରମ୍ବାର ଯୁଦ୍ଧବିରତି ଓ ଶାନ୍ତି ଆଲୋଚନା ନେଇ ପଦକ୍ଷେପ ନିଆଯାଉଥିଲେ ସୁଦ୍ଧା କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଇରାନ ସହିତ ଅସ୍ତ୍ରବିରତି ଅବଧି ବୃଦ୍ଧି ଏବଂ ହରମୁଜ ପ୍ରଣାଳୀ ପୁନର୍ବାର ଖୋଲିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ "ଶେଷ ନିଷ୍ପତ୍ତି" ର ସଂକେତ ଦେଇଥିଲେ । ଏନେଇ ନିଜର ଜାତୀୟ ସୁରକ୍ଷା ଦଳ ସହ ଟ୍ରମ୍ପ ପ୍ରାୟ ଦୁଇ ଘଣ୍ଟା ଧରି ବୈଠକ କରିଥିଲେ । ପରେ ହ୍ୱାଇଟ ହାଉସ ପକ୍ଷରୁ କୌଣସି ନିଷ୍ପତ୍ତି ଘୋଷଣା କରାଯାଇ ନାହିଁ।
ଅନିଶ୍ଚିତତା ମଧ୍ୟରେ ଇରାନ ଆମେରିକା ସଂଘର୍ଷ
ବୈଠକ ପରେ ଜାରି କରାଯାଇଥିବା ଏକ ବିବୃତିରେ ଜଣେ ହ୍ୱାଇଟ ହାଉସ ଅଧିକାରୀ କହିଛନ୍ତି ଯେ ପ୍ରାୟ ଦୁଇ ଘଣ୍ଟା ପରେ ଆଲୋଚନା ଶେଷ ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ ଯାହା ଆମେରିକା ପାଇଁ ଭଲ ହେବ ସେହି ଚୁକ୍ତି କରିବେ । ଇରାନ କେବେବି ଆଣବିକ ଅସ୍ତ୍ର ରଖିପାରିବ ନାହିଁ ବୋଲି ଅଧିକାରୀ ଜଣକ ଦାବି କରିଛନ୍ତି ।
ଏହି ଚୁକ୍ତିନାମା ଦ୍ୱାରା ଦୁର୍ବଳ ଅସ୍ତ୍ରବିରତି ଅବଧିକୁ ୬୦ ଦିନ ପାଇଁ ବୃଦ୍ଧି କରାଯିବ ବୋଲି ଅନୁମାନ କରାଯାଉଥିଲା । କାରଣ ଇରାନର ବିବାଦୀୟ ପରମାଣୁ କାର୍ଯ୍ୟକ୍ରମ ଉପରେ ପୁଣି ଆଲୋଚନା ଚାଲିଛି। ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ “ଇରାନ କେବେ ମଧ୍ୟ ଆଣବିକ ଅସ୍ତ୍ର କିମ୍ବା ବୋମା ପ୍ରସ୍ତୁତ କରିବ ନାହିଁ ବୋଲି ନିଶ୍ଚିତ କରିବ। ଆନ୍ତର୍ଜାତୀୟ ଜଳପଥ ପରିବହନ ପାଇଁ ହରମୁଜ ପ୍ରଣାଳୀକୁ ପୁନର୍ବାର ଖୋଲାଯିବ । ସମସ୍ତ ସାମୁଦ୍ରିକ ମାଇନ୍ସ ଗୁଡ଼ିକୁ ନଷ୍ଟ କରାଯିବା ଉଚିତ’’।
ଅନ୍ୟପକ୍ଷରେ ଇରାନ ବାଚସ୍ପତି ମହମ୍ମଦ ବାଘେର କାଲିବାଫ୍ ଏକ୍ସରେ ପୋଷ୍ଟ କରିଛନ୍ତି ଯେ “ଗ୍ୟାରେଣ୍ଟି କିମ୍ବା ଶବ୍ଦ ଉପରେ ତାଙ୍କର କୌଣସି ଭରସା ନାହିଁ, କେବଳ କାର୍ଯ୍ୟ ଉପରେ ଅଛି। ଗତ ବର୍ଷ ଆଣବିକ ଆଲୋଚନା ଚାଲିଥିବା ସମୟରେ ଆମେରିକା ଏବଂ ଇସ୍ରାଏଲ୍ ଦୁଇଥର ଇରାନ ଉପରେ ଆକ୍ରମଣ କରିବା ପରେ ସୃଷ୍ଟି ହୋଇଥିବା ଦୀର୍ଘଦିନର ଅବିଶ୍ୱାସକୁ ଏହା ସ୍ପଷ୍ଟ କରୁଛି। ଅନ୍ୟ ପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କୌଣସି ପଦକ୍ଷେପ ନିଆଯିବ ନାହିଁ।" ସେ ଆହୁରି କହିଛନ୍ତି, "ଆମେ ଆଲୋଚନା ମାଧ୍ୟମରେ ନୁହେଁ ବରଂ ମିସାଇଲ୍ ମାଧ୍ୟମରେ ସୁଯୋଗ ବା ରିହାତି ହାସଲ କରୁ।"
