ETV Bharat / international

ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ; ଉଭୟ ପକ୍ଷରୁ ବହୁ ସୈନିକ ମୃତ

ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ । ପାକିସ୍ତାନର ଅପରେସନ 'ଗଜବ ଇଲ୍ ହକ୍'ରେ ଶତାଧିକ ତାଲିବାନ ସୈନ୍ୟ ମୃତ। ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଓପନ୍ ୱାର୍ (Open War) କହିଛନ୍ତି।

Pakistan Declared open war against afganistan killed 130 talibans under Op Ghazab Lil Haq
ପାକିସ୍ଥାନର 'ଗଜବ ଇଲ ହକ' ଅପରେସନ: 55 ପାକିସ୍ତାନୀ ସୈନିକ ସମେତ 130 ତାଲିବାନ ନିପାତ (AP)
author img

By ETV Bharat Odisha Team

Published : February 27, 2026 at 9:22 AM IST

|

Updated : February 27, 2026 at 9:31 AM IST

3 Min Read
Choose ETV Bharat

PAKISTAN AFGHANISTAN WAR ନୂଆଦିଲ୍ଲୀ: ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଗତ 24 ଘଣ୍ଟା ମଧ୍ୟରେ ବିବାଦ ଅଧିକ ଘେନେଇବାରେ ଲାଗିଛି । ଉଭୟ ଦେଶ ମଧ୍ୟରେ ଥିବା ସୀମା- ଡୁରାଣ୍ଡ ଲାଇନକୁ ନେଇ ତିକ୍ତତା ବଢ଼ିଥିବା ବେଳେ, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ଓପନ ୱାର୍ (Open War) ଆଖ୍ୟା ଦେଇଛନ୍ତି ।

ଆଫଗାନିସ୍ତାନ ବିରୋଧରେ ପାକିସ୍ତାନର ଯୁଦ୍ଧ ଘୋଷଣା:
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଆଫଗାନିସ୍ତାନ ବିରୋଧରେ ଏହି ଯୁଦ୍ଧକୁ ' ଓପନ ୱାର୍' ଭାବେ ଘୋଷଣା କରିଛନ୍ତି । ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲ Xରେ ସେ ଲେଖିଛନ୍ତି ଯେ, "ଆମର ସହିବା କ୍ଷମତା ଚରମ ସୀମାରେ ପହଞ୍ଚିଛି । ଏବେ ତାଲିବାନ ଓ ଆମ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି ।"

ଅପରେସନ 'ଗଜବ ଇଲ୍ ହକ୍':
ରିପୋର୍ଟ ଅନୁଯାୟୀ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନ ଉପରେ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ ହୋଇଛି । ଏହାର ନାମ 'ଗଜବ ଇଲ୍ ହକ୍' ରଖାଯାଇଛି । ଆଫଗାନିସ୍ତାନ ପକ୍ଷରୁ ସୀମା ନିକଟରେ ବାରମ୍ବାର କରାଯାଉଥିବା ଆକ୍ରମଣର ପ୍ରତିଉତ୍ତରରେ ପାକିସ୍ତାନ ଏହି ଯୁଦ୍ଧ ଆରମ୍ଭ କରିଛି । ଏହି ଅପରେସନରେ 133 ଆଫଗାନୀ ତାଲିବାନଙ୍କୁ ନିପାତ କରାଯାଇଛି ବୋଲି ପାକିସ୍ତାନ ପକ୍ଷରୁ ଦାବି କରାଯାଇଛି । ଆଫଗାନିସ୍ତାନର ତାଲିବାନ ସରକାର ପକ୍ଷରୁ ପାକିସ୍ତାନ ସୀମାର ବିଭିନ୍ନ ସ୍ଥାନରେ ଆକ୍ରମଣ ପରେ ଗୁରୁବାର ବିଳମ୍ବିତ ରାତିରେ, ପାକିସ୍ତାନ ପକ୍ଷରୁ ପାଲଟା ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।

