ପାକିସ୍ତାନର ଅନୁରୋଧ କ୍ରମେ 'ପ୍ରୋଜେକ୍ଟ ଫ୍ରିଡମ୍'କୁ ବିରତ ରଖିଲେ ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 'ପ୍ରୋଜେକ୍ଟ ଫ୍ରିଡମ୍'କୁ ବିରତ ରଖିଛନ୍ତି, ଯାହା ଦ୍ୱାରା ଆମେରିକୀୟ ସେନା ହୋର୍ମୁଜ୍ ପ୍ରଣାଳୀରୁ ଫସି ରହିଥିବା ଜାହାଜ ଗୁଡ଼ିକୁ ବାହାରକୁ ନେଇଯିବା ପାଇଁ ପ୍ରୟାସ କରୁଥିଲା ।

Published : May 6, 2026 at 11:06 AM IST
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ "ପ୍ରୋଜେକ୍ଟ ଫ୍ରିଡମ୍"କୁ ବିରତ ରଖିଛନ୍ତି । ଏହି ପ୍ରୋଜେକ୍ଟ ଅଧୀନରେ, ଜାହାଜଗୁଡ଼ିକୁ ହୋର୍ମୁଜ୍ ପ୍ରଣାଳୀରୁ ସୁରକ୍ଷିତ ଭାବରେ ବାହାର କରାଯିବାର ଥିଲା । ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତିନାମା ସମ୍ପର୍କରେ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ।
ଗତକାଲି (ମଙ୍ଗଳବାର) ଦିନ 'ଟ୍ରୁଥ୍ ସୋସିଆଲ'ରେ ଏକ ପୋଷ୍ଟରେ ଟ୍ରମ୍ପ କହିଛନ୍ତି, "ଇରାନର ପ୍ରତିନିଧିମାନଙ୍କ ସହିତ ଏକ ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଚୁକ୍ତିନାମା ଦିଗରେ ବହୁତ ଭଲ ଅଗ୍ରଗତି ହୋଇଛି ।"
“We have mutually agreed that, while the Blockade will remain in full force and effect, Project Freedom (The Movement of Ships through the Strait of Hormuz) will be paused for a short period of time to see whether or not the Agreement can be finalized and signed…” - President… pic.twitter.com/R9SlC4w68g
— The White House (@WhiteHouse) May 5, 2026
'ପ୍ରୋଜେକ୍ଟ ଫ୍ରିଡମ୍' ସ୍ଥଗିତ:
ଟ୍ରମ୍ପ ଆହୁରି କହିଛନ୍ତି, "ପାକିସ୍ତାନ ଏବଂ ଅନ୍ୟ ରାଷ୍ଟ୍ର ଗୁଡ଼ିକର ଅନୁରୋଧରେ ଏବଂ ଇରାନ ବିରୁଦ୍ଧରେ ଅଭିଯାନ ସମୟରେ ଆମେ ହାସଲ କରିଥିବା ବିପୁଳ ସାମରିକ ସଫଳତା ଏବଂ ଇରାନ ପ୍ରତିନିଧିମାନଙ୍କ ସହିତ ଏକ ପୂର୍ଣ୍ଣ ଏବଂ ଚୂଡ଼ାନ୍ତ ଚୁକ୍ତିନାମା ଦିଗରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ବିଚାରକୁ ନେଇ, ଆମେ ପାରସ୍ପରିକ ନିଷ୍ପତ୍ତି ନେଇଛୁ ଯେ, ଅବରୋଧ ସମ୍ପୂର୍ଣ୍ଣ ବଳବତ୍ତର ଏବଂ ପ୍ରଭାବରେ ରହିବ, ଚୁକ୍ତିନାମାକୁ ଚୂଡ଼ାନ୍ତ ଏବଂ ସ୍ୱାକ୍ଷରିତ କରାଯାଇପାରିବ କି ନାହିଁ ତାହା ଦେଖିବା ପାଇଁ 'ପ୍ରୋଜେକ୍ଟ ଫ୍ରିଡମ'କୁ ଅଳ୍ପ ସମୟ ପାଇଁ ବିରତ କରାଯିବ ।"
'ପ୍ରୋଜେକ୍ଟ ଫ୍ରିଡମ୍':