ଆମେରିକା ଉପ-ରାଷ୍ଟ୍ରପତି ଜେଡି ଭାନ୍ସ ସଂକେତ ଦେଇଥିଲେ ଯେ ଆଲୋଚକମାନେ ଇରାନର ଆଣବିକ କାର୍ଯ୍ୟକ୍ରମ ଉପରେ ସାଧାରଣ ସର୍ତ୍ତାବଳୀ ସ୍ଥିର କରିବାକୁ ଚେଷ୍ଟା କରୁଛନ୍ତି । ଏହାର ବିସ୍ତୃତ ବିବରଣୀ ପରବର୍ତ୍ତୀ ଆଲୋଚନାରେ ସମାଧାନ କରାଯିବ। ଭାନ୍ସ କହିଛନ୍ତି, ‘‘ଆମେ ଏଭଳି ଏକ ସ୍ଥିତିରେ ଅଛୁ ଯେଉଁଠାରେ ଆମେ ସେମାନଙ୍କ ଆଣବିକ କାର୍ଯ୍ୟକ୍ରମକୁ କେବଳ ଏହି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ମଧ୍ୟରେ ନୁହେଁ ବରଂ ଦୀର୍ଘକାଳୀନ ଭାବରେ ଯଥେଷ୍ଟ ପଛକୁ ଠେଲି ଦେଇପାରିବା । ଏହା ଆମେରିକୀୟ ମାନଙ୍କ ପାଇଁ ବହୁତ ଭଲ ହେବ’’ ।
ଦକ୍ଷିଣ ଲେବାନନର ସାତ ଗାଁ ଖାଲି କରିବାକୁ ଇସ୍ରାଏଲର ଚେତାବନୀ
ସେପଟେ ଦକ୍ଷିଣ ଲେବାନନର 7ଟି ଗାଁ ଖାଲି କରିବାକୁ ଚେତାବନୀ ଦେଇଛି ଇସ୍ରାଏଲ । ହିଜ୍ଜବୁଲା ଆତଙ୍କବାଦୀଙ୍କ ବିପକ୍ଷରେ ଇସ୍ରାଏଲ ଖୁଲମଖୁଲା ଷ୍ଟ୍ରାଇକ ଚେତାବନୀ ଦେଇଛି । ଏକ୍ସରେ ପୋଷ୍ଟ କରି ଆବିଚେ ଆଦାରୀ କହିଛନ୍ତି ଯେ ‘‘ଅସ୍ତ୍ରବିରତି ଚୁକ୍ତିନାମାକୁ ହିଜବୁଲ୍ଲା ଉଲ୍ଲଂଘନ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନାବାତିହ ନିକଟବର୍ତ୍ତୀ କେତେକ ଗ୍ରାମ ସହିତ ଏହି ପ୍ରଭାବିତ ଗ୍ରାମଗୁଡ଼ିକର ନାମ ବିବୃତିରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ଯେଉଁଠାରେ ନିର୍ଦ୍ଧାରିତ ଇସ୍ରାଏଲ୍ ସାମରିକ ଅପରେସନ୍ କାରଣରୁ ସ୍ଥାନୀୟ ବାସିନ୍ଦାଙ୍କୁ ସେହି ସ୍ଥାନ ଖାଲି କରିବାକୁ କୁହାଯାଇଛି’’।
ଏହା ମଧ୍ୟ ପଢନ୍ତୁ ଟ୍ରମ୍ପ ଭାଙ୍ଗିବେ 160 ବର୍ଷର ପୁରୁଣା ଆଇନ! ଆସିବ ନୂଆ 250 ଡଲାରର ନୋଟ, ରହିବ ରାଷ୍ଟ୍ରପତିଙ୍କ ମୁହଁ
ଏହା ମଧ୍ୟ ପଢନ୍ତୁ ଭାରତ ମୋ ଉପରେ 100% ଭରସା କରିପାରିବ, ମୁଁ ପିଏମ ମୋଦିଙ୍କ ଜଣେ ବଡ ପ୍ରଶଂସକ: ଟ୍ରମ୍ପ