'27ଟି ଚାଲିବାନୀ ଆଡ୍ଡା ଅକ୍ତିଆର କରିଛୁ'
ପାକିସ୍ତାନ ସୂଚନା ମନ୍ତ୍ରୀ ଅତୁଲ୍ଲା ତରାର କହିଛନ୍ତି ଯେ, ପାଖାପାଖି 133 ଆଫଗାନୀ ତାଲିବାନଙ୍କୁ ନିପାତ କରାଯାଇଛି । ଏହା ସହିତ 200ରୁ ଅଧିକ ତାଲିବାନ ସୈନ୍ୟ ଏହି ଅପରେସନରେ ଗୁରୁତର ଆହତ ହୋଇଛନ୍ତି । ଆଫଗାନିସ୍ତାନ ରାଜଧାନୀ କାବୁଲ, ପାକ୍ତିଆ ଓ କାନ୍ଦାହାର ଭଳି ସ୍ଥାନକୁ ପାକିସ୍ତାନ ସେନା ଟାର୍ଗେଟ କରିଥିଲା । 27ଟି ତାଲିବାନୀ ଆଡ୍ଡା ଅକ୍ତିଆର କରିବା ସହିତ 9 ଜଣ ତାଲିବାନୀଙ୍କୁ ପାକିସ୍ତାନ ବନ୍ଧକ ରଖିଛି ବୋଲି ପାକିସ୍ତାନ ସୂଚନା ମନ୍ତ୍ରୀ ଦାବି କରିଛନ୍ତି ।

ଭାରତର ଉପନିବେଶ ସାଜିଛି ଆଫଗାନିସ୍ତାନ:
ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ କହିଛନ୍ତି, ଏହି ସାମରିକ କାର୍ଯ୍ୟାନୁଷ୍ଠାନ(Military Operation) ଏବେ ମଧ୍ୟ ଚାଲିଛି । ପାକିସ୍ତାନ ସଶସ୍ତ୍ର ବାହିନୀ ଏବେ ଆଫଗାନିସ୍ତାନର ଆକ୍ରମଣର ପାଲଟା ଜବାବ ଦେଉଛନ୍ତି । ସେ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିିଛନ୍ତି, "ଆଫଗାନିସ୍ତାନରୁ ନାଟୋ (NATO) ସାମରିକ ବାହିନୀ ଯିବା ପରେ ତାଲିବାନ ଶାନ୍ତି ପ୍ରତିଷ୍ଠା ସହିତ ଆଞ୍ଚଳିକ ଅଭିବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ମାତ୍ର ଏହା କ୍ରମଶଃ ଭାରତର ଉପନିବେଶ ପାଲଟି ଯାଇଛି । ସାରା ବିଶ୍ବରୁ ଆତଙ୍କବାଦୀଙ୍କୁ ଏକତ୍ରିତ କରି ଆତଙ୍କବାଦ ଖେଳାଉଛି ତାଲିବାନ ।"

ଏନେଇ ପାକିସ୍ତାନ ବିଭିନ୍ନ ସୌହାର୍ଦ୍ଦ୍ୟପୂର୍ଣ୍ଣ ରାଷ୍ଟ୍ରଙ୍କ ଜରିଆରେ ଶାନ୍ତିପୂର୍ଣ୍ଣ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି । ମାତ୍ର ଆଫଗାନିସ୍ତାନ ଭାରତର ଅନୁଗତ ସାଜିଥିବା ଅଭିଯୋଗ ଆଣିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ।

