ETV Bharat / international

ଶ୍ରୀଲଙ୍କା ଜେଲ୍‌ରେ ଭୟଙ୍କର ସଂଘର୍ଷ: ୨୩ ମୃତ, ୧୦୦ରୁ ଅଧିକ ଆହତ

ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷରେ ୪ ଜେଲ୍‌ ପ୍ରହରୀଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ। ଗତ ପାଞ୍ଚ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଜେଲ୍‌ ସଂଘର୍ଷ ନେଇ ଚର୍ଚ୍ଚା

Sri Lanka prison riot
କଏଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ରାତିସାରା ସଂଘର୍ଷ ପରେ ଶ୍ରୀଲଙ୍କାର ସ୍ପେଶାଲ୍ ଟାସ୍କ ଫୋର୍ସ (STF) କର୍ମଚାରୀମାନେ କଲମ୍ବୋ ନିକଟସ୍ଥ ନେଗୋମ୍ବୋ ଜେଲ୍ ବାହାରେ ଜଗି ରହିଛନ୍ତି। ( ୬ ଜୁଲାଇ-୨୦୨୬) (AAFP)
author img

By ETV Bharat Odisha Team

Published : July 6, 2026 at 7:50 PM IST

1 Min Read
Choose ETV Bharat

କଲମ୍ବୋ: ଶ୍ରୀଲଙ୍କାର ଏକ ଜେଲ୍‌ରେ ଘଟିଥିବା ଭୟଙ୍କର ଦଙ୍ଗାରେ ୪ ଜଣ ଜେଲ୍‌ ପ୍ରହରୀଙ୍କ ସମେତ ମୋଟ ୨୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୋମବାର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ଗତ ପାଞ୍ଚ ବର୍ଷରୁ ଅଧିକ ସମୟ ମଧ୍ୟରେ ଏହା ଦେଶର ସବୁଠାରୁ ଭୟଙ୍କର ଜେଲ୍‌ ସଂଘର୍ଷ ବୋଲି କୁହାଯାଉଛି।

ପୋଲିସର ସୂଚନା ଅନୁସାରେ, ରବିବାର ରାତିରେ ରାଜଧାନୀ କଲମ୍ବୋର ଉତ୍ତରରେ ଅବସ୍ଥିତ ନେଗୋମ୍ବୋର ମୁଖ୍ୟ କାରାଗାରରେ ଦୁଇଟି ଗୋଷ୍ଠୀଙ୍କ ଭିତରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାପରେ ଆହତ ବନ୍ଦୀ ଓ ଜେଲ୍‌ ପ୍ରହରୀମାନଙ୍କୁ ତୁରନ୍ତ ନେଗୋମ୍ବୋ ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା।

ନେଗୋମ୍ବୋ ସରକାରୀ ହସ୍ପିଟାଲର ନିର୍ଦ୍ଦେଶିକା ପୁଷ୍ପା ଗାମଲଥ କହିଛନ୍ତି ଯେ, ହସ୍ପିଟାଲରେ ୨୩ଟି ମୃତଦେହ ରହିଛି ଏବଂ ୧୦୦ରୁ ଅଧିକ ଆହତ ବନ୍ଦୀ ଓ ଜେଲ୍‌ ପ୍ରହରୀଙ୍କୁ ଭର୍ତ୍ତି କରାଯାଇଛି। "କେତେକ ଆହତଙ୍କ ଶରୀରରେ ଗୁଳି ବାଜିଥିବା ଚିହ୍ନ ରହିଛି, କେତେକଙ୍କ ଶରୀରରେ ଧାରୁଆ ଅସ୍ତ୍ରରେ କଟା ଆଘାତ ରହିଛି ଏବଂ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି," ବୋଲି ସେ ଖବର ସରବରାହ ସଂସ୍ଥା ଏଏଫ୍‌ପିକୁ ଟେଲିଫୋନ୍‌ ଯୋଗେ କହିଛନ୍ତି।

କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ରବିବାର ସନ୍ଧ୍ୟାରେ ନେଗୋମ୍ବୋ କାରାଗାରରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି କାରାଗାରରେ ହଜାର ହଜାର ବନ୍ଦୀ ରହୁଛନ୍ତି। ସଂଘର୍ଷର ଖବର ସମଗ୍ର କାରାଗାରରେ ବ୍ୟାପିଯିବା ପରେ, ସଂଲଗ୍ନ ମହିଳା କାରାଗାରର ବନ୍ଦୀମାନେ ରବିବାର ରାତିରେ ଛାତ ଉପରକୁ ଚଢ଼ି ସେମାନଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ପୁଲିସ କହିଛି ଯେ, ଛାତର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ କେତେକ ମହିଳା ବନ୍ଦୀ ଆହତ ହୋଇଛନ୍ତି।

ସୋମବାର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କମାଣ୍ଡୋଙ୍କୁ ଡକାଯାଇଥିଲେ ମଧ୍ୟ ସେମାନଙ୍କୁ କାରାଗାର ଭିତରକୁ ମୁତୟନ କରାଯାଇନଥିଲା। କାରାଗାର ବାହାରେ ବନ୍ଦୀଙ୍କ ସମ୍ପର୍କୀୟଙ୍କ ବହୁ ସଂଖ୍ୟାରେ ଭିଡ଼ ଜମିଥିବାବେଳେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ଶ୍ରୀଲଙ୍କା ବାୟୁସେନା ଡ୍ରୋନ୍‌ ଏବଂ ଏକ ହେଲିକପ୍ଟର ମୁତୟନ କରିଥିଲା। ସ୍ଥାନୀୟ ବାସିନ୍ଦାମାନେ ଗୁଳି ଫୁଟିବାର ଶବ୍ଦ ଶୁଣିଥିବା କହିଛନ୍ତି।

ଜଣେ ପୋଲିସ ଅଧିକାରୀ ଏଏଫ୍‌ପିକୁ କହିଛନ୍ତି, "ସଂଘର୍ଷ ରୋକିବାକୁ ଉଦ୍ୟମ କରୁଥିବାବେଳେ ୪ ଜଣ ଜେଲ୍‌ ପ୍ରହରୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।"

ଏହାପୂର୍ବରୁ, ୨୦୨୦ ଡିସେମ୍ବରରେ କୋଭିଡ୍-୧୯ ମହାମାରୀର ଚରମ ସମୟରେ ଶ୍ରୀଲଙ୍କାର ଅନ୍ୟ ଏକ କାରାଗାରରେ ଘଟିଥିବା ସଂଘର୍ଷରେ ୧୧ ଜଣ ବନ୍ଦୀଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୧୭ ଜଣ ଆହତ ହୋଇଥିଲେ। ଏହାପରେ କାରାଗାରରେ ଅତ୍ୟଧିକ ଭିଡ଼ କମାଇବା ପାଇଁ ସରକାର ଶତାଧିକ ବନ୍ଦୀଙ୍କୁ ମୁକ୍ତ କରିଥିଲେ।

ସରକାରୀ ତଥ୍ୟ ଅନୁସାରେ, ରବିବାର ସୁଦ୍ଧା ଶ୍ରୀଲଙ୍କାର ବିଭିନ୍ନ କାରାଗାରରେ ମୋଟ ୪୧,୨୫୦ ଜଣ ବନ୍ଦୀ ରହୁଥିଲେ, ଯାହା ସେଗୁଡ଼ିକର କ୍ଷମତାର ପ୍ରାୟ ଚାରିଗୁଣ ଅଧିକ।

ହା ମଧ୍ୟ ପଢ଼ନ୍ତୁ... EXPLAINER: ଖଣିର ଭୂସ୍ୱର୍ଗ ଜିଲ୍ଲାରେ ଦାଦନ ଦୁଃଖ; ପ୍ରବାସନ ରୋକିବାକୁ ଯୋଜନା କରୁଛି ପ୍ରଶାସନ, ଫଳପ୍ରଦ କେତେ ?