ସୋମବାର ଦିନ 'ପ୍ରୋଜେକ୍ଟ ଫ୍ରିଡମ୍' ଆରମ୍ଭ ହୋଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ହୋର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ଫସି ରହିଥିବା ଜାହାଜ ଗୁଡ଼ିକୁ ସୁରକ୍ଷିତ ଭାବରେ ବାହାର କରିବା । ଟ୍ରମ୍ପ୍ ରବିବାର ଏହି ଅଭିଯାନ ଘୋଷଣା କରିଥିଲେ ଏବଂ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏହାକୁ ପରଦିନ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ ।
ଏହି ପ୍ରୋଜେକ୍ଟ ସେହି ସଂକୀର୍ଣ୍ଣ ସାମୁଦ୍ରିକ ପଥ (ହର୍ମୁଜ୍ ପ୍ରଣାଳୀ) ଚାରିପାଖରେ ଉତ୍ତେଜନା ସୃଷ୍ଟି କରିଥିଲା । ଏହି ପଥ ବିଶ୍ୱର ତୈଳ ଯୋଗାଣର ଏକ ପଞ୍ଚମାଂଶ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାଟ ଭାବରେ କାର୍ଯ୍ୟ କରେ । ସଂଯୁକ୍ତ ଆରବ ଏମିରେଟ୍ସ (UAE) ଅଭିଯୋଗ କରିଥିଲା ଯେ, ଏହାର ଜାହାଜ ଗୁଡ଼ିକ ଇରାନ ଦ୍ୱାରା ଆକ୍ରମଣ କରାଯାଇଥିଲା । ଆମେରିକା ମଧ୍ୟ ଅନେକ ଛୋଟ ଇରାନୀ ଜାହାଜ ନଷ୍ଟ କରିଥିବା ଦାବି କରିଥିଲା ।
'ଟ୍ରୁଥ୍ ସୋସିଆଲ'ରେ ଟ୍ରମ୍ପଙ୍କ ବିବୃତ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ଘୋଷଣାର କିଛି ଘଣ୍ଟା ପରେ ଆସିଛି, ଯେଉଁଥିରେ ସେ କହିଥିଲେ ଯେ 'ଅପରେସନ୍ ଏପିକ୍ ଫ୍ୟୁରି' ଫେବୃଆରୀ 28ରେ ଆରମ୍ଭ ହୋଇଥିଲା, ବର୍ତ୍ତମାନ ଶେଷ ହୋଇଛି, କାରଣ ଏହାର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଛି ।
ମଙ୍ଗଳବାର ହ୍ୱାଇଟ୍ ହାଉସ୍ ପ୍ରେସ୍ ସମ୍ମିଳନୀରେ ରୁବିଓ କହିଛନ୍ତି, "'ଅପରେସନ୍ ଏପିକ୍ ଫ୍ୟୁରି' ଶେଷ ହୋଇଛି । ଆମେ ଏହି ଅଭିଯାନର ସମସ୍ତ ଉଦ୍ଦେଶ୍ୟ ହାସଲ କରିଛୁ । ଆମେ ଆଉ କୌଣସି ଉତ୍ତେଜନା ସୃଷ୍ଟି ହେଉ ବୋଲି ଚାହୁଁନାହୁଁ । ଆମେ ଶାନ୍ତିର ପଥ ଅନୁସରଣ କରିବାକୁ ପସନ୍ଦ କରିବୁ । ରାଷ୍ଟ୍ରପତି ଟ୍ରମ୍ପ ଏକ କୂଟନୈତିକ ସମାଧାନକୁ ମଧ୍ୟ ପ୍ରାଥମିକତା ଦେବେ... ତଥାପି, ଏପର୍ଯ୍ୟନ୍ତ, ଇରାନ ସେହି ପଥ ବାଛି ନାହିଁ ।"
'ପ୍ରୋଜେକ୍ଟ ଫ୍ରିଡମ୍' ସମ୍ପର୍କରେ ରୁବିଓ କରିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ଥିଲା 87ଟି ବିଭିନ୍ନ ଦେଶରୁ ପ୍ରାୟ 23,000 ନାଗରିକଙ୍କୁ ଉଦ୍ଧାର କରିବା । ଏହି ନାଗରିକମାନେ ପାରସ୍ୟ ଉପସାଗରରେ ଫସି ରହିଥିଲେ, ଯେଉଁଠାରେ ଇରାନ ସରକାର ସେମାନଙ୍କୁ ମରିବାକୁ ଛାଡି ଦେଇଥିଲେ । ରୁବିଓ କହିଛନ୍ତି, "ଏହା କୌଣସି ଆକ୍ରମଣାତ୍ମକ କାର୍ଯ୍ୟ ନୁହେଁ । ଏହା ଏକ ପ୍ରତିରକ୍ଷାମୂଳକ ପଦକ୍ଷେପ, ଏବଂ ଏହାର ମୂଳମନ୍ତ୍ର ସମ୍ପୂର୍ଣ୍ଣ ସରଳ : ଯଦି ପ୍ରଥମେ ଗୁଳି ଚାଳନା କରାଯାଏ ନାହିଁ, ତେବେ ଆମେ ଗୁଳି ଚଳାଇବୁ ନାହିଁ । ଆମେ ସେମାନଙ୍କୁ ଆକ୍ରମଣ କରୁନାହୁଁ ; ତଥାପି, ଯଦି ସେମାନେ ଆମକୁ କିମ୍ବା କୌଣସି ଜାହାଜକୁ ଆକ୍ରମଣ କରନ୍ତି, ତେବେ ଆମେ ଜବାବ ଦେବାକୁ ବାଧ୍ୟ ହେବୁ ।"