'ଆଫଗାନିସ୍ତାନ ଅଞ୍ଚଳରେ ପ୍ରବେଶ କରିଥିଲା ପାକିସ୍ତାନ ସେନା'
ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ 55 ପାକିସ୍ତାନ ସୈନିକଙ୍କୁ ହତ୍ୟା କରାଯାଇଥିବା ନେଇ ବୟାନ ଜାରି କରାଯାଇଛି । ଡୁରାଣ୍ଡ ଲାଇନ ସୀମାରେ ଗୁରୁବାର ରାତିରେ ଉଭୟ ପକ୍ଷରୁ ଯୁଦ୍ଧ ହୋଇଥିଲା । ଉଭୟ ଦେଶ ମଧ୍ୟରେ ଥିବା ଏହି 2611 କିମି ପରିମିତ ସୀମାକୁ ଆଫଗାନିସ୍ତାନ ଆଦୌ ସ୍ବୀକାର କରିନାହିଁ । ଆଫଗାନିସ୍ତାନର ଜାତୀୟ ପ୍ରତିରକ୍ଷା ବିଭାଗ କହିଛି ଯେ, ରମଜାନ ମାସର ନବମ ଦିନ ପାକିସ୍ତାନ ସେନା ଆଫଗାନିସ୍ତାନ ଅଞ୍ଚଳରେ ପ୍ରବେଶ କରିବା ପରେ ଆଫଗାନିସ୍ତାନ ପକ୍ଷରୁ ଗୁରୁବାର ରାତି 8 ଟା ସମୟରେ ଅପରେସନ ଆରମ୍ଭ ହୋଇଥିଲା । କିଛି ଦିନ ପୂର୍ବେ ପାକିସ୍ତାନୀ ସେନା ଆଫଗାନିସ୍ତାନ ସୀମାରେ ପ୍ରବେଶ କରି ସାଧାରଣ ନାଗରିକ, ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରିଥିଲେ ।

4 ଘଣ୍ଟାର ଅପରେସନ:
ଆଫଗାନିସ୍ତାନ ପକ୍ଷରୁ ପାକିସ୍ତାନ ସେନାର ପୂର୍ବ ଓ ଦକ୍ଷିଣ-ପୂର୍ବରେ ବିଭିନ୍ନ ସୈନ୍ୟ ପୋଷ୍ଟଗୁଡିକ ଉପରେ ଆକ୍ରମଣ କରାଯାଇଥିଲା । ସୀମା ନିକଟରେ ଥିବା ପାକ୍ତିକା, ଖୋସ୍ତ, ନଙ୍ଗରହାର, କୁନାର ଓ ନୁରିସ୍ତାନ ପ୍ରଭୃତି ସ୍ଥାନରେ 4 ଘଣ୍ଟା ଧରି ଅପରେସନ ଚଳାଇଥିଲା । ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, 55 ପାକିସ୍ତାନୀ ସୈନ୍ୟଙ୍କୁ ନିପାତ କରାଯାଇଛି । ଏହା ସହିତ ଏକ ସାମରିକ ପରିବହନ ଗାଡି, 2ଟି ମିଲିଟାରୀ ଠିକଣା ଓ 19ଟି ପୋଷ୍ଟକୁ ଅକ୍ତିଆର କରି ଧ୍ବଂସ କରି ଦିଆଯାଇଛି ବୋଲି ଆଫଗାନିସ୍ତାନ ଦାବି କରିଛି ।

ଏହା ମଧ୍ୟ ପଢନ୍ତୁ: ଆଫଗାନିସ୍ତାନ ଆତଙ୍କୀ ଠିକଣାରେ ପାକ୍‌ର ଏୟାର ଷ୍ଟ୍ରାଇକ, 20 ନାଗରିକ ମୃତ

ଶରଣାର୍ଥୀ କ୍ୟାମ୍ପ ଉପରେ ପାକିସ୍ତାନର ଆକ୍ରମଣ:
ପାକିସ୍ତାନ ସାମରିକ ପୋଷ୍ଟ ଗୁଡିକରୁ ସୈନିକମାନେ ପଳାୟନ କରିଥିଲେ । ଏକ ଟ୍ୟାଙ୍କକୁ ଧ୍ବଂସ କରାଯାଇଛି । ଏକ ବଡ଼ ମିଲିଟାରୀ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡ଼ି ଜବତ କରାଯାଇଛି ଓ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ନେଇ ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଏହା ସହିତ ଯୁଦ୍ଧରେ 8 ଜଣ ଆଫଗାନି ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ 11 ଜଣଙ୍କ ଆହତ ହୋଇଛନ୍ତି । ଏହା ବ୍ୟତୀତ ନଙ୍ଗରହାରଠାରେ ଏକ ଶରଣାର୍ଥୀ କ୍ୟାମ୍ପ ଉପରେ ପାକିସ୍ତାନର ଆକ୍ରମଣ ଯୋଗୁଁ 13 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ଆଫଗାନିସ୍ତାନ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

Last Updated : February 27, 2026 at 9:31 AM IST